ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷଣ ପୂର୍ବରୁ କଂଗ୍ରେସର ୨ଜଣ ବିଧାୟକ ଗୃହରେ ଅନୁପସ୍ଥିତ ଅଛନ୍ତି।

ବିଏସ୍ ୟେଦୁରପ୍ପାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଧାନସଭାରେ ଆଜି ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ୟେଦୁରପ୍ପା।

ଏହାପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି। କଂଗ୍ରେସର ମୋଟ ୭୮ଜଣ ବିଧାୟକଙ୍କ ମଧ୍ୟରୁ ଆଜି ୭୬ଜଣ ଗୃହରେ ଉପସ୍ଥିତ ଅଛନ୍ତି। ଆଉ ଦୁଇଜଣ ବିଧାୟକ ଗଲେ କୁଆଡ଼େ ସେନେଇ ଆରମ୍ଭ ହୋଇଛି ଖୋଳତାଡ଼।

ଶକ୍ତି ପରୀକ୍ଷଣ ପୂର୍ବରୁ ଆଜି ସକାଳୁ ବିଧାନସଭାରେ ନୂଆ ବିଧାୟକମାନେ ଶପଥ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ଏଚଡି କୁମାରସ୍ଵାମୀ ପ୍ରମୁଖ ନେତା ଗୃହରେ ପହଞ୍ଚି ଶପଥ ନେଇଛନ୍ତି।

ଏପର୍ଯ୍ୟନ୍ତ କଂଗ୍ରେସର ଦୁଇ ବିଧାୟକ ପ୍ରତାପ ଗୌଡା ପାଟିଲ ଓ ଆନନ୍ଦ ସିଂହ ଗୃହକୁ ଆସିନଥିବାବେଳେ ବିଜେପିର ମଧ୍ୟ ଜଣେ ବିଧାୟକ ସୋମଶେଖର ଗୃହରେ ଅନୁପସ୍ଥିତ ଅଛନ୍ତି।

ଏପଟେ କଂଗେସ ଅଭିଯୋଗ କରିଛି ଯେ, ଆମର ଦୁଇ ବିଧାୟକଙ୍କ ଅପହରଣ କରି ନିଆଯାଇଛି। ବେଙ୍ଗାଳୁରୁର ଏକ ହୋଟେଲରେ ଏହି ଦୁଇଜଣଙ୍କୁ ବନ୍ଧକ ରଖାଯାଇଛି।

କର୍ଣ୍ଣାଟକରେ ୧୦୪ ଆସନରେ ବିଜୟୀ ବିଜେପି ପାଇଁ ବହୁମତ ସାବ୍ୟସ୍ତ କରିବାକୁ ଆହୁରି ୭ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। କଂଗ୍ରେସ ପାଖରେ ୭୮ ଓ ଜେଡିଏସ ପାଖରେ ୩୭ ବିଧାୟକ ରହିଛନ୍ତି। ଏହାବ୍ୟତୀତ ୨ ସ୍ଵାଧୀନ ବିଧାୟକ ମଧ୍ୟ ରହିଛନ୍ତି।

ବିଧାନସଭା ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ବିଜେପିକୁ ୧୫ଦିନ ସମୟ ଦେଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ କମାଇ ଗୋଟିଏ ଦିନ କରି ଦେଇଛନ୍ତି।

Comment