ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭାର କାମଚଳା ବାଚସ୍ପତି ଭାବେ କେଜି ବୋପେୟା ହିଁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭୋଟ ସମୟରେ ଅଧ୍ୟକ୍ଷତା କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ବିଧାୟକଙ୍କୁ ଅଣଦେଖା କରି ଜଣେ କନିଷ୍ଠ ବିଧାୟକ କେଜି ବୋପେୟାଙ୍କୁ ଅସ୍ଥାୟୀ ବାଚସ୍ପତି କରିବା ନିଷ୍ପତି ବିରୋଧରେ କଂଗ୍ରେସ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସେହିପରି ରାଜ୍ୟପାଳଙ୍କ ଆଇନଗତ ଅଧିକାର ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ କହିଛନ୍ତି।

କର୍ଣ୍ଣାଟକ ବିଧାନସଭାର କାମଚଳା ବାଚସ୍ପତି ଭାବେ କେଜି ବୋପେୟାଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ଓ ଜେଡିଏସ ଉଠାଇଥିବା ବିବାଦର ଶୁଣାଣି ସୁପ୍ରମକୋର୍ଟରେ ସକାଳ ସାଢ଼େ ୧୦ଟା ସମୟରେ ଆରମ୍ଭ ହୋଇଥିଲା।

କୋର୍ଟ ନମ୍ବର ୬ରେ ଜଷ୍ଟିସ ଏ କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟର ତିନିଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। କଂଗ୍ରେସ-ଜେଡିଏସ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ କାମଚଳା ବାଚସ୍ପତି ନିଯୁକ୍ତି ସମୟରେ ପରମ୍ପରା ଉଲଂଘନ ହୋଇଥିବା ନେଇ ଯୁକ୍ତି ଉପସ୍ଥାପନ କରିଥିଲେ।

ଜଷ୍ଟିସ ସିକ୍ରି ସିବଲଙ୍କୁ ପ୍ରଶ୍ନ କରି କହିଥିଲେ ଯଦି କେଜି ବୋପେୟାଙ୍କୁ କେବଳ ସଦସ୍ୟମାନଙ୍କୁ ଶପଥ ପାଠ କରିବେ ତେବେ କିଏ ଫ୍ଲୋର ଟେଷ୍ଟ କରିବେ? ଏହାର ଉତ୍ତରରେ ଶିବଲ କହିଥିଲେ ଯେ ବିଧାନସଭାର ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ଫ୍ଲୋର ଟେଷ୍ଟ ପାଇଁ ସୁଯୋଗ ଦିଆଯାଉ। ଏ ନେଇ ଜଷ୍ଟିସ ସିକ୍ରି କହିଥିଲେ ଯେ ରାଜ୍ୟପାଳ କାହାକୁ କାମଚଳା ବାଚସ୍ପତି ନିଯୁକ୍ତି କରିବେ ସେ ନେଇ ତାଙ୍କୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ତେବେ ଆଇନରେ ସବୁଠାରୁ ବରିଷ୍ଠ ବିଧାୟକଙ୍କୁ କାମଚଳା ବାଚସ୍ପତି ନିଯୁକ୍ତି ଦେବାର କୌଣସି ଆଇନ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ସେହିପରି କର୍ଣ୍ଣାଟକ ବିଧାନସଭାର ଆସ୍ଥା ଭୋଟ୍‌ର ସଧା ପ୍ରସାରଣ ସମସ୍ତ ଆଞ୍ଚଳିକ ଚାନେଲରେ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ସୁପ୍ରିମକୋର୍ଟ ଶନିବାର ୪ଟା ସୁଦ୍ଧା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବହୁମତ ସାବ୍ୟସ୍ତ କାମଚଳା ଅଧ୍ୟକ୍ଷତାରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟପାଳ ବାଜୁଭାଇ ବାଲା କେଜି ବୋପେୟାଙ୍କୁ କାମଚଳା ଭାବେ ନିଯୁକ୍ତି ଦେଇଥିଲେ।

୫ଥରର ବିଧାୟକ କେଜି ବୋପେୟାଙ୍କୁ ଅସ୍ଥାୟୀ ବାଚସ୍ପତି କରିବା ପଛରେ ଫ୍ଲୋରଟେଷ୍ଟ ଜିତିବାକୁ ବିଜେପିର ଚକ୍ରାନ୍ତ ରହିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି। ୨୦୧୦ରେ ୟେଦୁରପ୍ପା ଖଣି ଦୁର୍ନୀତି ମାମଲାରେ ଅଭିଯୁକ୍ତ ହେବା ପରେ ତାଙ୍କ ବିରୋଧରେ ଉଠୁଥିବା ବିଦ୍ରୋହକୁ ଦମନ କରିବା ପାଇଁ ସେ ୧୧ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ଫଳରେ ୟେଦୁରପ୍ପା ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ସହାୟକ ହୋଇଥିଲା। ତେଣୁ ବୋପେୟାଙ୍କ ନିଯୁକ୍ତିକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ଯାଇଥିଲା କଂଗ୍ରେସ।

ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ କରିଥିଲେ।

Comment