ରବୀନ୍ଦ୍ର ନାରାୟଣ ମିଶ୍ର
‘‘ଏ ପର୍ଯ୍ୟନ୍ତ ଇଂରାଜୀ ଭାଷା ଆମ ଭାରତଭୂମିରେ ରାଣୀ ମର୍ଯ୍ୟାଦା ପାଇବା ବେଳେ ଅନ୍ୟାନ୍ୟ ପ୍ରାଦେଶିକ ଭାଷା ଚାକରାଣୀ ହୋଇ ତା’ ସେବା କରୁଛନ୍ତି।”
ସେଦିନ ‘ଭାରତୀ’ ଅନୁଷ୍ଠାନର ବୈଠକରେ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ସଭାପତିତ୍ୱ କରିବା ଅବସରରେ ଗୋଟିଏ ମଜାକଥା କହିଲେ।
କଥାଟି ହେଉଛି ଆମ ମାତୃଭାଷାକୁ ଆଧାର କରି। ଉପସ୍ଥିତ ବକ୍ତାମାନେ ଆମ ମାତୃଭାଷା ଓଡ଼ିଆ କେମିତି ଅବହେଳିତ ହେଉଛି, ସେ ବିଷୟରେ କହି ଚାଲିଥିଲେ। ରାୟ ମହାଶୟ କହିଲେ, ‘‘ଏ ପର୍ଯ୍ୟନ୍ତ ଇଂରାଜୀ ଭାଷା ଆମ ଭାରତଭୂମିରେ ରାଣୀ ମର୍ଯ୍ୟାଦା ପାଇବା ବେଳେ ଅନ୍ୟାନ୍ୟ ପ୍ରାଦେଶିକ ଭାଷା ଚାକରାଣୀ ହୋଇ ତା’ ସେବା କରୁଛନ୍ତି। ଆମେ କଥା କଥାକେ ଆମ ନିମନ୍ତ୍ରଣପତ୍ରରେ, ନାମଫଳକରେ ଇଂରାଜୀ ଭାଷା ବ୍ୟବହାର କରିଚାଲୁଥାଉ। ଶୁଣିବେ ମୋର ଗୋଟିଏ ତିକ୍ତ ଅଭିଜ୍ଞତା?’’
ତାଙ୍କ କଟକସ୍ଥ କଲ୍ୟାଣନଗର ବାସଭବନରେ ପହଞ୍ଚିଲେ ଓଡ଼ିଶାରେ ରହୁଥିବା ଭଦ୍ରବ୍ୟକ୍ତି। ପୁଅର ବାହାଘର, ହାତରେ ଥିଲା ନିମନ୍ତ୍ରଣପତ୍ର। ନିମନ୍ତ୍ରଣପତ୍ରଟି ଲଫାପା ଭିତରୁ ଖୋଲି ଦେଖୁଦେଖୁ ସେ ସେଇଟିକୁ ତଳେ ଥୋଇଦେଲେ। ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘…ବାବୁ। ଆପଣ ଇଂରାଜୀ ଅକ୍ଷରରେ, ଏସ୍.ୟୁ.ବି.ଏଚ୍.ଏ – ଶୁଭ ଓ ପି.ଏ.ଆର୍..ଇ.ଏନ୍.ଏ.ୱାଇ.ଏ – ପରିଣୟ ବୋଲି ଲେଖିଲେ। ଓଡ଼ିଆରେ ‘ଶୁଭ ପରିଣୟ’ ଲେଖି ପାରିଲେନି। ଓଡ଼ିଆରେ ନିମନ୍ତ୍ରଣପତ୍ର ଲେଖିବାକୁ ଆପଣ ଆଗ୍ରହ ପ୍ରକାଶ କଲେନି କାହିଁକି?’’
ପୁଅର ବାପା ରାୟବାବୁଙ୍କ କଥା ଶୁଣୁଶୁଣୁ ଭାଙ୍ଗିପଡ଼ି କହିଲେ, ‘‘ଆଜ୍ଞା! କ’ଣ ଆପଣଙ୍କୁ କହିବି, ପୁଅ ଓ ତା’ ମା’କୁ ବୁଝାଇଲି, ଆମେ ଓଡ଼ିଆରେ ନିମନ୍ତ୍ରଣପତ୍ର ଲେଖିବା, ଦୁହେଁଯାକ ମାନେ ମା’ ଆଉ ପୁଅ ଏକାଠି ହୋଇ ମିଳିତ ସ୍ୱରରେ କହିଉଠିଲେ, ‘‘ତୁମର ସେ ପୁରୁଣାକାଳିଆ ଢଙ୍ଗରଙ୍ଗ ରଖି ଦେଇଥା। ଯୁଗ ଯାଇ କେଉଁଠି ପହଞ୍ଚିଲାଣି। ହେଃ… ଓଡ଼ିଆ! ଓଡ଼ିଆରେ ପୁଣି ନିମନ୍ତ୍ରଣପତ୍ର! କିଏ ପଢ଼ିବ? ଛିଃ, ଛିଃ…’’। ମତେ କୁହାଗଲା, ‘ଯଦି ଆମ ମାନସିକ ଚିନ୍ତା ତରଙ୍ଗ ସହିତ ତାଳ ଦେଇ ନ ପାରୁଛ, ତେବେ ଘରୁ ବାହାରି ଯାଅ।’
କଥାଟି କହିସାରି ରବି ରାୟ କହିଲେ, ଏଇ ଆମର ମା’ର ଦଶା! ଯେଉଁଠି ମା’ ଲାଞ୍ଛିତା, ସେଠି ଦେଶର ଉନ୍ନତି କୁଆଡ଼ୁ ହବ?
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)















