ଛନ୍ଦା ମିଶ୍ର

ମାଟି ନରମ ଥିବା ବେଳେ ହିଁ ସେଥିରେ ବିଭିନ୍ନ କଳାକୃତି କରିବା ସହଜ ହୁଏ। ଶୈଶବରେ ପିଲାର ମନ ଓ ଶରୀର ଉଭୟ ନମନୀୟ ଥାଏ। ତେଣୁ ତାକୁ ସୁନ୍ଦର ରୂପ ଦେବା ପାଇଁ ଉଭୟ ଗୁରୁ ଓ ଅଭିଭାବକଙ୍କର ପ୍ରମୁଖ ଭୂମିକା ରହିଛି।
ଛୋଟିଆ କାହାଣୀଟିଏ। ପାହାଡର ପାଦଦେଶରେ ଅନେକ ଛୋଟବଡ ପଥର ପଡିଥାଏ। ପାହାଡ ପାଖ ଗାଁର ଲୋକମାନେ ନିଜ ନିଜ ବ୍ୟବହାର ପାଇଁ ଆବଶ୍ୟକତା ଅନୁସାରେ ପଥର ଉଠାଇ ଆଣନ୍ତି। କିଏ ନେଇ ନଇକୂଳରେ ରଖି ତା’ଉପରେ ଲୁଗା କାଚେ, କେହି ବା ନଈତୁଠରେ ଗୋଇଠିକୁ ଘଷିବା ପାଇଁ ରଖେ ତ ଆଉ କେହି ନେଇ ଘରର ପାହାଚ ଭଳି ବ୍ୟବହାର କରେ। ଗୋଟିଏ ପଥର ମନଦୁଃଖରେ ଥାଏ। ଏଭଳି ଅଖାଡୁଆ ରୂପ ପାଇଁ ମୁଁ କୈାଣସି କାମରେ ଲାଗିପାରୁନାହିଁ କହି ଭଗବାନଙ୍କୁ ଦୋଷ ଦିଏ।
ଦିନେ ଶିଳ୍ପୀଟିଏ ନିହାଣ ଓ ହାତୁଡି ଧରି ସେଠାକୁ ଆସିଲା। ତାକୁ ଦେଖି ସବୁ ପଥର ତ୍ରାହି ତ୍ରାହି କରିବାକୁ ଲାଗିଲେ। ମାତ୍ର ଉକ୍ତ ପଥରଟି ନିଶ୍ଚିତ ଥିଲା ଯେ ତା’ର ଅଖାଡୁଆ ଆକାରଠାରୁ ଶିଳ୍ପୀ ନିଜକୁ ଦୂରରେ ରଖିବ ନିଶ୍ଚୟ। କିନ୍ତୁ ତାକୁ ହିଁ ବାଛିଲା ଶିଳ୍ପୀ ଓ ନିଜର ହାତୁଡି-ନିହାଣ ସାହାଯ୍ୟରେ ରୂପଦେବାକୁ ଆରମ୍ଭ କଲା।
ପଥରଟି କଷ୍ଟରେ ଚିତ୍କାର କରି ଉଠୁଥାଏ। ଅନ୍ୟ ପଥରଗୁଡିକ ତାକୁ ଦେଖି ଦୟା କରୁଥାନ୍ତି ଓ ନିଜ ଭାଗ୍ୟକୁ ନେଇ ଗର୍ବ ଅନୁଭବ କରୁଥାନ୍ତି। ଶିଳ୍ପୀଟିର କାମ ସରିଲା ବେଳକୁ ପଥରଟି ଏକ ସୁନ୍ଦର କୃଷ୍ଣମୂର୍ତ୍ତିରେ ପରିଣତ ହୋଇଯାଇଥାଏ।
