ଛନ୍ଦା ମିଶ୍ର

ସଂସାର ମଧ୍ୟରେ ସାଧୁସଙ୍ଗ ପାଇବା ଅତ୍ୟନ୍ତ କଠିନ ବ୍ୟାପାର। ଜୀବନରେ ସଚ୍ଚା ସାଥୀଟିଏ ରହିବା ଏକାନ୍ତ ଆବଶ୍ୟକ।

ସାନ ଥିଲାବେଳେ ସାଙ୍ଗମାନେ ମିଶି ଖେଳ ଖେଳୁଥିଲୁ। ‘ବିଷ-ଅମୃତ’। ଏହି ଖେଳରେ ଯେଉଁ ପିଲାଟି ଚୋର ହେଉଥିଲା ସେ ଗୋଡେଇଗୋଡେଇ ଯାହାକୁ ଛୁଇଁ ‘ବିଷ’ ଦେଲି କହି ଦେଉଥିଲା ତାକୁ ବସିବାକୁ ହେଉଥିଲା, ଅନ୍ୟ ଜଣେ ‘ଅମୃତ’ କହି ଛୁଇଁ ନ ଦେଲା ପର୍ଯ୍ୟନ୍ତ।

ଥରେ ‘ଅମୃତ’ କହି ଛୁଇଁଦେଲେ ସେ ଉଠିପଡି ଦୌଡୁଥିଲା। ଏହି ଖେଳଟିକୁ କିଏ, କେବେ ଓ କେଉଁଠି ଉଦ୍ଭାବନ କରିଥିଲେ ଜଣାନାହିଁ। କିନ୍ତୁ ଏହି ସାମାନ୍ୟ ଲାଗୁଥିବା ଖେଳଟିରେ ଏକ ମହାନ୍ ବାର୍ତ୍ତା ସମାଜ ପାଇଁ ଲୁଚି ରହିଛି। ଯିଏ ଚୋର ବା ଯାହାର ପ୍ରକୃତି କଦର୍ଯ୍ୟ ତା’ସଂସ୍ପର୍ଶରେ ଆସିଲେ ଜଣେ ‘ବିଷମୟ’ ପାଲଟି ଯାଉଥିଲାବେଳେ ଅନ୍ୟ ଜଣେ ଭଲ ସଂସର୍ଗରୁ ‘ଅମୃତମୟ’ପାଲଟି ଯାଉଛି ।

ଆମ ମନଟି ହେଉଛି ଖୁବ୍ ଚଳଚଞ୍ଚଳ। ହରଗୌରା ଗଛଟିଏ ରଙ୍ଗପାଣିରେ ବୁଡାଇଲେ ଡାଙ୍ଗଟି ପାଣି ସହିତ ରଙ୍ଗକୁ ଶୋଷିଲା ପରି ଆମେମାନେ ଆମ ଅଜାଣତରେ ଆମ ସାଙ୍ଗମାନଙ୍କର ଭଲ ଅବା ଖରାପ ଗୁଣଗୁଡିକ ଆହରଣ କରିନେଉ। ଧୀରେ ଧୀରେ ସେ ଗୁଣଗୁଡିକ ଆମ ଅଭ୍ୟାସରେ ପଡିଯାଏ, ଯାହା କବଳରୁ ନିଜକୁ ମୁକୁଳାଇବା ଅସମ୍ଭବ ମନେହୁଏ। ଅନୁକରଣପ୍ରିୟ ମନଟି ଅନୁକରଣ କରୁକରୁ କେତେବେଳେ ଦୁଇପାଦ ଆଗେଇ ଗଲାଣି, ତାହା ଜାଣିପାରେ ନାହିଁ। ସାଙ୍ଗଟି କ’ଣ  ଖାଏ, କିପରି କଥା କହେ, କେଉଁ ବ୍ରାଣ୍ଡର ପୋଷାକ ପିନ୍ଧେ, ଏସବୁ ଦେଖି ଆମେ ମଧ୍ୟ ସେହିପରି କରିବା ପାଇଁ ଇଚ୍ଛାକରୁ। ଅନେକସ୍ଥଳରେ ଏହା ମଧ୍ୟ ଦେଖାଯାଇଛି ଯେ, ପିଲାଟି ଯେଉଁ ସାଙ୍ଗମାନଙ୍କ ସହିତ ମିଶୁଛି, ପରୀକ୍ଷାରେ ତା’ ନମ୍ବର ମଧ୍ୟ ସେହି ପିଲାମାନଙ୍କ ପାଖାପାଖି ହିଁ  ରହେ।

