ଛନ୍ଦା ମିଶ୍ର

ନିଶ୍ଚୟ ସେ ସୁଦିନ ଆସିବ, ଯେବେ ଅମୂଲ୍ୟ କନ୍ୟରତ୍ନଟିଏ ପାଇବା ପାଇଁ ଲୋକେ ହେବେ ଉତ୍କଣ୍ଠିତ। ଝିଅଟିଏର ମୂଲ୍ୟ ବୁଝି ଅତ୍ୟନ୍ତ ଆଦର ଓ ଯତ୍ନରେ ତାକୁ କରିବେ ପ୍ରତିପାଳିତ। ସେହିଦିନକୁ ମୁଁ ଅପେକ୍ଷା କରି ରହିଲି ମା’।
ମା’ ମୋର ସ୍ନେହମୟୀ ମା’, ତୁମକୁ ଭୂମିଷ୍ଠ ପ୍ରଣାମ ଜଣାଉଛି। ତୁମପରି କରୁଣାମୟୀ, ଉଦାର ହୃଦୟା ଓ ବୀରା ନାରୀ ପାଇଁ ମୁଁ ଗର୍ବିତ। ଆଜି ମୁଁ କେତେ ଆନନ୍ଦିତ ତାହା ଭାଷାରେ ସୁଦ୍ଧା ବର୍ଣ୍ଣନା କରିପାରିବି ନାହିଁ।
ଭଗବାନ ପ୍ରଥମେ ଯେତେବେଳେ ମତେ ତୁମ ଉଦର ମଧ୍ୟକୁ ପଠାଇଲେ ମୁଁ ତାଙ୍କୁ ଅନେକ କାକୁତି ମିନତି କଲି ନ ପଠାଇବା ପାଇଁ। ମାତ୍ର ସେ ମତେ ବୁଝାଇ କହିଲେ ଯାଆ ମୁଁ ଯେଉଁ ସୁନ୍ଦର ପୃଥିବୀଟିକୁ ତିଆରି କରିଛି, ସେଠି ଜନ୍ମ ହୋଇ ନିଜେ ପୃଥିବୀର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଅନ୍ୟ ଜୀବମାନଙ୍କର ସେବାରେ ନିଜକୁ ନିୟୋଜିତ କର। ମାତ୍ର ଭଗବାନ ବୋଧହୁଏ ପୃଥିବୀ ଆଉ ସୁନ୍ଦର ହୋଇରହିନାହିଁ ବୋଲି ଭୁଲିଯାଇଛନ୍ତି।
ତୁମ ଗର୍ଭରେ ଆସି ରହିବା ଦିନୁ, ମୋ ମନରେ ତିଳେ ହେଲେ ସୁଖ ନଥିଲା। କାରଣ, ଆଜିର କଳୁଷିତ ବାତାବରଣରେ ମୋ ଭବିଷ୍ୟତ ଯେ, ଅନ୍ଧକାରମୟ, ସେଥିପାଇଁ ମୁଁ ନିଶ୍ଚିତ ଥିଲି। ଅନେକ ଆଗ୍ରହ ଓ ଉତ୍କଣ୍ଠା ନେଇ ତୁମେ ଡାକ୍ତରଙ୍କ ପାଖକୁ ଯାଇଥିଲ।
ପରୀକ୍ଷା ନିରୀକ୍ଷା ପରେ ମୁଁ ଯେ, କନ୍ୟା ଭ୍ରୁଣଟିଏ ଏହା ଜାଣି ତୁମେ ହେଲ ନିରାଶ। କେତେ ବ୍ରତ ଓ ଉପବାସ ତୁମେ ପୁଅଟିଏ ପାଇବା ପାଇଁ କରିନଥିଲ ସତେ! ତେବେ ତୁମେ ବିଷାଦଗ୍ରସ୍ତ ହେବାଟା ଯେ ଥିଲା ସ୍ୱାଭାବିକ, କାରଣ ତୁମେ କେବେହେଲେ ଚାହିଁବ ନାହିଁ ଯେ, ଆଉ ଗୋଟିଏ ଝିଅ ମଧ୍ୟ ତୁମରି ଭଳି ଆଖି ଲୁହ ପିଇପିଇ ଜୀବନ କାଟୁ ବୋଲି। ପ୍ରଥମେ ପ୍ରଥମେ ତୁମେ ମନା କରିଥିଲ। ମାତ୍ର ପରେ ବାପାଙ୍କ କଥାରେ ରାଜି ହୋଇ ଡାକ୍ତରଙ୍କୁ ସୁପାରି ଦେଇ ମତେ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଲ।
ଯେତେବେଳେ ଡାକ୍ତରଙ୍କ ତୀକ୍ଷ୍ମ ଅସ୍ତ୍ର ମୋ କୁନି କୋମଳ ଦେହଟିକୁ ଖଣ୍ଡଖଣ୍ଡ କରି କାଟି ପକାଉଥିଲା ମତେ ଭାରି କଷ୍ଟ ହେଉଥିଲା ମା’, ହେଲେ ମୁଁ ଆଖିବୁଜି ସବୁ ସହିଗଲି। କାରଣ ମୁଁ ଜାଣିଥିଲି ଯେ, ଦୁନିଆକୁ ଆସିବା ପରେ ମତେ ଯେଉଁ କଷ୍ଟ ହୋଇଥାନ୍ତା ତା’ ତୁଳନାରେ ଏ କଷ୍ଟ କିଛି ନୁହେଁ। ଯଦି ତୁମେ ଜିଦ୍ କରି ମତେ ଜନ୍ମ ଦେଇଥା’ନ୍ତ, ତେବେ ନିଜେ ବାପା ହିଁ ମୋ ନିଷ୍ପାପ ମୁଖରେ କନାବିଣ୍ଡାଟାଏ ପୁରାଇ ଦେଇ ମତେ ହତ୍ୟା କରିଥାନ୍ତେ କିମ୍ବା କେଉଁ ବଣବୁଦା ମୂଳରେ ମତେ ନେଇ ପକାଇ ଆସିଥା’ନ୍ତ, ଯେଉଁଠି କୁଆ, କୁକୁର ଓ ବିଲୁଆଙ୍କ ପାଇଁ ମୁଁ ପାଲଟି ଯାଇଥା’ନ୍ତି ଏକ ସ୍ୱାଦିଷ୍ଟ ଆହାର।
ଯଦିବା ବାପା, ତୁମ ଅନୁରୋଧ ରକ୍ଷା କରି ମତେ ବଞ୍ଚିବା ପାଇଁ ଅନୁମତି ଦେଇଥା’ନ୍ତେ, ତେବେ ଏ ସମାଜର ପ୍ରତ୍ୟେକ ବ୍ୟକ୍ତି ପ୍ରତି ମୁହୂର୍ତ୍ତରେ ମତେ ମାନସିକ କଷ୍ଟ ଦେଇଦେଇ ମନେପକାଇ ଦେଇଥା’ନ୍ତେ ମୁଁ କନ୍ୟା ସନ୍ତାନଟିଏ ବୋଲି। ମୋର ଏ ନିଷ୍ପାପ କୋମଳ ହୃଦୟଟି ଭରିଯାଇଥାନ୍ତା ହୀନମନ୍ୟତାର।
ମତେ ଦଶ ବାର ବର୍ଷ ହେଉ ନହେଉଣୁ, ମୋ ଉପରେ ଲାଗି ଯାଇଥାନ୍ତା ଅସଂଖ୍ୟ କଟକଣା। ବାହାରକୁ ଯାଆନା, ସେପରି କଥା କହନା, ଏତେ ଜୋରରେ ହସନା, ଏମିତି ଚାଲେନା। ସେମିତି ବସନା, ଏପରି ଅନେକା କାରଣ ତୁମେ ଜାଣ ଯେ ଏ ସମାଜର ନୃଶଂସ ଆଖି କେବଳ ମୋ ଶରୀର ଉପରେ ହିଁ ନିବଦ୍ଧ। ମୋ ସ୍ନେହମୟୀ ଜନନୀ, ତୁମେ ସିନା ବାହାରର ରାକ୍ଷସମାନଙ୍କଠାରୁ ମତେ ବଞ୍ଚାଇପାରିବ ମାତ୍ର ଏବେ ପ୍ରତି ଘରେ, ପରିବାରରେ ନିଜ ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ଏହିପରି ଅନେକ ରାକ୍ଷସ ବିଦ୍ୟମାନ। ସେମାନଙ୍କ କବଳରୁ କିଏ ମତେ ରକ୍ଷା କରିପାରିଥାନ୍ତା କହିଲ ଦେଖି?
