ଛନ୍ଦା ମିଶ୍ର

ଖୁସି ବା ସନ୍ତୁଷ୍ଟି ହେଉଛି ଜୀବନ ଜିଇଁବାର ମାଧ୍ୟମ। କୌଣସି ମାନେ ନାହିଁ ଯେ, ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହୋଇଗଲେ, ଆପଣଙ୍କ ମନ ଶାନ୍ତି ହୋଇଯିବ। କାରଣ ଇଚ୍ଛାର କୌଣସି ଅନ୍ତ ନାହିଁ।
ଗୋଟିଏ ଗାଁର ପିଲା ହୋଇ, ଗୋଟିଏ ଅଫିସରେ ଏକାଠି କାର୍ଯ୍ୟ କଲାପରେ, ବୟସର ଅଳ୍ପ ତାରତମ୍ୟ ସତ୍ତ୍ଵେ, ସନ୍ତୋଷ ବାବୁ ଓ ରମେଶ ବାବୁଙ୍କର ଘନିଷ୍ଠତା ଅନେକଟା ବଢ଼ିଯାଇଥିଲା। ଦୁହେଁ ଅଫିସର ଲଞ୍ଚବ୍ରେକରେ ଏକାଠି ଖାଇବାଠାରୁ ଆରମ୍ଭ କରି ଅନେକ ସମୟରେ ହାଟରେ ପଶି ପନିପରିବା କିଣିବା ଆଦି ଏକ ସାଙ୍ଗରେ କରୁଥିଲେ। ଦୁଃଖସୁଖ ହୋଇ ଦୁହେଁ ନିଜର ମନ ଲାଘବ କରିନେଉଥିଲେ।
ସନ୍ତୋଷ ବାବୁଙ୍କ ନିମନ୍ତ୍ରଣରେ, ରମେଶ ବାବୁ ଦୁଇ ଚାରିଥର ତାଙ୍କ ଘରକୁ ଯାଇଛନ୍ତି। ହେଲେ, ଆତିଥ୍ୟ କ୍ଷେତ୍ରରେ ରମେଶବାବୁ, ସବୁବେଳେ କାର୍ପଣ୍ୟ ଦେଖାଉଛନ୍ତି ବୋଲି ସନ୍ତୋଷବାବୁଙ୍କ ମତ। କିନ୍ତୁ ଏକଥା ଶୁଣିଲେ, ରମେଶବାବୁ, ମୁହଁରେ ଧାରେ ସ୍ମିତହାସ୍ୟ ଖେଳାଇନିଅନ୍ତି।
ସବୁବେଳେ ଖୁବ୍ ପ୍ରଫୁଲ୍ଲିତ ରହୁଥିବା ରମେଶବାବୁ, ଅଫିସରେ ପଶୁପଶୁ, ସମ୍ଭାଷଣ ଶୈଳୀରେ ପଚାରି ଦିଅନ୍ତି- କ’ଣ ସନ୍ତୋଷବାବୁ ସବୁ ଭଲ ତ?’ ସତେ ଯେପରି, ଏହି କଥାପଦକ ଶୁଣିବା ପାଇଁ ପ୍ରସ୍ତୁତ ହୋଇରହିଥା’ନ୍ତି ସନ୍ତୋଷବାବୁ।
ସଙ୍ଗେସଙ୍ଗେ ଆରମ୍ଭ ହୋଇଯାନ୍ତି ‘କ’ଣ ଆଉ ଭଲ ଆଜ୍ଞା, ଝିଅକୁ ଆସି ପଚିଶି ଚାଲିଲା, ଚାକିରିଟାଏ କରିଛି ସିନା, ହେଲେ, ଯେଉଁଠୁ ପ୍ରସ୍ତାବ ଆସିଲେ ବି ଖାଲି ନାକ ଟେକୁଛି। ମୋର ଆଉ ଦି’ବର୍ଷ ଚାକିରି ରହିଲା, ଏ ଭିତରେ ବାହା କରିଦେଲେ, ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରନ୍ତା। ହେଲେ କିଏ ବୁଝୁଛି? ପ୍ରସ୍ତାବଟିଏ ଆସିଲା ମାତ୍ରେ, ଝିଅ ତା’ଭାଇ ନହେଲେ ତା’ମା ଯିଏ ହେଲେ ନାକଚ କରିଦେଉଛନ୍ତି। କେଉଁଠୁ ରାଜପୁତ୍ରଟାଏ ଯୋଗାଡ଼ ହେବ; ମୁଁ ଦେଖିବିନି? କାହାକୁ କହିବି ଆଜ୍ଞା ସବୁ ମୋ କପାଳ ଦୋଷ।’
ଆଉ କେବେ ରମେଶବାବୁଙ୍କ ପ୍ରଶ୍ନରେ ସନ୍ତୋଷ ବାବୁ ଉତ୍ତର ଦିଅନ୍ତି – ଛାଡ଼ନ୍ତୁ ଆଜ୍ଞା, ମୋ ଜୀବନଟାତ ନର୍କରେ ପରିଣତ ହୋଇଗଲାଣି। ଗତବର୍ଷ, ଲୋନ୍ ନେଇ ଉପର ମହଲାଟା କରିଥିଲି, ସେଠି ଆସି ଯିଏ ଭଡ଼ାଟିଆ ରହୁଛି, ତା’ସହିତ ଆମ ଘରଣୀଙ୍କର ପଡୁନାହିଁ। ନିତି ନିତି ଆଉ ନୂଆ ଭଡ଼ାଟିଆ ତ ଜୁଟିବେ ନାହିଁ, ଏ କଥା ଆମ ଘରଣୀଙ୍କୁ ବୁଝାଇବ ବା’କିଏ! ସେଥିଲାଗି ଘରେ ସବୁବେଳେ ଅଶାନ୍ତି। ଭଲ ଆଉ କ’ଣ, ସେକଥା ବୋଧେ ମଣିଷ, ଆଉ ଏ ଜନ୍ମରେ ଜାଣିପାରିବ ନାହିଁ।’
ପୁଣି କେବେ ସନ୍ତୋଷବାବୁ କହନ୍ତି- ବୁଝିଲେ, ବିଧାତା, ମୋ ଜୀବନରେ ସୁଖ ଲେଖିବାକୁ ଭୁଲିଯାଇଛି। ଝିଅଟାର ବାହାଘର ଠିକ୍ ହୋଇଛି ଯେ, ହେଲେ ମା’ଝିଅଙ୍କର ବରାଦ ଶୁଣି, ମୋ ଆଖି ଖୋସି ହୋଇଯାଉଛି। ଅମୁକ ରଙ୍ଗର ଏତିକି ଟଙ୍କାର ପାଟ ନ ହେଲେ ସେ ପିନ୍ଧିବନି। ଏହି କମ୍ପାନିର ଟିଭି କିଣା ହେବା ଦରକାର। ଏଇଭଳି ଅନେକ କଥା, ମୋ ମୁଣ୍ଡଟାକୁ ଗୋଳମାଳିଆ କରିଦେଉଛି। କପାଳରେ କର ମାରିବା ଛଡ଼ା କହିବି ବା କାହାକୁ?”
