ନୀଳାମ୍ବର ରଥ

Mango Frooty

ବଜାରରେ ମିଳୁଥିବା ଅନେକ ଜୁସ୍‌ ଶୁଦ୍ଧ ଫଳରସ ନୁହେଁ! ତେଣୁ ଏବେ ଓଡ଼ିଶା ପ୍ରସ୍ତୁତ ଏହା ବ୍ରାଣ୍ଡ ଗ୍ରାହକଙ୍କୁ ପିଓର ଜୁସ୍‌ର ସ୍ୱାଦ ଦେବାକୁ ଆଗେଇ ଆସିଛି

ରାଜ୍ୟରେ ଫଳବଜାରରେ ଯେମିତି ନିଆଁ ଲାଗିଯାଇଛି! ଫଳର ଅଭାବ ହେଲେ ବିପଦ, ବେଶୀ ଫଳ ଉତ୍ପାଦନ ହେଲେ ମଧ୍ୟ ବିପଦ। ବଜାରରେ ଫଳର ଅଭାବ ହେଲେ ଦରଦାମ ବଢ଼ି ମହଙ୍ଗା ମାଡ଼ ଖାଏ ଗ୍ରାହକ। ସେହିଭଳି କୌଣସି ସମୟରେ ବହୁତ ପରିମାଣରେ ଫଳ ଉତ୍ପାଦନ ହେଲେ ଚାଷୀ ଅଭାବୀ ବିକ୍ରିର ଶିକାର ହୁଏ। ବେଳେବେଳେ ଚାଷୀମାନେ ଫଳ ଅମଳ କରିବାକୁ ବି ସାହସ ନ କରି ଗଛରେ ତାହା ପଚିଯିବାକୁ ଛାଡ଼ିଦିଅନ୍ତି। ଏହି ସମସ୍ୟା ବିଭିନ୍ନ ରାଜ୍ୟରେ ରହିଛି। ହେଲେ ଓଡ଼ିଶାରେ ଏହି ସମସ୍ୟା ଅତ୍ୟନ୍ତ ଗୁରୁତର।

“ଆମେ ଅନେକ ସମୟରେ ଭାବୁ ଯେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ କୋଲ୍‌ଡ ଷ୍ଟୋରେଜ ତିଆରି ହେଲେ ଓଡ଼ିଶା ଚାଷୀ ବଞ୍ଚିଯିବ। ହେଲେ ଏହା ସତ ନୁହେଁ। ବିଶେଷକରି ରାଜ୍ୟର ଫଳଚାଷୀ ବା ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ ଚାଷୀ, ଉଦ୍ୟୋଗୀ, ବ୍ୟବସାୟୀ ଏବଂ ଗ୍ରାହକ – ଯଦି ଆମେ ସମସ୍ତଙ୍କ ସ୍ୱାର୍ଥ କଥା ବିଚାର କରୁ, ତେବେ ଆମକୁ ଫୁଡ ପ୍ରୋସେସିଂ ବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବାକୁ ହେବ”, ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଓଡ଼ିଶାର ଉଦୀୟମାନ କୃଷିଉଦ୍ୟୋଗୀ କର୍ଣ୍ଣେଲ ଅସିତ ମହାପାତ୍ର। ଆମେ ସାଧାରଣତଃ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କଥା ଆଲୋଚନା କରୁଥିବା ବେଳେ କର୍ଣ୍ଣେଲ ମହାପାତ୍ରଙ୍କ ଭଳି ନୂଆ ପିଢ଼ିର ଉଦ୍ୟୋଗୀମାନେ ତା’ଠାରୁ ଦିପାଦ ଆଗକୁ ଚିନ୍ତା କରୁଛନ୍ତି।

