ଛନ୍ଦା ମିଶ୍ର

ଆମେ ଯାହା କରୁ, କାହା ଆଗରେ ହେଉ କିମ୍ବା ଲୁଚାଇକରି ହେଉ, ବାହାର ଲୋକ ଜାଣୁ ବା ନ ଜାଣୁ, ଆମ ମଧ୍ୟରେ ଯେଉଁ ବିବେକରୂପୀ ଭଗବାନ ବାସ କରିଛନ୍ତି, ସେ ପ୍ରତି ମୂହୂର୍ତ୍ତରେ ସେସବୁର ଖବର ଟିପି ରଖୁଛନ୍ତି।

“ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତିଇ ମନେ। ଜଗତର କର୍ତ୍ତା ପରମ ଇଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ”। ଆହା! କି ସୁନ୍ଦର ଭାବନା ପ୍ରକୃତରେ। ଆମେ ଯାହା କରୁ, କାହା ଆଗରେ ହେଉ କିମ୍ବା ଲୁଚାଇକରି ହେଉ, ବାହାର ଲୋକ ଜାଣୁ ବା ନ ଜାଣୁ, ଆମ ମଧ୍ୟରେ ଯେଉଁ ବିବେକରୂପୀ ଭଗବାନ ବାସ କରିଛନ୍ତି, ସେ ପ୍ରତି ମୂହୂର୍ତ୍ତରେ ସେସବୁର ଖବର ଟିପି ରଖୁଛନ୍ତି।

ଭୁଲ୍ କାମ କରିବା ତ ଦୂରର କଥା, ଅନ୍ୟର ମନ୍ଦ ଚିନ୍ତା ମଧ୍ୟ ତାଙ୍କ ନିକଟରେ ଅଛପା ନାହିଁ। ଧର୍ମଭୀରୁ ମନୁଷ୍ୟ, ଭୁଲ୍ କାମ କରିବା ଆଗରୁ ଦଶଥର ଚିନ୍ତାକରେ। ମାତ୍ର ଏବେ ଅଧିକାଂଶ ଲୋକ ଧର୍ମ ଉପରେ ଆସ୍ଥା ରଖିଥିଲେ ମଧ୍ୟ ନିଜ ବିବେକର ମୁହଁକୁ ଚୁପ୍ କରାଇ ଅନେକ ଅନ୍ୟାୟ ଓ ଅନୀତି କରିଚାଲିଛି। ଯିଏ ନିଜେ କରିବାକୁ ଅସମର୍ଥ  ସେ ଅନ୍ୟ ଦ୍ୱାରା କରାଇନେଉଛି ଓ ଜନମାନସରେ ନିଜର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ଅଛି ବୋଲି ମନେକରିଛି। ମାତ୍ର ବିଲେଇ  ଆଖିବୁଜି କ୍ଷୀର ପିଇବ କେତେଦିନ?