ସନ୍ତୋଷବାବୁ ଓ ରମେଶବାବୁଙ୍କ ମଧ୍ୟରେ ଏହିଭଳି କଥା ଚାଲିଥିବା ସମୟରେ, ବଡ଼ବାବୁ, ଅଯାଚିତ ଭାବରେ ନିଜ ମୁଣ୍ଡ ପୁରାଇ ‘ବୁଝିଲେ ସନ୍ତୋଷବାବୁ, ଭୁଲରେ ବାପା, ମା’ ଆପଣଙ୍କ ନାଁ ସନ୍ତୋଷ ଦେଇ ଅଛନ୍ତି, ବରଂ ଅସନ୍ତୋଷ ଦେଇଥିଲେ ଭଲ ହୋଇଥାନ୍ତା। ଝିଅ ବାହାଘର ଠିକ୍ ହେଉନାହିଁ ବୋଲି ଦୁଃଖ, ଠିକ୍ ହେଲେ ଏଟା ସେଟା ଡିମାଣ୍ଡ କରୁଛି ବୋଲି ଦୁଃଖ, ବର୍ଷା ହେଲେ, ଏତେ ବର୍ଷା ହେଉଛି ଯେ, ଚାରିଆଡ଼ କାଦୁଅ ଓ ଅସନା ତେଣୁ ଅସନ୍ତୋଷ, ବର୍ଷା ନ ହେଲେ ଗରମରେ ପ୍ରାଣ ବିକଳ ହୋଇଉଠୁଛି କହି ବିରକ୍ତି। ଜାଣିଲେ ସନ୍ତୋଷବାବୁ, ଅସନ୍ତୋଷ ହେବା ପାଇଁ ଆପଣଙ୍କୁ କେବଳ ବାହାନା ଟିଏ ଦରକାର।’କହି ହସିଦେଇ ଚାଲିଗଲେ। ଏକଥା ଶୁଣି, ପାଖରେ ବସିଥିବା ଅନ୍ୟ ସହକର୍ମୀ ମାନେ ହସି ଉଠିଲେ।
ମୁହଁ ଖୋଲି କିଛି ନ କହିଲେ ବି, ଦାନ୍ତରଗଡ଼ି , “ରହ ବୁଢ଼ା ମୁଁ ବୁଝୁଛି ତୋ କଥା’ ବୋଲି ମନରେ ବିଚାରିଲେ ସନ୍ତୋଷ ବାବୁ। ସ୍ମିତହସି ରମେଶ ବାବୁ “ଛାଡନ୍ତୁ ଏସବୁ କଥା, ଆପଣ ନିଜ କାମରେ ମନ ଦିଅନ୍ତୁ।” ବୋଲି କହି ପରିସ୍ଥିତିକୁ ହାଲକା କରିଦେଲେ।
ଅଫିସ ଛୁଟି ପରେ ନିଜ ନିଜର ସ୍କୁଟର ଗଡ଼ାଇବା ପୂର୍ବରୁ, ସନ୍ତୋଷ ବାବୁ ରମେଶବାବୁଙ୍କୁ କହିଲେ, “ଯାହା କୁହନ୍ତୁ ଆଜ୍ଞା, ସବୁବେଳେ ଆପଣଙ୍କ ମୁହଁରେ ହସ ଲାଖି ରହିଥାଏ। କୌଣସି ଦୁଃଖ ନାହିଁ, କୌଣସି ଅଭାବ ନାହିଁ ଆପଣଙ୍କ ଜୀବନରେ। ତେବେ ଗୋଟିଏ କଥା କହିବି ଯେ, ଏତେ ଦିନର ସମ୍ପର୍କ ପରେ ମଧ୍ୟ ଆପଣ, ଥରେ ହେଲେ ଆପଣଙ୍କ ଘରକୁ ଡାକିଲେ ନାହିଁ।”
ପୁଣି ହସ ଖେଳିଗଲା ରମେଶ ବାବୁଙ୍କ ମୁହଁରେ। କହିଲେ,- ଏଇ ଗୋଟିଏ କଥା, ଚାଲନ୍ତୁ ଆଜି ହିଁ ଯିବା ଆମ ଘରକୁ।” ଖୁସିରେ, ‘ହଁ’ଭରି ସନ୍ତୋଷ ବାବୁ, ରମେଶ ବାବୁଙ୍କ ସହ ବାହାରିଲେ।
ପହଞ୍ଚିଲା ପରେ, ବାଟଘରେ ସନ୍ତୋଷ ବାବୁଙ୍କୁ ବସାଇ ଦେଇ ରମେଶ ବାବୁ ଭିତରକୁ ଚାଲିଗଲେ, ଦଶ-ପନ୍ଦର ମିନିଟ୍ ପରେ ହାତରେ ଚା’ ଦୁଇକପ୍ ଓ ବିସ୍କୁଟ୍ ଧରି ଆସିଲେ ରମେଶବାବୁ। ସନ୍ତୋଷ ବାବୁ ପଚାରିଲେ- ଭାଉଜ ନାହାନ୍ତି କି? ଡାକୁ ନାହାନ୍ତି!”
