ଛନ୍ଦା ମିଶ୍ର

ସତରେ କ’ଣ ସେ ସୁଦିନ ଫେରିବ, ଯେଉଁଦିନ ପ୍ରତ୍ୟେକ ପିତାମାତା ନିଜ ସନ୍ତାନ ପାଇଁ ଗର୍ବ ଅନୁଭବ କରିବେ! କୌଣସି ସ୍ଥାନରେ ନଥିବ ବିଭତ୍ସତା, କ୍ରୁରତା ଓ ହିଂସା। ଶାନ୍ତି ଓ ସୌହାର୍ଦ୍ଦ୍ୟ ଥିବ ସବୁଆଡ଼େ ବିରାଜମାନ।
ଗତ ସପ୍ତାହର ଘଟଣା। ସନ୍ଧ୍ୟା ପ୍ରାୟ ଆଠଟା ହେବା ଏକ ବୈଠକରେ ଯୋଗ ଦେବା ପାଇଁ ଆମ କାର୍ଯ୍ୟାଳୟକୁ ଯାଇଥାଏା କାର୍ଯ୍ୟାଳୟର ସମ୍ମୁଖରେ ଏକ ଗାର୍ଲସ ହଷ୍ଟେଲ ଅଛି। ଝିଅଟିଏ ଏକ ପୁଅ ସହିତ ଗଳ୍ପରେ ମସଗୁଲ୍ ଥାଏ।
ଅଳ୍ପ ଦୂରରେ ବ୍ୟକ୍ତି ଜଣେ ବାଇକ୍ ଉପେ ଝିଅଟି ର ବସି ଆଡ଼େ ଚାହିଁ ଦେଖୁଥାନ୍ତି। କିଛି ସମୟ ପରେ ଝିଅଟି ବୁଲିପଡ଼ି ଯେତେବେଳେ ବ୍ୟକ୍ତି ଜଣଙ୍କୁ ଦେଖିଛି ବେହୋସ ହୋଇ ରାସ୍ତା ଉପରେ ପଡ଼ିଗଲା। ଆମେ ସବୁ ପାଖକୁ ଦୌଡ଼ିଗଲୁ। ଝିଅଟିର ପୁରୁଷ ବନ୍ଧୁଟି ବାଇକ୍ ଧରି ଫେରାର୍।
ପ୍ରକୃତ କଥାଟି ବୁଝିଲା ବେଳକୁ, ବ୍ୟକ୍ତି ଜଣକ ହେଉଛନ୍ତି ଝିଅଟିର ଦାଦା। ସେ କିଛି ସମୟ ହେଲା ଆସି ସେଠାରେ ଅଛନ୍ତି। ମାତ୍ର ଝିଅଟି ତାଙ୍କ ଉପସ୍ଥିତି ଜାଣିପାରିନାହିଁ। ଯେତେବେଳେ ସେ ନିଜ ଦାଦାଙ୍କୁ ଦେଖିଛି ଭୟରେ ବେହୋସ ହୋଇଯାଇଛି!