ଛୋଟିଆ ଗାଡିଟିଏ ଆସିଥାଏ ମୂର୍ତ୍ତିକୁ ନେବା ପାଇଁ। ମୂର୍ତ୍ତିକୁ ବୋହି ଗାଡିକୁ ନେଲାବେଳେ ଲୋକମାନେ ଶ୍ରଦ୍ଧା ଓ ଭକ୍ତି ସହକାରେ ମୂର୍ତ୍ତି ଦେହରେ ହାତ ବୁଲାଇ ମୂର୍ତ୍ତି ଓ ଶିଳ୍ପୀର ପ୍ରଶଂସାରେ ଶତମୁଖ ହୋଇ ଉଠୁଥାନ୍ତି। ମୂର୍ତ୍ତିଟିକୁ ମନ୍ଦିରରେ ସ୍ଥାପନ ପରେ ଭକ୍ତମାନଙ୍କର ଶ୍ରଦ୍ଧା ଓ ଭକ୍ତି ପାଇଁ ମୂର୍ତ୍ତିରୂପକ ପଥରଟି ନିଜକୁ ଧନ୍ୟ ମନେକରୁଥାଏ ଓ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଉଥାଏ।
ଏବେ ଆମେ ଆସିବା ମୁଖ୍ୟ ପ୍ରସଙ୍ଗ ଉପରକୁ। ସୃଷ୍ଟିରେ ଯେତେ ଜୀବଜନ୍ତୁ ଅଛନ୍ତି ସବୁଠାରୁ ଅସହାୟ ହେଉଛି ମଣିଷ ଶିଶୁ। ଅନ୍ୟ ସମସ୍ତ ଜୀବ, ଜନ୍ମ ପରେପରେ ନିଜ ଖାଦ୍ୟ ନିଜେ ଯୋଗାଡ କରି ସ୍ୱାବଲମ୍ବୀ ହୋଇପାରନ୍ତି। କେତେକ ସ୍ତନ୍ୟପାୟୀ ପ୍ରାଣୀ ମାସେ/ଦେଢମାସ ପର୍ଯ୍ୟନ୍ତ ନିଜ ଖାଦ୍ୟ ପାଇଁ ମା’ ଉପରେ ନିର୍ଭର କରନ୍ତି। ମାତ୍ର ମନୁଷ୍ୟ ଶିଶୁ ସ୍ୱାବଲମ୍ବୀ ହେବା ପାଇଁ ଅନେକ ବର୍ଷ ଲାଗିଯାଏ।
ଲତାଟିଏ ଦୁର୍ବଳ ଥିବାରୁ ତାକୁ ରଞ୍ଜା ଦେବାକୁ ପଡିଥାଏ। ସେହିପରି ଛୋଟ ଶିଶୁଟିଏ ନିଜ ଗୋଡରେ ଠିଆହୋଇ ନିଜର ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ସୃଷ୍ଟିକୁ ଅନୁଧ୍ୟାନ କରିବା ପାଇଁ ଏକ ସୁନ୍ଦର ଓ ସହଯୋଗାତ୍ମକ ପରିବେଶ ଆବଶ୍ୟକ କରିଥାଏ।
ଶିଶୁର ପ୍ରଥମ ଗୁରୁ ମା’ ଓ ବାପା, ତା’ପରେ ବିଦ୍ୟାଳୟର ଶିକ୍ଷକ। ପ୍ରଥମେ ଗୁରୁକୁଳ ଥିଲା। ପିଲାମାନେ ପାଠପଢା ସହିତ ଚାଷକାମ, କାଠହଣା, ଗୋରୁଙ୍କର ରକ୍ଷଣାବେକ୍ଷଣ ରୋଷେଇ ଆଦି ଅନେକ କାର୍ଯ୍ୟରେ ନିୟୋଜିତ ହେଉଥିଲେ। ତାହା ସେମାନଙ୍କୁ ଜୀବନଯାତ୍ରାର ଘାତ-ପ୍ରତିଘାତରେ ବହୁଳ ଭାବେ ସାହାର୍ଯ୍ୟ କରୁଥିଲା। କେହି କୌଣସି କାର୍ଯ୍ୟକୁ ଛୋଟ ବା ବଡ ଭାବୁ ନ ଥିଲେ। ଶିକ୍ଷକ ମଧ୍ୟ କୈାଣସି ପିଲା ମଧ୍ୟରେ ଭେଦଭାବ ରଖୁ ନ ଥିଲେ।
