ଛନ୍ଦା ମିଶ୍ର

ନିଜ ପାଇଁ ସମସ୍ତେ ବଞ୍ଚନ୍ତି। ଅନ୍ୟର ସୁଖରେ ସୁଖୀ ଓ ଅନ୍ୟର ଦୁଃଖରେ ଦୁଃଖୀ କେବଳ ସେହି ବ୍ୟକ୍ତି ହୋଇପାରେ, ଯାହାର ହୃଦୟରେ ସ୍ୱୟଂ ଭଗବାନ ବିରାଜମାନ।
ଇଂଲିଶ୍ ମାଧ୍ୟମ ବିଦ୍ୟାଳୟରେ ପଢୁଥିବା ଝିଅପୁଅଙ୍କ ପାଇଁ ଓଡିଆରେ ଗଳ୍ପ ବହି ଖୋଜିଲା ବେଳେ ମୁଁ ଭାରି ଅସୁବିଧାର ସମ୍ମୁଖୀନ ହୁଏ। ଗଳ୍ପଗୁଡିକ ଛୋଟ ଓ କଥିତ ସରଳ ଭାଷାରେ ହୋଇଥିବା ସହିତ ପାଠକର ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ଆବଶ୍ୟକ। ମାର୍କେଟ ବିଲ୍ଡିଂର ଗ୍ରନ୍ଥାଳୟରେ ପହଞ୍ଚି ଏପରି ବହିଟିଏ ଖୋଜୁଥିବା ବେଳେ ଗ୍ରନ୍ଥାଳୟର ପରିଚାଳକ ମୋ ହାତକୁ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ‘ମାଟିର ମଣିଷ’ ପୁସ୍ତକଟିକୁ ବଢାଇଦେଲେ।
ମୁଁ ବହିଟି ବିଷୟରେ ଯଦିଓ ଶୁଣିଥିଲି ମାତ୍ର ଦୁର୍ଭାଗ୍ୟବଶତଃ କେବେ ପଢିବାର ସୁଯୋଗ ପାଇ ନ ଥିଲି। ଘରକୁ ଫେରି ବହିଟି ଆରମ୍ଭ କଲା ପରେ କିପରି ଆମୂଳଚୂଳ ପଢି ଶେଷ କରିବି ମୋର ଧୈର୍ଯ୍ୟ ରହିଲା ନାହିଁ। ସତରେ ପରିବାରର ପ୍ରତ୍ୟେକ ବ୍ୟକ୍ତି ପୁସ୍ତକଟିକୁ ପଢିବା ଉଚିତ୍।
ଆଜି ସମାଜରେ ଭରି ରହିଥିବା ହିଂସା, ଦ୍ୱୋଷ, କ୍ରୋଧ ଓ ଅହଂକାର ଆଦି ଆମ ଜୀବନକୁ ତିଳତିଳ କରି ନଷ୍ଟ କରୁଛି। ଏତେ ଗର୍ବ ଓ ଅଭିମାନ କ’ଣ ପାଇଁ ଓ କେତେଦିନ ପାଇଁ ?
ମୁଁ ରହିଥିବା ବିଜେବି ନଗରରେ ଅନେକ ଉଚ୍ଚପଦସ୍ଥ କର୍ମଚାରୀ ଅବସର ଗ୍ରହଣକରି ନିଜର ସୁଦୃଶ୍ୟ ଅଟ୍ଟାଳିକାଗୁଡିକରେ ରହୁଛନ୍ତି। ପ୍ରାୟ ପ୍ରତ୍ୟେକଙ୍କର ସନ୍ତାନମାନେ ଉଚ୍ଚଉଚ୍ଚ ପଦପଦବୀରେ ରହି ଓଡ଼ିଶା କିମ୍ବା ଭାରତ ବାହାରେ ଅବସ୍ଥାପିତ। ଏହି ବୟସ୍କ ବ୍ୟକ୍ତିମାନେ ଜୀବନବ୍ୟାପୀ ଉଚ୍ଚ ପଦବୀରେ ଅହଂକାର ମଧ୍ୟରେ ରହି ନିଜ ବନ୍ଧୁବାନ୍ଧବ ଓ ସାଇପଡିଶାଙ୍କ ସହିତ ସମ୍ପର୍କ ରକ୍ଷା କରିପାରି ନ ଥିବାରୁ ବର୍ତ୍ତମାନ ନିଃସଙ୍ଗ ଜୀବନଯାପନ ପାଇଁ ଏକରକମ ବାଧ୍ୟ ହେଉଛନ୍ତି କହିଲେ ଚଳେ।
