ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନରେ ମୋଦି ପୁରୀରୁ ଲଢ଼ିବା ପଛରେ ଧାର୍ମିକ ଆବେଦନ ବି ରହିଛି। ବିଜେପି ପକ୍ଷରୁ ଏହି ଲଢ଼େଇକୁ ହିନ୍ଦୁ ଧର୍ମର ପ୍ରତୀକ ଭାବେ ଦେଖାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରୁ ନିର୍ବାଚନ ଲଢ଼ିବେ? ଏମିତି ଏକ ଖବରକୁ ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ଜୋର୍ ଧରିଛି।

୨୦୧୯ ଲୋକସଭା ନିର୍ବାଚନରେ ସେ ପୁରୀରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସୂତ୍ର ଅନୁଯାୟୀ, ୨୦୧୪ ଭଳି ମୋଦି ୨୦୧୯ରେ ଦୁଇଟି ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ତେବେ ତାଙ୍କର ବର୍ତ୍ତମାନର ଆସନ ବାରଣାସୀ ହାତରେ ରହିବ କିନ୍ତୁ ବରୋଦାକୁ ସେ ଛାଡ଼ିବେ।

ଆଗ୍ରହର ବିଷୟ ହେଲା ୨୦୧୯ରେ ଲଢ଼ିବାକୁ ଥିବା ଦୁଇଟି ଯାକ ଆସନ ଗୋଟିଏ ଗୋଟିଏ ଧର୍ମକ୍ଷେତ୍ର। ଶୁଣାଯାଉଛି ପୁରୀରୁ ମୋଦି ଠିଆ ହେବାର ନିଷ୍ପତ୍ତି ନିଆଯିବା ପରେ ଏ ଦିଗରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସବୁକିଛି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

ବିଜେପିର ପୋଷ୍ଟର ବୟ ନରେନ୍ଦ୍ର ମୋଦିଙ୍କ କଟକ କାର୍ଯ୍ୟକ୍ରମ ମଧ୍ୟ ଏହାକୁ ଦୃଷ୍ଟିରେ ରଖି କରାଯାଇଛି। ଶନିବାର ଦିନ କଟକ ବାଲିଯାତ୍ରା ପଡ଼ିଆରେ ମୋଦି ତାଙ୍କ ସରକାରର ଚାରି ବର୍ଷ ପୂର୍ତ୍ତି ଅବସରରେ ଏକ ବିରାଟ ସାଧାରଣ ସଭାରେ ଭାଷଣ ପ୍ରଦାନ କରିବେ।

ଏଣେ ପୁରୀରୁ ଯଦି ମୋଦି ପ୍ରାର୍ଥୀ ହୁଅନ୍ତି ବିଜେଡିର ପିନାକୀ ମିଶ୍ର କୁଆଡ଼େ ଯିବେ ସେ ନେଇ ଶାସକ ଦଳରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମୋଦି ଓଡ଼ିଶା ମୁହାଁ ହେବା ପଛରେ ଗଣିତ ବି ରହିଛି। ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଅଧିକ ସଂଖ୍ୟକ ଆସନ ଜିତିବାର ଲକ୍ଷ୍ୟ ରଖିଛି ବିଜେପି। ଓଡ଼ିଶା ଉପରେ ବିଜେପି ତ ଫୋକସ କରିଆସୁଛି।

ଓଡ଼ିଶା ବ୍ୟତୀତ ତେଲେଙ୍ଗାନା,ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ବିଜେପି ଧସେଇ ପଶିବା ପାଇଁ ଚାହୁଁଛି। ଏହି ଚାରୋଟି ରାଜ୍ୟର ମୋଟ ଲୋକସଭା ଆସନ ସଂଖ୍ୟା ୧୦୫। ଏଥି ମଧ୍ୟରୁ ବିଜେପି ଗତ ନିର୍ବାଚନରେ ରେ ୬ଟି ଆସନରେ ବିଜୟୀ ହୋଇଥିଲା। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୁଇ ଆଞ୍ଚଳିକ ଦଳ ଯଥା ବିଜେଡି ଓ ତୃଣମୂଳ କଂଗ୍ରେସ ପରେ ଦ୍ୱିତୀୟ ସ୍ଥାନରେ ବିଜେପି ରହିଥିବାରୁ ଅଧିକ ଆସନ ପାଇବା ସହଜ ବୋଲି ଦଳ ଚିନ୍ତା କରିଥିବା କଥା କୁହାଯାଉଛି।