ସନ୍ଦିପନୀଙ୍କ ଆଶ୍ରମରେ କୃଷ୍ଣ ଓ ସୁଦାମାଙ୍କ ବିଷୟଠାରୁ ବଡ ଉଦାହରଣ ବା କ’ଣ ହୋଇପାରେ। ଏହିପରି ଗୁରୁଙ୍କ ପ୍ରତି ଶିଷ୍ୟର କର୍ତ୍ତବ୍ୟ ବିଷୟରେ ଅନେକ ଉଦାହରଣ ଆମ ପୁରାଣଶାସ୍ତ୍ରରେ ଭର୍ତ୍ତି ହୋଇଛି। ଗୁରୁକୁଳ ପରେ ବନବିଦ୍ୟାଳୟ ଓ ବିଦ୍ୟାଳୟମାନ ଗଢିଉଠିଲା। ମାତ୍ର ଏବେ ବିଦ୍ୟାଳୟଗୁଡିକୁ ‘ଦଣ୍ଡମୁକ୍ତ ପରିସର’ ବୋଲି ଘୋଷଣା କରାଯାଉଛି। ଏହାଦ୍ୱାରା ପିଲାମାନେ ସ୍କୁଲ୍କୁ ଯାଇ ଶୃଙ୍ଖଳିତ ହେବା ପରିବର୍ତ୍ତେ ଅତ୍ୟନ୍ତ ଉଚ୍ଛୃଙ୍ଖଳ ହୋଇ ଉଠିଛନ୍ତି। ପିଲାମାନଙ୍କର ଗୁରୁଙ୍କ ପ୍ରତି ଭକ୍ତି ବା ଭୟ କୌଣସି ଗୋଟିଏ ବି ନାହିଁ।
ଆଗରୁ ଛୋଟବେଳେ ପିଲାମାନେ ଘରେ ଦୁଷ୍ଟାମି କଲେ ମା’-ବାପା ଛୁଆକୁ ନେଇ ସ୍କୁଲ୍ ଶିକ୍ଷକଙ୍କ ପାଖରେ ଫେରାଦ ହେଉଥିଲେ। ଶିକ୍ଷକମାନଙ୍କର ତାଗିଦ୍, ମାନସିକ ନା ଶାରୀରିକ ଦଣ୍ଡ ଦୁଷ୍ଟପିଲାକୁ ଶିଷ୍ଟ କରିବାରେ ସାହାଯ୍ୟ କରୁଥିଲେ। ମାତ୍ର ଏବେ ସ୍ଥିତି ଭିନ୍ନ। ଆଗଭଳି ଆଉ ଜେଜେ, ଜେଜେମା’, ଦଦେଇ ଓ କକେଇମାନଙ୍କ ସହ ସମଗ୍ର ପରିବାର ଏକାଠି ରହୁନି। କେବଳ ବାପା, ମା’ ଓ ଗୋଟିଏ ବା ଦୁଇଟି ଛୁଆକୁ ନେଇ ନ୍ୟୁକ୍ଲିୟର୍ ଫ୍ୟାମିଲି। ଛୋଟରୁ ଛୋଟ ବେତନଭୋଗୀ ମଧ୍ୟ ନିଜ ପିଲାକୁ ସବୁପ୍ରକାର ସୁଖସୁବିଧା ଯୋଗାଇଦେଉଛି। ଅଭାବ କ’ଣ ପିଲା ଜାଣୁନାହିଁ।
ଏହିପରି ଅତ୍ୟନ୍ତ ଗେହ୍ଲାରେ ବଢିଥିବା ପିଲାଟିର ଦୁଷ୍ଟାମି ତା’ର ବାପା, ମା’ ବା ବନ୍ଧୁ ପରିଜନ ସହିପାରନ୍ତି। ମାତ୍ର ସ୍କୁଲରେ ଶିକ୍ଷକଟିଏ ବା କାହିଁକି ସହିବ। ପିଲାଟି କୌଣସି ଭୁଲ କଲେ ମା’, ବାପା ବା ଅନ୍ୟ ଗୁରୁଜନ ତାକୁ ତାଗିଦ୍ କରି କିମ୍ବା କାନମୋଡି ଦୁଇ ଚଟକଣା ମାରି ତା’ର ଭୁଲ କେଉଁଟା ତାକୁ ବୁଝାଇଦିଅନ୍ତି। ପିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକମାନେ ତାକୁ ପ୍ରଥମେ ବୁଝାଇଶୁଝାଇ ଓ ପରେ ନ ମାନିଲେ ଦଣ୍ଡଦେଇ ସଜାଡନ୍ତି। ଏଥିରେ ଶିକ୍ଷକର ଭୁଲ୍ କେଉଁଠି?
