ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକରେ ତୁଟୁନି ସରକାର ଗଠନର ଅଡ଼ୁଆ। ସରକାର ଗଠନ ପାଇଁ କଂଗ୍ରେସ-ଜେଡିଏସ୍-ବିଜେପି ଭିତରେ ଲାଗିଛି ଛକାପଞ୍ଝା।

୨୦୧୯ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିଲା ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ସେମି ଫାଇନାଲ। ସେଥିପାଇଁ କଂଗ୍ରେସ ଏବଂ ବିଜେପିର ହେଭିେଓ୍ବଟ୍ ନେତା କର୍ଣ୍ଣାଟକ କବ୍‌ଜା କରିବାକୁ ଚାହୁଁଥିଲେ। ହେଲେ କର୍ଣ୍ଣାଟକବାସୀ ସରକାର ଗଠନ ପାଇଁ କେଉଁ ଦଳକୁ ସ୍ପଷ୍ଟ ବହୁମତ ଦେଇ ନାହାନ୍ତି। କର୍ଣ୍ଣାଟକରେ କିଏ ସରକାର ଗଢ଼ିବ ତାହା ଏବେ ସସ୍‌ପେନ୍ସରେ ରହିଛି।

କର୍ଣ୍ଣାଟକରେ ବିଜେପି ୧୦୪ଟି ଆସନ ପାଇଥିବା ବେଳେ ବିଜେପି ପାଇଛି ୭୮। ଜେଡିଏସ୍‌ ୩୭ଟି ଆସନ ପାଇଛି। ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୧୧୨ ହୋଇଥିବାରୁ ଏହି ସଂଖ୍ୟା କୌଣସି ଦଳ ପାଖରେ ନାହିଁ। ଜେଡିଏସ୍‌ ସହିତ କଂଗ୍ରେସ ମେଣ୍ଟ ଘୋଷଣା କରିଥିବାରୁ କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ ହେବ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ଜେଡିଏସ୍‌ ନେତା କୁମାର ସ୍ୱାମୀ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି। ହେଲେ ବୁଧବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

କଂଗ୍ରେସର ୪ ଜଣ ବିଧାୟକ ଅଚାନକ ଗାଏବ ହୋଇଯାଇଥିବାରୁ ସରକାର କିଏ ଗଠନ କରିବ ତାକୁ ନେଇ ଭାଳେଣି ପଡ଼ିଛି। ଏପଟେ ବିଜେପି ନେତା ବିଏସ୍‌ ୟେଦୁରପ୍ପା ମଧ୍ୟ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ଦାବି କରିଛନ୍ତି। ନିର୍ବାଚନରେ ବିଜେପି ଅଧିକ ସିଟ୍ ପାଇଥିବାରୁ ରାଜ୍ୟପାଳ ବିଜେପିକୁ ସରକାର ଗଠନ କରିବାକୁ ଡାକନ୍ତୁ ବୋଲି ୟେଦୁରପ୍ପା ପ୍ରସ୍ତାବ ଦେଇଛନ୍ତି। ରାଜ୍ୟପାଳ ବାଜୁଭାଇ ବାଲା କାହାକୁ ସରକାର ଗଠନ ପାଇଁ ଡାକୁଛନ୍ତି ତା’ ଉପରେ ନଜର ସମସ୍ତଙ୍କର ରହିଛି।

ସରକାର ଗଠନ ପାଇଁ ଜେଡି(ଏସ୍) ବିଧାୟକମାନେ ରାଜଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଦଳର ସମସ୍ତ ବିଧାୟକ ରାଜଭବନ ଆଗରେ ପରେଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। କଂଗ୍ରେସ ମଧ୍ୟ ରାଜଭବନ ଯିବାକୁ ସଜବାଜ ହେଉଛି। ହେଲେ ୪ ଜଣ ବିଧାୟକ ଅନୁପସ୍ଥିତ ଥିବାରୁ କଂଗ୍ରେସ ଚିନ୍ତାରେ ପଡ଼ିଛି।

ସରକାର ଗଠନର ଅଙ୍କ ଚିଣ୍ଡୁ ନଥିବା ବେଳେ ୟେଦୁରପ୍ପା ଆଜି ପୁଣି ଦୃଢ଼ୋକ୍ତି ଦେଖାଇ ରାଜନୀତି କରିଡ଼ରକୁ ହଲଚଲ କରିଛନ୍ତି। ୟେଦୁରପ୍ପା କହିଛନ୍ତି ଯେ ତାଙ୍କ ପାଖରେ ଯଥେଷ୍ଟ ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୟେଦୁରପ୍ପାଙ୍କ ଏହି ମନ୍ତବ୍ୟ ଏବେ କଂଗ୍ରେସ ଏବଂ ଜେଡିଏସ୍ ଶିବିରରେ କମ୍ପନ ସୃଷ୍ଟି କରିଛି।

କଂଗ୍ରେସ-ବିଜେପି-ଜେଡିଏସ୍‌ ଭିତରେ ସରକାର ଗଠନକୁ ନେଇ ଯେଉଁ ରାଜନୀତିକ ଛକାପଞ୍ଝା ଲାଗି ରହିଛି ତାହାକୁ ରାଜ୍ୟପାଳ କିପରି ସମାଧାନ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment