ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପାଣିଟାଙ୍କି ସଫା ବେଳେ ଅଘଟଣ
  • ପାଣି ସୁଅରେ ପାଇପ ଭିତରେ ଫଶିଗଲେ ପ୍ରାଣକୃଷ୍ଣ
  • ୩ ଘଣ୍ଟା ଧରି ଚାଲିଛି ଉଦ୍ଧାର କାର୍ଯ୍ୟ
  • ପାଇପ ଭିତରକୁ ଅମ୍ଲଜାନ, ଗ୍ଲୁକୋଜ ପଠାଗଲା

କଟକ ତୁଳସୀପୁର ଅଞ୍ଚଳରେ ଗୁରୁବାର ବଡ଼ ଧରଣର ଅଘଟଣ ଘଟିଛି। କଟକ ମହାନଗର ନିଗମର ପମ୍ପ ହାଉସ ସଫା କରିବା ବେଳେ ଜଣେ ଶ୍ରମିକ କଂକ୍ରିଟ ପାଇପ ଭିତରେ ଫଶି ଯାଇଛନ୍ତି। ଫଶିଯାଇଥିବା ଶ୍ରମିକ ଜଣକ ତୁଳସୀପୁର ଅଞ୍ଚଳର ପ୍ରାଣକୃଷ୍ଣ ମୁଦୁଲି। ତାଙ୍କ ବୟସ ହେଉଛି ୫୩ ବର୍ଷ।

ପାଇପ ଭିତରକୁ ପଶି ଯାଇଥିବାରୁ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପାଇପ ଭିତରକୁ ଅମ୍ଲଜାନ ଏବଂ ଗ୍ଲୁକୋଜ ପଠାଯାଇଛି।

ଗୁରୁବାର ଦିନ ୧ଟା ବେଳକୁ ପମ୍ପ ହାଉସ ସଫା କରୁଥିଲେ ପ୍ରାଣକୃଷ୍ଣ। ମଟର ସୁଇଚ ବନ୍ଦ କରି ପ୍ରାଣକୃଷ୍ଣ ପାଣିଟାଙ୍କି ଭିତରେ ପ୍ରବେଶ କରିଥିଲେ। ହେଲେ ଏତିକି ବେଳେ ଆଉ ଜଣେ କର୍ମଚାରୀ ସୁଇଚ୍ ଅନ୍ କରିଦେବାରୁ ପ୍ରାଣକୃଷ୍ଣ ୨୫ ଫୁଟ ପାଇପ୍ ଭିତରକୁ ପଶି ଯାଇଥିଲେ। ପାଣି ସୁଅରେ ସେ ପାଇପ ଭିତରକୁ ଚାଲିଯାଇଥିବା କୁହାଯାଉଛି। ଖବରପାଇ ଓଡ୍ରାଫ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଏବଂ ସିଏମ୍‌ସି କମିଶନର ବିକାଶ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ପ୍ରାଣକୃଷ୍ଣଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେଥିପାଇଁ ଚେଷ୍ଟା କରାଯାଉଛି। ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିବା ପାଇଁ ୩ ଘଣ୍ଟା ଧରି ଉଦ୍ୟମ ଜାରି ରହିଛି।

Comment