ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମିଖାଲ ବ୍ରିଜ୍‌ ଦୁର୍ଘଟଣାରେ ଗିରଫ ହୋଇଛନ୍ତି ନିର୍ମାଣ କାମ ନେଇଥିବା ଠିକା ସଂସ୍ଥା ପଣ୍ଡା ଇନ୍‍ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ବମିଖାଲ୍‌ ଓଭରବ୍ରିଜ୍ ଭୁଶୁଡି ପଡିବା ପରେ ବମିଖାଲ୍‍ ନିର୍ମାଣ କାମ ନେଇଥିବା ଠିକା ସଂସ୍ଥା ପଣ୍ଡା ଇନ୍‍ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍‌।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କରିବା ସହ ଆହତଙ୍କ ସମସ୍ତ ଚିକିତ୍ସା ସରକାର ବହନ କରିବେ କହିଛନ୍ତି। ଏଥିସହିତ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ନେଇ ପୋଲିସ ଠିକା ସଂସ୍ଥା ପଣ୍ଡା ଇନ୍‍ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡା ପଚରାଉଚରା କରୁଛି। ଗତକାଲି ରାତିରେ ପ୍ରତାପ ଆତ୍ମସମର୍ପଣ କରିଥିଲେ। ପ୍ରତାପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କମିଶନର ୱାଇ ବି ଖୁରାନିଆ।

ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ ସମୟରେ ବମିଖାଲ ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ବେଳେ ସେଣ୍ଟ୍ରିଂ ତଳେ ଚାପି ହୋଇ ଅଜୟ ଭୂମିଚ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଗତକାଲି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପୁଲିସ୍ କମିଶନର ୱାଇ ବି ଖୁରାନିଆ ଓ ଡିସିପି ଅନୁପ ସାହୁ। ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା।

ଗତବର୍ଷ ସେପ୍ଟେମ୍ବର ୧୦ତାରିଖରେ ନିର୍ମାଣାଧୀନ ବ୍ରିଜର ଏକ ସ୍ଲାବ୍ ଖସିପଡ଼ିବାରୁ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସତ୍ୟଙ୍କ ଝିଅ ଶୀତଲଙ୍କ ସମେତ ୧୫ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ପଣ୍ଡା ଇନଫ୍ରାଷ୍ଟ୍ରକଚର ମାଲିକ, ମ୍ୟାନେଜରଙ୍କ ସମେତ ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା।

Comment