ରମେଶ ବାବୁ କହିଲେ, “ଦେଖିବେ ଦେଖିବେ, ଆଗ ଚା’ଟା ପିଇ ଦିଅନ୍ତୁ।”
ଚା’ ପିଇ ସାରିଲା ପରେ, ସନ୍ତୋଷ ବାବୁଙ୍କୁ ଭିତରକୁ ନେଇଗଲେ ରମେଶବାବୁ।
ସ୍ତ୍ରୀ ତାଙ୍କର ପକ୍ଷାଘାତ ରୋଗୀ। ଆଜିକୁ ଚାରିବର୍ଷ ହେଲା ସେ ଶଯ୍ୟାଶାୟୀ। ସନ୍ତୋଷବାବୁଙ୍କ ପରିଚୟ କରାଇ ଦେବାରୁ, ସ୍ତ୍ରୀଙ୍କ ପାଟି ଗୋଟିଏ ପଟକୁ ସାମାନ୍ୟ ବାଙ୍କିଗଲା।
ପରେପରେ ଝିଅକୁ ଡାକି ପରିଚୟ କରାଇ ଦେଲେ ରମେଶବାବୁ। ଓ ଝିଅ ଗଲାପରେ କହିଲେ, ମୋର ଏଇ ଗୋଟିକ ଝିଅ। ରୂପ ତ ଆପଣ ଦେଖିଲେ, ଏମ୍.ଏସ୍.ସି ପରେ ଖୁବ୍ ବଡ଼ ନାମଜାଦା ଏକ ପରିବାର, ଅତି ଆନନ୍ଦରେ ତାକୁ ନିଜ ବୋହୂ କରିନେଲେ। ହେଲେ, ଚାରିମାସ ବି ଯାଇନି, ଝିଅ ଫେରିଆସିଲା। ପୁଅ, ଆଉ ଗୋଟିଏ ଝିଅକୁ ପୂର୍ବରୁ ବିବାହ କରିଛି ଜାଣି।
ଏବେ ତା’ର ଡିଭୋର୍ସ ଫାଇଲ ହୋଇଛି କୋର୍ଟରେ।’
ଏସବୁ ଶୁଣି ସ୍ତମ୍ଭିଭୂତ ହୋଇ ଯାଇଥିଲେ, ସନ୍ତୋଷବାବୁ। କହିଲେ, ହେଲେ ଆପଣ ତ କେବେ, ଏସବୁ କଥା ଆମ ଆଗରେ କହିନାହାନ୍ତି।’
ରମେଶ ବାବୁ ହସିଲେ, କହିଲେ,- ମୁଁ କହିଲେ ମୋ ଦୁଃଖ ଶୁଣିବ ବା କିଏ? ତା’ଛଡ଼ା ଯାହାକୁ କହିବି, ସେ ମତେ ଦୟା ଟିକେ ଦେଖେଇବା ଛଡ଼ା, ମୋ ପରିସ୍ଥିତିକୁ ଟିକିଏ ବି ବଦଳାଇ ଦେଇପାରିବ କି?”
ସନ୍ତୋଷ ବାବୁ କହିଲେ- ହେଲେ ଏତେ ଦୁଃଖ ପରେ ଆପଣ ସବୁବେଳେ ଏତେ ଖୁସି କିପରି ରୁହନ୍ତି? ହସନ୍ତି କିପରି?