Mangos in Odisha“ଆପଣ ଆମ୍ବଚାଷକୁ ଉଦାହରଣ ଭାବେ ନିଅନ୍ତୁ। ଆନ୍ଧ୍ରପ୍ରଦେଶ ବା ଉତ୍ତର ପ୍ରଦେଶ ସହ ତୁଳନା କଲେ ଓଡ଼ିଶାର ଆମ୍ବ କୌଣସି ଗୁଣରେ କମ୍‌ ନୁହେଁ। ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୫୦ ହଜାର ଟନରୁ ଅଧିକ ଆମ୍ବ ଉତ୍ପାଦନ ହେଉଛି। ତା’ ଭିତରେ ରହିଛି ରସାଳ ଆମ୍ରପଲ୍ଲୀ, ତୋଟାପୁରୀ, ଦଶେରୀ ଏବଂ ବାଇଗଣପଲେଇ ଭଳି ବିଭିନ୍ନ ଜାତିର ଆମ୍ବ। ହେଲେ ରାଜ୍ୟରେ ଆବଶ୍ୟକ ପଲ୍‌ପ ପ୍ରକ୍ରିୟାକରଣ ଶିଳ୍ପ ନଥିବାରୁ ଓଡ଼ିଶାର ଆମ୍ବଚାଷୀମାନେ ସିଧାସଳଖ ସ୍ଥାନୀୟ ବଜାର ଉପରେ ନିର୍ଭର କରୁଛନ୍ତି। ଯଦି ଏହି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିକାଶ ହୋଇପାରନ୍ତି, ତେବେ ଓଡ଼ିଶା ଆମ୍ବରୁ ଜୁସ୍‌ ତିଆରି ହୋ‍ଇ ତାହା ଦେଶବିଦେଶ ବଜାରକୁ ଯାଇପାରନ୍ତା”, କହିଛନ୍ତି କର୍ଣ୍ଣେଲ ଅସିତ ମହାପାତ୍ର।

ଆଜି ରାଜ୍ୟରେ ମିଲ୍‌କି ମୁ’ ବ୍ରାଣ୍ଡ କ୍ଷୀରର ଯେଉଁ ଲୋକପ୍ରିୟତା ଦେଖିବାକୁ ମିଳୁଛି, ଦିନେ ତା’ ପଛରେ ଥିଲେ କର୍ଣ୍ଣେଲ ମହାପାତ୍ର। କୋଣାର୍କ ନିକଟରେ ଏହି କମ୍ପାନିର ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ରହିଛି। ପ୍ଲାଣ୍ଟ ପ୍ରତିଷ୍ଠାଠାରୁ ଦୁଗ୍ଧଚାଷୀମାନଙ୍କୁ ଏକାଠି କରିବା, ସେମାନଙ୍କୁ ବୈଷୟିକ ସାହାଯ୍ୟ ଯୋଗାଇଦେବା ଏବଂ ଚାଷୀଙ୍କ ଦୁଆରୁ ସଂଗୃହୀତ କ୍ଷୀର ଅତ୍ୟାଧୁନିକ ପ୍ଲାଣ୍ଟରେ ପ୍ରକ୍ରିୟାକରଣ ହୋ‍ଇ ପୁଣି ଗ୍ରାହକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସେହି ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଅନ୍ୟତମ ସ୍ଥପତି ଥିଲେ ଅସିତ ବାବୁ।

ସେ ଆରମ୍ଭରୁ ମିଲ୍‌କ ମୁ’ର ସିଓ‌ଓ ପଦବୀରେ ରହିଥିଲେ। ନିଜକୁ ଜଣେ କୃଷିଉଦ୍ୟୋଗୀ ଭାବେ ଠିଆ କରିବାକୁ ଉଦ୍ୟମ କରୁଥିବା କର୍ଣ୍ଣେଲ ମହାପାତ୍ର ମିଲ୍‌କି ମୁରୁ ଆସିବା ପରେ ଏବେ ଆଗ୍ରି ଲିଙ୍କ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ନୂଆ କମ୍ପାନି କରି ଖୁବ୍‌ ଶୀଘ୍ର ବଜାରକୁ ତାଙ୍କ ପ୍ରଡକ୍ଟ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ସହିତ ଏହି ଉଦ୍ୟୋଗରେ କୋ-ଫାଉଣ୍ଡର ଓ ଡାଇରେକ୍ଟର ହିସାବରେ ଯୋଡ଼ି ହୋ‍ଇଛନ୍ତି ତାଙ୍କ ସ୍ତ୍ରୀ ଶର୍ମିଲୀ ମହାପାତ୍ର।

