ଛନ୍ଦା ମିଶ୍ର

କଥାରେ ଅଛି ‘ନମନ୍ତି ଫଳିନୋ ଦୃକ୍ଷାଃ ନମନ୍ତି ଗୁଣିନୋ ଜନାଃ’। ଅନେକ ସୁଗୁଣର ସମାହାରରେ ନାରୀ ଗଠିତ ହୋଇଥିବାରୁ ସେ ଲଜ୍ଜାଶୀଳା ଓ ନମ୍ର। ନାରୀ ସବୁବେଳେ ଓ ସବୁ ଯୁଗରେ ମହାନ୍।

ନାନା ମୁନିଙ୍କର ନାନା ମତ। କେହି ‘ନାରୀ ନରକର ଦ୍ୱାର’ ବୋଲି କହେ ତ ଆଉ କେହି ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ’ ବୋଲି କହନ୍ତି। ପୁଣି କେତେକ ନାରୀ ଓ ପୁରୁଷ ମଧ୍ୟରେ କୌଣସି ପ୍ରଭେଦ ନାହିଁ ବୋଲି କୁହନ୍ତି। ତେବେ ପ୍ରକୃତରେ କଣ ନାରୀ ଓ ପୁରୁଷ ସମାନ?

ପ୍ରକୃତିକୁ ଅନୁଧ୍ୟାନ କଲେ ଦେଖିବେ ପ୍ରତ୍ୟେକ ପଦାର୍ଥରେ ସ୍ରଷ୍ଟାଙ୍କର ନିଖୁଣ କାରୁକାର୍ଯ୍ୟ। ତେବେ  ନାରୀ ଓ ପୁରୁଷ ମଧ୍ୟରେ କେବଳ ଶାରୀରିକ ନୁହେଁ ମାନସିକ ସ୍ଥିତିରେ ମଧ୍ୟ ଏତେ ଭିନ୍ନତା କାହିଁକି? ଲକ୍ଷ୍ୟ କରିବେ ଯେଉଁମାନେ ମହିଳାମାନଙ୍କୁ ପୁରୁଷର ସମକକ୍ଷ ବୋଲି ଭାବନ୍ତି, ସେମାନେ ହିଁ ପ୍ରଥମେ ନିଜର ସୁବିଧା ଓ ସ୍ୱାର୍ଥ ହାସଲ ପାଇଁ ଲେଡିଜ୍ ଫାଷ୍ଟ୍ ଓ ମହିଳା ସଂରକ୍ଷଣ ସପକ୍ଷରେ ମତ ବାଢନ୍ତି। ଯେଉଁ ଝିଅମାନେ ପୁଅ-ଝିଅ ସମସ୍ତେ ସମାନ ବୋଲି ଭାବନ୍ତି, ସେମାନେ ବସରେ ଗଲାବେଳେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପୁରୁଷଟିଏ ବସିଯାଉଥିବା ଦେଖି ‘ମହିଳା ଲେଖାହୋଇଛି ବୋଲି ଦିଶୁନି କି’ ବୋଲି କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ।

ଯଦି ପୁରୁଷ ଓ ନାରୀ ସମାନ ତେବେ ମହିଳା ସଶକ୍ତିକରଣ, ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଆଦି ଶବ୍ଦଗୁଡିକର କୌଣସି ଗୁରୁତ୍ୱ ରହନ୍ତା ନାହିଁ। ନାରୀ ଓ ପୁରୁଷ ସମାନ ବୋଲି ଜିଦ୍ କରୁଥିବା ମହିଳାମାନେ ସନ୍ତାନ ପ୍ରସବ କଲାବେଳେ ପୁତ୍ର ସନ୍ତାନଟିଏ ପାଇଁ ବ୍ୟାକୁଳ ହୋଇଉଠନ୍ତି। ଯଦି ପ୍ରଥମେ ଝିଅଟିଏ ଜନ୍ମ ହୋଇଗଲା ତେବେ ତା’ର ରଙ୍ଗ ଓ ଗଢଣ ବିଷୟରେ ସମସ୍ତେ କିଛି ନା କିଛି ଟିପ୍ପଣୀ ଦେଇଥାନ୍ତି। ଝିଅଟିଏ ଜନ୍ମପରେ ତାକୁ ବଢାଇ, ପଢାଇ ସୁପାତ୍ରଟିଏର ହାତରେ ଛନ୍ଦା ନ ଦେବା ପର୍ଯ୍ୟନ୍ତ ମା’-ବାପା ଶାନ୍ତିରେ ନିଃଶ୍ୱାସ ନେଇପାରନ୍ତି ନାହିଁ।

