ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ ଯୋଗୁଁ ୬୫ଜଣଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।
ଉତ୍ତର ଭାରତରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ହେବା ସହ ୬୫ଜଣ ପ୍ରାଣ ହରାଇଛନ୍ତି। କାଳବୈଶାଖୀର ବିଶେଷ ପ୍ରଭାବ ଉତ୍ତର ପ୍ରଦେଶରେ ହୋଇଛି। ଏଠାରେ ୩୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ୯ଜଣ ଏବଂ ଦିଲ୍ଲୀରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଝଡ଼ ତୋଫାନ ଯୋଗୁଁ ୨୦୦ରୁ ଉର୍ଦ୍ଧ୍ଵ ଆହତ।
ରବିବାର ଦିନ ସନ୍ଧ୍ୟାରେ ଝଡ଼ ତୋଫାନ ଆସି ଉତ୍ତର ପ୍ରଦେଶର କାଶଗଞ୍ଚ, କେନୌଜ,ଆଲିଗଡ଼, ଗାଜିଆବାଦ, ନୋଏଡ଼ା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ କାଳବୈଶାଖି ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି।
କାଳବୈଶାଖୀର ତାଣ୍ଡବରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ଟୁଇଟ୍ ଜରିଆରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ଓଡ଼ିଶାରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗତକାଲି ରାତିରେ ସମ୍ବଲପୁରରେ ଝଡ଼ତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯିବା ଫଳତରେ ବିଦ୍ୟୁତ ସରାବରାହ ଠପ୍ ହୋଇଯାଇଛି।
ସେହିପରି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଗୋଜାବନ୍ଧ, ରଡ଼ିଆ ଗାଁରେ ସେପଟେ, ବ୍ରଜପାତରେ ୧୩ ବଖରା ଘର ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ପବନ ସହ ଘଡ଼ଘଡ଼ି ବର୍ଷା ହୋଇଥିଲା। ବ୍ରଜପାତରେ ପ୍ରଭାବରେ ମଙ୍ଗଳପୁର ପଞ୍ଚାୟତର ଗୋଜାବନ୍ଧ ଗାଁରେ ୮ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ରଡ଼ିଆ ଗାଁରେ ବ୍ରଜପାତରେ କଳ୍ପନା ଜେନାଙ୍କର ୫ ବଖରା ଘର ପୋଡ଼ି ଯାଇଛି।
ସୋମବାର ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ କାଳବୈଶାଖୀର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।