ଆପଣ ସେମାନଙ୍କୁ ଭେଟିଲେ ବୁଝିପାରିବେ ଏବେ ମଧ୍ୟ ସେମାନଙ୍କର ମନରୁ ସେହି ଉଚ୍ଚପଦବୀରେ ଅହଂକାର ଦୂର ହୋଇନାହିଁ। ଏବେ ମଧ୍ୟ ସେମାନେ ‘ମୁଁ ଜଣେ ଅବସରପ୍ରାପ୍ତ ଅମୁକ’ କହି ଆତ୍ମସନ୍ତୋଷ ଲାଭ କରନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ବାହାର ଜିଲାର ବାସିନ୍ଦା ହୋଇଥିଲେ ମଧ୍ୟ ରାଜଧାନୀର ମୋହ ସେମାନଙ୍କୁ ନିଜ ଭିଟାମାଟିଠାରୁ ଦୂରେଇ ରଖିଛି। କାରଣ ପଚାରିଲେ ଉତ୍ତର ମିଳେ – ପ୍ରଥମତଃ ରାଜଧାନୀରେ ସମସ୍ତ ପ୍ରକାରର ସୁଖସୁବିଧା ଉପଲବ୍ଧ ଓ ଦ୍ଵିତୀୟରେ ପିଲାମାନେ କୁହନ୍ତି-ଆମେ ଯେଉଁଭଳି ଚାକିରି କରିଛୁ ଆମ ପାଖରେ ବେଶି ସମୟ ନାହିଁ। ତେଣୁ ଭୁବନେଶ୍ୱରରେ ରହିଲେ ଆମେ ତୁମମାନଙ୍କର ସମୟ ଅସମୟରେ ଫ୍ଲାଇଟରେ ଯାଇ ପହଂଚିପାରିବୁ।”
ଭାବନ୍ତୁ ତ ସମୟ ଅସମୟରେ ପିଲାମାନେ ପାଖକୁ ସୁବିଧାରେ ଆସିପାରିବେ ବୋଲି ଭାବି ବୟସ୍କ ଲୋକମାନେ ମାସମାସ ଧରି କିପରି ଏକୁଟିଆ କାଳାତିପାତ କରୁଥିବେ। ଯେଉଁ ବ୍ୟକ୍ତି ଯୌବନ ଦୁଇଚାରିଟା ପିଅନର ସାହାଯ୍ୟରେ ଜୀବନ ବିତାଇଲା ଏବେ ଶାରୀରିକ ଭାବରେ ଦୁର୍ବଳ ହୋଇଗଲା ପରେ ଏକୁଟିଆ କେତେ ଅସୁବିଧା ଓ ଅସହାୟତାର ସମ୍ମୁଖୀନ ହେଉଥିବେ ସତେ। ଏମାନଙ୍କ ପାଖରେ ପଇସାର ଅଭାବ ନାହିଁ। ଅଭାବ ଅଛି ସ୍ନେହ ଓ ସହାନୁଭୂତିର।
ମୋର ଜଣେ ସମ୍ପର୍କୀୟ ବର୍ତ୍ତମାନ ଏଲଆଇସିରେ କିରାଣି ଭାବେ ଜଗତସିଂହପୁର ଶାଖାରେ କାର୍ଯ୍ୟରତ। ଦୁଇ ଦୁଇଥର ପ୍ରମୋସନ ପାଇ ସେ, ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପଚାରିଲାରୁ କହିଲେ – “ପ୍ରମୋସନ ନେଲେ ମୋତେ ଏଠାରୁ ପୁଣେ ପଠାଇଦେବେ। ପୁଅ ଛୋଟ ଅଛି, ତା’ ପାଇଁ ଭଲ ସ୍କୁଲଟିଏ ତ ପାଇବି। ମାତ୍ର ମୋ ବାପାଙ୍କୁ ଏ ଅବସ୍ଥାରେ ଛାଡି କୁଆଡେ ଯିବି”। ଏକଥା ପଦକରେ ମୋ ହୃଦୟ ଦ୍ରବୀଭୂତ ହୋଇଗଲା। ସତରେ କେଡେ ଧନ୍ୟ ସେ ମାତାପିତା ନିଜକୁ ମନେ କରୁଥିବେ ଏଭଳି ସନ୍ତାନଟିଏ ପାଇଁ ।
ପିଲାଟିଏ ଜନ୍ମହେଲା ପରେ ତା’ ମୁଣ୍ଡରେ ଡାକ୍ତର, ଇଞ୍ଜିନିୟର ବା ଆଇଏଏସର ସ୍ୱପ୍ନ ଆମେ ଅଭିଭାବକମାନେ ହିଁ ଭରିଦେଉଛୁ ଓ ପାଠପଢି ବଡ ଚାକିରି କରି ଦୂରକୁ ଚାଲିଗଲା ପରେ ଭାବୁଛୁ ଆମ ପୁଅ ପାଇଁ ଆମେ କେତେ ସ୍ୱାର୍ଥ ତ୍ୟାଗ ନ କଲୁ ସତେ, ମାତ୍ର ଏବେ ତା ପାଖରେ ଆମ ପାଇଁ ସମୟ ନାହିଁ। ଯେଉଁ ସମୟରେ ନାତୀନାତୁଣୀମାନଙ୍କ ସହିତ ଖେଳି, ସେମାନଙ୍କୁ ପୁରାଣ, ଭାଗବତର କାହାଣୀମାନ ଶୁଣାଇ, ବୋହୂ ପରଷା ଖାଇ ସମୟ ବିତାଇବା କଥା, ସେ ସମୟରେ ବୃଦ୍ଧବୃଦ୍ଧାମାନେ ପ୍ରାୟ କେବଳ ଟିଭି ସମ୍ମୁଖରେ ବସି ରହୁଛନ୍ତି। ଯେଉଁମାନେ ନିଜର ସମୟ, ଧ୍ୟାନ ବା ସମାଜସେବାରେ ବିତାଉଛନ୍ତି କିମ୍ବା ପ୍ରଥମରୁ ସାଇପଡିଶାଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଛନ୍ତି, ସେହିମାନେ ହିଁ ମାନସିକ ଶାନ୍ତିରେ କାଳାତିପାତ କରୁଛନ୍ତି।