୨୦୧୪ ଭଳି ଆଗାମୀ ଲୋକସଭା ନିର୍ବାଚନରେ ମୋଦି ପୁରୀରୁ ଲଢ଼ିବା ପଛରେ ଧାର୍ମିକ ଆବେଦନ ବି ରହିଛି। ବିଜେପି ପକ୍ଷରୁ ଏହି ଲଢ଼େଇକୁ ହିନ୍ଦୁ ଧର୍ମର ପ୍ରତୀକ ଭାବେ ଦେଖାଯାଉଛି। ୨୦୧୪ରେ ମୋଦିଙ୍କ ନିର୍ବାଚନକୁ ଭଗବାନ ଶିବଙ୍କ ସହିତ ଯୋଡ଼ା ଯାଇଥିଲା। ବାରାଣସୀ ବା କାଶୀ ସଂହାରକର୍ତ୍ତା ଶିବଙ୍କ କ୍ଷେତ୍ର ବୋଲି ଧରାଯାଏ।

୨୦୧୪ ନିର୍ବାଚନରେ କଂଗ୍ରେସକୁ ସଂହାର କରିବାକୁ ବିଜେପି ସଂକଳ୍ପ କରିଥିଲା ଓ ଏଥିରେ ସଫଳ ମଧ୍ୟ ହୋଇଥିଲା। ୨୦୧୯ ନିର୍ବାଚନରେ କିନ୍ତୁ ମୋଦିଙ୍କୁ ଶିବଙ୍କ ସହିତ ଯୋଡ଼ା ନ ଯାଇ ଭଗବାନ ବିଷ୍ଣୁଙ୍କ ରୂପରେ ପ୍ରଦର୍ଶନ କରାଯିବ।

ବିଷ୍ଣୁ ବା ଶ୍ରୀକୃଷ୍ଣ ହେଉଛନ୍ତି ତ୍ରାଣକର୍ତ୍ତା। ବିଜେପି ଚାହୁଁଛି କେନ୍ଦ୍ରରେ କ୍ଷମତା ବଜାୟ ରହୁ ଓ ମୋଦି ହିଁ ବର୍ତ୍ତମାନ ପରିସ୍ଥିତିରେ ରକ୍ଷାକର୍ତ୍ତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇପାରିବେ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା: ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଲୋକେ ବିଷ୍ଣୁଙ୍କୁ ପୂଜା କରନ୍ତି। ଏଣୁ ଏହି ବେଲ୍ଟରେ ମୋଦି ତାଙ୍କ ପ୍ରଭାବକୁ ବିସ୍ତାର କରିବା ପାଇଁ ଚାହୁଁଛନ୍ତି। ବିଶେଷକରି ପୁରୀ ଶ୍ରୀଜଗନ୍ନାଥ ବିଷ୍ଣୁଙ୍କ ଅବତାର ହୋଇଥିବାରୁ ମୋଦିଙ୍କ ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିବା ହେବା ଯଥାର୍ଥ।

ଧାର୍ମିକ ଭାବଧାରାକୁ ବ୍ୟବହାର କରି ବିଜେପି ୨୦୧୯ରେ ପୂର୍ବ ଓ ଦକ୍ଷିଣ ଭାରତ ବିଜୟ କରିବାର ଲକ୍ଷ୍ୟ ରଖିଛି।

Comment