ମୁଁ ଯେତେବେଳେ ଆଉଟିକେ ବଡ଼ ହୋଇ କଲେଜ ଯାଇଥାନ୍ତି, ମୋର ଘରକୁ ନ ଫେରିବା ପର୍ଯ୍ୟନ୍ତ ତୁମେ ଅନେକଗୁଡ଼ିଏ ଆଶଙ୍କା ମଧ୍ୟରେ ସମୟ କଟାଇଥା’ନ୍ତ। କେଉଁଠି, ପୁଅ ଜଣେ, ଝିଅଟିଏର ନଗ୍ନ ଫଟୋ ଉଠାଇଲାଣି ତ, ଆଉ କେଉଁଠି ଝିଅଟିଏ ବଳାତ୍କାରର ଶିକାର ହେଲାଣି। ପୁଣି କେଉଁଠି ଝିଅଟିଏ ରାଜି ନ ହେବାରୁ ତା’ ମୁହଁରେ ଏସିଡ ଢଳାଗଲାଣି ତ ଆଉ କେଉଁଠି ବ୍ଲେଡ ଧରି କେହି ତାକୁ କଲାଣି ଆକ୍ରମଣ ଏହିପରି ଖବରଗୁଡ଼ାକ ତୁମକୁ ବିବ୍ରତ କରିପକାନ୍ତା।
ତୁମେ ମୋ ସୁରକ୍ଷା ବିଷୟ ଚିନ୍ତା କରି ରାତିରେ ଆଉ ଶୋଇପାରନ୍ତ ନାହିଁ। ମୋର ବାହା ବୟସ ହେଲା ପରେ ତୁମ ମୁଣ୍ଡରେ ପଡ଼ିଥାନ୍ତା ବଜ୍ର। କାହିଁକି ଝିଅଟାକୁ ଜନ୍ମ ଦେଲି ବୋଲି ଭାବି ତୁମେ ନିଜେ ନିଜ ଆଖିରେ ଦେଷୀ ହୋଇଯାଇଥାନ୍ତ। ଭଲ ଘର ଓ ଭଲ ବରଟିଏ ଖୋଜିଖୋଜି ତୁମେ ନୟାନ୍ତ ହୋଇଯାଇଥାନ୍ତ।
ଶାଶୁଘରେ ମଧ୍ୟ ମୋ ସୁରକ୍ଷା କଥା ଚିନ୍ତା କରି ତୁମ ମନ ହୋଇଉଠିଥାନ୍ତା ଭାରାକ୍ରାନ୍ତ। ମୋର ପ୍ରିୟ ମା’, ତୁମେ କ’ଣ ଏବେବି ଭାବୁଛ, ଭୁଲ୍ କରିଛ ବୋଲି? ତିଳତିଳ ହୋଇ ମରିବା ଅପେକ୍ଷା ଗୋଟିଏ ଥରରେ ମରିଯିବା ଶତଗୁଣେ ଶ୍ରେୟସ୍କରା
ଜାଣିଛ ମା’, ଆଜି ପୃଥିବୀରେ ପ୍ରତି ହଜାରେ ପୁଅରେ ୯୦୦ ଝିଅ। ସମୟ ଆସିବ ଝିଅଙ୍କ ସଂଖ୍ୟା ପୁଅମାନଙ୍କ ଅନୁପାତରେ ଆହୁରି କମିଯିବ।
