ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ତାରିଖ ଦିନ କଟକ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ କଟକ ଗସ୍ତରେ ଆସୁଛନ୍ତି। ମୋଦି ଆସନ୍ତା ୨୬ତାରିଖରେ କଟକ ଗସ୍ତରେ ଆସିବେ ବୋଲି ପ୍ରଭାରୀଙ୍କ ଦ୍ଵାରା ବିଧିବଦ୍ଧ ଘୋଷଣା ହେବା ପରେ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି ଶିବିର।

“ବିଜେପି ପକ୍ଷରୁ ତଳ ବାଲିଯାତ୍ରା ପଡିଆରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି”, କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ ବିଜେପି ନେତା ସୁଦାନ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ତଳ ବାଲିଯାତ୍ରା ପଡିଆ ଆସି ଅନୁଧ୍ୟାନ କରିଯାଇଛନ୍ତି।

ମହାନଦୀକୁ ନେଇ ବିଜେଡି ରାଜ୍ୟରେ ଯେଭଳି ପ୍ରମୁଖ ପ୍ରସଙ୍ଗ କରି ଫାଇଦା ହାସଲ କରିବାକୁ ଯୋଜନା କରିଛି, ସେଥିରେ ଅଙ୍କୁଶ ଲଗାଇବା ସହିତ ବିଜେଡି ଚାଲକୁ ବିଫଳ କରିବା ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛି ବିଜେପି।

ସେପଟେ କେନ୍ଦ୍ରରେ ବିଜେପି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ।

Comment