ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ଥମିବାର ନାଁ ନେଉ ନାହିଁ। ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଦ୍ୱାରା ମହାଭିଯୋଗ ମାମଲା ଖାରଜ ହେବା ବିରୋଧରେ କଂଗ୍ରେସର ଦୁଇ ରାଜ୍ୟସଭା ସାଂସଦ ସୁପ୍ରିମକୋର୍ଟ ଯାଇଛନ୍ତି।

ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯାଇଥିବା ମହାଅଭିଯୋଗ ପ୍ରସଙ୍ଗରେ ରଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ରାଜ୍ୟସଭାର ୨ ସାଂସଦ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜବା ଓ ଅମି ୟାଗ୍ନିଗ୍।

ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ଜଷ୍ଟିସ ଚେଲମେଶ୍ୱରଙ୍କ ଅଧ୍ୟକ୍ଷତାରେ ଗଠିତ କୋର୍ଟରେ ଏହି ମାମଲା ଉଠାଇଥିଲେ ବରିଷ୍ଠ ଓକିଲ କପିଲ ସିବଲ ଓ ପ୍ରଶାନ୍ତ ଭୂଷଣ।

ଜଷ୍ଟିସ ଚେଲମେଶ୍ୱର ଏହି ମାମଲାରେ ନିଜ ମତ ରଖି କହିଛନ୍ତି, “ମାମଲାଟି ନମ୍ବର ନ ହୋଇ ପାରିଲେ ଏହା ସିଜେଏମଙ୍କ କୋର୍ଟକୁ ଶୁଣାଣି ପାଇଁ ଯିବାର ସମ୍ଭାବନା ରହିଛି”।

ଏହି ମାମଲା ପରିଚାଳନା ଦାୟିତ୍ୱରେ ଥିବା ଆଇନଜୀବୀ ଏଭଳି ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ସିଜେଆଇଙ୍କ ବିରୋଧରେ ଥିବା ମାମଲା ସିଜେଆଇଙ୍କ କୋର୍ଟରେ ଶୁଣାଣି ହେବ କିପରି ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ୭ଟି ରାଜନୈତିକ ଦଳ ପକ୍ଷରୁ ସିଜେଆଇଙ୍କ ବିରୋଧରେ ମହା ଅଭିଯୋଗ ପତ୍ର ପ୍ରଦାନ କରିଥିବାବେଳେ ଉପରାଷ୍ଟ୍ରପତି ଏହାକୁ ଖାରଜ କରି ଦେଇଥିଲେ।

କଂଗ୍ରେସର ଦୁଇଜଣ ସାଂସଦ ନିଜ ଯାଚିକାରେ କହିଛନ୍ତି, “କୌଣସି ମହାଭିଯୋଗ ପ୍ରସ୍ତାବ ଯଦି ସାଂସଦ ମାନଙ୍କ ପକ୍ଷରୁ ଉପଯୁକ୍ତ ଭୋଟରରେ ଉପସ୍ଥାପିତ କରାଯାଉଛି ତେବେ ରାଷ୍ଟ୍ରପତିଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥାଏ। ତାଙ୍କୁ ନୋଟିସ ଆଧାରରେ ଯାଞ୍ଚ ଆୟୋଗ ଗଠନ କରି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ”।

ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର। ତାଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ। ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବରେ ୭ଟି ଦଳ ସ୍ୱାକ୍ଷର କରିଛନ୍ତି। ଏଥିରେ ଏନ୍‌ସିପି, ଟିଏମସି, କଂଗ୍ରେସ, ବାମ ଦଳ ସମେତ ୭ଟି ରାଜନୈତିକ ଦଳ ସାମିଲ ଅଛନ୍ତି।

ଚଳିତ ବର୍ଷ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍‌ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ପ୍ରମୁଖ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ କରିଥିଲେ। ଏହାପରେ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳଗୁଡିକ ଏକାଠି ହୋଇଥିଲେ।

ଜଷ୍ଟିସ୍‌ ଦୀପକ ମିଶ୍ର ୨୦୧୭ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ସେ ପୂର୍ବତନ ପ୍ରଧାନ ବିଚାରପତି ଜେଏସ୍‌ ଖୈରଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୮ ଅକ୍ଟୋବର ୨ରେ ଶେଷ ହେଉଛି।

Comment