ରବୀନ୍ଦ୍ର ନାରାୟଣ ମିଶ୍ର
ସମାଜରେ ଯିଏ ଯେତେ ଉଚ୍ଚସ୍ତରର, ସେ ସେତେ ଆଦର୍ଶବାନ୍ ହେବା ଉଚିତ୍।
ଧନ, ଜ୍ଞାନ ତଥା ପଦମର୍ଯ୍ୟାଦା ଦୃଷ୍ଟିରୁ ସେ ଥିଲେ ଅତି ଉଚ୍ଚସ୍ତରର। ଥରେ ସେ କରିଥିବା ଏକ ସାମାନ୍ୟ ତ୍ରୁଟି ବିଷୟରେ ତାଙ୍କୁ ଚେତାଇ ଦେବା ଅବସରରେ ସେ କହିଲେ, ‘‘ଓହୋ! ଆଜିକାଲି କିଏ କ’ଣ ନ କରୁଛନ୍ତି। ଅଥଚ ମୁଁ ଏ ସାମାନ୍ୟ ଟିକେ ଅପରାଧ କରିଦେଲି ବୋଲି ଆପଣ ମତେ ସମାଲୋଚନା କରୁଛନ୍ତି।’’ ତାଙ୍କୁ ଅନୁରୋଧ କରି କହିଲି ବୁଦ୍ଧଙ୍କ ଜୀବନର ଗୋଟିଏ କଥା ଶୁଣିବା ପାଇଁ।
ସିଦ୍ଧିପ୍ରାପ୍ତି ପରେ ଗୌତମ ବୁଦ୍ଧ ଥରେ ଗୋଟିଏ ସରୋବର କୂଳରେ ବିଶ୍ରାମ ନେଇଥିଲେ। ସରୋବରର ମଧ୍ୟସ୍ଥଳରେ ଫୁଟିଥିବା ଗୋଟିଏ ପଦ୍ମର ବାସନାକୁ ଧୀର ସମୀର ତାଙ୍କ ପାଖରେ ପହଞ୍ଚାଇ ଦେଉଥିଲା। କ୍ରମେ କ୍ରମେ ସୁଗନ୍ଧର ଆକର୍ଷଣ ବୃଦ୍ଧି ହେବାରେ ଲାଗିଲା।
ନିଜକୁ ସମ୍ଭାଳି ନ ପାରି ବୁଦ୍ଧ ସରୋବର ମଧ୍ୟକୁ ପ୍ରବେଶ କରି ଅତି ନିକଟରୁ ତା’ର ସୁଗନ୍ଧ ଉପଭୋଗ କରିବାରେ ଲାଗିଲେ! ଏହି ସମୟରେ ଶୂନ୍ୟରୁ ଗୋଟିଏ ଦେବକନ୍ୟାର ସ୍ୱର ତାଙ୍କର କର୍ଣ୍ଣଗୋଚର ହେଲା, ‘‘ହେ ମହାତ୍ମନ୍! ବିନା ମୂଲ୍ୟରେ ଆପଣ କମଳର ସୌରଭ ଉପଭୋଗ କରୁଛନ୍ତି। ଆପଣ ସୁଗନ୍ଧ ଚୋର।’’
ତଥାଗତ ଚମକିପଡ଼ିଲେ। ସେହି ସମୟରେ ହଠାତ୍ ଜଣେ ଲୋକ ସରୋବର ମଧ୍ୟକୁ ପ୍ରବେଶ କରି ପଦ୍ମଫୁଲଟିକୁ ତା’ ନାଡ଼ରୁ ଛିଣ୍ଡାଇ ନେଇ ଚାଲିଗଲା। ସ୍ତମ୍ଭିତ ବୁଦ୍ଧଦେବ ଅଦୃଶ୍ୟ ଦେବକନ୍ୟା ଉଦ୍ଦେଶ୍ୟରେ କହିଲେ, ‘‘ହେ ଦେବୀ! ମୁଁ କେବଳ ପୁଷ୍ପର ଗନ୍ଧ ସେବନ କରୁଥିଲି। ଆପଣ ମତେ ‘ଚୋର’ ଆଖ୍ୟା ଦେଲେ। ମାତ୍ର ଏ ଲୋକଟି ପଦ୍ମପୁଷ୍ପଟିକୁ ଅପହରଣ କରି ନେଲା। ଆପଣ ତ ତା’କୁ କିଛି କହିଲେନି।’’
ଦେବକନ୍ୟା କହିଲେ, ‘‘ହେ ମହାତ୍ମନ୍! ସେ ଲୋକଟି ଜଣେ ସାଧାରଣ ସଂସାରୀ। ଲୋଭମୋହଗ୍ରସ୍ତ ହୋଇ ସେ ଧର୍ମ ଅଧର୍ମ, ସତ୍ ଅସତ୍ କର୍ମର ବାଛବିଚାର କରିପାରେ ନାହିଁ। ଧର୍ମରକ୍ଷାର ଦାୟିତ୍ୱ ମଧ୍ୟ ତା’ ଉପରେ ନ୍ୟସ୍ତ ହୋଇନାହିଁ। ମାତ୍ର ଆପଣଙ୍କ ଉପରେ ଧର୍ମରକ୍ଷାର ଦାୟିତ୍ୱ ନ୍ୟସ୍ତ ହୋଇଛି। ଆପଣଙ୍କ ଆଚରଣ ସଂଯତ, ଶୋଭନୀୟ ତଥା ଶୃଙ୍ଖଳିତ ହେବା ନିତାନ୍ତ ଆବଶ୍ୟକ। ତେଣୁ ଆପଣଙ୍କ ସାମାନ୍ୟତମ ଅପରାଧ କ୍ଷମଣୀୟ ନୁହେଁ।’’
ଏ କଥାଟି କହିସାରି ତାଙ୍କ ଆଡ଼କୁ ଚାହିଁବାରୁ ସେ ତାଙ୍କଆଡ଼ୁ କହିପକାଇଲେ, ‘‘ବୁଝିପାରିଲି, ସମାଜରେ ଯିଏ ଯେତେ ଉଚ୍ଚସ୍ତରର, ସେ ସେତେ ଆଦର୍ଶବାନ୍ ହେବା ଉଚିତ୍। ଆପଣଙ୍କୁ ଧନ୍ୟବାଦ ଦେଉଛି ମୋ ତ୍ରୁଟି ଦେଖାଇବା ଯୋଗୁଁ।’’
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)















