ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତି ନିର୍ବିଶେଷରେ ସମସ୍ତେ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ସ୍ୱଳ୍ପ ଦୂରତା ଭିତରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରିପାରିବେ।

କେନ୍ଦ୍ରାପଡା ଜିଲ୍ଲାର କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବାକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର ସମାଧାନ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଖୁବଶୀଘ୍ର ଏହା ବାସ୍ତବତାରେ ପରିଣତ ହେବା ଆଶା କରାଯାଉଛି।

ଯଦି ସବୁକିଛି ଠିକ୍ ଚାଲେ, ଜାତି ନିର୍ବିଶେଷରେ ସମସ୍ତେ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ସ୍ୱଳ୍ପ ଦୂରତା ଭିତରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରିପାରିବେ।

କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ୩୦୦ବର୍ଷ ପୁରୁଣା। କିନ୍ତୁ ଏହି ମନ୍ଦିରରେ ପୂଜା କରିବା ଓ ସିଂହଦ୍ଵାର ନିକଟକୁ ଯିବା ନେଇ ଢେର ବର୍ଷ ଧରି ବିବାଦ ଲାଗିରହିଛି। ଦଳିତମାନେ ମନ୍ଦିର ପ୍ରବେଶ ପାଇଁ ଦାବି କରିବା ପରେ ଏ ନେଇ ବିବାଦ ଘନେଇ ଥିଲା।

୨୦୦୬ ମସିହାରୁ ସମସ୍ତଙ୍କ ପାଇଁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଥିଲା। ସବର୍ଣ୍ଣ-ଅସବର୍ଣ୍ଣ ପରମ୍ପରାର ପ୍ରତିଫଳନ ସ୍ୱରୂପ ଅନେକ ଦିନ ଧରି କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ଦଳିତ ମାନେ ପ୍ରବେଶ କରି ପାରୁନଥିଲେ। ମନ୍ଦିର କାନ୍ଥରେ ଯେଉଁ ୯ଟି କଣା କରାଯାଇଥିଲା ସେହି ମଧ୍ୟ ଦେଇ ଦଳିତ ବର୍ଗର ଲୋକେ ଜଗନ୍ନାଥଙ୍କ ଦର୍ଶନ କରିପାରୁଥିଲେ। ସବର୍ଣ୍ଣମାନେ କିନ୍ତୁ ଠାକୁର ଦର୍ଶନ ପାଇଁ ସ୍ଵଛନ୍ଦରେ ମନ୍ଦିର ଭିତରକୁ ପ୍ରବେଶ କରିପାରୁଥିଲେ। ଏହି ବିବାଦ ଗୋଟିଏ ସମୟରେ ଜାତୀୟ ବିତର୍କର ସ୍ଥାନ ନେଇଥିଲା।

୨୦୦୬ରେ ଯେତେବେଳେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ମନ୍ଦିର ପ୍ରବେଶ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା, ଏକ ଦଳିତ ଅଧିକାର ସଂସ୍ଥା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।ଏହି ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦେଶ ଦେଇଥିଲେ ଯେ ପ୍ରତ୍ୟେକ ହିନ୍ଦୁର ଏହି ମନ୍ଦିର ପ୍ରବେଶ ପାଇଁ ଅଧିକାର ରହିଛି।ଏହି ରାୟ ପରେ ସମଗ୍ର ଦେଶରେ ଏ ନେଇ ତର୍କ ବି ଆରମ୍ଭ ହୋଇଥିଲା।

ହାଇକୋର୍ଟ ରାୟ ପ୍ରକାଶ ପାଇବା ପରେ ମନ୍ଦିର ପ୍ରବେଶ ବିବାଦକୁ ସମାଧାନ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କୁ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।ସେତେବେଳେ ନିଷ୍ପତ୍ତି ହେଲା ଯେ ବିବାଦର ଆପୋଷ ସମାଧାନ ନ ବାହାରିବା ପର୍ଯ୍ୟନ୍ତ କେହି ଠାକୁରଙ୍କ ପାଖକୁ ପ୍ରବେଶ କରି ପାରିବେ ନାହିଁ। ଯଦି ଦର୍ଶନ କରିବା ପାଇଁ ଚାହିଁବେ ଏକ ନିର୍ଦିଷ୍ଟ ଦୂରତା ଭିତରେ ରହି ତାହା କରିପାରିବେ।ଏହି ନିଷ୍ପତ୍ତି ଅନୁସାରେ ପ୍ରଶାସନ ପକ୍ଷରୁ ଏକ ବ୍ୟାରିକେଡ ନିର୍ମାଣ କରାଯାଇଥିଲା ଯେଉଁ ବ୍ୟାରିକେଡ଼ ଡେଇଁ କୌଣସି ଶ୍ରଦ୍ଧାଳୁ ଭିତରକୁ ଯାଇପାରିବେ ନାହିଁ।

ଏବେ ଏ ନେଇ ତଟକା ଉଦ୍ୟମ ଆରମ୍ଭ ହୋଇଛି।ଯଦି ସମସ୍ତେ ରାଜି ହୁଅନ୍ତି ତେବେ ସବୁ ଜାତି ଓ ବର୍ଗର ଭକ୍ତ ଏଣିକି ଆଉ ଟିକିଏ ପାଖରୁ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ।

LEAVE A REPLY

Please enter your comment!
Please enter your name here