ସେହିପରି ଯେ କୌଣସି ନିଶା ସେବନକାରୀକୁ ପଚାରନ୍ତୁ, ତାହା ପାନ, ବିଡି, ସିଗାରେଟ୍ ପରି ଛୋଟ ନିଶା ହେଉ ଅବା ହେଉ ମଦ୍ୟପାନ କିମ୍ବା ଡ୍ରଗ୍ସ ସେବନ, ପ୍ରତ୍ୟେକେ କହିବେ – “ଆମେ ପ୍ରଥମରୁ ଏସବୁ କରି ନ ଥିଲୁ, ସାଙ୍ଗଙ୍କ ସହିତ ମିଶି ଆଜି ଏହି ନିଶା କବଳରେ ପଡିଯାଇଛୁ।”

ଆଜି ଯେଉଁଠି ଚୋରି, ଡକାୟତି, ହତ୍ୟା, ବଳତ୍କାର ପରି ଅପରାଧଟିଏ ସଂଘଟିତ ହେଉଛି, ସେଠି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମାନ ମାନସିକତାର ତିନି-ଚାରି ଜଣ ବ୍ୟକ୍ତି ଏକତ୍ର ଉକ୍ତ କୁକାର୍ଯ୍ୟଟିକୁ ସଂପାଦନ କରିଥାନ୍ତି ମନୁଷ୍ୟ ଗୋଟିଏ ସାମାଜିକ ପ୍ରାଣୀ। ସମାଜରେ ରହି ସୁଖ ଓ ଶାନ୍ତିରେ ଜୀବନ ବ୍ୟତୀତ କରିବା ପାଇଁ ସାଙ୍ଗସାଥୀ ଆମର ଏକାନ୍ତ ଆବଶ୍ୟକ। ହେଲେ ଆଜି ଯେଉଁମାନଙ୍କୁ ଆମେ ବନ୍ଧୁ ବୋଲି ମନେକରୁ, ଆମ ଅନୁପସ୍ଥିତିରେ ସେମାନେ ଆମ କୁତ୍ସାରଟନା କରନ୍ତି।

ଆମ ଦୁଃଖ ସମୟରେ ସମବେଦନା ଜଣାଇବାକୁ ଆସି ଭିତରେ ଭିତରେ ଆତ୍ମସନ୍ତୋଷ ଲାଭ କରୁଥିଲା ବେଳେ ଆମ ସୁଖ ସମୟରେ ଭାରି ଈର୍ଷାଳୁ ହୋଇପଡନ୍ତି। ଆମ ପାଖରେ କାମ ପଡିଲେ ଅଯଥା ଗୁଡିଏ ପ୍ରଶଂସା କରି ଚିକ୍କଣ କଥା କହି ନିଜର କରିନିଅନ୍ତି ଓ କାମ ସରିଗଲେ ତୁ କିଏ ନା ମୁଁ କିଏ। ଆଉ କେତେକ ଆଲୋକ ଦେଖି ପତଙ୍ଗ ଭିଡ ଜମାଇଲା ପରି ଧନ, ସମ୍ପଦ ବା କ୍ଷମତା ଦେଖି କେବଳ ଫାଇଦା ଉଠାଇବା ଆଶାରେ ପଡି ରହନ୍ତି ଓ ଧନସମ୍ପଦ ସରିଗଲା ପରେ ଏପରି ଅଭିନୟ କରନ୍ତି, ସତେ ଯେପରି ଆମକୁ ଚିହ୍ନନ୍ତି ନାହିଁ। ତେବେ ଉତ୍ତମ ବନ୍ଧୁଟିଏ ପାଇବା ଅତ୍ୟନ୍ତ ଭାଗ୍ୟର ବିଷୟ।