ଆଉ ଗୋଟିଏ ଘଟଣା, ବନ୍ଧୁ ଜଣେ କେନ୍ଦୁଝରରେ ରହନ୍ତି। ତାଙ୍କ ପୁଅ ଏଠାକାର ଏକ ନାମୀ କଲେଜରେ ପାଠ ପଢେ଼। ଥରେ ବନ୍ଧୁଙ୍କୁ ଏକ ଜରୁରୀ କାମରେ ଭୁବନେଶ୍ୱର ଆସିବାକୁ ପଡ଼ିଲା। ସେ ଅଫିସ୍ କାମ ସାରି ସନ୍ଧ୍ୟାରେ ପୁଅର ହଷ୍ଟେଲରେ ଆସି ପହଞ୍ଚିଲେ। ଆଗରୁ ଖବର ନଦେଇ, ହଠାତ୍ ପହଞ୍ଚି ଯାଇ ପୁଅକୁ ସରପ୍ରାଇଜ୍ ଦେବେ ବୋଲି ଭାବି ନିଜେ ହେଲେ ସରପ୍ରାଇଜ୍।
ପୁଅ ହଷ୍ଟେଲରେ ନଥିଲା। ତାର ରୁମ୍ମେଟମାନଙ୍କୁ ପଚାରିଲାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ବନ୍ଧୁ, ପୁଅର ମୋବାଇଲକୁ ଫୋନ୍ କଲେ। ସେପଟୁ ପୁଅ ନମସ୍କାର ଜଣାଇଲା। ବନ୍ଧୁ ପଚାରିଲେ, ପୁଅ ତୁ ଏବେ କେଉଁଠି? ପୁଅ ଉତ୍ତର ଦେଲା ବାପା ମୁଁ ରୁମରେ ଅଛି, ପଢ଼ୁଥିଲି।
ବନ୍ଧୁଙ୍କ ଆଖିରେ ଲୁହ ଜକେଇ ଆସିଲା। କହିଲେ ବାବା ମୁଁ ତୋ ରୁମରେ ହିଁ ଅଛି। ପୁଅ ଉତ୍ତର ଦେଲା, ସରି ବାପା, ମୁଁ ଅଧଘଣ୍ଟା ଭିତରେ ପହଞ୍ଚୁଛି। ମାତ୍ର, ଅପେକ୍ଷା କରିକରି ବନ୍ଧୁ ଜଣକ ପ୍ରାୟ ଦୁଇଘଣ୍ଟା ପରେ ଫେରିଲେ ଷ୍ଟେସନକୁ। ପୁଅକୁ ଯେତେଥର ମୋବାଇଲ ଲଗାଇଲେ ମୋବାଇଲ ଆଉଟ୍ ଅଫ୍ ରିଚ୍ ଜଣାଇଲା।
ଏହା କୌଣସି ମନଗଢ଼ା ଗଳ୍ପ ନୁହେଁ, ବରଂ ଦୁଇଟି ନିଛକ ସତ ଘଟଣା। ପିଲାମାନଙ୍କୁ ପାଠପଢ଼ାଇ ସ୍ୱାବଲମ୍ବୀ କରିବା ସହିତ ମଣିଷ ପରି ମଣିଷଟିଏ କରି ଗଢ଼ି ତୋଳିବା, ଆଜି ପ୍ରତ୍ୟେକ ଅଭିଭାବକ ପାଖରେ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।
ଯୁବଗୋଷ୍ଠୀ ମଧ୍ୟରେ – ଗୁରୁ ଗୁରୁଜନମାନଙ୍କ ପ୍ରତି ସମ୍ମାନ ନାହିାଁ କୌଣସି ଚିହ୍ନା ଲୋକ ବା ଶିକ୍ଷକଙ୍କୁ ଦେଖିଲେ କିପରି ଏକ ବେପରୁଆ ଭାବ ଦେଖାଉଛନ୍ତି, ନଚେତ ବାଟକାଟି ଚାଲିଯାଉଛନ୍ତି। ମୋବାଇଲ ଧରି ବାଇକ୍ ଉପରେ ବସି, ପୁଅ ଝିଅ ନିର୍ବିଶେଷରେ ଘଣ୍ଟାଘଣ୍ଟା ଧରି ରାସ୍ତା ଅବରୋଧ କରି ରଖୁଛନ୍ତି। ରାସ୍ତାରେ ମାରଣା ଷଣ୍ଢଟିଏ ଶୋଇଥିଲେ ଯେପରି ଆଡ଼େଇ ହୋଇ ଚାଲିଯିବାକୁ ହୁଏ ସେହିପରି ଏମାନଙ୍କୁ ଆଡ଼େଇ ହେଇ ଯିବାକୁ ପଡୁଛି।
କାନରେ ଇଅରଫୋନ୍ ଗେଞ୍ଜି ପଛରେ ମୁଣ୍ଡରେ ଓଢଣୀ ଘୋଡ଼ାଇ ଥିବା ଝିଅଟିଏ ବସାଇ ଯେଉଁ ବେଗରେ ଓ ଯେଉଁଭଳି ଭାବରେ ଯୁବକମାନେ ରାସ୍ତାରେ ଯାଉଛନ୍ତି ଲାଗୁଛି ସତେ ଯେପରି ପବନ ସହିତ କରୁଛନ୍ତି ପ୍ରତିଯୋଗିତା। ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ନେଇ ଖେଳୁଛନ୍ତି ଖେଳ!