ଶିକ୍ଷକ କୌଣସି ଛାତ୍ରର ବ୍ୟକ୍ତିଗତ ଶତ୍ରୁ ନୁହନ୍ତି। ସାମାନ୍ୟ ଦଣ୍ଡ ଯଦି ପିଲାଟିର ଉନ୍ନତିସାଧନ କରିପାରିବ ତେବେ ସେଥିପାଇଁ ଏତେ ହୋହାଲ୍ଲା କାହିଁକି? ଗଛରେ ସାର ଓ ପାଣି ଦେଉଥିବା ବେଳେ ତା’ ଚାରିଆଡେ ଥିବା ଅନାବନା ଘାସ ଓ ଶୁଖିଲା ପତ୍ରଗୁଡିକୁ ବାହାର କରିଦେବା ହିଁ ମାଳିର ଧର୍ମ। ଛାତ୍ରଟିଏ ଭୁଲ୍ ରାସ୍ତାରେ ଗଲାବେଳେ ଗୁରୁ ଯଦି ତାକୁ ସଜାଡିବା ପାଇଁ କୌଣସି ପ୍ରକାରର ଚେଷ୍ଟା କଲା ତେବେ ଅସୁବିଧା କେଉଁଠି ରହିଲା?
ଏବେ କିଛିଦିନ ହେଲା ଦେଖାଯାଉଛି, ଅଳ୍ପ କିଛି ଶିକ୍ଷକ ସମ୍ପୂର୍ଣ୍ଣ ଶିକ୍ଷକ ସମାଜକୁ ବଦନାମ କରିବାରେ ଲାଗିପଡିଛନ୍ତି। କିଏ ପିଲାକୁ ଏପରି ଦଣ୍ଡ ଦେଲାଣି ଯେ ପିଲାଟି ଯାଇ ମୃତ୍ୟୁଶଯ୍ୟାରେ। କେଉଁ ଶିକ୍ଷକ ମଦ ପିଇ ମାତାଲ ହୋଇ ସ୍କୁଲରେ ଚେୟାର ଟେବୁଲ ଭାଙ୍ଗିଲାଣି। ଆଉ କିଏ ବା ସ୍କୁଲ୍ ନ ଆସି ଫନ୍ଦିଫିକର କରି ଘରେ ବସି ଦରମା ନେଲାଣି। ଗୁରୁ ଭଳି ଶବ୍ଦର ଏମାନେ ହେଉଛନ୍ତି ଏକ କଳଙ୍କ। ତେବେ ଆଜି ମଧ୍ୟ ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ ଛାତ୍ରକୁ ପୁତ୍ରବତ୍ ସ୍ନେହ ଦିଅନ୍ତି ଓ ଛାତ୍ରମାନଙ୍କ ମଧ୍ୟମରେ ସାମାଜର ମଙ୍ଗଳସାଧନ କରିବାର ସ୍ୱପ୍ନ ଦେଖନ୍ତି।
ଆଜି ଶିକ୍ଷକମାନଙ୍କର ସମସ୍ୟା ଅନେକ। ପ୍ରତ୍ୟେକ ଛୋଟବଡ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଉଛି। ଏପରି ହେବା ଦ୍ୱାରା ସେମାନେ ସ୍କୁଲରେ ପାଠ ପଢାଉଛନ୍ତି କମ୍ ଓ ମଧ୍ୟାହ୍ନ ଭୋଜନ ବା ଜନଗଣନା କାର୍ଯ୍ୟ କରୁଛନ୍ତି ବେଶି। ଫଳରେ ସେମାନେ ସ୍କୁଲରେ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି। ଅନେକ ଶିକ୍ଷକ ସ୍ୱଳ୍ପ ବେତନ ପାଉଥିବାରୁ ଟିଉଶନ କରିବାକୁ ବାଧ୍ୟ ହେଉଛନ୍ତି। ଶିକ୍ଷକ ଓ ଶିକ୍ଷାୟତନର ସମସ୍ୟାଗୁଡିକ ଅଭିଭାବକ ଓ ସ୍କୁଲ୍ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି।