ଜୀବନର ସମସ୍ୟା ଓ ଦୁଃଖ ଯନ୍ତ୍ରଣା  ମଧ୍ୟରେ ଘାଣ୍ଟି ହେଉଥିବା ମନକୁ ସେ ଦିଏ ସାନ୍ତ୍ୱନା ଓ ଦିଗଦର୍ଶନ। ଆମ ପାଇଁ ତା ମନରେ ଥିବା ସ୍ନେହ-ଶ୍ରଦ୍ଧା ଆମକୁ  ଏତେ ପ୍ରଭାବିତ କରେ ଯେ ଆମେ ନିଜ ମା’ ପେଟର ଭାଇଠାରୁ ତାକୁ ଅଧିକ ମଣୁ। ଆମ ସୁଖ ସମୟରେ ସେ ଆମ ପାଖରେ ଥାଉ ବା ନଥାଉ, ମାତ୍ର ଆମ ଦୁଃଖ ସମୟରେ ତା’ରି କାନ୍ଧରେ ମୁଣ୍ଡରଖି ଲୁହ ଝରାଇ ଆମେ ଦୁଃଖ ଲାଘବ କରୁ। ତେଣୁ ଅନେକ ଖରାପ ସାଙ୍ଗଙ୍କ ସହ ରହିବା ଅପେକ୍ଷା, ଜଣେ ମାତ୍ର ଭଲ ବନ୍ଧୁ ସମଗ୍ର ଜୀବନ ପାଇଁ ଯଥେଷ୍ଟ।

ଏହି ପ୍ରସଙ୍ଗରେ ସୁନ୍ଦର କାହାଣୀଟିଏ ମନେପଡୁଛି। ଗୋଟିଏ ଗ୍ରାମରେ ବିଧବା ବୁଢ଼ୀଟିଏ ନିଜର ଏକମାତ୍ର ପୁତ୍ର ସହ ବାସ କରୁଥାଏ। ଏହି ଏକୋଇର ବଳା ବିଶିକେଶନକୁ ସଂସାରର ସମସ୍ତ ସୁଖ ଓ ସୁବିଧା ଯୋଗାଇବା ପାଇଁ ବୁଢୀଟିଥାଏ ସଦା ତତ୍ପର। ହେଲେ ମା’ର ଏହି ମମତାର ଲାଭ ଉଠାଇ ପୁଅ ଦିନକୁ ଦିନ ବିପଥରେ ଯିବାକୁ ଲାଗିଲା। କୁସଙ୍ଗରେ ପଡି ଛୋଟ ମୋଟ ଚୋରି କରୁକରୁ ବଡ ଚୋରି କରିବାରେ ସେ ହେଲା ସିଦ୍ଧହସ୍ତ। ତେବେ ତାକୁ ଧରାଇ ଦେଲେ ବିପୁଳ ପୁରସ୍କାରର ଘୋଷଣା ଶୁଣି ପିଲାଟି ଲୁଚି ବୁଲିଲା। ଏକଦା ଏକ ଗ୍ରାମରେ କିଛିଦିନ ଆତ୍ମଗୋପନ କରିବା ଅବସରରେ ରାଜାଙ୍କ ସିପାହୀମାନେ ତାକୁ ଖୋଜୁଛନ୍ତି ଜାଣି ଗ୍ରାମର ମନ୍ଦିର ପାଖରେ ଥିବା କୁଡିଆରେ ତରତର ହୋଇ ପଶିଗଲା।

