ଛନ୍ଦା ମିଶ୍ର

ବିନାଶ କାଳେ ବିପରୀତ ବୁଦ୍ଧି ପରି ଯୁବଗୋଷ୍ଠୀ ଲେଜି ଲାଇଫ୍ ଓ ଇଜି ମନିର ମୋହଜାଲରେ ଛନ୍ଦି ହୋଇ ଶେଷରେ ନିଜର ଓ ସମାଜର ବିନାଶର କାରଣ ହେବେ – ଏହା ନିଶ୍ଚିତ।
ଅଳ୍ପ କିଛିବର୍ଷ ତଳେ ହ୍ୱାଇଟ ହାଉସର ପୂର୍ବତନ କର୍ମଚାରୀ ମୋନିକା ଲେୱିନସ୍କି ଓ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଅନୈତିକ ସମ୍ବନ୍ଧକୁ ନେଇ ଆମେରିକାର ରାଜନୈତିକ ପରିବେଶରେ ବେଶ୍ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ଆଉ ଆଗକୁ ବଢିବାକୁ ନ ଦେଇ, କ୍ଲିଣ୍ଟନ ନିଜ ଦୋଷ ସ୍ୱୀକାର କରିନେଇଥିଲେ।
ପତ୍ନୀ ହିଲାରୀ କ୍ଲିଣ୍ଟନ ମଧ୍ୟ ପତିଙ୍କୁ କ୍ଷମା ପ୍ରଦାନ କରି ନିଜ ଉଦାର ହୃଦୟର ପରିଚୟ ଦେଇଥିଲେ। କିଛିବର୍ଷ ଧରି ଚାଲିଥିବା ଏହି ସମ୍ପର୍କରୁ ମୋନିକା ବହୁତ ଲାଭ ଉଠାଇଥିଲେ ଓ ଯେଉଁଦିନ ନିଜ ସ୍ୱାର୍ଥ ହାସଲରେ ଟିକିଏ ଆଞ୍ଚ ଆସିଲା, ସେ ଗଣମାଧ୍ୟମ ଆଗରେ ସେ ସବୁକୁ ପ୍ରକାଶ କରି ନିଜ ସପକ୍ଷରେ ଯୁକ୍ତି ବାଢିଲେ।
ବର୍ତ୍ତମାନ ସେଇ କଦର୍ଯ୍ୟ ଓ ପୁରୁଣା କଥାର ପୁନରାବୃତ୍ତି କରିବାର ଉଦ୍ଦେଶ୍ୟ ଏହା ଯେ, ସେହି ଅନୈତିକ ସମ୍ପର୍କ ସମୟରେ ବ୍ୟବହୃତ ମୋନିକାଙ୍କ ସେହି ଯୌନ ଉଦ୍ଦୀପନାକାରୀ ପୋଷାକଗୁଡିକର ନିଲାମ ହେବା ବିଷୟରେ କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏଥିପାଇଁ ଅନେକ କୁତ୍ସିତ ମାନସିକତାଧାରୀ ବ୍ୟକ୍ତି ନିଜର ଶକ୍ତି, ସମୟ ଓ ଅର୍ଥ ଅପଚୟ କରି ଆଗ୍ରହର ସହ ଭିଡ ଜମାଇବାରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ।
ସେହିପରି ଆମ ଦେଶର ଉଦୀୟମାନ କେରଳୀ ବୋଲର ଶ୍ରୀଶାନ୍ତ ଭଦ୍ରଲୋକଙ୍କ ଖେଳ କ୍ରିକେଟ୍ ମଧ୍ୟରେ ସ୍ପଟ ଫିକ୍ସିଂ ପରି ନିନ୍ଦନୀୟ ବିବାଦରେ ଜଡିତ ହୋଇ ନିଜ ଉଜ୍ୱଳ ତଥା ସମ୍ଭାବନାମୟ କ୍ରିକେଟ କ୍ୟାରିୟରରେ ଆଣିଲେ ଏକ ବିରାଟ ଅନିଶ୍ଚିତତା। ଦୀର୍ଘ ସତେଇଶ ଦିନ ଧରି ଜେଲରେ ରହି ଜାମିନରେ ଆସିଥିବା ଏହି ଖେଳାଳିଙ୍କୁ ବିବାହ କରିବା ପାଇଁ ରାଜସ୍ଥାନ ରାଜପରିବାରର ଜଣେ ସୁନ୍ଦରୀ ଯୁବତୀ ଆଗେଇ ଆସିଛନ୍ତି, ଶ୍ରୀଶାନ୍ତଙ୍କ ଅନେକ ଯୁବତୀଙ୍କ ସହ ସନ୍ଦେହାତ୍ମକ ସମ୍ପର୍କର ଚର୍ଚ୍ଚା ଶୁଣିବା ସତ୍ତ୍ଵେ।