ଯେଉଁଠି  ଅବିବାହିତା ଝିଅଟିଏ  ବାହାରେ ରହି ପାଠ ପଢୁଛି  ବା ଚାକିରି କରୁଛି ସେଠି ମା’-ବାପାଙ୍କ ଆଖିରେ ନିଦ ନାହିଁ। ଝିଅଟିଏ ଘରୁ ବାହାରି ସ୍କୁଲ୍ ବା କଲେଜ ଗଲେ ସେ ସୁରକ୍ଷିତ ହୋଇ ନ ଫେରିବା ପର୍ଯ୍ୟନ୍ତ ମା’-ବାପା ଚିନ୍ତିତ। ପାଠକେ ଭାବିପାରନ୍ତି –ଏବକୁ ସିନା ବେଳକାଳ ଖରାପ, ମାତ୍ର ନା ଆଜ୍ଞା, ଏପରି ଅବସ୍ଥା ଆଗରୁ ଥିଲା, ଏବେ ଅଛି ଓ ଆଗକୁ ମଧ୍ୟ ରହିବ। ଆମେରିକା ପରି ଉନ୍ନତ ଦେଶଗୁଡିକରେ ମଧ୍ୟ ସେହି ଏକା ଅବସ୍ଥା।

ଝିଅମାନେ ପୁଅଙ୍କ ସହିତ ସମାନ ବୋଲି ଭାବି ନିଜର ବେଶପୋଷାକ ବଦଳାଇ ଦେଲେ ପରିସ୍ଥିତି ବଦଳି ଯାଏନି। ନାରୀ ଓ ପୁରୁଷ ଏକ ସମୟରେ ଅଫିସରୁ ଫେରିବା ପରେ ଘର ଓ ସନ୍ତାନମାନଙ୍କ ଜଞ୍ଜାଳକୁ ଝିଅଟିଏ ହସିହସି ନିଜର କର୍ତ୍ତବ୍ୟ ବୋଲି ଭାବିକରି କରି ଯାଉଥିବାବେଳେ ପୁରୁଷଟି ପେପର ଖଣ୍ଡିଏ ଧରି ଟିଭି ଆଗରେ ବସିଯାଏ କାହିଁକି? ଘରଟି କ’ଣ କେବଳ ନାରୀର ?

ନାରୀରୁ ମା’ ହେବାର ସୌଭାଗ୍ୟ ପ୍ରଦାନ କରି ପ୍ରକୃତି ନାରୀ ମୁଣ୍ଡରେ କେତେବଡ ଗୁରୁଦାୟିତ୍ୱ ଦେଇନାହିଁ ସତେ! କୁହାଯାଏ ଭଗବାନ ସବୁ ସ୍ଥାନରେ ପହଞ୍ଚିପାରିବେ ନାହିଁ ବୋଲି ପ୍ରତ୍ୟେକ ପିଲାକୁ ମା’ ଟିଏ ଦେଇଛନ୍ତି। ଯେଉଁ ପିଲାଟିର ଦୁର୍ଯୋଗବଶତଃ ମା’ ମରିଯାଏ, ତା’ଠାରୁ ହତଭାଗ୍ୟ ଆଉ କେହି ନାହିଁ। ସେଥିପାଇଁ କୁହାଯାଏ “ମା’ ନାହିଁ ଯାହାର, ସାହା ନାହିଁ ତାହାର”।

‘ନାରୀ ଜନନୀ ରୂପରେ ଯେଉଁ ତ୍ୟାଗ କରେ, ତା’ର ପ୍ରତିଦାନ କେହି କେବେ ଦେଇପାରି ନାହିଁ। ପ୍ରଭୁ ରାମ, କୃଷ୍ଣ, ମହାନ୍ ବୀର ଶିବାଜୀ, ଶଙ୍କରାଚାର୍ଯ୍ୟ, ବିବେକାନନ୍ଦ, ଆଚାର୍ଯ୍ୟ ହରିହର ପ୍ରମୁଖ ପ୍ରତ୍ୟେକ ମହାନ୍ ବ୍ୟକ୍ତିର ଜୀବନକୁ ଅନୁଧ୍ୟାନ କଲେ ‘ମାତା’ଙ୍କ ଭୂମିକା ଯେ ଅତୁଳନୀୟ ତାହା ବୁଝାପଡେ।

ପ୍ରକୃତି ସର୍ବଂସହା ଓ ପ୍ରତିଦାନର କୌଣସି ଆଶା ନରଖି କେବଳ ଦେଇ ଚାଲିଥିବାରୁ ନାରୀକୁ ପ୍ରକୃତି  ସହିତ ତୁଳନା କରାଯାଏ। ମହିଷାସୁର ବଧ ବିଷୟରେ କିଏ ବା ନ ଜାଣେ। ଯେତେବେଳେ ସମସ୍ତ ଦେବତା ହାରିଗଲେ, ମା’ ଦୁର୍ଗା ସମଗ୍ର ବିଶ୍ୱକୁ ଅତ୍ୟାଚାର ଓ ଅନୀତିରୁ ରକ୍ଷାକରିବା ପାଇଁ ମହିଷାସୁରକୁ ବଧ କରିଥିଲେ।

