ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

  ବଲିଉଡ଼ରେ ହିରୋଇନମାନେ ଆଇଟମ୍ ଗର୍ଲ ହେବାକୁ ସହଜରେ ରାଜି ହୋଇଯାଆନ୍ତି। ଐଶ୍ଚର୍ଯ୍ୟା ରାୟ, ଶିଳ୍ପା ସେଟ୍ଟିଙ୍କଠୁ  ଆରମ୍ଭ କରି କାଟ୍ରିନା ଓ କରିନାଙ୍କ ଯାଏଁ ଅଧିକାଂଶ ନାୟିକା ଏହି ଟ୍ରେଣ୍ଡରେ ସାମିଲ୍ ହୋଇଛନ୍ତି। କିନ୍ତୁ ଓଲିଉଡ଼ରେ ଏହି ଟ୍ରେଣ୍ଡ୍ ଏ  ଯାଏଁ ଜୋର ଧରିନି ବୋଲି କହିଲେ ଭୁଲ୍ ହେବନାହିଁ।

ଓଲିଉଡ଼ରେ ଯେଉଁଠି ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତାଙ୍କ ଭଳି ଟପ୍ ହିରୋଇନ ଏଯାଏଁ ଅନ୍ୟ କୌଣସି ସିନେମାରେ ଆଇଟମ୍ ନମ୍ବରରେ  ନଜର ଆସିନାହାନ୍ତି। ତଥାପି ଅନୁ ଚୌଧୁରୀ ଓ ନମ୍ରତା ଥାପ୍ପା ଆଇଟମ୍ ଗର୍ଲ ବନିଛନ୍ତି ପରଦାରେ। ଆଇଟମ୍ ନମ୍ବରରେ କେଉଁ ଓଲିଉଡ ଅଭିନେତ୍ରୀ ଏଥିରେ ସାମିଲ୍ ହୋଇଛନ୍ତି।

୧୯୯୮ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ମା ଗୋଜବାୟାଣୀ’ ଜରିଆରେ ନାୟିକା ଭାବେ ଓଲିଉଡ଼ରେ କ୍ୟାରିଅର୍ ଆରମ୍ଭ କରିଥିଲେ ଅନୁ ଚୌଧୁରୀ। ସେ ଗତ ୨୦ ବର୍ଷ ଭିତରେ  ଅନେକ ସିନେମାରେ ନାୟିକା ହୋଇଛନ୍ତି।  ସେ ‘କାଳିଶଙ୍କର’, ‘ରାକ୍ଷୀ ବାନ୍ଧିଲି ମୋ’ ରଖିବ ମାନ’, ‘ଚକା ଚକା ଭଉଁରୀ’, ‘ଲାଲ ଟୁକ୍ ଟୁକ୍ ସାଧବ ବୋହୂ’, ‘ଟୋପାଏ ସିନ୍ଦୁର ଦି ଟୋପା ଲୁହ’, ‘ରକତ କହିବ କିଏ କାହାର’, ‘ଶାଶୁ ଘର ଚାଲିଯିବି’, ‘ପ୍ରେମ ଋତୁ ଆସିଲାରେ’ ଏବଂ  ‘ଗଡ୍ ଫାଦର’ ସମେତ ୩୦ରୁ ଅଧିକ ସିନେମାରେ ନାୟିକା ଭୂମିକାରେ ପରଦାକୁ ଆସିଛନ୍ତି।

ତେବେ ଅନୁ ଏଯାବତ୍ କେବଳ ଗୋଟିଏ ଓଡ଼ିଆ ଛବିରେ ଆଇଟମ୍ ନମ୍ବରରେ ନଜର ଆସିଛନ୍ତି। ସେ ଯେଉଁ ସିନେମାରେ ଆଇଟମ୍ ଗର୍ଲ ବନିଥିଲେ, ତାହା ହେଲା ‘ଗଞ୍ଜା ଲଢ଼େଇ’। ସୁଧାକର ବସନ୍ତ ଏହାର ନିର୍ଦ୍ଦେଶକ ଓ ନୃତ୍ୟ ନିର୍ଦ୍ଦେଶକ। ଏହି ଫିଲ୍ମରେ ସିଦ୍ଧାନ୍ତ ଓ ସମ୍ବିତ୍ ନାୟକ ଭୂମିକାରେ ଅଭିନୟ କରିଥିଲେ। ‘ଗଞ୍ଜା ଲଢ଼େଇ’ରେ  ଅନୁ ଚୌଧୁରୀଙ୍କ ଉପରେ ପିକଚରାଇଜ୍ ହୋଇ ଥିବା ଆଇଟମ୍ ଗୀତଟି ଥିଲା- ‘ମଲ୍ଲି ତୁ ସୋମବାର…’।

