ରବୀନ୍ଦ୍ର ନାରାୟଣ ମିଶ୍ର
‘‘ମଣିମା। ଏଇ ଚିତ୍ର ଆଙ୍କିବା ଥିଲା ମୋର ସ୍ୱପ୍ନ। ତା’କୁ ସାକାର କରିବାକୁ ମୁଁ ସାରାବର୍ଷ ସେଇ ସ୍ୱପ୍ନରେ ନିଜକୁ ବୁଡ଼ାଇ ରଖିଥିଲି।’’
ମଣିଷ ଯଦି ନିଜେ ତା’ର ଉଚ୍ଚାକାଂକ୍ଷାର ସ୍ୱପ୍ନ ନ ଦେଖେ, ତେବେ ସେ ମଣିଷ ପଦବାଚ୍ୟ ନୁହେଁ। ସେମିତି ଯଦି ସେଇ ସ୍ୱପ୍ନକୁ ସାକାର କରିବାକୁ ସେ ନିଜେ ଉଦ୍ୟମ ନ କରେ, ତେବେ ସେ ମଧ୍ୟ ମଣିଷ ହେବା ପାଇଁ ଯୋଗ୍ୟ ନୁହେଁ। ସ୍ୱପ୍ନକୁ ସାକାର କରିବାକୁ ହେଲେ କ’ଣ କରିବାକୁ ହେବ, ଏଇ ଗପଟି ସେ ଉପାୟ କହିଦେବ।
ଜଣେ ଖିଆଲୀ ରାଜାଙ୍କ ମୁଣ୍ଡକୁ ଢୁକିଲା ସେ ଗୋଟିଏ ଚିତ୍ର ଦେଖିବାକୁ ଚାହାନ୍ତି ଯେଉଁଥିରେ ଦେଖିବାକୁ ମିଳିବ – ମା’ ପକ୍ଷୀଟି ସନ୍ଧ୍ୟାର ଗୋଧୂଳି ଲଗନରେ ନୀଡ଼କୁ ଫେରିଆସି ପର ଲାଗି ନଥିବା ତା’ ଛୁଆମାନଙ୍କ ପାଟିରେ ଆହାର ଦେଉଛି। ରାଜା ଘୋଷଣା କଲେ ସଫଳ ଚିତ୍ରକରଙ୍କ ମୁଣ୍ଡରେ ଶିରପା ବାନ୍ଧିବା ସଙ୍ଗେ ସଙ୍ଗେ ତାଙ୍କୁ ସହସ୍ର ସ୍ୱର୍ଣ୍ଣମୁଦ୍ରା ଉପହାର ଦିଆଯିବ।
ଲୋଭନୀୟ ପୁରସ୍କାର ଟାଣିଆଣିଲା ଶତଶତ ଚିତ୍ରକରଙ୍କୁ। ମାତ୍ର କାହାରି ଚିତ୍ର ରାଜାଙ୍କ ମନକୁ ପାଇଲାନି। ଶେଷକୁ ଜଣେ ଚିତ୍ରକର ପହଞ୍ଚି ରାଜାଙ୍କୁ ଏକବର୍ଷ ସମୟ ମାଗିଲେ ଚିତ୍ରଟି ଆଙ୍କିବାକୁ। ଠିକ୍ ଏକବର୍ଷ ପରେ ସେଇ ଚିତ୍ରକର ପହଞ୍ଚି ରାଜା ଓ ତାଙ୍କ ଦରବାରର ସମସ୍ତଙ୍କ ଆଗରେ ମାତ୍ର ଏକଘଣ୍ଟା ଭିତରେ ଚିତ୍ରଟି ଆଙ୍କିଦେଲେ, ସମସ୍ତେ ଚମକି ପଡ଼ିଲେ ଚିତ୍ରକରଙ୍କ ତୂଳୀର କରାମତି ଦେଖି।
ଚିତ୍ରଟି ଦେଖିଲେ ମନେ ହେଉଥିଲା ସତେ ଯେମିତି ମା’ ପକ୍ଷୀ ଓ ତା’ର ଛଅଟି ଛୁଆ ଚିତ୍ର ନୁହନ୍ତି। ସେମାନେ ଜୀବନ୍ତ। ରାଜାଙ୍କ ଆନନ୍ଦ କହିଲେ ନ ସରେ। ଏତିକିବେଳେ ମହାମନ୍ତ୍ରୀ କହି ଉଠିଲେ, ‘‘ହେ ଚିତ୍ରକର। ଏକଘଣ୍ଟା ମଧ୍ୟରେ ତୁମେ ଚିତ୍ରଟି ଆଙ୍କି ଦେଇପାରିଲ, ମାତ୍ର ଏଥିପାଇଁ କାହିଁକି ଏକବର୍ଷ ସମୟ ମାଗିଥିଲ?’’
ଚିତ୍ରକର ରାଜାଙ୍କ ଆଗରେ ମୁଣ୍ଡ ନୁଆଁଇ କହିଲେ, ‘‘ମହାରାଜ! ଗତ ଏକବର୍ଷ ଧରି ମୁଁ ବିଭିନ୍ନ ଗଛରେ ଥିବା ପକ୍ଷୀବସାକୁ ସନ୍ତର୍ପଣରେ ଦେଖି ଚାଲିଛି। ଲକ୍ଷ୍ୟ କରିଛି ମା’ ପକ୍ଷୀ ତା’ ଥଣ୍ଟରେ ଆଧାର ଧରି ତା’ ନୀଡ଼ ପାଖରେ ପହଞ୍ଚିଲା ବେଳେ ଛୁଆଗୁଡ଼ିଙ୍କୁ ଦେଖିବାକୁ ତା’ ମନର ଆକୁଳତା, ତା’ ଆଖିର ଭାଷା, ତା’ ପିଲାଙ୍କୁ କୋଳେଇ ନେଇ ଗେଲ କରିବାର ଢ଼ଙ୍ଗ, ଭୋକିଲା ଛୁଆମାନଙ୍କର ମା’ର ଫେରିବା ବାଟକୁ ଚାହିଁ ରହିବାର ଆତୁରତା, ବୁଝେଇଶୁଝେଇ ମା’ ଛୁଆମାନଙ୍କୁ ଆଧାର ଦେବାର ଶୈଳୀ। ଏମିତି ସାରାବର୍ଷ ନିରେଖି ନିରେଖି ପକ୍ଷୀ ଓ ତା’ ଛୁଆମାନଙ୍କୁ ଦେଖି ଚିତ୍ରଟି ଆଙ୍କିବା ପାଇଁ ମୁଁ ଖୋରାକ ପାଇଲି।’’
ଶେଷରେ ପଦଟିଏ କହିଲେ ଚିତ୍ରକର, ‘‘ମଣିମା। ଏଇ ଚିତ୍ର ଆଙ୍କିବା ଥିଲା ମୋର ସ୍ୱପ୍ନ। ତା’କୁ ସାକାର କରିବାକୁ ମୁଁ ସାରାବର୍ଷ ସେଇ ସ୍ୱପ୍ନରେ ନିଜକୁ ବୁଡ଼ାଇ ରଖିଥିଲି।’’
ରାଜା ଆଉ ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ଶିଳ୍ପୀ ହାତକୁ ବଢ଼େଇ ଦେଲେ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)















