ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କ ପରଲୋକ ଘଟିଛି।
ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାନ ଶିଳ୍ପପତି ବଂଶୀଧର ପଣ୍ଡା ଆଉ ନାହାନ୍ତି। ମଙ୍ଗଳବାରଦିନ ନିଜ ଭୁବନେଶ୍ଵର ବାସଭବନରେ ୮୭ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।
ଓଡ଼ିଶାର ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ବଂଶୀଧର ପଣ୍ଡାଙ୍କ ଘନିଷ୍ଠ ସମ୍ପର୍କ ଥିଲା। ୧୯୬୧ରେ ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ପରେ ଶିଳ୍ପ ପ୍ରତିଷ୍ଠା ପାଇଁ ବଂଶୀଧରଙ୍କୁ ନିମନ୍ତ୍ରଣ କରିଥିଲେ।
ସେତେବେଳେ ଯୁକ୍ତରାଷ୍ଟ ଆମେରିକାରେ ନାସାରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ ବଂଶୀଧର ପଣ୍ଡା। ଏହାପରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଜୁବାବୁଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଚାକିରି ଛାଡ଼ି ଓଡ଼ିଶା ପଳାଇ ଆସିଥିଲେ।
୧୯୬୧ମସିହାରେ ଅଭିବକ୍ତ କୋରାପୁଟ ଜିଲ୍ଲା ଥେରୁବାଲିଠାରେ ସେ ଇମ୍ଫା ପ୍ରତିଷ୍ଠା କରିଥିଲେ। ବିଜୁ ବାବୁଙ୍କ କଳିଙ୍ଗ ଟ୍ୟୁବ୍ସପରେ ଇମ୍ଫା ଓଡ଼ିଶାର ନିଜସ୍ଵ ପ୍ରଯୁକ୍ତିରେ ନିର୍ମିତ ଦ୍ଵିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଥିଲା। ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ ବଂଶୀଧର ପଣ୍ଡା।
ଶିଳ୍ପ ପ୍ରତିଷ୍ଠା ସହ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟରେ ଜଡ଼ିତ ଥିଲେ। ବଂଶୀଧର ପଣ୍ଡାଙ୍କୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ, ହାୱାର୍ଡ ବିଶ୍ଵବିଦ୍ୟାଳୟ, ମିଚିଗାନ୍ ଟେକ୍ନୋଲୋଜିକାଲ ବିଶ୍ଵବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଥିଲା। ତାଙ୍କ ପରଲୋକରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।














