ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍ବ ବଜାରରେ ନିଆଁ ଲାଗିଛି। ରେଶମ ସହର ବ୍ରହ୍ମପୁରରେ ଆମ୍ବ ଦର ଆକାଶ ଛୁଆଁ ହୋଇଥିବାରୁ ସାବିତ୍ରୀ ବ୍ରତକାରୀମାନେ ଚିନ୍ତାରେ ପଡ଼ିଛନ୍ତି।

ସାବିତ୍ରୀ ବ୍ରତ ପାଳନ କରିବାକୁ ଆଉ ମାତ୍ର କେଇ ଘଣ୍ଟା ସମୟ ଥିବା ବେଳେ ବ୍ରହ୍ମପୁରରେ ଆମ୍ବ ଦର ଆକାଶ ଛୁଆଁ ହୋଇଛି। ଏବର୍ଷ ଆମ୍ବ ବଜାରରେ ନିଆଁ ଲାଗି ଥିବାରୁ ମଙ୍ଗଳବାର ଦିନ ସାବିତ୍ରୀ ବ୍ରତକାରୀଙ୍କ ଥାଳିରେ ପୂର୍ବ ବର୍ଷ ଅପେକ୍ଷା କମ ଆମ୍ବ ଦେଖିବାକୁ ମିଳିବ। ଦରବୃଦ୍ଧି ଯୋଗୁଁ ଫଳର ରାଜା ଦେହରେ ହାତ ମାରିବା ସାଧାରଣ ଖାଉଟିଙ୍କ ପକ୍ଷରେ ଆଉ ସମ୍ଭବ ହେଉନାହିଁ।

ରେଶମ ସହର ବ୍ରହ୍ମପୁର ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଫଳ ମାର୍କେଟ। କିନ୍ତୁ ଆମ୍ବ ସମେତ ଅନ୍ୟ ଫଳର ଚଢ଼ା ଦାମ ଯୋଗୁଁ ବ୍ୟବସାୟୀମାନେ ମାଲ ଉଠାଇବା ପାଇଁ ଭୟ କରୁଛନ୍ତି। ବ୍ୟବସାୟୀଙ୍କ ମତରେ ବାହାରୁ କମ ପରିମାଣରେ ଆମ୍ବ ଆସୁଥିବାରୁ ଏହିଭଳି ଅସ୍ୱାଭାବିକ ଦର ବୃଦ୍ଧି ଘଟିଛି।

ବ୍ରହ୍ମପୁର ନିଳକଣ୍ଠେଶ୍ୱର ମନ୍ଦିର ପାଖରେ ଥିବା ହୋଲସେଲ ମାର୍କେଟକୁ ମୁଖ୍ୟତଃ ଶ୍ରୀକାକୁଲମ, ବିଜୟନଗରମ, ଏଲୁରୁ, ନେଲୋର ଓ ବିଜୟାୱାଡା ପ୍ରଭୃତି ଅଞ୍ଚଳରୁ ଆମ୍ବ ଆମଦାନୀ ହୋଇଥାଏ। ଏପ୍ରିଲ ଓ ମେ ମାସରେ ଆନ୍ଧ୍ର ପ୍ରଦେଶରୁ ଆମ୍ବ ଆସୁଥିବା ବେଳେ ଜୁନ୍ ମାସ ବେଳକୁ କାର୍ଣ୍ଣାଟକରୁ ବ୍ୟବସାୟୀମାନେ ଆମ୍ବ ଆଣିଥାନ୍ତି।

ଦକ୍ଷିଣରୁ ଆସୁଥିବା ଆମ୍ବକୁ ବ୍ରହ୍ମପୁର ସହରର ବ୍ୟବସାୟୀମାନେ ପଶ୍ଚିମବଙ୍ଗକୁ ମଧ୍ୟ ପଠାଇଥାନ୍ତି। ହେଲେ ଏବର୍ଷ ଯଥେଷ୍ଟ ଆମ୍ବ ନ ଆସିବା କାରଣରୁ ବ୍ୟବସାୟ ପୂରା ମାନ୍ଦା ପଡ଼ିଯିବା କଥା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ। ବ୍ରହ୍ମପୁରରେ ଆମ୍ବ କେଜି ଖୁଚୁରା ବଜାରରେ ଏବର୍ଷ ୭୦ରୁ ୮୦ ଟଙ୍କା ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ଖୁବ ଅଧିକ।

ବ୍ରହ୍ମପୁରର ଜଣେ ହୋଲସେଲ ବ୍ୟବସାୟୀ ସୁଶାନ୍ତ ସାହୁ କୁହନ୍ତି,”ବ୍ରହ୍ମପୁରକୁ ସାଧାରଣତଃ ଦୈନିକ ୨୦୦ ଟ୍ରକ ଆମ୍ବ ଆସିଥାଏ। କିନ୍ତୁ ଦର ବୃଦ୍ଧି ଯୋଗୁଁ ଏବର୍ଷ ମାତ୍ର ୫୦ ଟ୍ରକ ଆମ୍ବ ଆସୁଛି। ତା ଛଡ଼ା ଅନ୍ୟ ବର୍ଷ ମାନଙ୍କରେ ୧୨/୧୪ ପ୍ରକାର ଆମ୍ବ ଆସୁଥିବା ବେଳେ ଏ ବର୍ଷ ମାତ୍ର ୫/୬ ପ୍ରକାର ଆମ୍ବ ଆସିଛି। ଏବେ କେଜି ପିଛା ୪୦-୫୦ ଟଙ୍କାରେ ବିକ୍ରି ହେଉଛି।”

ଆଉ ଜଣେ ବ୍ୟବସାୟୀ ମଦନ ରାଉତଙ୍କ କହିବା କଥା ଯେ ଏ ବର୍ଷ କୁଆପଥର ମାଡ଼ ଯୋଗୁଁ ଆମ୍ବ ବଉଳ ନଷ୍ଟ ହୋଇଯାଇଥିବାରୁ ଆନ୍ଧ୍ରରୁ ଯଥେଷ୍ଟ ଆମ୍ବ ଆସୁନାହିଁ। ସେ କହନ୍ତି,”ମାସ ଶେଷ ବେଳକୁ ଅବସ୍ଥା ସୁଧୁରିପାରେ ଓ କିଛି ଅଧିକ ଆମ୍ବ ଆମଦାନୀ ହୋଇପାରେ।”

ସାଧାରଣତଃ ଏପ୍ରିଲରୁ ଜୁଲାଇ ଏହି ୪ ମାସ ଆମ୍ବ ବିକ୍ରିର ସମୟ। ସାବିତ୍ରୀଠାରୁ ରଜ ଯାଏଁ ଆମ୍ବ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାଏ। ଏଣୁ ଆଶା କରାଯାଉଛି ରଜ ବେଳକୁ ଆମ୍ବ ଦର କିଛି ପରିମାଣରେ ତଳକୁ ଖସିବ ଓ ଗ୍ରାହକମାନେ ଏହାର ମଜା ନେଇପାରିବେ।

Comment