ଓଡ଼ିଶାଲାଇଭ୍ ବ୍ୟୁରୋ
ସାମରିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଥିବା ବିଶ୍ଵର ଟପ୍ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି ଭାରତ। ଷ୍ଟକ୍ହାମ୍ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ (ସିପ୍ରି) ଦ୍ଵାରା ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ ସାମରିକ ଖର୍ଚ୍ଚ ସୂଚୀରେ ଭାରତ ସ୍ଥାନରେ ରହିଛି।
ସାମରିକ ଅସ୍ତ୍ରଶସ୍ତ୍ର ଆମଦାନୀ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହୋଇଛି। ସାମରିକ ଖର୍ଚ୍ଚ ସୂଚୀରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ବିଶ୍ୱରେ ସେନା ଉପରେ ସର୍ବାଧିକ ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ଫ୍ରାନ୍ସକୁ ପଛରେ ପକାଇ ଭାରତ ୫ ନମ୍ବର ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଓ ଚୀନ ଦ୍ୱିତୀୟ ସ୍ଥାନରେ ଅଛି।
ଷ୍ଟକ୍ହାମ୍ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ (ସିପ୍ରି) ଦ୍ଵାରା ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ ବିଶ୍ୱର ସମୁଦାୟ ସାମରିକ ଖର୍ଚ୍ଚ ପରିମାଣ ୨୦୧୬ ତୁଳନାରେ ୧.୧ପ୍ରତିଶତ ବୃଦ୍ଧି ପାଇ ୨୦୧୭ରେ ୧,୭୩୯ ଶହ କୋଟି ଡଲାରରେ ପହଞ୍ଚିଛି।
ଶୀର୍ଷ ୫ ଦେଶର ସାମରିକ ଖର୍ଚ୍ଚ ବିଶ୍ୱର ମୋଟ ସାମରିକ ଖର୍ଚ୍ଚର ୬୦ପ୍ରତିଶତ ରହିଛି। ଆମେରିକାର ସାମରିକ ଖର୍ଚ୍ଚ ୨୦୧୭ରେ ୬୧୦ ଶହ କୋଟି ଡଲାର ରହିଛି। ଚୀନର ସାମରିକ ଖର୍ଚ୍ଚ ୨୦୧୬ ତୁଳନାରେ ୫.୬ପ୍ରତିଶତ ବୃଦ୍ଧି ପାଇ ୨୦୧୭ରେ ୨୨୮ ଶହ ଡଲାରରେ ପହଞ୍ଚିଛି।
୨୦୦୮ରେ ଚୀନର ମୋଟ ସାମରିକ ଖର୍ଚ୍ଚ ୫.୮ପ୍ରତିଶତ ବୃଦ୍ଧି ପାଇ ୨୦୧୭ରେ ୧୩ପ୍ରତିଶତରେ ପହଞ୍ଚିଛି।
ସେହିପରି ଭାରତର ସାମରିକ ଖର୍ଚ୍ଚ ୨୦୧୬ ତୁଳନାରେ ୫.୫ପ୍ରତିଶତ ବୃଦ୍ଧି ପାଇ ୨୦୧୭ରେ ୬୩.୯ ଶହ କୋଟି ଡଲାରରେ ପହଞ୍ଚିଛି। ଏହି ତାଲିକାରେ ସାଉଦି ଆରବିଆ ତୃତୀୟ ସ୍ଥାନରେ ରହିଛି ଓ ୨୦୧୭ରେ ସେନା ଉପରେ ୬୯.୪ ଶହ କୋଟି ଡଲାର ଖର୍ଚ୍ଚ କରିଛି।
