ଛନ୍ଦା ମିଶ୍ର

ଆମ ଗୋଡରେ ଯଦି ମଇଳା ନ ଲାଗିଛି,  ତେବେ ବାକି କାହାର କ’ଣ ହେଲା ତାକୁ ନେଇ ଆମେ ମୁଣ୍ଡ ଖେଳାଉନା। କେବଳ କିଛି ଫମ୍ଫା ଉପଦେଶ ଦେଇ ନିଜର କର୍ତ୍ତବ୍ୟ ସରିଗଲା ବୋଲି ମନେକରୁ। ଦେଶ ତେଣେ ଚୁଲିକି ଯାଉ, ସିଆଡେ କାହାର ନିଘା ନାହିଁ।

ଇଣ୍ଟରସିଟିରେ ଭୁବନେଶ୍ୱରରୁ ସମ୍ବଲପୁର ଯାଉଥାଏ। ମଧ୍ୟବୟସ୍କା ମହିଳା ଦୁଇଜଣ ଅନୁଗୋଳ ଷ୍ଟେସନରେ ଚଢିଲେ। ପାଖରେ ସିଟ୍ ଖାଲିଥିବାରୁ ସେଠାରେ ବସିଗଲେ। ବେଶଭୂଷାରୁ ଶିକ୍ଷିତ ଓ ମଧ୍ୟବିତ୍ତ ପରିବାରରୁ ଆସିଥିବା ଭଳି ମନେହେଉଥାଏ।

ଅଳ୍ପ କିଛି ସମୟ ଯାଇଛି ଟିକେଟ୍ ଯାଞ୍ଚ କରିବା ପାଇଁ ଟିଟିଇ ଆସି ପହଞ୍ଚିଲେ। ତାଙ୍କୁ ଦେଖି ଏ ଦୁଇଜଣ ଅପ୍ରସ୍ତୁତ ହୋଇଗଲେ। ଦୁଇଜଣଯାକ ଉଠି ସେଠାରେ ଥିବା ଟୟଲେଟରେ ପଶିଗଲେ। ପ୍ରାୟ ୧୫-୨୦ମିନିଟ୍ ପରେ ଦୁହେଁ ବାହାରକୁ ଆସିଲେ।

ସେତେବେଳକୁ ଟିଟିଇ ଯାଇସାରିଥାନ୍ତି।। ଦୁହେଁ ନିଜ ନିଜ ସିଟରେ ବସି ପରସ୍ପରକୁ ଚାହିଁ ହସିବାରେ  ଲାଗିଲେ। କେଉଁଠି ଜଗିଥିଲା ପରି ଟିଟିଇ ଜଣକ ଆସି ପହଞ୍ଚିଗଲେ ଓ ସେମାନଙ୍କୁ ଟିକେଟ୍ ଦେଖାଇବା ପାଇଁ କହିଲେ। “ଡେରି ହୋଇଯିବାରୁ ଟିକେଟ୍ କରିପାରିନାହାନ୍ତି” – ଏହି ଉତ୍ତର ଶୁଣି ଟିଟିଇ ଜଣକ ଜରିମାନା ସହିତ ଟିକେଟର ମୂଲ୍ୟ ମିଶାଇ ଦୁଇ ଜଣକୁ ଦୁଇଟି ରସିଦ୍ ଧରାଇ ଦେଲେ। ସେମାନେ କୁନ୍ଥୁକୁନ୍ଥୁ ହୋଇ ପର୍ସରୁ ପଇସା ବାହାର କଲେ।

ଟିଟିଇ ଚାଲିଗଲା ପରେ ଦୁହେଁ ମୋତେ ଚାହିଁ କହିଲେ, ଆମେ ପ୍ରାୟ ସମୟରେ ଅନୁଗୁଳରୁ ରେଢାଖୋଲ ଯାଉ ସବୁଥର ଟିକେଟ୍ କାଟୁ ମାତ୍ର କୌଣସି ଥର କେହି ଚେକ୍ କରିବା ପାଇଁ  ଆସନ୍ତି ନାହିଁ। ଆଜି ମଧ୍ୟ କେହି ଚେକ୍ କରିବାକୁ ଆସିବେ ନାହିଁ ଭାବି ଆମେ ଟିକେଟ୍ କରି ନ ଥିଲୁ। ମାତ୍ର ଆମ ଭାଗ୍ୟ, ଦେଖନ୍ତୁ ଆଜି ହିଁ ଆମକୁ ହୀନସ୍ତା ହେବାର ଯୋଗ ଥିଲା।

