ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ହକି ଖେଳର ଏନ୍ତୁଡ଼ିଶାଳ କୁହାଯାଏ।  ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କିଙ୍କଠାରୁ ଆରମ୍ଭ କରି ସୁନିତା କୁଲ୍ଲୁଙ୍କ ପର୍ଯ୍ୟନ୍ତ ଖେଳାଳି ଏହି ଜିଲ୍ଲାରୁ ଆସି ଭାରତୀୟ ଦଳର ନେତୃତ୍ଵ ନେଇସାରିଛନ୍ତି। ଏବେ ଏସୀୟ ଚମ୍ପିଆନ୍‍ସ ଟ୍ରଫି ମହିଳା ହକି ଟୁର୍ଣ୍ଣାମେଣ୍ଟରେ ସୁନିତା ଲାକ୍ରା ଭାରତୀୟ ଦଳର ନେତୃତ୍ଵ ନେବେ।

କୋରିଆର ଡଙ୍ଗ୍‍ହେ ସହରରେ ମେ’ ୧୩ରୁ ଆରମ୍ଭ ହେବ ଏସୀୟ ଚମ୍ପିଆନ୍‍ସ ଟ୍ରଫି ମହିଳା ହକି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ୧୮ ଜଣିଆ ଭାରତୀୟ ସିନିୟର ମହିଳା ଦଳ ଘୋଷଣା କରିଛି। ଏହି ଦଳର ନେତୃତ୍ୱ ନେବେ ଓଡ଼ିଆ ଖେଳାଳି ସୁନିତା ଲାକ୍ରା। ସୁନିତାଙ୍କୁ ମିଶାଇ ଘୋଷିତ ଦଳରେ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଅନ୍ୟ ୪ ଜଣ ହେଲେ ଦୀପ୍‍ ଗ୍ରେସ୍‍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‍ ଓ ଅନୁପା ବାର୍ଲା।

ନିକଟରେ ହକି ଇଣ୍ଡିଆ ଘୋଷଣା କରିଥିଲା ଯେ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ରାଣୀ ରାମପାଲ ଭାରତୀୟ ସିନିୟର ମହିଳା ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ତେବେ ଏସୀୟ ଚମ୍ପିଆନ୍‍ସ ଟ୍ରଫି ହକି ପାଇଁ ରାଣୀଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ନେତୃତ୍ୱର ଭାର ଦଳର ଅଭିଜ୍ଞ ରକ୍ଷାପନ୍ଥୀ ଖେଳାଳି ସୁନିତା ଲାକ୍ରାଙ୍କୁ ଦିଆଯାଇଛି। ଗୋଲ୍‍ରକ୍ଷକ ସବିତା ଉପଅଧିନାୟିକା ଦାୟିତ୍ୱ ତୁଲାଇବେ।

ସୁନିତା ଲାକ୍ରା

୨୭ ବର୍ଷ ବୟସ୍କା ସୁନିତା ଲାକ୍ରା ହେଉଛି ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ବାସିନ୍ଦା। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ସୁନିତା ପ୍ରଶିକ୍ଷଣ ନେଇଥିଲେ। ୨୦୦୯ରେ ପ୍ରଥମଥର ପାଇଁ ସୁନିତା ଲାକ୍ରା ଭାରତ ପାଇଁ ଖେଳିଥିଲେ। ଏହା ପରଠାରୁ ନିରବଚ୍ଛିନ୍ନ ଭାବେ ସୁନିତା ଭାରତ ପାଇଁ ଖେଳି ଆସୁଛନ୍ତି।

ଗତବର୍ଷ ମେ’ରେ ସୁନିତା ୧୦୦ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳିବାର ମାଇଲଖୁଣ୍ଟ ପାର କରିଥିଲେ। ଗତବର୍ଷ ଜାପାନରେ ଭାରତ ଦୀର୍ଘ ୧୩ ବର୍ଷ ପରେ ଏସିଆ କପ୍‍ ମହିଳା ହକି ଜିତିଥିବା ବେଳେ ସୁନିତା ଏହି ଦଳର ସଦସ୍ୟା ଥିଲେ। ପୁଣି ୨୦୧୪ ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‍ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟା ମଧ୍ୟ ସୁନିତା ଥିଲେ। ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହେବାରେ ସୁନିତା ଲାକ୍ରା ହେଉଛନ୍ତି ୪ର୍ଥ ଓଡ଼ିଆ ଖେଳାଳି।

