ଛନ୍ଦା ମିଶ୍ର

ପ୍ରେମ ପ୍ରାପ୍ତିର ନୁହେଁ, ତ୍ୟାଗର ଅଭିବ୍ୟକ୍ତି। ପ୍ରେମ ମନୁଷ୍ୟକୁ ଅପରାଧୀ ନୁହେଁ, ଦେବତାର ମର୍ଯ୍ୟାଦା ଦେଇଥାଏ।

କେହି ପ୍ରେମକୁ ସ୍ୱର୍ଗର ପାରିଜାତ ପୁଷ୍ପ ସହିତ ତୁଳନା କରିଥିଲା ବେଳେ ଆଉ କେହି ପ୍ରେମକୁ ମହାକାଳ ଫଳ ଓ ପାପର ଅନ୍ୟନାମ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ପ୍ରେମ ପରିସ୍ଥିତି ଓ ସ୍ଥଳବିଶେଷରେ ନିଜକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ରୂପେ ପରିପ୍ରକାଶ କରିଛି। ସେ ମାନିନାହିଁ ଜାତିଗୋତ୍ରର ରକ୍ଷଣଶୀଳତାକୁ ଅବା ଦେଖିନାହିଁ ବୟସର  ତାରତମ୍ୟ, ଚାହିଁ ନାହିଁ ରୂପରଙ୍ଗ, ଜାଣିନାହିଁ ଧନୀ ଗରିବର ଭେଦଭାବ। କୁହାଯାଏ ପ୍ରେମ ଦୁର୍ବଳ ମୁହୂର୍ତ୍ତର ଏକ  ସୂକ୍ଷ୍ମ ଅନୁଭବ, ଯାହା ଚାରିଚକ୍ଷୁର ମିଳନରୁ ଆରମ୍ଭ ହୋଇ କ୍ରମେ ହୃଦୟ, ମନ ଓ ମସ୍ତିଷ୍କକୁ  କରିଥାଏ କବଳିତ।

ବର୍ଷକ ବାରମାସ ଓ ଛଅଟି ଋତୁ ହୋଇଥିଲା ବେଳେ ପ୍ରେମଋତୁର କୈାଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। କେହି ତାକୁ କୋଇଲିର କୁହୁତାନ ଓ ବଉଳର ବାସ୍ନା ମଧ୍ୟରେ ପାଇଥିଲା ବେଳେ କେହି ଶ୍ରାବଣର ଝରଝର ବରଷାରେ ଅନୁଭବିଥାଏ ତ ଆଉ କେହି ପ୍ରଚଣ୍ଡ ଗ୍ରୀଷ୍ମଋତୁରେ ପ୍ରେମର ସ୍ପର୍ଶ ପାଇ ହୋଇଥାଏ ଆନମନା। ଯୁଗେଯୁଗେ ପ୍ରେମର ମହାନ୍ କାହାଣୀଗୁଡିକୁ ନେଇ ଜନମାନସ ହୋଇଛି ପୁଲକିତ।

ରାଧା-କୃଷ୍ଣ, ସଲିମ୍-ଅନାରକଲି, ରୋମିଓ-ଜୁଲିଏଟ୍, ପୃଥ୍ୱୀରାଜ-ସଂଯୁକ୍ତା ଓ କେଦାର-ଗୌରୀ କାହାଣୀ କାଳେକାଳେ ପ୍ରେମିକଙ୍କୁ କରିଛି ଉଦ୍‌ବେଳିତ। ପ୍ରେମକୁ ଶାଶ୍ୱତ, ଚିରନ୍ତନ ଓ ପବିତ୍ର କୁହାଯାଇଥିଲେ ମଧ୍ୟ ଏହାକୁ ନେଇ ହିଂସା ଓ  ରକ୍ତପାତର  ମଧ୍ୟ ଉଦାହରଣ କିଛି କମ୍ ନାହିଁ ଆମ ପୁରାଣ, ସାହିତ୍ୟ ଓ ଇତିହାସର ।