ତାଲିକାର ଚତୁର୍ଥ ସ୍ଥାନରେ ରହିଛି ରୁଷ ଓ ୨୦୧୭ରେ ଏହାର ସାମରିକ ଖର୍ଚ୍ଚ ୬୬.୩ ଶହ କୋଟି ଡଲାର ରହିଛି। ୬୩.୯ ଶହ କୋଟି ଡଲାର ସାମରିକ ଖର୍ଚ୍ଚ ସହ ଭାରତ ପଞ୍ଚମ ଓ ୫୭.୮ ଶହ କୋଟି ଡଲାର ଖର୍ଚ୍ଚ ସହ ପ୍ରାନ୍ସ ଷଷ୍ଠ ସ୍ଥାନରେ ରହିଛି। ଏହା ପଛକୁ ବ୍ରିଟେନ୍ର ସାମରିକ ଖର୍ଚ୍ଚ ୪୭.୨ ଶହ କୋଟି ଡଲାର, ଜାପାନର ୪୫.୪ ଶଡ କୋଟି ଡଲାର, ଜର୍ମାନୀର ୪୪.୩ ଶହ କୋଟି ଡଲାର ଓ ଦକ୍ଷିଣ କୋରିଆର ସାମରିକ ଖର୍ଚ୍ଚ ୩୯.୨ ଶହ କୋଟି ଡଲାର ରହିଛି।
ସିପ୍ରି ରିପୋର୍ଟ ଅନୁସାରେ ଚୀନ ପାଖରେ ୨୫୦ଟି ପରମାଣୁ ଅସ୍ତ୍ର, ଭାରତ ପାଖରେ ୧୦୦ରୁ ୧୨୦ଟି ପରମାଣୁ ଅସ୍ତ୍ର ଓ ପାକିସ୍ତାନ ପାଖରେ ୧୩୦ଟି ପରମାଣୁ ବୋମା ରହିଛି।
୧୯୮୦ ପରଠାରୁ ଭାରତ ଅନେକ ପରମାଣୁ ଅସ୍ତ୍ର ବିକଶିତ କରିଛି। ଭାରତ ବାୟୁ ସେନାର ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ସୁଖୋଇ ସୁ-୩ ଏମ୍କେଆଇ, ମିଗ୍-୨୨ଏସ୍ ଏବଂ ମିରେଜ ୨୦୦୦ଏସ୍ ପରମାଣୁ ଅସ୍ତ୍ର ବହନର କ୍ଷମତା ରଖିଛନ୍ତି।
ଅଗ୍ନି ଏବଂ ପୃଥିବୀ କ୍ଷେପଣାସ୍ତ୍ରରେ ବି ପରମାଣୁ ଅସ୍ତ୍ର ନିକ୍ଷେପ କରିହେବ। ଅଗ୍ନି-୧ କ୍ଷେପଣାସ୍ତ୍ର ୭୫୦ରୁ ୧୨୫୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବାର କ୍ଷମତା ରଖିଛି ଓ ଅଗ୍ନି-୫ରେ ୫,୫୦୦ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିହେବ। ସମ୍ପୂର୍ଣ୍ଣ ଚୀନ ଭାରତର ଅଗ୍ନି କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ ପରିସର ମଧ୍ୟରେ ଆସୁଛି। ଭାରତୀୟ ନୌସେନାର ଆଇଏନ୍ଏସ୍-ଆରିଅନ୍ତ ବୁଡ଼ା ଜାହାଜ ପରମାଣୁ ଅସ୍ତ୍ର ବହନର କ୍ଷମତା ଅଛି।
ଉଭୟ ପାକିସ୍ତାନ ଏବଂ ଚୀନ୍ ସହିତ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁଁ ଭାରତର ସମାରିକ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଛି।
ଭାରତ ଓ ସାଉଦିଆରବ ଭଳି ଦେଶ ପ୍ରତିଥର ନିଜ ସାମରିକ ଖର୍ଚ୍ଚ କରୁଥିଲାବେଳେ ଋଷ ନିଜ ସାମରିକ ଖର୍ଚ୍ଚ କମାଇବାରେ ବ୍ୟସ୍ତ। ଟପ୍-୫ରେ ସାମିଲ ହେବା ପରେ ବି ଭାରତର ଚୀନ ସାମରିକ ଖର୍ଚ୍ଚଠାରୁ ପଛରେ ରହିଛି।














