ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଭୁବନେଶ୍ୱର ବାପୁଜୀନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁରେ ସାମ୍ୱାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
ଗୋଟିଏ ଦିନରେ ଆଉ ଜଣେ ବରିଷ୍ଠ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ଫଳରେ ଓଡ଼ଶାର ସାମ୍ବାଦିକ ଜଗତ ଦୁଇ ଦୁଇ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି।
ଚନ୍ଦ୍ରଭାନୁ ପଟ୍ଟନାୟକ ପଢ଼ା ଶୁଣା କରିଥିବା ଉଚ୍ଚ ଶିକ୍ଷିତଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ଅଧ୍ୟାପନା ଛାଡି ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କରି ନେଇଥିଲେ। ୧୯୮୪ରେ ସମ୍ବାଦ ଖବରକାଗଜରୁ ସେ ସାମ୍ବାଦିକତା ଆରମ୍ଭ କରିଥିଲେ।
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବାଦକୁ ନୂଆ ରୂପ ଦେବାରେ ଯେଉଁ କେତେଜଣ ସାମ୍ବାଦିକଙ୍କର ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାନୁ ପଟ୍ଟନାୟକ ଥିଲେ ଅନ୍ୟତମ।
ସମ୍ବାଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରିବା ପରେ ସେ ନିଜର ଏକ ପାକ୍ଷିକ ନ୍ୟୁଜ୍ ପତ୍ରିକା ‘ଶତାବ୍ଦୀ’ର ସମ୍ପାଦକ ଓ ପ୍ରକାଶକ ଥିଲେ। ୨୦୦୦ ମସିହାରୁ ସେ ‘ଶତାବ୍ଦୀ’ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ସେ କଟକରୁ ପ୍ରକାଶିତ ଦୈନିକ ‘ସମାଜ’ର ସମ୍ପାଦକ ଥିଲେ। ୨୦୧୦ ମାର୍ଚ୍ଚରୁ ୨୦୧୧ ଏପ୍ରିଲ ପର୍ଯ୍ୟନ୍ତ ସେ ସମାଜର ସମ୍ପାଦକ ଥିଲେ। ଏହା ପୂର୍ବରୁ ସେ ଅଳ୍ପ ସମୟ ପାଇଁ ଦୈନିକ ସମୟର ସମ୍ପାଦନା ଦାୟିତ୍ୱରେ ମଧ୍ୟ ଥିଲେ। ପରେ ସେ ମୁକ୍ତ ବୃତ୍ତ ସାମ୍ବାଦିକତାକୁ ଆପଣାଇ ନେଇଥିଲେ।