ରବୀନ୍ଦ୍ର ନାରାୟଣ ମିଶ୍ର
ମନ ଓ ହୃଦୟ ସ୍ୱଚ୍ଛ ଥିଲେ ଏହା କେବଳ କଥାରେ ନୁହେଁ, କାର୍ଯ୍ୟରେ ବି ଅନୁଭୂତ ହୋଇଥାଏ।
ଆମ ମନ ଓ ହୃଦୟର ଭାବକୁ ଆମେ ଯେମିତି ଜାଣିପାରୁ, ଅନ୍ୟମାନେ ସେମିତି ତା’କୁ ଜାଣିପାରନ୍ତି ଯଦି ସେମାନଙ୍କର ହୃଦୟ ସ୍ୱଚ୍ଛ ତଥା ନିର୍ମଳ ଥାଏ।
ରାବିୟା ଥରେ ଘନଘୋର ଜଙ୍ଗଲରେ ତପସ୍ୟା କରୁଥିଲେ। ବ୍ୟାଘ୍ର, ସିଂହ ପ୍ରଭୃତି ହିଂସ୍ର ପଶୁମାନଙ୍କଠାରୁ ଶାନ୍ତ ପକ୍ଷୀମାନେ ତାଙ୍କ ଚାରିପଟେ ଆନନ୍ଦରେ ବିଚରଣ କରୁଥିଲେ। ଏହି ସମୟରେ ଅନ୍ୟତମ ସନ୍ଥ ହସନ୍ ତାଙ୍କ ପାଖକୁ ଆସୁଥିଲେ। ତାଙ୍କୁ ଆସିବା ଦେଖି ରାବିୟାଙ୍କ ଚାରିପଟେ ଥିବା ପଶୁପକ୍ଷୀଗଣ କିଏ କୁଆଡ଼େ ପଳାଇଲେ।
ହସନ୍ କିଛି ବୁଝିପାରିଲେନି। ତାଙ୍କ ମନରେ ପ୍ରଶ୍ନ ଉଠିଲା, ରାବିୟାକୁ ଘେରି ରହିଥିବା ପଶୁପକ୍ଷୀମାନେ ତାଙ୍କୁ ଦେଖୁଦେଖୁ କାହିଁକି ପଳାୟନ କଲେ? ସେ ରାବିୟାଙ୍କୁ ଏହାର କାରଣ ପଚାରିଲେ। ରାବିୟା ତାଙ୍କୁ ତାଙ୍କ ଦୈନନ୍ଦିନ ଆହାର ବିଷୟରେ ପଚାରିଲେ।
ହସନ୍ କହିଲେ, ‘‘ଯଦିଓ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ପ୍ରତି ମୋର ଦୁର୍ବଳତା ନାହିଁ, ତଥାପି ଏ କେତେଦିନ ହେଲା ବସ୍ତୁତଃ ମୁଁ ମାଂସାହାରୀ ହୋଇଯାଇଛି।’’
ସନ୍ଥ ରାବିୟା ଏଥର ତାଙ୍କ ତୁଣ୍ଡ ଖୋଲିଲେ, ‘‘ଦେଖନ୍ତୁ, ସାଧାରଣତଃ ଲୋକମାନେ ଆପଣଙ୍କ ବାହ୍ୟାଚରଣକୁ ଦେଖି ଆପଣଙ୍କ ସହିତ ବନ୍ଧୁତା ସ୍ଥାପନ କରିଥାନ୍ତି। ସେମାନଙ୍କ ହୃଦୟ ସାଧାରଣତଃ ସ୍ୱଚ୍ଛ ନ ଥାଏ। ତେଣୁ ସେମାନଙ୍କ ହୃଦୟରେ ଆପଣଙ୍କ ଅନ୍ତରର ଭାବ ଠିକ୍ ରୂପେ ପ୍ରତିଫଳିତ ହୁଏ ନାହିଁ। ମାତ୍ର ମୋ ପାଖରେ ରହୁଥିବା ପଶୁପକ୍ଷୀମାନେ ସଂସ୍କାରବଶତଃ ଦୟାର୍ଦ୍ର ହୃଦୟର ହୋଇଥାନ୍ତି। ସେମାନଙ୍କ ହୃଦୟରେ ଅନ୍ୟର ଚିନ୍ତାଧାରାର ନିଖୁଣ ପ୍ରତିଫଳନ ଦେଖାଯାଏ। ଆପଣ ମାଂସାହାରୀ ହୋଇଥିବା ଯୋଗୁଁ ସେମାନେ ଆପଣଙ୍କ ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ପୋଷଣ କରୁନାହାନ୍ତି। ସେଥିପାଇଁ ସେମାନେ ଆପଣଙ୍କ ଉପସ୍ଥିତିକୁ ଭଲ ଦୃଷ୍ଟିରେ ଦେଖି ନ ପାରି ପଳାୟନ କଲେ। ଅଧିକନ୍ତୁ ସେମାନେ ଆପଣଙ୍କ ହୃଦୟରେ ହିଂସାର ଛିଟ୍କା ଦେଖିପାରିଲେ।”
ସନ୍ଥ ହସନ୍ ଆତ୍ମସମୀକ୍ଷା କଲେ ଓ ସେହିଦିନଠାରୁ ଶାକାହାରୀ ହୋଇଗଲେ।
ମଣିଷର ଅନ୍ତର ନିଜ ଖାଦ୍ୟାନୁସାରେ ହୋଇଯାଇଥାଏ। ଏପରିକି ବାହ୍ୟିକ ଆଚରଣ ମଧ୍ୟ ଖାଦ୍ୟ ଦ୍ୱାରା ପ୍ରଭାବିତ ହୋଇଥାଏ ଅନେକ ସମୟରେ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)