ଶିକ୍ଷକମାନେ ଭାବୁଛନ୍ତି ଆମେ ଦରମା ପାଉଛୁ, ତେଣୁ ଯେପରି ହେଉ ସ୍କୁଲ୍ କାମ ସାରି ଚାଲିଆସିଲେ ହେଲା। ଦଣ୍ଡ ଦେବା ନିଷିଦ୍ଧ ହୋଇଥିବାରୁ ଆମେ ତ ପିଲାମାନଙ୍କୁ କଡା କରି କିଛି କହିପାରିବୁ ନାହିଁ ବା ଦଣ୍ଡ ହେଇପାରିବୁ ନାହିଁ। ତେଣୁ ସେମାନେ ପାଠ ପଢିଲେ କି ନ ପଢିଲେ ଆମର ଯାଏ ଆସେ କେତେ? ଏହି ଅବସରରେ ପିଲାର ସମୟ ଓ ଭବିଷ୍ୟତ ଉଭୟ ନଷ୍ଟ ହେଉଛି।
ମାଟି ନରମ ଥିବା ବେଳେ ହିଁ ସେଥିରେ ବିଭିନ୍ନ କଳାକୃତି କରିବା ସହଜ ହୁଏ। ଶୈଶବରେ ପିଲାର ମନ ଓ ଶରୀର ଉଭୟ ନମନୀୟ ଥାଏ। ତେଣୁ ତାକୁ ସୁନ୍ଦର ରୂପ ଦେବା ପାଇଁ ଉଭୟ ଗୁରୁ ଓ ଅଭିଭାବକଙ୍କର ପ୍ରମୁଖ ଭୂମିକା ରହିଛି। ଆଜି ମିଟିଂ ପରେ ମିଟିଂ ବସୁଛି ଛାତ୍ରୀଛାତ୍ରମାନଙ୍କର ବିକାଶ ଓ ଶିକ୍ଷକମାନଙ୍କର ସମସ୍ୟାକୁ ନେଇ। ମାତ୍ର ଫଳ ହେଉଛି ଶୂନ। ଏଠାରେ ଆନ୍ତରିକତାର ଘୋର ଅଭାବ ପରିଲକ୍ଷିତ ହେଉଛି।
ଶିକ୍ଷକ, ଅଭିଭାବକ ତଥା ଶିକ୍ଷା ବିଭାଗ ପ୍ରତ୍ୟେକ ନିଜର କାର୍ଯ୍ୟକୁ ନିଷ୍ଠାର ସହିତ କରିଗଲେ ଶିଶୁର ବର୍ତ୍ତମାନ ଓ ଭବିଷ୍ୟତ ଉଭୟ ସୁରକ୍ଷିତ ହୋଇପାରିବ। ଛାତ୍ର ପାଇଁ ଘର ହେଉଛି ପ୍ରଥମ ବିଦ୍ୟାଳୟ ଓ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର। ବିଦ୍ୟାଳୟକୁ ମଣିଷ ତିଆରି କାରଖାନା କହିବା ଅଧିକ ଯୁକ୍ତିଯୁକ୍ତ ହେବ।
ଆମେ ପିଲାମାନଙ୍କର ଭବିଷ୍ୟତ ସୁନ୍ଦର, ଶୃଙ୍ଖଳିତ ଓ ଉଜ୍ଜ୍ୱଳ କରିବା ପାଇଁ, ସେମାନଙ୍କ ଉତ୍ତମ ଚରିତ୍ର ଗଠନ ପାଇଁ ବିଦ୍ୟାଳୟରେ କିଛି କଟକଣା ସହିତ ଦଣ୍ଡ ଦେବାର ବ୍ୟବସ୍ଥା ରହିବା ଯେ ଅପରିହାର୍ଯ୍ୟ ତାହା ଶିକ୍ଷା ବିଭାଗରେ ନିୟମ ପ୍ରଣୟନ କରୁଥିବା ଲୋକମାନେ ବୁଝିବା ଉଚିତ୍।
(ସୌଜନ୍ୟ – ଭିନ୍ନ ମଣିଷ)














