ଓଡ଼ିଶାଲାଇଭ୍ ବ୍ୟୁରୋ

ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରୋଡ ସୋ’। କର୍ଣ୍ଣାଟକ ରାଜ୍ୟର କୋଲାରରେ ସାଇକେଲ ଚଳାଇ ଦରଦାମ ବୃଦ୍ଧିର ପ୍ରତିବାଦ କରିଛନ୍ତି ରାହୁଲ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ। ନିର୍ବାଚନକୁ ଆଉ ମାତ୍ର ୫ଦିନ ବାକି ଥିବାବେଳେ କଂଗ୍ରେସ ଓ ବିଜେପି ପକ୍ଷରୁ ଚାଲିଛି ଘନଘନ ପ୍ରଚାର। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବିଜେପିର ଷ୍ଟାର୍ କ୍ୟାମ୍ପେନର୍ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର ଦିନ କର୍ଣ୍ଣାଟକର କୋଲାରରେ ମୋଦି ସରକାରଙ୍କ ବିରୋଧରେ ରୋଡ ସୋ’ କରିଛନ୍ତି। ରାହୁଲ ପେଟ୍ରୋଲ ଦର ବୃଦ୍ଧିରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ବିଶ୍ଵ ବଜାରରେ ପେଟ୍ରୋଲ ଦର ହ୍ରାସ ପାଉଥିଲାବେଳେ ଦେଶରେ ମୋଦି ସରକାର ତେଲ ଦର କାହିଁକି ହ୍ରାସ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ସେ ଆହୁରି ମଧ୍ୟ କହିଛନ୍ତି ପେଟ୍ରୋଲ ଓ ଡିଜେଲକୁ ସରକାର ଜିଏସଟି ପରିସରର୍ଭୁକ୍ତ କରିବାକୁ ଚାହୁଁନାହାନ୍ତି।
ପେଟ୍ରୋଲ ଡିଜେଲ ଦର ବୃଦ୍ଧି ନେଇ ରାହୁଲ ଗାନ୍ଧି ଶଗଡ଼ରେ ବସି ଏହାର ପ୍ରତିବାଦ କରିଛନ୍ତି। କର୍ଣ୍ଣାଟକ କୋଲାରରେ ରାହୁଲ ଗାନ୍ଧିଙ୍କ ସମେତ କଂଗେସର ଅନ୍ୟ ବରିଷ୍ଠ ନେତା ମଧ୍ୟ ରୋଡ ସୋ’ରେ ସାମିଲ ହୋଇଥିଲେ। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗର୍ଜିଥିଲେ। “ଗତ ଚାରି ବର୍ଷ ଭିତରେ ମୋଦି କୃଷକଙ୍କ କଥା କହୁଛନ୍ତି କିନ୍ତୁ କୃଷକଙ୍କ ପାଇଁ କିଛି କରୁନାହାନ୍ତି”।
ଶଗଡ଼ଗାଡ଼ି ଛଡ଼ା ରାସ୍ତାରେ ସାଇକେଲ ଚଳାଇ ଦରଦାମ ବୃଦ୍ଧି ନେଇ ବିରୋଧ ପ୍ରଦର୍ଶନ କରିଥିଲେ। “କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର ଗଢ଼ିବ। ୧୦ଦିନରେ କୃଷକଙ୍କ କରଜ ଛାଡ଼ କରିଦିଆଯିବ। ଦେଶରେ ଗରିବ ପକେଟରୁ ଟଙ୍କା ନେଇ ଧନୀକ ବର୍ଗଙ୍କୁ ଦିଆଯାଉଛି। ନରେନ୍ଦ୍ର ମୋଦି ନୀରବ ମୋଦିଙ୍କ ପକେଟରେ ଟଙ୍କା ଭରୁଛନ୍ତି”, କହିଛନ୍ତି ରାହୁଲ।
ରାହୁଲଙ୍କ ଏହି ରୋଡ ସୋ’ରେ ଅନେକ ମହିଳା କର୍ମୀ ମଧ୍ୟ ସାମିଲ ହୋଇଥିଲେ। ସେମାନେ ଗ୍ୟାସ୍ ଧରି ପ୍ରତିବାଦ କରିଥିଲେ।