ଆଗ୍ରିଲିଙ୍କର ପ୍ରଥମ ପ୍ରଡକ୍ଟ ହିସାବରେ ଜୁସ୍‌ ଓଡ଼ିଶା ବଜାରରେ ପ୍ରବେଶ କରିବାକୁ ଯାଉଛି। “ପ୍ରଥମ ଦଫାରେ ଆମେ ଆମ୍ବ, ସପୁରି ଏବଂ ଜାମୁକୋଳି ଜୁସ୍‌ ପ୍ରସ୍ତୁତ କରୁଛୁ। ଏହା ଅତ୍ୟନ୍ତ ସ୍ୱାସ୍ଥ୍ୟକର ଢାଞ୍ଚାରେ ଟେଟ୍ରାପ୍ୟାକ୍‌ରେ ବଜାରରେ ମିଳିବ। ଏହା ନିରୁତା ବା ପିଓର୍‌ ଜୁସ୍‌। ଏଥିରେ କୌଣସି ପ୍ରକାର କେମିକାଲ ବା ପ୍ରିଜରଭେଟିଭ୍‌ ଆମେ ମିଶାଉ ନାହୁଁ”, ସୂଚନା ଦେଇଛନ୍ତି କର୍ଣ୍ଣେଲ ମହାପାତ୍ର।

ଏହି ଜୁସ୍‌ ବ୍ରାଣ୍ଡର ନାଁ ରଖାଯାଇଛି ‘ଏହା’। ଏକ ଆକର୍ଷଣୀୟ ଟେଟ୍ରାପ୍ୟାକ୍‌ରେ ଏହା ଜୁନ୍‌ ମାସରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିକ୍ରି ପାଇଁ ଉପଲବ୍ଧ ହେବ। ପ୍ରଥମ ଦଫାରେ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଆଦି ୧୦ଟି ଜିଲ୍ଲାର ୨୫୦୦ରୁ ଅଧିକ ଆଉଟଲେଟରେ ଓଡ଼ିଶା ତିଆରି ଏହି ନୂଆ ଜୁସ୍‌ ‘ଏହା’ ଗ୍ରାହକଙ୍କ ପାଖରେ ପହଞ୍ଚିବ।

କୃଷି ଉଦ୍ୟୋଗୀ କର୍ଣ୍ଣେଲ ଅସିତ ମହାପାତ୍ର ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ସ୍ପଷ୍ଟ। “ଆମେ ଯେଉଁ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରିଛୁ, ଏହାର ମୂଳ ଆଧାର ହେଉଛି ଗ୍ରାହକମାନଙ୍କ ପାଇଁ ଉଚ୍ଚମାନର ତଥା ସ୍ୱାସ୍ଥ୍ୟକର ସାମଗ୍ରୀ ପ୍ରସ୍ତୁତ କରିବା, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ଉଚିତ୍‍ ମୂଲ୍ୟ ଦେବା ଏବଂ ଏହି ସାମଗ୍ରିକ ବ୍ୟବସ୍ଥାକୁ ଏକ ଲାଭଜନକ ବ୍ୟବସ୍ଥାରେ ପରିଣତ କରିବା। ବର୍ତ୍ତମାନ ପାଇଁ ଆମେ ମୁଖ୍ୟତଃ ହର୍ଟିକଲ୍‌ଚର ବା ଫଳଚାଷଜନିତ ସାମଗ୍ରୀ ଉପରେ ଜୋର ଦେଉଛୁ”, ଆଗ୍ରି ଲିଙ୍କ ସମ୍ପର୍କରେ ପ୍ରାଞ୍ଜଳ ସୂଚନା ଦେଇଛନ୍ତି ଏହାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମହାପାତ୍ର।

