ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ସର୍ଭିସ ରିଭଲଭର୍ରୁ ନିଜକୁ ଗୁଳି କରିଛନ୍ତି ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ।
ବଡ଼ ବଡ଼ ଅପରାଧୀଙ୍କୁ କାବୁ କରିଥିବା ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ ନିଜେ ନିଜକୁ ଗୁଳି କରିଛନ୍ତି। ଶୁକ୍ରବାର ଅପରାହ୍ଣରେ ସରକାରୀ ବାସଭବନରେ ନିଜ ସର୍ଭିସ ରିଭଲଭରରୁ ସେ ନିଜ ମୁଣ୍ତକୁ ଗୁଳି ମାରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୧୯୮୮ ବ୍ୟାଚ ଆଇପିଏସ୍ ଅଫିସର ହିଂମାଶୁ ରାୟ କ୍ୟାନସରରେ ପୀଡ଼ିତ ଥିଲେ। ସେ ୨୦୧୬ ଏପ୍ରିଲ ୬ରୁ ଛୁଟିରେ ଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୬ ମାସ ଛୁଟି ନେଇଥିଲେ। ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।
ହିଂମାଶୁ ରାୟ ମୁମ୍ବାଇ ପୋଲିସର ଜଣେ ଦକ୍ଷ ଅଫିସର ଥିଲେ। ସେ ୨୦୧୩ରେ ହୋଇଥିବା କ୍ରିକେଟ ସ୍ପଟ ଫିକ୍ସିଂ ମାମଲାର ପର୍ଦ୍ଦଫାଶ କରିବା ସହ ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରକୁ ଏନକାଉଣ୍ଟର କରିଥିଲେ। ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ, ବିଜୟ ପୋଲାଣ୍ଡ-ଲୀଲା ଖାନ୍ ଡବଲ ମର୍ଡର କେସର ପର୍ଦ୍ଦଫାଶ କରିବାରେ ହିଂମାଶୁଙ୍କ ବଡ଼ ଭୂମିକା ରହିଥିଲା।
ଆଇପିଏସ୍ ଅଫିସର ହିଂମାଶୁ ରାୟଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିଥିଲା। ମୁମ୍ବାଇ ସିରିଜ୍ ବିସ୍ଫୋରଣ ମାମଲା, ଇଣ୍ଡିଆନ ମୁଜାହିଦ୍ଦିନ ମୁଖ୍ୟ ୟାସିନ ଭଟକଲ ଏବଂ ଦାଉଦ ଇବ୍ରାହିମର ସମ୍ପତ୍ତି ଜବତ କରିବା ପରେ ଏହି ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଥିଲା।
ହିଂମାଶୁ ରାୟ ମହାରାଷ୍ଟ୍ରର ଅତିରିକ୍ତ ଡିଜି ରହିଥିବା ବେଳେ ଏଟିଏସ୍ ମୁଖ୍ୟ ରହିଥିଲେ। ୨୦୦୯ରେ ମୁମ୍ବାର ଯୁଗ୍ମ କମିଶନର ମଧ୍ୟ ରହିଥିଲେ ଏହି ଆଇପିଏସ୍ ଅଫିସର।