ଜୀବନରେ ଯେତେବେଳେ କୌଣସି ମାନସିକ କିମ୍ବା ଶାରୀରିକ କଷ୍ଟ ଆସେ, ମଣିଷ  କେବଳ ମା’ର କଥା ହିଁ ଚିନ୍ତା କରିଥାଏ। ତେବେ ନାରୀ ପ୍ରତ୍ୟେକ ରୂପରେ ତାହା ଜନନୀ, ଜାୟା, ଭଗିନୀ, କିମ୍ବା ପୁତ୍ରୀ ହେଉ, ତା ମନରୁ ମମତ୍ୱ ପ୍ରେମ, ସ୍ନେହ ଓ କରୁଣାର ଝରଣା ସ୍ୱତଃ ଝରିଆସେ। ନାରୀ ଓ ପରୁଷ  ମଧ୍ୟରେ ତଫାତଟି କେବଳ ଶାରୀରିକ ନୁହେଁ ମାନସିକ  ସ୍ତରରେ ମଧ୍ୟ  ସେ ଦୁହେଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା।

ନାରୀ ପାଖରେ ଧୈର୍ଯ୍ୟ, ସ୍ନେହ, କ୍ଷମା, ଦୟା ଆଦି ମହାନ୍ ଗୁଣ ପରିପୂର୍ଣ୍ଣ ହୋଇ ରହିଛି। ନାରୀ ମହାନ୍। ସେ କୌଣସି ଗୁଣରେ ମଧ୍ୟ ପୁରୁଷର ସମକକ୍ଷ ହୋଇପାରିବ ନାହିଁ। ପୁରୁଷଠାରୁ ତା’ର ସ୍ଥାନ ସବୁବେଳେ ଉଚ୍ଚରେ। ନାରୀକୁ ଯେଉଁମାନେ ପୁରୁଷଠାରୁ ତଳେ ଅଛି ବୋଲି ଭାବନ୍ତି, ପ୍ରକୃତରେ ସେମାନଙ୍କର ଚିନ୍ତାଧାରା ହିଁ ଭୁଲ୍।

‘ଶକ୍ତି ବିନା ଶିବ ଯେ ଶବ’। ନିଜର ମହାନ୍ ଗୁଣ ତଥା ଶାନ୍ତିପ୍ରିୟ ସ୍ୱଭାବ ଯୋଗୁ ନାରୀ ପ୍ରତ୍ୟେକ ସ୍ଥାନରେ ଉତ୍ତମ ବୁଝାମଣା କରି ଶାନ୍ତି ବଜାୟ ରଖିବାକୁ ଚେଷ୍ଟାକରି ଆସିଛି। କୁହାଯାଏ ନାରୀ ନିଜ ହାତସ୍ପର୍ଶରେ ଘରକୁ ସ୍ୱର୍ଗ କିମ୍ବା ନର୍କରେ ପରିଣତ କରିପାରେ। କେତେକ ସ୍ୱର୍ଣ୍ଣଲଙ୍କା ଧ୍ୱଂସ ପାଇଁ ମା’ ସୀତା ଓ କୌରବ ବଂଶ  ନିପାତ ପାଇଁ ଦ୍ରୌପଦୀଙ୍କୁ ଦାୟୀ କରନ୍ତି। ମାତ୍ର ଏକ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୀତା ଓ ଦ୍ରୌପଦୀ ଏହି କଳଙ୍କକୁ ନିଜ ଉପରକୁ ହସି ହସି ସ୍ୱାଗତ କରିଛନ୍ତି।

କଥାରେ ଅଛି ‘ନମନ୍ତି ଫଳିନୋ ଦୃକ୍ଷାଃ ନମନ୍ତି ଗୁଣିନୋ ଜନାଃ’। ଅନେକ ସୁଗୁଣର ସମାହାରରେ ନାରୀ ଗଠିତ ହୋଇଥିବାରୁ ସେ ଲଜ୍ଜାଶୀଳା ଓ ନମ୍ର। ନାରୀ ସବୁବେଳେ ଓ ସବୁ ଯୁଗରେ ମହାନ୍। ତେବେ ଏହି ମହାନତାର ମୂଲ୍ୟ ଓ ସ୍ୱାତନ୍ତ୍ର୍ୟ ବଜାୟ ରଖିବାରେ ହିଁ ନାରୀ ଜୀବନର ଶ୍ରେଷ୍ଠତା ପ୍ରତିପାଦିତ ହୋଇଥାଏ।

(ସୌଜନ୍ୟ – ଭିନ୍ନ ମଣିଷ)

Comment