ପୂର୍ବରୁ ଜ୍ୟୋତି ସୁନିତା କୁଲ୍ଲୁ, ସୁଭଦ୍ରା ପ୍ରଧାନ ଓ ଦୀପ୍‍ ଗ୍ରେସ୍‍ ଏକ୍କା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବା ତାଲିକାରେ ଦିଲୀପ ତିର୍କିଙ୍କ ସହ ଇଗ୍ନେସ ତିର୍କି ଓ ପ୍ରବୋଧ ତିର୍କି ରହିଛନ୍ତି।

ଅଧିନାୟିକା ସୁନିତାଙ୍କ ସହ ଓଡ଼ିଆ ଖେଳାଳି ଦୀପ୍‍ ଗ୍ରେସ୍‍ ଏକ୍କା ଭାରତୀୟ ରକ୍ଷାପନ୍ଥୀ ଦାୟିତ୍ୱ ସମ୍ଭାଳିବେ। ପୁଣି ମଧ୍ୟକ୍ରମରେ ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‍‍ ରହିଥିବା ବେଳେ ଆକ୍ରମଣପନ୍ଥୀରେ ଅନୁପା ବାର୍ଲା ରହିଛନ୍ତି। ଗତଥର ଏସୀୟ ଚମ୍ପିଆନ୍‍ସ ଟ୍ରଫି ହକିରେ ଭାରତ ହେଉଛି ସ୍ୱର୍ଣ୍ଣପଦକ ବିଜେତା। ୨୦୧୬ରେ ଫାଇନାଲରେ ଚୀନ୍‍କୁ ହରାଇ ଭାରତ ଚମ୍ପିଆନ୍‍ ହୋଇଥିଲା। ପରବର୍ଷ ଭାରତ ଏସିଆ କପ୍‍ ମଧ୍ୟ ଜିତି ପାରିଥିଲା। ୨୦୧୭ ଏସିଆ କପ୍‍ ଫାଇନାଲରେ ରାଣୀ ରାମପାଲଙ୍କ ଦଳ ପୁଣିଥରେ ଚୀନ୍‍କୁ ହରାଇଥିଲା। ଗତ ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ପଦକ ଜିତି ପାରିନଥିବା ବେଳେ ଭଲ ପ୍ରଦର୍ଶନ କରିଥିଲା।

ଦୀର୍ଘ ୧୨ ବର୍ଷ ପରେ ଭାରତ ସେମିଫାଇନାଲରେ ପହଞ୍ଚିଥିବା ବେଳେ କଡ଼ା ମୁକାବିଲା ପରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଅଧିନାୟିକା ନିଯୁକ୍ତ ହେବା ପରେ ସୁନିତା କହନ୍ତି, “ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତହେବା ପରେ ଆମେ ବହୁତ ନିରାଶ ହୋଇଥିଲୁ। କାରଣ ଫାଇନାଲ ଯିବା ପାଇଁ ଏହା ଆମର ଶ୍ରେଷ୍ଠ ସୁଯୋଗ ଥିଲା। ଲିଗ୍‍ ପର୍ଯ୍ୟାୟରେ ଆମେ ଇଂଲଣ୍ଡକୁ ହରାଇଥିଲେ ହେଁ ପରେ ଆମେ ଏହି ପ୍ରଦର୍ଶନ ଦୋହରାଇ ପାରିନଥିଲୁ। ଏସୀୟ ଚମ୍ପିଆନ୍‍ସ ଟ୍ରଫି ପାଇଁ ପ୍ରସ୍ତୁତି ଶିବିରରେ ଅମେ ଫିଟ୍‍ନେସ ଓ ଗତି ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ପୁଣି ସୁଯୋଗକୁ ଗୋଲ୍‍ରେ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ। ଆମେ ଟାଇଟଲ ବଜାୟ ରଖିବା ପାଇଁ ଦୃଢ଼ ଆଶାବାଦୀ”।

 

Comment