ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓ ଦମନରେ ଓଡ଼ିଶା ପୋଲିସର ସଫଳତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାଓ ଦମନରେ ଓଡ଼ିଶା ପୋଲିସର ଉଲ୍ଳେଖନୀୟ ସଫଳତା। ଏଥିରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟରେ ଆୟୋଜିତ ଉଚ୍ଚ ସ୍ତରୀୟ ବୈଠକରେ ଓଡ଼ିଶା ପୋଲିସର ମାଓ ଦମନ ରଣନୀତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ବଲାଙ୍ଗିର ଏବଂ କନ୍ଧମାଳ ଜିଲ୍ଲା ପୋଲିସ ବାହିନୀ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମାଓ ଦମନ ଅପରେସନରେ ସାମିଲ ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

କିଛିଦିନ ତଳେ କନ୍ଧମାଳ ଏବଂ ବଲାଙ୍ଗିର ଜିଲ୍ଲାରେ ୪୮ ଘଣ୍ଟାରେ ୭ ଜଣ ମାଓବାଦୀଙ୍କୁ ନିହତ କରିଥିଲେ ପୋଲିସ ବାହିନୀ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପୋଲିସ ବାହିନୀର ମନୋବାଳକୁ ଆହୁରି ଦୃଢ଼ କରିବ। ମାଓ ଦମନକୁ ଜୋରଦାର କରାଯିବ।”

ସଚିବାଳୟରେ ଅନୁଷ୍ଠିତ ବୈଠକରେ ମାଓ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଗୁଇନ୍ଦା ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Comment