ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର
  • ଓଡ଼ିଶାକୁ ସବୁବେଳେ ଅବହେଳା କରିଛି କଂଗ୍ରେସ
  • ମହାନଦୀରେ ଛତିଶଗଡ଼ ପ୍ରକଳ୍ପକୁ କେଉଁ ସରକାର ଦେଇଥିଲେ ଅନୁମତି?
  • ପୋଲାଭରମ ପ୍ରକଳ୍ପକୁ କିଏ ଦେଇଥିଲା ଅନୁମତି?
  • ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ଆଣିଥିଲା କିଏ?
  • ଓଡ଼ିଆଙ୍କ ସ୍ୱାଭିମାନକୁ ଆଘାତ ଦେଇଛି କଂଗ୍ରେସ: ଧର୍ମେନ୍ଦ୍ର

ତେଲ ଦର ବୃଦ୍ଧିକୁ ନେଇ ବିଜେଡିକୁ ଟାର୍ଗେଟ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ଓଡ଼ିଶାକୁ ଅବହେଳା କରିଥିବାରୁ କଂଗ୍ରେସ ନେତା ଓଡ଼ିଶାବାସୀଙ୍କୁ କ୍ଷମା ମାଗିବାକୁ ଧର୍ମେନ୍ଦ୍ର ଦାବି କରିଛନ୍ତି।

ବିଜେପି ପାର୍ଟି ଅଫିସରେ ଗୁରୁବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ତେଲ ଦର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ବିସ୍ତୃତ ସୂଚନା ଦେଉଥିଲେ। ହେଲେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ମୋଦିଙ୍କ କଟକ ଗସ୍ତ ଏବଂ ମହାନଦୀ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ।

ପ୍ରଶ୍ନ ଥିଲା: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କଲ୍‌ମା ବ୍ୟାରେଜ ଗେଟ ଖୋଲି ମୋଦି ଓଡ଼ିଶା ଅସନ୍ତୁ। ନଚେତ୍ ଓଡ଼ିଶାବାସୀ ତାଙ୍କୁ କ୍ଷମା ଦେବେନି?

ଏହାର ଉତ୍ତରରେ ଧର୍ମେନ୍ଦ୍ର କଂଗ୍ରେସକୁ ପୂରା ଟାର୍ଗେଟ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, “ଦେଶ ସ୍ୱାଧୀନ ହେବା ପରଠାରୁ କଂଗ୍ରେସ ଭାରତ ଲମ୍ବା ସମୟ ଧରି ଶାସନ କରି ଆସିଛି। ପ୍ରାୟ ୭୦ ବର୍ଷ ହେଲା କ୍ଷମତାରେ ଥିଲା କଂଗ୍ରେସ। କଂଗ୍ରେସ ସମୟରେ ହିଁ ଓଡ଼ିଶାକୁ ଅବହେଳା କରାଯାଇଛି। ଓଡ଼ିଶା ତାର ହକ୍ ପାଇ ନାହିଁ କଂଗ୍ରେସ ଶାସନ ସମୟରେ। ଏଣୁ କଂଗ୍ରେସ ପ୍ରଥମେ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁ।”

ଛତିଶଗଡ଼ ମହାନଦୀରେ ଯେଉଁ ପ୍ରକଳ୍ପ କରୁଛି ସେସବୁକୁ କେଉଁ ସରକାର ଅନୁମତି ଦେଇଥିଲେ? ଯେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଶାସନରେ ଥିଲା ସେତେବେଳେ ହିଁ ଏହି ପ୍ରକଳ୍ପକୁ ଅନୁମତି ଦିଆଯାଇଥିଲା। ପୋଲାଭରମ୍ ପ୍ରକଳ୍ପ ମଧ୍ୟ କଂଗ୍ରେସ ଅମଳରୁ ତିଆରି ହେଉଛି। ଏଣୁ କଂଗ୍ରେସ ପ୍ରଥମେ କ୍ଷମା ମାଗୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

୨୦୧୨ରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ନେତୃତ୍ୱରେ ସର୍ଭେ କରାଯାଇ ଦେଶର ପଛୁଆ ରାଜ୍ୟ ସମ୍ପର୍କରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକାରେ ଓଡ଼ିଶାର ନାଁ ରହିଥିଲା। ହେଲେ ପଛୁଆ ରାଜ୍ୟରୁ ଓଡ଼ିଶାକୁ ଆଗୁଆ ରାଜ୍ୟ କରିବା ପାଇଁ କଂଗ୍ରେସ କି ପଦକ୍ଷେପ ନେଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ପ୍ରସଙ୍ଗରେ ବି ଧର୍ମେନ୍ଦ୍ର କଂଗ୍ରେସକୁ ବାଣ ମାରିଛନ୍ତି।

“ଓଡ଼ିଆ ପୁଅ ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଛନ୍ତି। କିନ୍ତୁ କଂଗ୍ରେସ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣୁଛି। ସେତେବେଳେ ଓଡ଼ିଶାର କଂଗ୍ରେସ ନେତା କେଉଁଠି ଥିଲେ? କଂଗ୍ରେସ ସବୁବେଳେ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛି। ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ଓଡ଼ିଆ ସ୍ୱାଭିମାନକୁ ଆଘାତ କରାଯାଇଛି। ଶାସନରେ ଥିବା ବେଳେ ଏବଂ ନଥିବା ବେଳେ ଓଡ଼ିଶାକୁ ନ୍ୟୁନ ଦୃଷ୍ଟିରେ ଦେଖି ଆସିଛି”, ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comment