ବର୍ତ୍ତମାନ ଏହି ଭାରତୀୟ କ୍ରିକେଟର ଅଭିନୟକୁ ନିଜ କ୍ୟାରିୟର ଭାବରେ ବାଛି ନେଇଛନ୍ତି ଓ ତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସି ଏକ ବିଗବଜେଟ୍ ସିନେମା ନିର୍ମାଣ କରିବେ ନିର୍ଦ୍ଦେଶକ ପି.ବାଲଚନ୍ଦ୍ର କୁମାର। ଏହା ମଧ୍ୟ ନିର୍ଦ୍ୱନ୍ଦ୍ୱରେ କହିହେବ ଯେ, ଉକ୍ତ ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତା ନିଶ୍ଚିତ ରୂପେ ହାସଲ କରିବ। ଏପରି ଦୃଢୋକ୍ତି ଏଥିପାଇଁ କରିହେଉଛି ଯେ, ୟା ଆଗରୁ ଡର୍ଟି ପିକ୍ଚର, ଡି କମ୍ପାନୀ, ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ, ମିଷ୍ଟର ନଟବରଲାଲ୍, ବ୍ୟାଣ୍ଡିଟ୍ କୁଇନ୍ ଆଦି ସିନେମାଗୁଡିକ ଆଶାତୀତ ସଫଳତା ହାସଲ କରିଛନ୍ତି।
ଆମ ସମାଜରେ ଯୁବଗୋଷ୍ଠୀ ଓ କିଶୋରବର୍ଗର ମନୋଭାବ ବହୁଳାଂଶରେ ସିନେମା ଦ୍ୱାରା ପ୍ରଭାବିତ। ଆମ ରହିବା, ଖାଇବା, ପିନ୍ଧିବା, ତଥା କଥା କହିବାର ଶୈଳୀରେ ମଧ୍ୟ ସିନେମାର ଛାପ ବେଶ୍ ବାରିହୋଇ ପଡେ। ଆଜି ସିନେମା ଷ୍ଟାଇଲରେ ହତ୍ୟା, ଅପହରଣ ଓ ଲୁଣ୍ଠନ ବଢିବାରେ ଲାଗିଛି। କାରଣ ଯୁବଗୋଷ୍ଟୀଙ୍କୁ ଏହି ସିନେମାଗୁଡିକ ମାଧ୍ୟମରେ ଦେଖାଯାଉଥିବା ଏହି କୁଖ୍ୟାତ ମାଫିଆମାନଙ୍କର ବେଫିକର ଓ ବିଳାସପୂର୍ଣ୍ଣ ଜୀବନ ଖୁବ୍ ଅନୁପ୍ରାଣିତ କରେ।
ଏହି ମାଫିଆମାନେ କିପରି ରୁହନ୍ତି, କିପରି ନିଜ ସାମ୍ରାଜ୍ୟ ଚଳାନ୍ତି ସେସବୁ ଜାଣିବା ପାଇଁ ଏମାନେ ଖୁବ୍ ଉତ୍ସୁକତା ଦେଖାନ୍ତି। ଏହାକୁ ନିଜ ସ୍ୱାର୍ଥହାସଲର ପୁଞ୍ଜି କରି ଲାଭ ଉଠାନ୍ତି ସିନେମା ନିର୍ମାତାମାନେ। କାହାକୁ କୁହନ୍ତୁ ତ ଲାଲାବାହାଦୁର୍, ବିବେକାନନ୍ଦ, ମଦରଟେରେସା, ଅବଦୁଲ୍ କଲାମ୍ ବା ନେତାଜୀ ସୁଭାଷଙ୍କ ପରି ମହାନ୍ ବ୍ୟକ୍ତିତ୍ୱଙ୍କ ଉପରେ ଗୋଟିଏ ବିଗବଜେଟର ସିନେମା ନିର୍ମାଣ କରିବା ପାଇଁ। ସଙ୍ଗେ ସଙ୍ଗେ ଉତ୍ତର ମିଳିବ ‘ନା ନା। ଏ ସିନେମାରେ ସବୁ ପଇସା ବୁଡିଯିବ କେହି ଦେଖିବାକୁ ଅସିବେ ନାହିଁ।