ପୂର୍ବେ ପ୍ରେମକୁ ତ୍ୟାଗର ଅନ୍ୟନାମ ରୂପେ ଅଭିହିତ କରାଯାଉଥିଲା। ପ୍ରେମିକା ବା ପ୍ରେମିକ ଜଣେ ଅନ୍ୟ ଜଣକ ପାଇଁ ତ୍ୟାଗ କରୁଥିଲା ସ୍ୱଇଚ୍ଛାରେ ନିଜର ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ସ୍ୱାର୍ଥ। ଅନେକ କ୍ଷେତ୍ରରେ ନିଜ ପ୍ରେମର ପରକାଷ୍ଠା ଦେଖାଇବାକୁ ଯାଇ ପ୍ରେମୀ ନିଜ ଜୀବନ ଦେବାର ଦୃଷ୍ଟାନ୍ତ ମଧ୍ୟ ଅନେକ ରହିଛି। ହେଲେ ବର୍ତ୍ତମାନର ଏ ଛଳନାପୂର୍ଣ୍ଣ ଓ ପାର୍ଥିବ ପରିବେଶରେ ଯେଉଁଠି ସବୁକିଛି ପ୍ରଦୂଷିତ, ସେଠି ପ୍ରେମ ପରି ଈଶ୍ୱରୀୟ ଅନୁଭବ ମଧ୍ୟ  ହୋଇଉଠିଛି କଳୁଷିତ।

କୁହାଯାଏ ଏ ସୃଷ୍ଟି ପ୍ରେମରୁ ଆରମ୍ଭ ଓ ପ୍ରେମରେ ହିଁ ଶେଷ ବୋଲି। ହେଲେ ଏହି ପ୍ରେମର ସଂଜ୍ଞା ଓ ସ୍ୱରୂପରେ ଆସିଛି ତୀବ୍ର ପରିବର୍ତ୍ତନ। ଅଳ୍ପ କିଛିଦିନ ତଳେ ଏକ ମଜାକଥାରେ ପଢିଥିଲି, ପ୍ରେମ କରାଯାଏ ନା ହୋଇଯାଏ? ଉତ୍ତର – ଯଦି ସୁନ୍ଦର ଓ ଷ୍ଟାଇଲିସ୍ ଝିଅଟିଏ ସ୍କୁଟିରେ ଯାଉଛି, ତେବେ ପ୍ରେମ ହୋଇଯାଏ, ମାତ୍ର ଯଦି ଅସୁନ୍ଦରୀ ଝିଅଟିଏ ମର୍ସିଡିଜରେ ବସି ଯାଉଛି, ତେବେ ପ୍ରେମ କରାଯାଏ। ଏଠାରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟିଏକୁ ବ୍ୟଙ୍ଗାତ୍ମକ ଶୈଳୀରେ ପରିବେଷଣ କରାଯାଇଛି।

ଦର୍ଶାଯାଇଛି ଯେ, ପ୍ରେମର ମୂଳ କାରଣଟି ନିଜ ସ୍ୱାର୍ଥ ହାସଲରେ ନିହିତ ରହିଛି। ଦେଖିବାକୁ ହେଉଛି ଝିଅଟି ସୁନ୍ଦର କି ନୁହେଁ। ଜାଣିବାକୁ ହେଉଛି ତା’ ବାପାଙ୍କର ବ୍ୟାଙ୍କ ବାଲାନ୍ସ କେତେ? ସେହିପରି ଝିଅମାନେ ମଧ୍ୟ ଦେଖୁଛନ୍ତି, ଆମ ପ୍ରେମିକଟି ଆମକୁ କେତେ ଦାମୀ ଉପହାର ଦେଇପାରିବ, ଆମକୁ ନେଇ ସିସିଡିରେ (କାଫେ କଫି ଡେ) ବସିବାର କ୍ଷମତା, ତା’ ପକେଟରେ ପ‌ଇସା ଅଛି ବା ନାହିଁ।

ଅଳ୍ପ କିଛି ଦିନ ଆଗରୁ ଏକ ଚେନ୍ ଲୁଟ୍ ଘଟଣାରୁ ତିନୋଟି ଯୁବକ ଧରାପଡିଥିଲେ କମିସନରେଟ୍ ପୋଲିସ୍ ହାତରେ। ସେଥିରୁ ଜଣେ ଯୁବକ ଯିଏ କି ଜଣେ ଇଞ୍ଜିନିୟରିଂ ଛାତ୍ର, ସେ ନିଜ ପ୍ରେମିକା ନାମରେ ତିନି ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଚଖିଛି ବୋଲି ବୟାନ ଦେଇଥିଲା।

ସେହିପରି ମଞ୍ଚେଶ୍ୱର ହତ୍ୟାକାଣ୍ଡରେ ହତ୍ୟାକାରୀଟି ମୃତ ମହିଳାଙ୍କ ବେକରୁ ସୁନାହାରଟି ନେଇ ପ୍ରେମିକାକୁ ପ୍ରଲୋଭିତ କରିବା ପାଇଁ  କରିଥିଲା ନିଷ୍ପଳ ପ୍ରଚେଷ୍ଟା। କାରଣ ଆଜିର ଏ ପ୍ରଚଳିତ ଧାରା ଆମ ମନରେ ବିଶ୍ୱାସ ସୃଷ୍ଟି କରିଛି ଯେ, ଯାହା ପକେଟ୍ ଯେତେ ଗରମ ସେ ସେତେ ବେଶି ଭଲ ପ୍ରେମିକ।