New Fruit Juice‘ଏହା’ର ବିଭିନ୍ନ ପ୍ରଡକ୍ଟ ବର୍ତ୍ତମାନ ପାଇଁ ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ଥିବା ଦେଶର ଅନ୍ୟତମ ପ୍ରୋସେସିଂ ଓ ପ୍ୟାକେଜିଂ ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଉଛି। ଏହି ପ୍ଲାଣ୍ଟରେ ଭାରତର ବଡ଼ ବଡ଼ ଜୁସ୍‌ ବ୍ରାଣ୍ଡ ସେମାନଙ୍କର ବିଭିନ୍ନ ପ୍ରଡକ୍ଟର କୋ-ପ୍ୟାକେଜିଂ କରିଆସୁଛନ୍ତି। “ଆମେ ଖୁବ୍‌ ଶୀଘ୍ର ଓଡ଼ିଶାରେ ଏକ ଷ୍ଟେଟ୍‌ ଅଫ୍‌ ଦ ଆର୍ଟ୍‌ ଜୁସ୍‌ ପ୍ରୋସେସିଂ ପ୍ଲାଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ। ଭୁବନେଶ୍ୱର ନିକଟରେ ଏହି ପ୍ଲାଣ୍ଟ ତିଆରି ହେବାକୁ ଯାଉଛି। ଆମେ କିଛି କିଛି ଫଳ ବାହାର ରାଜ୍ୟରୁ ଆଣିବୁ ସତ, ହେଲେ ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଫଳଚାଷୀଙ୍କୁ ଉତ୍ସାହିତ କରିବା”, ସୂଚନା ଦେଇ କହିଛନ୍ତି ଆଗ୍ରିଲିଙ୍କର କୋ-ଫାଉଣ୍ଡର ଶର୍ମିଲୀ ମହାପାତ୍ର।

ଆଗ୍ରି ଲିଙ୍କ କମ୍ପାନି ରାଜ୍ୟର ପ୍ରମୁଖ ଫଳ ଉତ୍ପାଦନକାରୀ ଜିଲ୍ଲା ମଧ୍ୟରେ କଟକ, ମୟୂରଭଞ୍ଜ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କୋରାପୁଟ ଏବଂ ରାୟଗଡ଼ା ଆଦି ସ୍ଥାନରେ ଚାଷୀମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି। ଆଗାମୀ ଦିନରେ କମ୍ପାନି ଫଳଚାଷୀମାନଙ୍କୁ ମଞ୍ଜି, ଔଷଧ ଏବଂ ବିଭିନ୍ନ ବୈଷୟିକ ସହାୟତା ପ୍ରଦାନ କରି ରାଜ୍ୟରେ ଫଳଚାଷକୁ ଏକ ସଫଳ ବ୍ୟବସାୟ ରୂପେ ଠିଆ କରିବା ପାଇଁ ଉଦ୍ୟମ କରିବ।

ଆଜି ବଜାରରେ ଅନେକ ବଡ଼ ବଡ଼ କମ୍ପାନିର ଜୁସ୍‌ ବ୍ରାଣ୍ଡ ରହିଛି। ତେବେ ‘ଏହା’ କିଭଳି ସ୍ୱତନ୍ତ୍ର ଏବଂ ଏହି ପ୍ରଡକ୍ଟ କିଭଳି ପ୍ରତିଯୋଗିତା ଭିତରେ ଠିଆ ହେବ? ଏ ପ୍ରଶ୍ନର ଉତ୍ତରରେ କର୍ଣ୍ଣେଲ ଅସିତ ମହାପାତ୍ର କହନ୍ତି, “‘ଏହା’ ସମ୍ପୂର୍ଣ୍ଣ ହୋମ୍‌ଗ୍ରୋନ୍‌। ଅର୍ଥାତ୍‌ ଓଡ଼ିଶାର ଉଦ୍ୟୋଗୀଙ୍କ ହାତରେ ଓଡ଼ିଶାରେ ସୃଷ୍ଟି। ତା’ଛଡ଼ା ଆମର ପ୍ରଡକ୍ଟ ହେଉଛି ପିଓର ଜୁସ୍‌। ଏହାର ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ବେଳେ ଆମେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହ ଏହା କିଭଳି ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ହେବ, ସେ ଦିଗରେ କୌଣସି ସାଲିସ କରିବାକୁ ଚାହୁଁନାହୁଁ। ତେଣୁ ମୋର ବିଶ୍ୱାସ ଗ୍ରାହକମାନେ ‘ଏହା’ର ସ୍ୱାଦ ଚାଖିଲେ, ବାରମ୍ବାର ବଜାରରେ ଆମ ପ୍ରଡକ୍ଟ ଖୋଜିବେ।