କଥାରେ କଥାରେ ତ ଛୁରି ଓ ବନ୍ଧୁକ ବାହାରୁଛି ପକେଟରୁା କାହାର ବା ନିଜ ପୈତୃକ ପ୍ରାଣ ପ୍ରତି ଲୋଭ ନାହିଁ ଯେ? ଯେଉଁ କାମ ପାଇଁ ଅଭିଭାବକଙ୍କୁ କହି ପିଲା ଘରୁ ଗୋଡ଼ କାଢିଛି, କେବଳ ସେହି କାମକୁ ଛାଡ଼ି ଅନ୍ୟ ସମସ୍ତ କାମ ସେ କରୁଛି।
ଦୁଃଖ ଓ ପରିତାପର ବିଷୟ ନିଜର ପଇସା ଓ ବହୁ ମୂଲ୍ୟବାନ୍ ସମୟକୁ ଅପଚୟ କରି ସେ ନିଜ ଭବିଷ୍ୟତକୁ ଅନ୍ଧକାରମୟ କରିଦେଉଛି। ଆସାମରେ ଯେଉଁ ଘଟଣାଟି ଘଟିଲା ସବୁତକ ଅଭିଯୁକ୍ତ ଥିଲେ ଯୁବକ। ଆଜି ଭୁବନେଶ୍ୱରରେ ଯେଉଁ ସୁନାଟଣା ପ୍ରତିଯୋଗିତା ଚାଲିଛି ବା ଯେଉଁଠି ହତ୍ୟାକାଣ୍ଡ ବା ଡକାୟତି ହେଉଛି ଅଧିକାଂଶ ଅଭିଯୁକ୍ତ ହେଉଛିନ୍ତି ଇଞ୍ଜିନିୟରିଂ ଛାତ୍ର।
ଏସବୁ ଦେଖି ମନ କରି ଉଠୁଛି ବିଦ୍ରୋହ। ଏସବୁ ପାଇଁ ଦାୟୀ କିଏ? ଆମ ସମାଜ, ଶିକ୍ଷା ବ୍ୟବସ୍ଥା ନା ଆମ ପରିବେଶ? ଆଜି ସମଗ୍ର ବାୟୁମଣ୍ଡଳ ହୋଇଯାଇଛି କଳୁଷିତ। ଆଇନ୍ ଓ ପୋଲିସକୁ ଭୃକ୍ଷେପ ନକରି ଦୁର୍ବୃତ୍ତ ନିଜ ବାଟରେ ଚାଲିଯାଉଛି। ଏଠାରେ ମନେ ପଡ଼େ ଗପଟିଏ।
ରାଜା ଜଣେ ସ୍ୱପ୍ନରେ ଦେଖିଲେ ଭୀଷଣ ମୁହଁ କରି ଶୃଗାଳଟିଏ ତାଙ୍କୁ ଗୋଡ଼ାଉଛି। ନିଜ ପାରିଷଦ ବର୍ଗଙ୍କ ମଧ୍ୟରେ ସ୍ୱପ୍ନର ବାଖ୍ୟା ଖୋଜି ସେ ହେଲେ ନିରାଶା ଘୋଷଣା କରାଗଲା, ସ୍ୱପ୍ନର ଉପଯୁକ୍ତ ବାଖ୍ୟା କରିଲେ ମିଳିବ ବିପୁଳ ଧନରାଶି।
ଗାଇଚରାଳି ପିଲାଟିଏ ଏହା ଶୁଣି ମନେମନେ ପୁରସ୍କାର ରାଶି ପାଇବା ପାଇଁ ହେଲା ଲାଳାୟିତ। ଗଛ ଡାଳରେ ବସିଥିବା ଚଢେଇଟିଏ ତାକୁ ସାହାଯ୍ୟ କଲା। କହିଲା ଦେଶରେ ଏବେ ପ୍ରତାରଣାର ମାୟାଜାଲ ଘେରି ରହିଛି। ଶୃଗାଳ ହେଉଛି ପ୍ରତାରଣା ତଥା ସନ୍ଦେହର ପ୍ରତୀକ। ଯାଆ ରାଜାଙ୍କୁ କହିବୁ ସହଜରେ କାହାକୁ ବିଶ୍ୱାସ କରିବେ ନାହିଁ।