ପରିବେଶ କଳୁଷିତ ହେବା ସହ ଲୋକଙ୍କ ମାନସିକତାରେ ଆସିଛି ଏକ ବିରାଟ ପରିବର୍ତ୍ତନ। ସତ୍ୟବାଦିତା, ନୈତିକତା, ସମୟାନୁବର୍ତ୍ତିତା ଆଦି ସ୍ୱର୍ଗୀୟ ଗୁଣଗୁଡିକର ସ୍ଥାନ ନେଉଛି ସ୍ୱେଚ୍ଛାଚାରିତା, ମିଥ୍ୟାବାଦିତା ଓ ନିର୍ଲଜ୍ଜତା। ଆଜି କଥା କଥାକେ ଆମେ ହୋଇପଡୁଛୁ ହିଂସ୍ର। ନିଜର ଏହି କୁତ୍ସିତ ମନୋଭାବ ର ପ୍ରତିଫଳନ ଦେଖାଉଛୁ ନିରୀହ ସରଳ ବ୍ୟକ୍ତିଟି ଉପରେ କିମ୍ବା ଗାଡିମୋଟର ଅଦି ଭଙ୍ଗାରୁଜା ଓ ଜଳାପୋଡା କରି। ଉପରୋକ୍ତ ମାଫିଆମାନଙ୍କର ଅଳସ ଜୀବନ ଓ ସହଜ ଉପାର୍ଜନ (ଲେଜି ଲାଇଫ୍, ଇଜି ମନି) ଆମ ସୂକ୍ଷ୍ମ ଚେତନାକୁ କରିଛି ଖୁବ୍ ଆନେ୍ଦାଳିତ।
ଯୁବତୀ ଯୁବକ ନିର୍ବିଶେଷରେ ଆମେ ସମସ୍ତେ ରାତାରାତି ଧନି ହୋଇଯିବାର ଲୋଭରେ ନୈତିକତାକୁ ସମ୍ପୂର୍ଣ୍ଣ ରୂପେ ଜଳାଞ୍ଜଳି ଦେଇଛୁ। ଗୋଟିଏ ଫୋନ୍ କଲ୍ କରି ଧମକ ଦେଇ କିମ୍ବା ଗୋଟିଏ ରାତି କୈାଣସି ଧନୀ ଯୈାନପିପାସୁର ଯୌନକ୍ଷୁଧା ମେଣ୍ଟାଇ ଯଦି ହଜାରହଜାର ଟଙ୍କା ରୋଜଗାର କରି ହେଉଛ, ତେବେ ମାନସିକ ଅବା ଶାରୀରିକ ପରିଶ୍ରମର ଆବଶ୍ୟକତା ବା କେଉଁଠି? ଗୋଟିଏ କିଶୋରକୁ ତା’ ଜୀବନର ଲକ୍ଷ୍ୟ କ’ଣ ବୋଲି ପଚାରିବାରୁ ସେ ଉତ୍ତର ଦେଲା – ମୁଁ କ ’ଣ କରିବି ତା’ତ ଏପର୍ଯ୍ୟନ୍ତ ସ୍ଥିର କରିନାହିଁ। ତେବେ ଯାହାବି କରେ, ବହୁତ ପଇସା ରୋଜଗାର କରିବି ଓ ଲାଇଫକୁ ଉପଭୋଗ କରିବି।
ଆଜି ଯୁବଗୋଷ୍ଠୀ ଯେଉଁ ପ୍ରକାରର ଏନଜୟମେଣ୍ଟ ଜୀବନରେ ଚାହୁଛନ୍ତି ତାହା ଖୁବ୍ ବଡବଡ ହୋଟଲରେ ଖାଇବା, ଦାମୀ ଗାଡି, ଦାମୀ ମୋବାଇଲ୍, ବ୍ରାଣ୍ଡେଡ ପୋଷାକପତ୍ର, ବେଶ୍ ବିଳାସପୂର୍ଣ୍ଣ ଘର ଓ ବିଦେଶଯାତ୍ରା ମାଧ୍ୟମରେ ମିଳେ। ମାତ୍ର ପ୍ରକୃତ ସତ୍ୟ ହେଉଛି, ଜୀବନକୁ ଉପଭୋଗ କରିବାର ଏକମାତ୍ର ଉପାୟ ମାନସିକ ଶାନ୍ତି ଓ ଶାରୀରିକ ସୁସ୍ଥତା ମଧ୍ୟରେ ଥାଏ ନିହିତ, ଯାହା ଉପରୋକ୍ତ ବିଳାସପୂର୍ଣ୍ଣ ଜୀବନଶୈଳୀ ଆମକୁ ଦେବା ଅସମ୍ଭବ।
ସମାଜର ଏହି ଅଧଃପତନ ପାଇଁ ଯଥାସମ୍ଭବ ସମସ୍ତେ ଉଦଯୋଗ ନ କଲେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମେ ରହିବା ଉତ୍ତରଦାୟୀ। ସେଦିନ ଦୂର ନୁହେଁ, ଯେବେ ପିଲାଙ୍କୁ ତାଙ୍କ ଜୀବନର ଆଦର୍ଶ କିଏ ବୋଲି ପରାରିଲେ ସେମାନେ ଏହି ମାଫିଆମାନଙ୍କ ନାମ କହିବେ। ବିନାଶ କାଳେ ବିପରୀତ ବୁଦ୍ଧି ପରି ଯୁବଗୋଷ୍ଠୀ ଲେଜି ଲାଇଫ୍ ଓ ଇଜି ମନିର ମୋହଜାଲରେ ଛନ୍ଦି ହୋଇ ଶେଷରେ ନିଜର ଓ ସମାଜର ବିନାଶର କାରଣ ହେବେ – ଏହା ନିଶ୍ଚିତ।
(ସୌଜନ୍ୟ – ଭିନ୍ନ ମଣିଷ)