ବିବାହ ପାଇଁ ଆଉ ଝିଅ ମିଳିବେ ନାହିଁ, ପୁଅମାନେ ପୁଅମାନଙ୍କ ସହିତ ବିବାହ କରିବୋ ଫଳରେ ଆମ ସୁନ୍ଦର ପୃଥିବୀର ପରିବେଶ ହୋଇଉଠିବ ଆହୁରି କଳୁଷିତ ଓ ଉଚ୍ଛୃଙ୍ଖଳିତ। ତେବେ ମା’ ନାରୀକୁ ହିଁ ତ ଭଗବାନ ଦାୟିତ୍ୱ ଦେଇଛନ୍ତି, ନୂତନ ଜୀବନଟିଏ ସୃଷ୍ଟି କରିବା ପାଇଁ! ଯେତେବେଳେ ସବୁ ସୁର-ବୀର ହାରି ଯାଇଥିଲେ, ଜଗତଜନନୀ ମା’ ଦୁର୍ଗା ହିଁ ତ ଧରାକୁ ଦେଇଥିଲେ ସୁରକ୍ଷା।
ରାଣୀ ଲକ୍ଷ୍ମୀବାଇ, ଶୁକଦେଇ, ପଦ୍ମିନୀ, ଇନ୍ଦିରାଗାନ୍ଧୀ, ନନ୍ଦିନୀ ସତପଥୀ ଆଦି ବନ୍ଦନୀୟାମାନେ ସମସ୍ତେ ତ ଥିଲେ ଜଣେଜଣେ ନାରୀ। ତେବେ କନ୍ୟାକୁ ଆଜି ଏତେ ହତାଦର କ’ଣ ପାଇଁ? ତୁମେ ଦେଇପାରିବ ମୋ ପ୍ରଶ୍ନର ଉତ୍ତର ମା? ମୁଁ ଜାଣେ ତୁମେ ମଧ୍ୟ ନାଚାର।
ମା’, ଏବେବି ମୁଁ ଆଶାବାଦୀ, ନିଶ୍ଚୟ ସେ ସୁଦିନ ଆସିବ, ଯେବେ ଅମୂଲ୍ୟ କନ୍ୟରତ୍ନଟିଏ ପାଇବା ପାଇଁ ଲୋକେ ହେବେ ଉତ୍କଣ୍ଠିତ। ଝିଅଟିଏର ମୂଲ୍ୟ ବୁଝି ଅତ୍ୟନ୍ତ ଆଦର ଓ ଯତ୍ନରେ ତାକୁ କରିବେ ପ୍ରତିପାଳିତ। ସେହିଦିନକୁ ମୁଁ ଅପେକ୍ଷା କରି ରହିଲି ମା’। କାରଣ ମୁଁ ଜାଣେ ପ୍ରକୃତି, ସମୟ ଓ ଧୈର୍ଯ୍ୟ ପ୍ରତ୍ୟେକ ସମସ୍ୟାର ଉପଯୁକ୍ତ ସମାଧାନ କରିଥାଏା ଆଶା କରୁଛି ତୁମ ସହିତ ପୁଣି ଦେଖା ହେବ ଏକ ନୂତନ ଓ ଉଜ୍ଜ୍ୱଳ ସକାଳରେ।
(ଇତି)
ତୁମର ପୃଥିବୀର ପ୍ରଥମ ଆଲୋକ ଦେଖିବାରୁ ବଞ୍ଚିତ କନ୍ୟା ଭ୍ରୁଣ
(ସୌଜନ୍ୟ – ଭିନ୍ନ ମଣିଷ)