‘ଏହା’ର ବିଭିନ୍ନ ପ୍ରଡକ୍ଟକୁ ସ୍ୱାସ୍ଥ୍ୟକର କରିବା ପାଇଁ ଆବଶ୍ୟକ ପରିମାଣର ଭିଟାମିନ-ଏ, ଭିଟାମିନ-ସି ଏବଂ ଏଲୋବେରା (ଘିକୁଆଁରୀ) ମିଶାଯାଉଛି। ବର୍ତ୍ତମାନ ବଜାରକୁ ‘ଏହା’ର ଆମ୍ବ, ସପୁରି ଏବଂ ଜାମୁକୋଳି ଜୁସ୍‌ ଆସୁଥିବା ବେଳେ ଆଗାମୀ ଦିନରେ ଲିଚୁକୋଳି ଏବଂ ଘିକୁଆଁରି ଜୁସ୍‌ ଆସିବ ବୋଲି ଆଗ୍ରି ଲିଙ୍କର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳରେ ଆଲଫୋନସୋ ଜାତିର ଆମ୍ବ ବହୁତ ପରିମାଣର ହୋ‍ଇଥାଏ। ସେହିପରି ମହାରାଷ୍ଟ୍ର ଗୋଆ ସୀମାରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହେଉଥିବା ଜାମୁକୋଳି ସାରା ଦେଶକୁ ରପ୍ତାନି ହୁଏ। ଅନ୍ୟପକ୍ଷରେ ଉତ୍ତର-ପୂର୍ବ ସୀମାନ୍ତ ରାଜ୍ୟଗୁଡ଼ିକରେ ଅତି ଉନ୍ନତ ମାନର ଓ ସ୍ୱାଦିଷ୍ଟ ସପୁରୀ ଚାଷ ହୋ‍ଇଥାଏ। ସେହିଭଳି ଓଡ଼ିଶାରେ ଆମ୍ବ ସହ ଅନ୍ୟ କେତେକ ଫଳଚାଷର ଅଧିକ ସମ୍ଭାବନା ରହିଥିଲେ ମଧ୍ୟ କୌଣସି ପଲ୍‌ପ ମେକିଂ ପ୍ଲାଣ୍ଟ ନ ଥିବାରୁ ଓଡ଼ିଶା ଏହି ଚାଷରୁ ଉଚିତ ମୂଲ୍ୟ ପାଇପାରୁ ନାହିଁ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

“ଭାରତୀୟମାନଙ୍କ ଖାଦ୍ୟ ଅଭ୍ୟାସ ଭିତରେ ଏବେ ଜୁସ୍‌ ସ୍ଥାନ ପାଇଛି। ତେଣୁ ଆଗାମୀ ଦିନରେ ଦେଶରେ ଜୁସ୍‌ ବଜାର ପାଇଁ ଏକ ବିରାଟ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଆଖି ଆଗରେ ରଖି ତଥା ଓଡ଼ିଶାର ସ୍ୱାଦିଷ୍ଟ ଫଳର ବ୍ୟବହାର କରି ଆମେ ‘ଏହା’କୁ ଆପଣମାନଙ୍କ ପାଇଁ ବଜାରକୁ ଛାଡ଼ୁଛୁ”, କହିଛନ୍ତି କର୍ଣ୍ଣେଲ ମହାପାତ୍ର।

“ଆପଣମାନେ ଆଜି ବଜାରରୁ କିଣି ଯେଉଁ ଜୁସ୍‌ ପିଉଛନ୍ତି, ତା’ ଭିତରୁ ଅନେକ ବାସ୍ତବିକ ଅସଲ ଜୁସ୍‌ ନୁହେଁ। ହେଲେ ‘ଏହା’ ପିଓର ଜୁସ୍‍। ‘ଏହା’ ହିଁ ଆମର ଭିନ୍ନତା”, ଶେଷରେ ଗ୍ରାହକମାନଙ୍କ ପାଇଁ ଏହି ଭରସା ଦେଇଛନ୍ତି ଅବସରପ୍ରାପ୍ତ ଆର୍ମି କର୍ଣ୍ଣେଲ ତଥା ଓଡ଼ିଶାର ଉଦୀୟମାନ କୃଷି ଉଦ୍ୟୋଗୀ ଅସିତ ମହାପାତ୍ର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

1 COMMENT

LEAVE A REPLY

Please enter your comment!
Please enter your name here