ସଚ୍ଚୋଟ ଓ କର୍ତ୍ତବ୍ୟପରାୟଣ ଅଜିତ ବର୍ଦ୍ଧନ ମାଓବାଦୀଙ୍କ ହାତରେ ନିର୍ମମ ଭାବେ ନିହତ ହେଲେ। ତାଙ୍କର ଭୁଲ୍ ଥିଲା ଯେ, ସେ ପୋଲିସ ଚାକିରିକୁ ନିଜର ପେସା ଭାବରେ ଗ୍ରହଣ କରିଥିଲେ। ଏବେ ଅଳ୍ପଦିନ ତଳେ ସାକ୍ଷ୍ୟପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଗଲେ, ଏଠାରେ ଭୁଲ୍, ବିଚାର ବିଭାଗର, ତଦନ୍ତକାରୀ ଅଫିସରଙ୍କର କି ଓକିଲଙ୍କର ତାହା ତର୍ଜମା କରିବାର ବେଳ ନୁହେଁ। ଯିଏ ଭୁଲ୍ କରୁଛି ଓ ଯିଏ ସେହି ଭୁଲର ପକ୍ଷରେ ରହି ତାକୁ ସମର୍ଥନ କରିଛି  ସେମାନେ ସମସ୍ତେ ଦୋଷୀ। ମଣିଷ  ତିଆରି ଅଦାଲତରେ ସିଏ ନିର୍ଦ୍ଦୋଷ, ଭଗବାନଙ୍କ ବିଚାରାଳୟରେ ଯେ, ଫାଶୀ ଦଉଡି  ତାକୁ ଅପେକ୍ଷା କରିଛି, ସେ କଥା ସେ ସମ୍ପୂର୍ଣ୍ଣରୂପେ ପାସୋରି ଯାଇଛି।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଆଦିବାସୀଙ୍କ ବିକାଶ ପାଇଁ କ’ଣ କରିଯାଇଛନ୍ତି ତାହା ନ ଦେଖିଥିବା ଲୋକଆଗରେ କହିଲେ ସେ ବିଶ୍ୱାସ ମଧ୍ୟ କରିବ ନାହିଁ। ଦୁଃଖୀ ଦରିଦ୍ରର ସେବା ହିଁ ମାଧବ ସେବା ଏହା ତାଙ୍କର ବିଶ୍ୱାସ ଥିଲା ଓ ଆଦିବାସୀମାନଙ୍କର ଅଜ୍ଞାନତା ଦୂର ହେଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ଅକ୍ଲେଶରେ ସାମିଲ ହୋଇପାରିବେ, ଏହି ଧାରଣା ପୋଷଣ କରି ସେ ଅଦିବାସୀମାନଙ୍କ ମଧ୍ୟରେ  ରହି ସେମାନଙ୍କ ବିକାଶରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।

ଜଣେ ସାଧୁ, ଯାହାର କର୍ମ ଓ ଚିନ୍ତା  ଉଭୟ ସମଗ୍ର ସମାଜର କଲ୍ୟାଣକାରୀ ଅଟେ, ସେ ବା କାହାର  ଦୋଷ କଣ କଲା?  ମାତ୍ର ପାଷାଣ୍ଡ ହତ୍ୟାକାରୀ ଆଖିରେ ପଟିବାନ୍ଧି ଆସିଲା ଓ ତାଙ୍କୁ ହତ୍ୟା କଲା। କମିଶନ ଉପରେ  କମିଶନ ବସୁଛି। ତଦନ୍ତ ଉପରେ  ତଦନ୍ତ ଚାଲିଛି ଓ ଚାଲିଥିବ ମଧ୍ୟ ମାତ୍ର ଫଳ ହେବ ଶୂନ। ଯଦି ଦୋଷୀ ଧରାପଡିବ ଓ ତାକୁ ଫାଶୀ ମଧ୍ୟ ଦିଆଯିବ, ତେବେ ମଧ୍ୟ ଅପରାଧ ତୁଳନାରେ ଦଣ୍ଡର ମାତ୍ରା ବୋଧହୁଏ କମ୍ ହେବ, ଅବଶ୍ୟ ପୃଥିବୀର ପାପଭାରା କିଛିଟା ଲାଘବ ହେବ।

‘ପରୋପକାରାୟ ପୁଣ୍ୟାୟ, ପାପାୟ ପରପୀଡନାମ୍।’ ନିଜର କର୍ମ ଦ୍ୱାରା ନିଜର ତଥା ଅନ୍ୟର ଉପକାର କରିବା ହେଉଛି ପୁଣ୍ୟ ଓ ଅନ୍ୟକୁ କଷ୍ଟ ଦେବା ହେଉଛି ପାପ। ଆବହମାନ କାଳରୁ ଏପରି ଚାଲିଆସିଛି। ଜୀବର ଧର୍ମବଳରୁ ଧରାର ସ୍ଥିତି ସମ୍ଭବପର ହୋଇଛି। ଯେପରି ଆମେ ଗଛ ଲଗାଇଲେ  ତାହା ଆମ ସହିତ ଆମ ଭବିଷ୍ୟତ ବଂଶଧରଙ୍କର ସହାୟତା କରିଥାଏ।

