ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରକୁ ପୂରିଛି ଚାରି ବର୍ଷ। ପାଞ୍ଚ ପର୍ଷରେ ପଦାର୍ପଣ କରିଛନ୍ତି ମୋଦି ସରକାର। ଚାରି ବର୍ଷର ପୂର୍ତ୍ତି ଉପଲକ୍ଷେ ମୋଦି ଆଜି ଆସିଥିଲେ ଓଡ଼ିଶା। ଐତିହାସିକ ସହର କଟକର ବାଲିଯାତ୍ରା ପଡ଼ିଆରେ ମୋଦି ଦେଇଥିଲେ ଉଦବୋଧନ। ଚାରି ବର୍ଷରେ ତାଙ୍କ ସରକାର କରିଥିବା ବିଭିନ୍ନ ଜନକଳ୍ୟାଣକାରୀ ଯୋଜନାର ହିସାବ ଦେଇଥିଲେ ମୋଦି।

‘ଜୟ ଜଗନ୍ନାଥ’ରୁ ଆରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭା ମଞ୍ଚକୁ ଚଢ଼ିବା ପରେ ବିଜେପି ନେତାମାନେ ଦେଇଥିଲେ ସମ୍ବର୍ଦ୍ଧନା। ଏହାପରେ ମୋଦି ଭାଷଣ ଦେବା ପାଇଁ ଉଠିଥିଲେ ନିଜ ଆସନରୁ। ଜୟ ଜଗନ୍ନାଥ କହି ମୋଦି ତାଙ୍କ ରିପୋର୍ଟ କାର୍ଡ ଖୋଲିଥିଲେ। ମହାପ୍ରଭୁ ଜଗନ୍ନାଥ ଏବଂ ଐତିହାସିକ ସହର କଟକରେ ଛିଡ଼ା ହୋଇ ଉଦବୋଧନ ଦେଉଥିବାରୁ ନିଜକୁ ଗର୍ବିତ ମନେକରୁଛି ବୋଲି ମୋଦି କହିଥିଲେ। ଓଡ଼ିଆରେ ଓଡ଼ିଶାର ଭାଇ ଭଉଣୀ ଏବଂ ମହାପୁରୁଷମାନଙ୍କୁ ପ୍ରଣାମ ଜଣାଉଛି କହିଥିଲେ ମୋଦି।

ବଦଳୁଛି ଭାରତ

ଚାରି ବର୍ଷ ତଳେ ଭାରତର ରୂପରେଖ ଯାହା ଥିଲା ତାହା ଚାରିବର୍ଷ ପରେ ବଦଳି ଯାଇଛି। ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଗରିବକଲ୍ୟାଣ ଯୋଜନାକୁ ତ୍ବରାନ୍ବିତ କରାଯାଇଛି। ଏହା ସମ୍ଭବ ହୋଇଛି କେବଳ ଏନଡିଏ ସରକାରର ସମସ୍ତ ସଦସ୍ୟଙ୍କ ସହଯୋଗ ଏବଂ ଭାରତବାସୀଙ୍କ ଆଶୀର୍ବାଦ ପାଇଁ। ଏନଡିଏ ସରକାରରେ ଯେଉଁମାନେ ମନ୍ତ୍ରୀ ରହିଛନ୍ତି ସେମାନେ ସମସ୍ତେ ଗରିବ ପରିବାରରୁ ଆସିଛନ୍ତି। ଗରିବୀକୁ ପାଖରୁ ଦେଖିଛନ୍ତି।

ଦେଶର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗରିବ ପରିବାରରୁ ଆସିଛନ୍ତି। ସେମାନେ ଗରିବ ପରିବାରର ଦୁଃଖ ଜାଣିଥିବାରୁ ଗରିବଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରାଯାଇଛି। ସୁନା ଚାମଚ କ’ଣ ପିଲାଦିନରୁ ଆମେ ଚାମଚ କ’ଣ ଜାଣି ନଥିଲୁ ବୋଲି ମୋଦି କହିଛନ୍ତି।