ରମେଶବାବୁ କହିଲେ- ଆଜ୍ଞା, ଖୁସି ବା ସନ୍ତୁଷ୍ଟି ହେଉଛି ଜୀବନ ଜିଇଁବାର ମାଧ୍ୟମ। କୌଣସି ମାନେ ନାହିଁ ଯେ, ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହୋଇଗଲେ, ଆପଣଙ୍କ ମନ ଶାନ୍ତି ହୋଇଯିବ। କାରଣ ଇଚ୍ଛାର କୌଣସି ଅନ୍ତ ନାହିଁ। ଗୋଟିଏ ପୂରଣ ହେଉ ନ ହେଉଣୁ ଆଉ ଗୋଟେ ଆସି ଦ୍ୱାରରେ ଆଘାତ ଦେବା ଆରମ୍ଭ କରେ। ଅଭାବବୋଧ ସମସ୍ତଙ୍କ ଜୀବନରେ ଅଛି। ତେଣୁ ତାକୁ ନେଇ ଦୁଃଖିତ ହେବି କାହିଁକି? ବରଂ ଯାହା ମୋ ପାଖରେ ଅଛି, ତାକୁ ନେଇ ଆନନ୍ଦିତ ନ ହେବାର କୌଣସି କାରଣ ନାହିଁ।”
ସ୍ତବ୍ଧ ହୋଇ ବସିରହିଥିଲେ ସନ୍ତୋଷବାବୁ।
ତାଙ୍କ କାନ୍ଧ ହଲାଇ ଦେଇ ରମେଶବାବୁ କହିଲେ, “କଣ ହେଲା, କ’ଣ ଭାବୁଛନ୍ତି ଆପଣ?”
ସନ୍ତୋଷବାବୁ କହିଲେ, “ଆଜ୍ଞା, ଆଜି ମୁଁ ଖୁବ୍ ବଡ଼ ଶିକ୍ଷା ଟିଏ ପାଇଲି, ଭାବୁଥିଲି ଭଗବାନ ବୋଧେ ସବୁଯାକ ଦୁଃଖ, ମୋରି ଭାଗ୍ୟରେ ରଖିଛନ୍ତି ବୋଲି ହେଲେ, ଏତେ ଦୁଃଖ ମଧ୍ୟରେ ଯଦି ଆପଣ ଭଗବାନଙ୍କ ପ୍ରତି କୃତଜ୍ଞ ରହିପାରୁଛନ୍ତି, ତେବେ ମୁଁ ନ ରହିପାରିବି କାହିଁକି?”
ଉଠି ଛିଡ଼ା ହେଲେ ସନ୍ତୋଷବାବୁ। ଖୁସି ମନରେ ତାଙ୍କୁ ବିଦାୟ ଜଣାଇଲେ ରମେଶ ବାବୁ।
ବେଶ୍ ହାଲ୍କା ହୋଇଯାଇଥିଲା ସନ୍ତୋଷବାବୁଙ୍କ ମନ।
ସ୍କୁଟରରେ ଆସୁଆସୁ ଗୁଣୁଗୁଣୁ ହୋଇ ଗାଉଥିଲେ-
‘ଦୁନିଆଁ ମେଁ କିତନା ଗମ୍ ହେ, ମେରା ଗମ୍ କିତନା କମ୍ ହେ, ଲୋଗୋଁ କା ଗମ୍ ଦେଖା ତୋ, ମେଁ ଆପନା ଗମ୍ ଭୁଲଗୟା।’
ପାଠକ ବନ୍ଧୁ, ଆପଣଙ୍କ ଉତ୍ତର କ’ଣ ହେବ, ଯଦି ଆପଣଙ୍କୁ ପ୍ରଶ୍ନ କରାଯାଏ, ଆପଣ କେମିତି ଅଛନ୍ତି?
(ସୌଜନ୍ୟ – ଭିନ୍ନ ମଣିଷ)