ଏହି ଗୀତଟି ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା। ଏହାର ଗୀତିକାର ଡକ୍ଟର ନିର୍ମଳ ନାୟକ ଓ  ସଙ୍ଗୀତକାର ଅଭିଜିତ ମଜୁମଦାର। ଓଲିଉଡ଼ର ଆଉ ଜଣେ ଆଗ ଧାଡ଼ିର ନାୟିକା ଥିଲେ ନମ୍ରତା ଥାପ୍ପା। ସେ ୨୦୦୪ରେ ବ୍ଲକବ୍ଲଷ୍ଟର ମୁଭି ‘ଆଇ ଲଭ ୟୁ’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ତା’ ପରେ ନମ୍ରତାଙ୍କୁ ‘ତୋ’ ପାଇଁ’, ‘ରସିକନାଗର’, ‘ପ୍ରିୟା ମୋ ପ୍ରିୟା’, ‘ମୁଁ ତତେ ଲଭ କରୁଚି’, ‘ପ୍ରେମ ଋତୁ ଆସିଲାରେ’,  ‘ମିତରେ ମିତ’, ‘ୱାନଫୋର୍ ଥ୍ରି ଆଇ ଲଭ ୟୁ’ ଆଦି  ସିନେମାରେ ଦର୍ଶକ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ।

ଏହି  ଟପ୍ ହିରୋଇନ୍ ବି ପ୍ରଥମେ ଆଇଟମ୍ ଗର୍ଲ ବନିଥିଲେ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ  ଫିଲ୍ମ ‘ଅଭିମନ୍ୟୁ’ରେ । ଏଥିରେ ନମ୍ରତାଙ୍କ ଉପରେ ପିକଚରାଇଜ୍ ହୋଇଥିବା ଆଇଟମ୍ ନମ୍ବର ଟି ହେଲା- ‘ମଝି ଦରିଆରେ ଝଲମଲ… ରୋହି ସାଙ୍ଗେ ଇଲିସିର ବାହାଘର…’। ଏହା ବେଶ୍ ଲୋକପ୍ରିୟ ବି ହୋଇଥିଲା।

ରୋମିଓ ଦ ଲଭର୍ ବୟ’ରେ ବାବୁସାନ୍, ‘ଡନ୍’ରେ ଅନୁଭବ ଓ ‘ଚଉକା ଛକା’ ସିନେମାରେ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ନାୟିକା ପାଇଥିବା ଓଲିଉଡ଼ର ଜଣାଶୁଣା ନାୟିକା ଲଭ୍‌ଲି ବି  ଆଇଟମ୍ ଗର୍ଲ ବନିଛନ୍ତି ପରଦାରେ। ତାଙ୍କୁ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ହିଟ୍ ମୁଭି ‘ମୁଁ ଏକା ତୁମର’ରେ ଥିବା ଆଇଟମ୍ ନମ୍ବର ‘ମାଲୋ ମଲ୍ଲୀ ବିଛା କାମୁଡିଲା ରାତିରେ କାଲି…’ ରେ ଦେଖିବାକୁ ମିଳିଥିଲା। ଏହି ଗୀତରେ ଲଭଲିଙ୍କ ସହିତ ହରି ଓ ସାତ୍ୟକୀ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ପାଇଥିଲେ ଦର୍ଶକ।

୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗଡ଼୍‌ଫାଦର’ରେ ନାୟିକା ଭୂମିକାରେ ନଜର ଆସିଥିଲେ ନବାଗତା ଅନନ୍ୟା। ଏହା ପରେ ଅନନ୍ୟାଙ୍କ ଆଇଟମ୍ ଗର୍ଲ ସାଜିଥିଲେ ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ’ରେ। ଏଥିରେ ଅନନ୍ୟାଙ୍କ ଉପରେ ପିକଚରାଇଜ୍ ହୋଇଥିବା ଆଇଟମ୍‌ ନମ୍ବର ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା। ଏହି ଗୀତଟି ହେଲା- ମୋ’ ହଳଦୀ ଗିନା…।  ଏହି ଗୀତ ଦୃଶ୍ୟରେ ଫିଲ୍ମର ନାୟକ ଅମ୍ଳାନ ଓ ଅନୁଭାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Comment