ଏହାଛଡା ଏଠାରେ ଯେଉଁ ଯୁବଗୋଷ୍ଠୀ ନିଜର ପରିବାର ସହିତ ରହୁଛନ୍ତି ସେମାନେ ଅଣୁ ପରିବାରରେ ବିଶ୍ୱାସ ରଖନ୍ତି। ଗଧଭଳି ଖଟି ଗୁଡାଏ ରୋଜଗାର କରିବା ହିଁ ଏମାନଙ୍କର ଲକ୍ଷ୍ୟ। କାହାସହିତ ସମ୍ପର୍କ ରଖିଲେ ନିଜର ସମୟ ନଷ୍ଟ ତଥା ପିଲାର ପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ମନରେ ଧାରଣା ପୋଷଣ କରନ୍ତି।
ନିଜ କ୍ୟାରିୟର ତଥା ପିଲାଙ୍କ କ୍ୟାରିୟର ପାଇଁ ଆମେ ନିଜ ମା’-ବାପାଙ୍କୁ ଛାଡି ଆସିଲେ ଆଜି ଆମ ପିଲାମାନେ ଆମକୁ ଛାଡି ନିଜ କ୍ୟାରିୟର ବା ନ ଗଢିବେ କାହିଁକି? ରାଜଧାନୀରେ କାହାର କାହା ସହିତ ସମ୍ପର୍କ ନାହିଁ। ସମସ୍ତେ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ। ଅନ୍ୟର ଦରକାର ସମୟରେ ଆମେ ଠିଆ ହେଲେ ନାହିଁ, ଆମର ଦରକାର ବେଳେ ସେ ଆସିବ ବେଲି ଆଶା କରିବା କିଆଁ ।
‘ମାଟିର ମଣିଷ’ର ବରଜୁ ଚରିତ୍ର ଭଳି କେତେଜଣ ବା ନିଜକୁ ଏତେ ମହାନ୍ କରିପାରିବେ। ନିଜ ପରିବାର ତଥା ସମାଜ ପାଇଁ ନିଜର ସ୍ୱାର୍ଥ ତ୍ୟାଗ କରିପାରୁଥିବା ଏପରି ବ୍ୟକ୍ତି ଯଦିଓ ଅଛନ୍ତି ମାତ୍ର କୋଟିଏରେ ଗୋଟିଏ।
ଆମେ ସମସ୍ତେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଆଡକୁ ଆଗେଇ ଚାଲିଛେ। ଆମ ପରେ ଆମର ଏକ ସ୍ୱାର୍ଥପର ଭାବମୂର୍ତ୍ତି ପିଲାମାନଙ୍କ ଆଗରେ ସ୍ମୃତି ହିସାବରେ ଦେଇଯିବା ନା ପିଲାମାନେ ଆମକୁ ନିଜର ପ୍ରିୟତମ ବ୍ୟକ୍ତିତ୍ୱ ହିସାବରେ ମନେ ରଖିବେ ତାହା ନିର୍ଣ୍ଣୟ କରିବାର ପ୍ରକୃଷ୍ଟ ସମୟ ବର୍ତ୍ତମାନ ଆସି ପହଞ୍ଚିଛି।
ନିଜ ପାଇଁ ସମସ୍ତେ ବଞ୍ଚନ୍ତି। ଅନ୍ୟର ସୁଖରେ ସୁଖୀ ଓ ଅନ୍ୟର ଦୁଃଖରେ ଦୁଃଖୀ କେବଳ ସେହି ବ୍ୟକ୍ତି ହୋଇପାରେ, ଯାହାର ହୃଦୟରେ ସ୍ୱୟଂ ଭଗବାନ ବିରାଜମାନ। ଭଗବାନ କରନ୍ତୁ ପ୍ରତ୍ୟେକ ପରିବାରରେ ଗୋଟିଏ ବରଜୁ ଭଳି ବ୍ୟକ୍ତିର ଆବିର୍ଭାବ ହେଉ। ପୃଥିବୀ ମାତା ଏଭଳି ସନ୍ତାନ ପାଇ ନିଜକୁ ଧନ୍ୟ ମନେକରିବ।
(ସୌଜନ୍ୟ – ଭିନ୍ନ ମଣିଷ)