ଊଣା ଅଧିକେ ଆମେ ସମସ୍ତେ ଏହିପରି ଭଦ୍ରଲୋକ। ପ୍ରତ୍ୟେକଙ୍କ ଭିତରେ ଚୋରଟିଏ ଲୁଚି ରହିଛି। ଆମକୁ ଯଦି କେହି ଦେଖୁଛି, ତେବେ ଆମେ ଅତ୍ୟନ୍ତ ଦାୟିତ୍ୱବାନ୍ ଓ ଭଦ୍ର ବ୍ୟବହାର କରୁ। ମାତ୍ର  କେହି ନ ଥିଲା ବେଳେ  ଆମ ପ୍ରକୃତ ଚରିତ୍ରଟି ପାଦାକୁ ଆସେ। କିଛି ଭୁଲ୍ କାମ  କରି ମଧ୍ୟ କେହି ତ  ଦେଖିନାହିଁ ବୋଲି ଚିନ୍ତା କରି ଆମେ ନିଜର ଭଦ୍ରମୁଖାଟିକୁ ପୁଣି ନିଜ ମୁହଁରେ ଚଢାଇଦେଇ ବୁଲୁ।

ଆମର କର୍ତ୍ତବ୍ୟ ହେଉଛି ଟିକେଟ୍ କରି ଟ୍ରେନରେ ଚଢିବା। ଟିଟିଇ ଚେକ୍ କରନ୍ତୁ ବା ନ କରନ୍ତୁ, ସେଥିରେ ଆମର ଯାଏ ଆସେ କେତେ? ଆମେ ଦେଉଥିବା ପଇସାରେ ରେଳ ବିଭାଗର ତଥା ଦେଶର ପ୍ରଭୂତ ଉନ୍ନତି ସାଧିତ ହୁଏ। ମାତ୍ର ଆମେ ଭାବୁ ଯେ କୌଣସି ଉପାୟରେ ହେଉ ମଧ୍ୟ ମୋ ପଇସାଟି ବଞ୍ଚିଯାଉ। ଏଠାରେ ବ୍ୟକ୍ତିର ମାନସିକତାକୁ ଲକ୍ଷ୍ୟ କରନ୍ତୁ, କେହି କହେ ନାହିଁ, ମୋର ଭୁଲ୍ ହୋଇଗଲା କିମ୍ବା ଲୋଭର ବଶବର୍ତ୍ତୀ ହୋଇ ମୁଁ ଏପରି କରିଦେଇଛି।

ଓଲଟି ଉତ୍ତର ମିଳିବ ନେତା ଆଉ ସରକାରୀ କର୍ମଚାରୀମାନେ ତ ଦେଶଟାକୁ ଖୋଳ କରିସାରିଲେଣି। ଆମେ ପଚାଶଟି ଟଙ୍କା ମାରିଦେଲୁ ଯେ ସମସ୍ତଙ୍କୁ ଦିଶିଯାଉଛି। ଯାଉନ ସେମାନଙ୍କୁ କହିବ। କାରଣ, ଚୋର ମୁହଁ ଟାଣ। ଏଠି ସମସ୍ତେ ଚୋର। କିଏ ଛୋଟ ମୋଟ ଚୋରି ବା ପକେଟମାରୁ କରୁଛି, ତ ଆଉ କେହି ଭଦ୍ରମୁଖା ପିନ୍ଧି କୋଟିକୋଟି ଟଙ୍କାର ଘୋଟାଲା କରୁଛି।

ଆନ୍ନା ଟିମ୍ କହିଲେ ସରକାର ଦୁର୍ନୀତିଗ୍ରସ୍ତ। ସଙ୍ଗେସଙ୍ଗେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମରେ ବାହାରିପଡିଲେ କେଜରିୱାଲ ଓ କିରଣବେଦୀ। ରାମଦେବ ଦାବି କଲେ, ଦେଶ ବାହାରେ ଥିବା କଳାଟଙ୍କା ଦେଶକୁ ଫେରୁ। ତତ୍‌କ୍ଷଣାତ୍ ରାମଦେବ କେଉଁଠୁ ପଇସା ଆଣି ଏଡେ ବିଶାଳକାୟ ଭବ୍ୟ ଯୋଗ ମନ୍ଦିରମାନ ତିଆରି କରିଛନ୍ତି ତା’ର ପ୍ରଶ୍ନ ଉଠିଲା। ଆଗରୁ ଏସବୁ କଥା କ’ଣ କେହି ଜାଣି ନ ଥିଲେ। ଜଣେ ଯେତେବେଳେ କ୍ଷମତାକୁ ଆସୁଛି, ସେ ନିଜ ପାଇଁ କଳେ, ବଳେ, କୌଶଳେ ଧନ ଠୁଳକରିବାରେ ଲାଗିପଡୁଛି। ଏଥିପାଇଁ ସେ ନିଜର ବିବେକ ତଥା ନୀତିନିୟମ  ଆଦିକୁ ବନ୍ଧା ପକାଇଦେଉଛି।