ବର୍ତ୍ତମାନ ଅଧିକାଂଶ କ୍ଷେତ୍ରରେ ପ୍ରେମ ନାମରେ କେବଳ ଦୈହିକ ଆକର୍ଷଣକୁ ମିଳୁଛି ପ୍ରାଧାନ୍ୟ। ଯେଉଁଥିପାଇଁ ଆଜିର ସଭ୍ୟ ସମାଜ ପାର୍କ ଓ ସପିଙ୍ଗ୍ ମଲ୍ ଆଦି ମଧ୍ୟରେ ଅତ୍ୟନ୍ତ ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଛି। ପ୍ରେମୀଯୁଗଳ, ସମାଜ ପ୍ରତି ଏକ ବେପରୁଆ ମନୋଭାବ ପୋଷଣ କରିବା ସହିତ ନିଜ ଶାଳୀନତା ଟିକକ ମଧ୍ୟ ଭୁଲିଯାଉଛନ୍ତି। ଏହି ଦୈହିକ ଆବଶ୍ୟକତା ପୂରଣ ପାଇଁ ପ୍ରେମିକ କଳେ, ବଳେ ଓ କୌଶଳେ ଚେଷ୍ଟା କରିଚାଲିଛି। ଯଦି ତାହା ପୂରଣ ହୋଇଗଲା, ତେବେ ପ୍ରେମିକାକୁ ଛାଡି ସେ ଦୂରେଇଯାଉଛି, ଆଉ ଯଦି ତାହା ପୂରଣ ହୋଇ ନ ପାରିଲା, ତେବେ ସେ ନିଜ ପ୍ରେମିକାକୁ ହତ୍ୟାକରି ନେଉଛି ପ୍ରତିଶୋଧ।

ଆଗେ ପ୍ରେମକୁ ସ୍ୱୀକୃତି ପ୍ରଦାନ କରୁଥିଲା ବିବାହ। ଏବେ ସେ ସବୁର କୌଣସି ଆବଶ୍ୟକତା ନାହିଁ। କିଛିଦିନ ତା’ ସହିତ ରହିଲା ପରେ ଭଲ ଲାଗିଲେ ତା ସହିତ ବିବାହ। ନଚେତ୍ ତାକୁ ଛାଡି ଆଉ କାହା ସହିତ ରହିହେବ। ଏଠି କୌଣସି ବାଧ୍ୟବାଧକତାର ପ୍ରଶ୍ନ ଉଠୁନାହିଁ। ପୋଷାକ ବଦଳାଇବା ପରି ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ବଦଳାଇବା ଏକ ଫ୍ୟାସନ ପାଲଟିଗଲାଣି।

ପୁଣି ବେଳେବେଳେ ପ୍ରେମ ହୁଏ ଏକତରଫା। ଯଦି ଅନ୍ୟଜଣକ ମଧ୍ୟ ଏହି ପ୍ରେମରେ ନିଜର ସମ୍ମତି ପ୍ରଦାନ ନ କରେ, ତେବେ ପ୍ରେମିକା ଉପରେ ଏସିଡ ଫିଙ୍ଗି ବା ଜୀବନରୁ ମାଗିଦେବାକୁ ଅବା ନିଜେ ଆତ୍ମହତ୍ୟା କରିବାକୁ ପ୍ରେମିକଟି ଆଗଭର ହୋଇଯାଇଛି।

ଆଜି ସମାଜରେ ଘଟୁଥିବା ଅପରାଧଗୁଡିକ ମଧ୍ୟରେ ପ୍ରେମକୁ ନେଇ ଓ ପ୍ରେମ ପାଇଁ ଘଟୁଥିବା ଅପରାଧର ସଂଜ୍ଞା ବଢିବାରେ ଲାଗିଛି। ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ ଅନୁଯାୟୀ, ଭାରତରେ ପ୍ରେମ ଓ ପ୍ରତାରଣାକୁ ନେଇ ୨୦୧୨ ମସିହାରେ ସଂଘଟିତ ହୋଇଛି ମାତ୍ର ୨୫୪୯ଟି ଅପରାଧ। ଏହି ରେକର୍ଡ କହୁଛି, ରେକର୍ଡରେ ନ ଥିବା ଅପରାଧର ସଂଖ୍ୟା ଆହୁରି ଅଧିକ। ଏହି ଅପରାଧଗୁଡିକ ବ୍ୟକ୍ତିଗତ ଆକ୍ରୋଶ ଓ ପ୍ରତିଶୋଧଜନିତ ହତ୍ୟାକାଣ୍ଡ ବୋଲି ଦର୍ଶାଯାଇଥିଲେ ମଧ୍ୟ ଅନେକଥିରେ ପ୍ରେମ ଓ ପରକୀୟା ପ୍ରୀତି ହିଁ  ପରଦା ପଛରେ ମୁଖ୍ୟ କାରଣ  ବୋଲି ଜଣାପଡିଛି ।