ଗ୍ରାମରେ ରାମଚରିତ ମାନସ ଚାଲିଥିଲାବେଳେ ଜଣେ ସାଧୁ ନିଜର କିଛି ଶିଷ୍ୟଙ୍କ ସହିତ ସେଠାରେ ଡେରା ପକାଇଥିଲେ। ସିପାହୀମାନେ ଆସି କବାଟ ବାଡେଇବାରୁ, ଜଣେ ଶିଷ୍ୟଙ୍କ ଗୈରିକ ପୋଷାକ ପିନ୍ଧି ଚୋରଟି ବାହାରକୁ ବାହାରି ଆସିଲା। ଇତ୍ୟବସରରେ ଯୁବକଟି ମୁହଁରେ ବଢି ଯାଇଥିବା ଦାଢି ତା’ ବ୍ୟକ୍ତିତ୍ୱର ଗାମ୍ଭୀର୍ଯ୍ୟକୁ ବଢାଉଥିଲା। ତାକୁ ଅନ୍ୟ ଶିଷ୍ୟମାନଙ୍କ ସହ ଦେଖି ସିପାହୀମାନେ ପ୍ରଣାମ କରି ନିଜ ବାଟରେ ଚାଲିଗଲେ। ଯୁବକଟି ଭାବିଲା, ଯଦି କେବଳ ଏମାନଙ୍କ ସହିତ କିଛିକ୍ଷଣ ରହିଯିବାରୁ ଏହି ସମ୍ମାନ ମିଳୁଛି, ତେବେ ଏମାନଙ୍କ ଭଳି ସ୍ୱଭାବ ହୋଇଗଲେ ପୁଣି ନ ହେବ କ’ଣ? ତା’ ଚେତନାରେ ଆସିଲା ବିରାଟ ପରିବର୍ତ୍ତନ। ସାଧୁ ସବୁ ଜାଣିପାରି ତାକୁ ନିଜ ପାଖରେ ଆଶ୍ରୟ ଦେଇ ଧନ୍ୟ କଲେ। ସମସ୍ତ ପ୍ରକାରର କୁକାର୍ଯ୍ୟରୁ ସେ ହେଲା ନିବୃତ।

ହେଲେ ସଂସାର ମଧ୍ୟରେ ଏପରି ସାଧୁସଙ୍ଗ ପାଇବା ଅତ୍ୟନ୍ତ କଠିନ ବ୍ୟାପାର। କିନ୍ତୁ ଜୀବନରେ ସଚ୍ଚା ସାଥୀଟିଏ ରହିବା ଏକାନ୍ତ ଆବଶ୍ୟକ। ତେବେ ଆମେ କାହା ସହିତ ବନ୍ଧୁତ୍ୱ ସ୍ଥାପନ କରିବା, ତାହା ନିର୍ଣ୍ଣୟ କରିବାର ସମ୍ପୂର୍ଣ୍ଣ ଅଧିକାର ଆମର ଚହିଛି। କେତେଜଣଙ୍କ ପାଖରେ ନକାରାତ୍ମକ ମାନସିକତା ଥିଲାବେଳେ, କେତେକଙ୍କ ପାଖରେ ଥାଏ ସକାରାତ୍ମକ ମାନସିକତା, କିଏ ଗୁଡିଏ ଦୁର୍ଗୁଣର ସହଚର ହୋଇଥିଲା ବେଳେ କେହି ଅନେକ ସୁଗୁଣର ଅଧିକାରୀ ହୋଇଥାନ୍ତି। ଏସବୁକୁ ତର୍ଜମା କରି ଆମେ ସିଦ୍ଧାନ୍ତ ନେବା, କାହାସହ ବନ୍ଧୁତା କରିବା ଓ କାହାକୁ ଦେଖି ବାଟ କାଟିବା। କାରଣ -‘ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚେଁ ଘଟିବ ସର୍ବନାଶ’।

(ସୌଜନ୍ୟ – ଭିନ୍ନ ମଣିଷ)

Comment