ସେହିପରି  ପୁଣ୍ୟ ନାମକ ବୃକ୍ଷଟି ସମଗ୍ର ସମାଜକୁ ନିଜର ସୁଶୀତଳ ଛାୟା ପ୍ରଦାନ କରିଥାଏ। କଠୋର ଧର୍ମକର୍ମରେ ଆସ୍ଥା ରଖିଥିବା ବ୍ୟକ୍ତି  ‘ଅହଂ ବ୍ରହ୍ମେସ୍ମି ନୀତିରେ ବିଶ୍ୱାସ ରଖି ଜୀବ ମଧ୍ୟରେ ବ୍ରହ୍ମକୁ ଅନୁଭବ କଲେ ପୃଥିବୀ ସ୍ୱର୍ଗରେ ପରିଣତ ହୋଇଯିବ। ଯେପରି ଗପରେ ଆମେ ପଢିଛେ ଗାଁଟିରେ ହିଂସା ଓ ଅରାଜକତା ବ୍ୟାପିଯାଇଥିଲା। ଗୋଟିଏ ବ୍ରାହ୍ମଣର ଧର୍ମବଳର ଉପସ୍ଥିତି ହିଁ ଗ୍ରାମଟିକୁ ରକ୍ଷା କରୁଥିଲା। ବ୍ରାହ୍ମଣୀ କଥାରେ ବାଧ୍ୟ ହୋଇ ବ୍ରାହ୍ମଣ ଗ୍ରାମ ଛାଡିବାକୁ ବାଧ୍ୟ ହେଲା। ବ୍ରାହ୍ମଣଟି ଗ୍ରାମ ବାହାରେ ପାଦଦେବା ମାତ୍ରେ ଗ୍ରାମଟି ତତ୍‌କ୍ଷଣାତ ଅଗ୍ନିରେ ଭସ୍ମୀଭୂତ ହୋଇଗଲା।

କେତେ ମହାନ୍ କର୍ମ କଲେ ପ୍ରାଣୀ ମନୁଷ୍ୟ ଜନ୍ମ ପାଏ। ଜଣେ ନିଜର ପୂର୍ବ ଜନ୍ମରେ କେତେ ମହତ୍ ହୋଇ ନ ଥିବ ସତେ, ଯାହା ତାକୁ ଏ ଜନ୍ମରେ ଭଗବାନଙ୍କ ପୂଜକ ଭାବେ ଜନ୍ମ ଦେଇଛି। ମାତ୍ର ତାହା ଭୁଲି ସେ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଇତରପ୍ରାଣୀ ପ୍ରାୟ ବ୍ୟବହାର କରୁଛି। ସେ ଭୁଲିଯାଇଛି ଯେ, ଯେଉଁ ଅଧିକାର ବଳରେ ସେ ଆଜି ଅଧିପତ୍ୟ ବିସ୍ତାର କରୁଛି, ସେ ଅଧିକାର ପାଇବାରେ ତାର  କୌଣସି କୃତିତ୍ୱ ନାହିଁ।

ପୋଲିସ ଦୋଷୀକୁ ଧରିବା ପାଇଁ, ବିଚାରପତି ଦଣ୍ଡ ଦେବାପାଇଁ, ଡାକ୍ତର ଚିକିତ୍ସା କରିବା ପାଇଁ ଓ ଶିକ୍ଷକ ଶିକ୍ଷା ଦେବାପାଇଁ  ଏହି ହିସାବରେ ସମସ୍ତେ ନିଜ ନିଜର କର୍ମକ୍ଷେତ୍ର ବାଛିନେଇଛନ୍ତି ମାତ୍ର ନିଜ ବିବେକର କଥା ମାନି ସଚ୍ଚୋଟ ରହି କାମ କରୁଛନ୍ତି କେତେଜଣ? କୁକୁର ବିଲେଇ ମଇଳା ତ୍ୟାଗକରି ଘୋଡାଇଦେଲା ପରି ସମସ୍ତେ ନିଜର ପାପକୁ ଘୋଡାଇ ଚାଲିଛନ୍ତି। ମାତ୍ର ଏପରି ଘୋଡିଆଘୋଡି କେତେଦିନ ଧରି ଚାଲିବ? ସତ ପରି ନିଆଁକୁ କଣ କେହି ଘୋଡାଇ ରଖିପାରେ?

ସାଧାରଣ ପିଅନଟିଏଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ସମସ୍ତେ ଆମେ ନିଜ ବିବେକର ଦଂଶନରେ ଅଭ୍ୟସ୍ତ ହୋଇଗଲାଣି। ଆମେ ପାପ କରିଚାଲିଛେ ଓ ବିଚାରୁଛେ, ହିଁ !  ମାତ୍ର ପାପ ଅର୍ଜିତ ଧନ ଦ୍ୱାରା କଣ କେହି ପୁଣ୍ୟ ଖର୍ଦ୍ଧି କରିପାରେ? ଲଗାଇବା ପଣସ ମଞ୍ଜି, ମାତ୍ର ଆଶା କରିବା ସେଥିରେ ମିଠା ମିଠା ଆମ୍ବ ଫଳୁ। ତାହା କଣ କେବେ ସମ୍ଭବ ?

ବର୍ତ୍ତମାନ ପୃଥିବୀର କୋଣ ଅନୁକୋଣରେ ଲୋକମାନେ ଅତ୍ୟନ୍ତ ସ୍ୱାର୍ଥପର ଓ ହିଂସ୍ର ହୋଇଯାଇଛନ୍ତି। ନିଜର ସ୍ୱାର୍ଥହାସଲ ଏକମାତ୍ର ଲକ୍ଷ୍ୟ ଭାବେ ପରିଗଣିତ ହେଉଛି ଓ ଏଥିପାଇଁ ଲୋକେ ଯେକୌଣସି ପ୍ରକାର ହୀନକାର୍ଯ୍ୟ କରିବାକୁ ପ୍ରସ୍ତୁତ।

ଆମ ଭିତରେ ରାକ୍ଷସ ଓ ଦେବତା ଉଭୟ ଚେତନା ବିଦ୍ୟମାନ, ଆମେ ଯାହାର କଥା ଶୁଣିବା, ତା’ର ଶକ୍ତି ଆମ ମଧ୍ୟରେ  ନିଜର କର୍ତ୍ତୃତ୍ୱ ଜାହିର କରିବା ଆରମ୍ଭ କରିଦେବ ଓ ଶେଷରେ ଆମେ ତାହାର ବଶୀଭୂତ ହୋଇଯିବା। ପ୍ରଥମରୁ ହିଁ ଆମକୁ କଠୋର ନିର୍ଣ୍ଣୟ ନେଇ ନିଜ ବିବେକର ଉପଦେଶ ମାନିବାକୁ ପଡିବ।

ମନୁଷ୍ୟ ମାତ୍ରକେ ପରିସ୍ଥିତିର ଦାସ। ପ୍ରାୟ ସମସ୍ତେ ନିଜ ଚାରିପଟେ ବେଢି ରଖିଥିବା ପରିବେଶ ଦ୍ୱାରା ଅନେକାଂଶରେ ପ୍ରଭାବିତ। କ୍ୱଚିତ୍ କେହି ମହାନ୍ ଚେତାନାଯୁକ୍ତ  ମନୁଷ୍ୟ ଅଛନ୍ତି, ଯେଉଁମାନେ ଏହି ପ୍ରଭାବରୁ ମୁକ୍ତ ରହି  ନିଜ ବିବେକର ଆଦେଶରେ ଅନୁପ୍ରାଣିତ ଓ ପରିଚାଳିତ ହେଉଛନ୍ତି ଏବଂ ହେଉଥିବେ ମଧ୍ୟ।

(ସୌଜନ୍ୟ – ଭିନ୍ନ ମଣିଷ)

Comment