ଏଠାରେ ଛୋଟ କାହାଣୀଟିଏ ମନେପଡେ – କୌଣସି ଏକ ଗ୍ରାମରେ ରହୁଥାଏ ଜଣେ ବ୍ୟକ୍ତି। କେଉଁ ଏକ କାର୍ଯ୍ୟ ପାଇଁ ତା’ ପାଖକୁ ଅସିଲା ରାଜନଅରରୁ ଡକରା। ହେଲେ ସୈନ୍ୟମାନଙ୍କ ନାଲିଆଖିକୁ ନ ଡରି ସେ ନିଜର ନାସ୍ତିବାଣୀ ଶୁଣାଇଦେଲା। ରାଜା କାରଣଟି ଶୁଣି ହେଲେ ଆଶ୍ଚର୍ଯ୍ୟ। କାରଣଟି ଥିଲା – ବ୍ୟକ୍ତିଟିର ପ୍ରେମିକା। ସେ ନିଜ ପ୍ରେମିକାକୁ ଛାଡି ରହିପାରିବେ ନାହିଁ ବୋଲି କହିଲେ। ଅଗତ୍ୟା ରାଜା ସେହି ବ୍ୟକ୍ତି ଓ ତା’ ପ୍ରେମିକାକୁ ଦେଖି ହେଲେ ହତାଶ।

ଝିଅଟି ଦେଖିବାକୁ ଅତ୍ୟନ୍ତ ସାଧାରଣ ଥିଲା। ରାଜାଙ୍କ ଆଦେଶରେ ପ୍ରେମିକାଟିକୁ ଅତ୍ୟନ୍ତ ମୂଲ୍ୟବାନ୍ ଓ ସୁନ୍ଦର ପୋଷାକ ଏବଂ ଗହଣାଗଣ୍ଠି ଦେଇ ସଜ୍ଜିତ କରାଗଲା। ତା’ ପରେ ମଧ୍ୟ ରାଜା ତାକୁ ଦେଖି – ଏହାଠାରେ ଏପରି କଣ ଅଛି ଯେ ବ୍ୟକ୍ତିଟି ୟାକୁ ପ୍ରେମ କରୁଛି ବୋଲି ପଚାରିଲେ। ବିଚକ୍ଷଣ ମନ୍ତ୍ରୀ କହିଲେ – ‘ମହାରାଜ, ଆପଣ ସାଧାରଣ ଚକ୍ଷୁରେ ନୁହେଁ ବରଂ ଜଣେ ପ୍ରେମିକର ଚକ୍ଷୁରେ ଦେଖିଲେ ହିଁ ସୁନ୍ଦରତାକୁ ଉପଲବ୍ଧି କରିପାରିବେ। ଏହି ପ୍ରେମିକାଟି ପାଇଁ ତ ବ୍ୟକ୍ତିଟି ଆପଣଙ୍କ ଆଦେଶକୁ ଅବଜ୍ଞା କରିଦେଇଥିଲା’।

ପ୍ରକୃତରେ ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବ ମଧ୍ୟରେ ପ୍ରେମର ଉପସ୍ଥିତି ହିଁ ଜୀବନଧାରଣର ମାଧ୍ୟମ। ଏଇ ପ୍ରେମ ଟିକକ ପାଇଁ ତ ଜଙ୍ଗଲୀ ବାଘ ମଧ୍ୟ ଆସି ନନ୍ଦନକାନନରେ ଧରାପଡୁଛି। ପ୍ରେମ ପ୍ରାପ୍ତିର ନୁହେଁ, ତ୍ୟାଗର ଅଭିବ୍ୟକ୍ତି। ପ୍ରେମ ମନୁଷ୍ୟକୁ ଅପରାଧୀ ନୁହେଁ, ଦେବତାର ମର୍ଯ୍ୟାଦା ଦେଇଥାଏ। ପ୍ରେମ ଏହିଭଳି, ସୁନ୍ଦର ହୋଇରହିଥାଉ।

(ସୌଜନ୍ୟ – ଭିନ୍ନ ମଣିଷ)

Comment