ପିଲାଟି ପୁରସ୍କାର ପାଇଲା ପରେ ପକ୍ଷୀଟିକୁ ଅଧେ ଦେବାର ପ୍ରତିଶ୍ରୁତି ଦେଇ ବାହାରିଗଲା ଓ ହେଲା ସଫଳ। ମାତ୍ର ପୁରସ୍କାର ପାଇଲା ପରେ ଧନଲୋଭ କଲା ତାକୁ ଅନ୍ଧ, ପୁରସ୍କାର ରାଶି ଧରି ସେ ବାଟ ଭାଙ୍ଗି ଚାଲିଗଲା। ତାକୁ ଆଉ ଗାଇ ଚରେଇବାକୁ ପଡ଼ିଲାନି, ସେ ଆରାମରେ ରହିଲା।
ଏହାର କିଛି ଦିନ ପରେ ରାଜା ଦେଖିଲେ ଆଉ ଏକ ସ୍ୱପ୍ନ, ମୁଣ୍ଡ ଉପରେ ତାଙ୍କର ତରବାରୀଟିଏ ଝୁଲି ରହିଛି। ପିଲାଟିକୁ ସ୍ୱପ୍ନ ବାଖ୍ୟା ପାଇଁ ଆସିଲା ଡାକରା। ପିଲାଟି କହିଲା ଯେ, ସେ ସ୍ୱପ୍ନବାଖ୍ୟା କରିବା ଛାଡ଼ି ଦେଇଛି। ମାତ୍ର ସୈନ୍ୟମାନେ ବୁଝାଇ ଦେଲେ ଯେ, ତା’ ଇଚ୍ଛାରେ ନୁହେଁ ବରଂ ରାଜାଙ୍କ ଇଚ୍ଛାରେ ତାକୁ ବାଖ୍ୟା କରିବାକୁ ପଡ଼ିବ।
ପିଲାଟି ଦିନଟିଏ ସମୟ ମାଗିଲା। ଯାଇ ପହଞ୍ଚିଲା ଚଢେଇ ରହୁଥିବା ବୃକ୍ଷ ନିକଟରେ। ନିଜ ପୂର୍ବ ଭୁଲ୍ ପାଇଁ କ୍ଷମା ମାଗି ତାରି ଅର୍ଥ ଜାଣିବାକୁ ଚାହିଁବାରୁ ଚଢେଇ ବୁଝାଇ ଦେଲା, ଏବେ ଦେଶରେ ହିଂସା ତା’ର ରାଜୁତି ଚଳାଇଛି, ତରବାରୀ ହେଉଛି ହିଂସାର ପ୍ରତୀକ, ତେଣୁ ରାଜାଙ୍କ ଜୀବନ ପ୍ରତି ବିପଦ ଅଛି। ସ୍ୱପ୍ନର ବାଖ୍ୟା ଶୁଣାଇ ସମସ୍ତ ପୁରସ୍କାର ରାଶି ନେଇ ପିଲାଟି ଫେରିଲା। ମାତ୍ର ପୁରସ୍କାର ପାଇଗଲା ପରେ ମନରେ ଆସିଲା କ୍ରୋଧ।