ଆମେ ନିଜ ଘର ଓ ବାଡିବଗିଚା ଅଦି ସଫା କଲାବେଳେ ମଇଳାଗୁଡିକୁ ନେଇ ରାସ୍ତା ଉପରେ ପକାଇ ଦେଉଛେ। ଘରଟିକୁ ଆମେ ଆମ ଘର ଯଦିଓ ଭାବିଛେ ରାସ୍ତାଟି ଆମର ବୋଲି ଭାବନା ଅସୁନାହିଁ। ରାସ୍ତା  ସଫା କରିବା ଆମ କାମ ନୁହେଁ। ବରଂ ମ୍ୟୁନିସିପାଲିଟିର କାମ ବୋଲି ଭାବିବା ଦ୍ୱାରା ହିଁ ଆଜି ଦେଶ ଆବର୍ଜନାମୟ ହୋଇପଡିଛି। ଏଠାରେ ଗୋଟିଏ ସତ୍ୟ ଘଟଣା ଉଲ୍ଲେଖ କରୁଛି।

ଜଣେ ଭାରତୀୟ ଆମେରିକାରେ ଅବସ୍ଥାନ କରୁଥିବା ତାଙ୍କର ଆଉ ଜଣେ ଭାରତୀୟ ବନ୍ଧୁଙ୍କ ଘରେ ଅତିଥି ହୋଇଥିଲେ। ଦିନେ ଜଣେ ଆମେରିକୀୟ ତାଙ୍କ ଘରକୁ ଆସିଥିଲା ବେଳେ ବାହାରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠରେ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିଲା।  ସୁଟ୍‌ବୁଟ୍ ପିନ୍ଧିଥିବା ବ୍ୟକ୍ତି ଜଣକ ସଙ୍ଗେସଙ୍ଗେ ଯାଇ ବାହାର ବଗିଚାରେ ଥିବା ଅନାବନା ଗଛଗୁଡିକୁ ବାଛିବାରେ ଲାଗିଲେ। ଭାରତରୁ ଯାଇଥିବା ବ୍ୟକ୍ତିଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ଉତ୍ତର ମିଳିଲା ଯେ, ଏଥିରେ ଲାଜ କରିବାରେ କ’ଣ  ଅଛି। ବଗିଚାଟି ଯାହାର ବି ହୋଇଥାଉ, ମୋ ଆମେରିକାର ଭୂମି ଉପରେ ତ ଏହା ଅବସ୍ଥିତ।

ଆଜି ବି କେତେକ ଦେଶରେ କ୍ଷୀର ଓ ଖବରକାଗଜ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡିକୁ ବିକିବା ପାଇଁ କେହି ନ ଥାନ୍ତି। ଲୋକେ ନିଜେ କିଣି ପାଖରେ ଥିବା ପେଟିରେ ପଇସା ପକାଇ ଦେଇ ଚାଲିଯାନ୍ତି। ଚିନ୍ତାକରନ୍ତୁ  ତ, ଆମ ଦେଶରେ ଏପରି କଥାର କଳ୍ପନା ସୁଦ୍ଧା କରାଯାଇପାରେ କି? ଆଜି କେଉଁଠି ଆକ୍ସିଡେଣ୍ଟଟିଏ ହେଲେ ଲୋକେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇ ମୂଲ୍ୟମାନ୍ ଜିନଷଗୁଡିକୁ ହାତେଇବାରେ ମନ ଦେଇଥାନ୍ତି କିମ୍ବା ଆହତଙ୍କୁ ଡାକ୍ତରଖାନାକୁ ନେବା ଅପେକ୍ଷା ଦୁର୍ଘଟଣା ଘଟାଇଥିବା ଗାଡିରେ ନିଆଁ ଲଗାଇ ଦେଲେ ସମସ୍ୟାର ସମାଧାନ ବାହାରିପଡିବ ବୋଲି ଚିନ୍ତା କରନ୍ତି।

ଉଣା ଅଧିକେ, ଦେଶର କୋଣ ଅନୁକୋଣରେ ଆଜି ଏହି ଅବସ୍ଥା। ଆମ ଗୋଡରେ ଯଦି ମଇଳା ନ ଲାଗିଛି,  ତେବେ ବାକି କାହାର କ’ଣ ହେଲା ତାକୁ ନେଇ ଆମେ ମୁଣ୍ଡ ଖେଳାଉନା। କେବଳ କିଛି ଫମ୍ଫା ଉପଦେଶ ଦେଇ ନିଜର କର୍ତ୍ତବ୍ୟ ସରିଗଲା ବୋଲି ମନେକରୁ। ଦେଶ ତେଣେ ଚୁଲିକି ଯାଉ, ସିଆଡେ କାହାର ନିଘା ନାହିଁ।

ମାତ୍ର ଆଜି ବି ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜେ ଯେତେ ହଇରାଣ ହେଲେ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇ ବାହାରନ୍ତି ଓ ନିଜେ ଦେଶର ଜଣେ ସଚେତନ ତଥା ଦାୟିତ୍ୱବାନ୍ ନାଗରିକର ଭୂମିକା ତୁଲାଇଥାନ୍ତି। କେବଳ ସେହିଭଳି  କିଛି ଲୋକଙ୍କ ଉପରେ ହିଁ ଦେଶ ର ଭବିଷ୍ୟତ ନିର୍ଭର କରୁଛି।

(ସୌଜନ୍ୟ – ଭିନ୍ନ ମଣିଷ)

Comment