ରବୀନ୍ଦ୍ର ନାରାୟଣ ମିଶ୍ର
ପାରସ୍ପରିକ ସହଯୋଗ ମନାନ୍ତର ଦୂର କରିବାରେ ସହାୟକ ହୋଇଥାଏ ଓ ସଦ୍ଭାବର ସ୍ଥାୟିତ୍ୱ ଦୀର୍ଘସ୍ଥାୟୀ ହୋଇଥାଏ।
ବେଳେବେଳେ ଆମମାନଙ୍କ ଭିତରେ ମନାନ୍ତର ବା ମନୋମାଳିନ୍ୟ ଦେଖାଯାଇଥାଏ। ଏହା ଦୂର କରିବାର ଏକ ସୁନ୍ଦର ସମାଧାନର ବାଟ ସନ୍ଥ ପୁଣ୍ଡରୀକ ବାହାର କରିଥିଲେ। ସେ ବାଟଟି ସମସ୍ତେ ଜାଣିବା ଉଚିତ୍।
ସନ୍ଥ ପୁଣ୍ଡରିକ ପାଟଳିପୁତ୍ରରେ ଅବସ୍ଥାନ କରୁଥିଲେ। ତାଙ୍କର ଶିଷ୍ୟ ଥିଲେ ଦୁଇ ଜଣ ଶ୍ରେଷ୍ଠ ବ୍ୟକ୍ତି। କୌଣସି କାରଣରୁ ସେ ଦୁହିଁଙ୍କ ଭିତରେ ଘୋର ମନାନ୍ତର ଦେଖାଗଲା। ଶିଷ୍ୟ ଦୁହିଁଙ୍କର ମନାନ୍ତର ଦୂର କରିବାକୁ କେତେଜଣ ସନ୍ଥ ଅନୁରୋଧ କଲେ ଦୁଇ ଜଣଙ୍କୁ ପାଖକୁ ଡାକି ବୁଝାଇବାକୁ।
ପୁଣ୍ଡରୀକ ସେମାନଙ୍କର ଏ ପ୍ରସ୍ତାବରେ ରାଜି ନ ହୋଇ କହିଲେ ଯେ ବୁଝାଶୁଝା ନ କରି ଦୁହିଁଙ୍କ ଭିତରେ ସଦ୍ଭାବ ସୃଷ୍ଟି ଦ୍ୱାରା ମନୋମାଳିନ୍ୟକୁ ଦୂର କରାଯାଇପାରିବ। ସଦ୍ଭାବ ସୃଷ୍ଟି ପାଇଁ ପୁଣ୍ଡରୀକ ଏକ ଅଭିନବ ପନ୍ଥା ବାହାର କଲେ। ସେ ଏମିତି କାର୍ଯ୍ୟ ଖଞ୍ଜିଦେଲେ ଯେ ଦୁଇଜଣ ପରସ୍ପରକୁ ସହଯୋଗ ନ କଲେ ନିର୍ଦ୍ଧାରିତ କାର୍ଯ୍ୟଟି ସମ୍ପନ୍ନ ହୋଇପାରିବନି।
ମନେକର ରନ୍ଧନଶାଳାରେ ଖାଦ୍ୟ ପ୍ରସ୍ତୁତ କରାଯିବ। ଜଣଙ୍କୁ କାର୍ଯ୍ୟ ଦିଆଗଲା ଯେ ଭଣ୍ଡାରଘରେ ଖାଦ୍ୟ ଉପକରଣ ସଜାଡ଼ି ରଖିବେ, ଆଉ ଜଣକୁ ଦାୟିତ୍ୱ ଦିଆଗଲା ସେ ଭଣ୍ଡାରଘରୁ ଜିନିଷ ନେଇ ରୋଷେଇଘରେ ଦେବେ। ଜଣକୁ ଦାୟିତ୍ୱ ଦିଆଗଲା ସେ ଫୁଲ ସଂଗ୍ରହ କରିବେ। ଅନ୍ୟ ଜଣକୁ ଫୁଲମାଳ ତିଆରି କର୍ମରେ ନିଯୁକ୍ତ ଦିଆଯାଇଥିଲା।
ଉଭୟେ ପରସ୍ପର ସହିତ ସହଯୋଗ କରି ଆଶ୍ରମକୁ ପରିଷ୍କାରପରିଚ୍ଛନ୍ନ କରି ରଖିବା, ପୂଜାର ବ୍ୟବସ୍ଥା କରିବା, ଆଗନ୍ତୁକଙ୍କୁ ଚର୍ଚ୍ଚା କରିବା କାର୍ଯ୍ୟ ତୁଲାଇଥାନ୍ତି। ଏମିତି ଭାବରେ କର୍ମବଣ୍ଟନ କରିଦିଆଯାଇଥିଲା ଯେ ଜଣକର ସହଯୋଗ ନ ଥିଲେ କାର୍ଯ୍ୟଟି ହୋଇପାରିବ ନାହିଁ। ଗୁରୁଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ଦୁଇଜଣଯାକ ଶିଷ୍ୟ ମନଦେଇ କାମ କରିଚାଲିଥାନ୍ତି।
ଏହିପରି ପରସ୍ପର ସହିତ ସହଯୋଗ କରିବା ଫଳରେ ଉଭୟଙ୍କ ଭିତରେ କ୍ରମଶଃ ସଦ୍ଭାବର ବୃଦ୍ଧି ହେଲା। ଏହି ସଦ୍ଭାବ ସୃଷ୍ଟି ହେବା ଫଳରେ ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ କ୍ରମଶଃ ଦୂର ହୋଇଗଲା।
ପାରସ୍ପରିକ ସହଯୋଗ ମନାନ୍ତର ଦୂର କରିବାରେ ସହାୟକ ହୋଇଥାଏ ଓ ସଦ୍ଭାବର ସ୍ଥାୟିତ୍ୱ ଦୀର୍ଘସ୍ଥାୟୀ ହୋଇଥାଏ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)