ଗଛ ତଳେ ପହଞ୍ଚି ଚଢେଇକୁ ଲକ୍ଷ୍ୟ କରି ପକାଇଲା ଏକ ପଥର। କିନ୍ତୁ ଚଢେଇଟି ବଞ୍ଚିଗଲା। କିଛି ଦିନ ପରେ ରାଜା ପୁଣି ସ୍ୱପ୍ନ ଦେଖିଲ। ସୁନ୍ଦର ଠେକୁଆ ଛୁଆଟିଏ ତାଙ୍କ କୋଳ ଉପରେ ବସିଛି। ଏହାର ଅର୍ଥ ଜାଣିବା ପାଇଁ ପିଲାଟି ଏଥର ମଧ୍ୟ ଚଢେଇ ନିକଟରେ ପହଞ୍ଚିଲା। ଚଢେଇ କହିଲା, ଏବେ ଦେଶରେ ଶାନ୍ତିର ବାତାବରଣ, ରାଜାଙ୍କୁ କୁହ, ନିଶ୍ଚିନ୍ତ ହୋଇ ରାଜ୍ୟ ଶାସନ କରନ୍ତୁ। ପିଲାଟି ଯାଇ ରାଜାଙ୍କୁ ସବୁ କହିଲା ପରେ ପାଇଲା ବିପୁଳ ଧନରତ୍ନ। ସମସ୍ତ ଧନରତ୍ନ ସହ ସେ ଯାଇ ପହଞ୍ଚିଲା ଚଢେଇ ପାଖର।
ନିଜର ପୂର୍ବ ହିଂସ୍ର ଆଚରଣକୁ କ୍ଷମା କରିଦେବା ପାଇଁ ପ୍ରାର୍ଥନା କରିବା ସହ ସମସ୍ତ ଧନରତ୍ନ ଗ୍ରହଣ କରିବାକୁ ଅନୁରୋଧ କରିବାରୁ ଚଢେଇ ଉତ୍ତର ଦେଲା, ତୁମ ଆଚରଣଗୁଡ଼ିକ ତୁମ ପରିବେଶ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ପୂର୍ବେ ପରିବେଶ ଥିଲା କଳୁଷିତ ତେଣୁ ତୁମେ ଶଠତା ଅବଲମ୍ବନ କଲ। ଏବେ ମଧ୍ୟ ତୁମ ମଧ୍ୟରେ ହୋଇଥିବା ପରିବର୍ତ୍ତନ ପାଇଁ ବର୍ତ୍ତମାନର ପରିବର୍ତ୍ତିତ ପରିବେଶ ହିଁ ଦାୟୀ। ମୁଁ ଚଢେଇଟିଏ ଗଛରେ ରହେ, ଫଳ ଖାଏ, ଧନ ମୋର ହେବ କଣ? ଏସବୁ ନେଇ ତୁମେ ସୁଖରେ ରହ।
ଏହା ତ ଥିଲା ଗପଟିଏ। ମାତ୍ର ସତରେ କ’ଣ ସେ ସୁଦିନ ଫେରିବ, ଯେଉଁଦିନ ପ୍ରତ୍ୟେକ ପିତାମାତା ନିଜ ସନ୍ତାନ ପାଇଁ ଗର୍ବ ଅନୁଭବ କରିବେ! କୌଣସି ସ୍ଥାନରେ ନଥିବ ବିଭତ୍ସତା, କ୍ରୁରତା ଓ ହିଂସା। ଶାନ୍ତି ଓ ସୌହାର୍ଦ୍ଦ୍ୟ ଥିବ ସବୁଆଡ଼େ ବିରାଜମାନ। ସୁଖଦ ନୂଆ ସ୍ୱପ୍ନଟିଏ ତ ଦିଏ ବଞ୍ଚିବା ପାଇଁ ଆଶା। ତେବେ ସ୍ୱପ୍ନ ଦେଖିବାରେ ଓ ସ୍ୱପ୍ନକୁ ନିଜ ପାରୁପର୍ଯ୍ୟନ୍ତ ସାକାର କରିବାରେ କାର୍ପଣ୍ୟ କରିବା କାହିଁକି?
(ସୌଜନ୍ୟ – ଭିନ୍ନ ମଣିଷ)