ଜନତାଙ୍କ ବିଶ୍ୱାସ ଜିତିଛୁ

ଚାରି ବର୍ଷ ଭିତରେ ଭାରତକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆମ ସରକାର ପ୍ରୟାସ କରିଛି। ଚାରି ବର୍ଷ ପୂର୍ବେ ଭାରତର ଅବସ୍ଥା ଯାହା ଥିଲା ତାହାକୁ ଆମେ ବଦଳାଇବା ପାଇଁ ଚେଷ୍ଟା କରିଛୁ। ଆମ ସରକାର ଚାରି ବର୍ଷ ଭିତରେ ଯେତେସବୁ ଯୋଜନା ପ୍ରଣୟନ କରିଛନ୍ତି ତାହା କେବଳ ସମ୍ଭବ ହୋଇଛି ସାଧାରଣ ଲୋକଙ୍କ ପାଇଁ। କାରଣ ଆମେ ସାଧାରଣ ଲୋକଙ୍କ ବିଶ୍ୱାସକୁ ଜିତିଛୁ। ୨୦୧୪ରେ ଆମେ କେନ୍ଦ୍ରରେ ସରକାର ଗଠନ କରିବା ବେଳେ ବିଜେପି ମାତ୍ର ୫ଟି ରାଜ୍ୟରେ ସରକାରରେ ରହିଥିଲା। ହେଲେ ଚାରି ବର୍ଷ ଭିତରେ ୨୦ଟି ରାଜ୍ୟରେ ବିଜେପି ସରକାର ରହିଛି। ଲୋକମାନେ ଆମ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି।

କନଫ୍ୟୁଜନ ନୁହେଁ, କମିଟମେଣ୍ଟର ସରକାର

ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟର ସରକାର ଚାଲିଛି। କଳାଧନ ବିରୋଧରେ ଲମେଇ କରି ଆମେ ଆମର କମିଟମେଣ୍ଟ ବା ପ୍ରତିବଦ୍ଧତାକୁ ରକ୍ଷା କରିଛୁ। ବଳାଧନ ଠୁଳ କରିଥିବା ଲୋକଙ୍କୁ ସାବାଡ଼ କରିଛୁ। ବେନାମୀ ସମ୍ପତ୍ତି ରଖିଥିବା ଲୋକଙ୍କ ମୁହଁରୁ ପରଦା ହଟାଇବା ପାଇଁ ନୂଆ ଆଇନ ପ୍ରଣୟନ କରିଛୁ। ଗତ ୪ ବର୍ଷ ଭିତରେ ୩୦୦୦ ଜାଗାରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ୫୩ ହଜାର କୋଟି ଟଙ୍କା ଜବତ କରାଯାଇଛି। ଦୁର୍ନୀତିଗସ୍ତଙ୍କ ବିରୋଧରେ ଆମ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାର ପ୍ରମାଣ ହେଉଛି ଦେଶର ଚାରି ଜଣ ମୁଖ୍ୟମନ୍ତ୍ରୀ ଜେଲ୍ ଯିବା। ଦୁର୍ନୀତିଗ୍ରସ୍ତଙ୍କୁ ଜେଲ୍ ପଠାଇ ଆମେ ଆମ ପ୍ରତିବଦ୍ଧତାର ପ୍ରମାଣ ଦେଇଛୁ। ସର୍ଜିକାଲ ଷ୍ଟ୍ରାଇକ କରି ଆମେ ଆମ କମିଟମେଣ୍ଟ ରକ୍ଷା କରିଛୁ।

ଏନଡିଏ ବିରୋଧୀଙ୍କୁ ଟାର୍ଗେଟ

ଦୁର୍ନୀତିଗ୍ରସ୍ତ ଏବଂ କଳା ବାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆମ ସରକାର ପଦକ୍ଷେପ ନେଉଛି। ହେଲେ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ବିରୋଧୀମାନେ ଏକାଠି ହେଉଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧି ଏବଂ ସର୍ଦ୍ଦାର ପଟେଲ କ’ଣ ଏଥିପାଇଁ ଦେଶକୁ ସ୍ୱାଧୀନ କରିଥିଲେ? ଆମେ ସରକାରକୁ ଆସିବା ପୂର୍ବରୁ ଦେଶର ଅଧା ଲୋକଙ୍କ ପାଖରେ ବିଜୁଳି ନଥିଲା। କାଠ ଚୁଲାରେ ରୋଷେଇ କରି ମହିଳାମାନେ ଅଣନିଶ୍ୱାସୀ ହୋଇଯାଉଥିଲେ। ହେଲେ ଆମ ସରକାର ଏହି ଅବ୍ୟବସ୍ଥାକୁ ଦୂର କରିଛି।

ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ଦେଶରେ ମାତ୍ର ୧୩ କୋଟି ଲୋକଙ୍କ ଘରେ ଗ୍ୟାସ ସଂଯୋଗ ରହିଥିଲା। ହେଲେ ଆମ ୪ ବର୍ଷର ଶାସନ କାଳରେ ୧୦ କୋଟି ଗ୍ୟାସ୍ ସଂଯୋଗ ଦିଆଯାଇଛି। ଓଡ଼ିଶାର ୨୫ ଲକ୍ଷ ପରିବାରକୁ ଗ୍ୟାସ ସଂଯୋଗ ଦିଆଯାଇଛି। ଦେଶରେ ୧୮ ହଜାର ଗାଁରେ ବିଜୁଳି ସଂଯୋଗ ଦେଇଛନ୍ତି ଆମ ସରକାର। ସେଥିମଧ୍ୟରୁ ୪ କୋଟି ପରିବାରରେ ମାଗଣା ବିଜୁଳି ସଂଯୋଗ ଦିଆଯାଇଛି। ଦେଶର ୧ କୋଟି ଲୋକଙ୍କୁ ଅଟଳ ପେନସନ ଯୋଜନାରେ ସାମିଲ କରାଯାଇଛି। ଓଡ଼ିଶାର ୫୦ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି। ୨୦୧୪ ସୁଦ୍ଧା ୬ କୋଟି ଶୌଚାଳୟ ରହିଥିଲା। ୪ ବର୍ଷରେ ଆଉ ସାଢ଼େ ୭ କୋଟି ଶୌଚାଳୟ ନିର୍ମାଣ କରିଛନ୍ତି ଆମ ସରକାର।

ସଚ୍ଚୋଟତାର ସହ କାମ କରିଛୁ

ଚାରି ବର୍ଷରେ ଆମ ସରକାର ସଚ୍ଚୋଟତାର ସହ କାମ କରିଛନ୍ତି। କଳାବଜାରୀଙ୍କୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛୁ। କଳା ବାରକାବରରେ ସଂପୃକ୍ତ  ୨ ଲକ୍ଷ ୨୬ ହଜାର କମ୍ପାନିର ଲାଇସେନ୍ସକୁ ରବ୍ଦ କରାଯାଇଛି। କଂଗ୍ରେସ ସମୟରେ ଦରଦାମ ମହଙ୍ଗା ହୋଇଥିଲା। ରୋଷେଇ ଘରେ ପଶିବା ପାଇଁ ଗୃହିଣୀ ଦୁଇ ଥର ଚିନ୍ତା କରୁଥିଲେ। କିନ୍ତୁ ଆମ ସରକାର ଦରଦାମ ନିୟନ୍ତ୍ରଣ କରିଛନ୍ତି। ନୂଆ କମ୍ପାନି ପଞ୍ଜୀକରଣ ପାଇଁ ନିୟମ ସରଳୀକରଣ କରାଯାଇଛି।  ପାସପୋର୍ଟ ପାଇଁ ଆଉ ଲମ୍ବା ଲାଇନ ଲଗାଇବାକୁ ପଡ଼ୁନାହିଁ। କମ୍ ସମୟରେ ପାସପୋର୍ଟ ମିଳୁଛି।

ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା କମିଛି

ନକ୍ସଲ ସମସ୍ୟା ଯୋଗୁଁ ସାରା ଦେଶ ଚିନ୍ତାରେ ପଡ଼ିଥିଲା। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକେ ଶାନ୍ତିରେ ରହିପାରୁ ନଥିଲେ। କିନ୍ତୁ ଆମ ସରକାରଙ୍କ ସଫଳ ରଣନୀତି ଯୋଗୁଁ ମାଓ ଦମନ ସଫଳ ହୋଇଛି। ମାଓବାଦୀମାନେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ୨୦୧୪ ପୂର୍ବରୁ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ଥିଲା ୧୨୬। ହେଲେ ଆଜି ତାହା ୯୦ରେ ପହଞ୍ଚିଛି।

ଅନ୍ଧାର ହଟିଛି

ଉଜାଲା ଯୋଜନାରେ ସମସ୍ତଙ୍କ ଘରେ ଜଳୁଛି ଏଲଇଡି ବଲ୍‌ବ। ଏହା ହେଉଛି ଆମ ସରକାରଙ୍କର ଆଉ ଏକ ସଫଳ ଯୋଜନା। ଦେଶର ୩୦ କୋଟି ଲୋକଙ୍କ ଘରେ ଏଲ୍‌ଇଡି ବଲବ ଦିଆଯାଇଛି। ୨୦୧୪ ପୂର୍ବରୁ ଏଲଇଡି ବଲ୍‌ବ ଗୋଟାକ ୩୫୦ ଟଙ୍କା ଥିଲା। କିନ୍ତୁ ଆମ ସରକାର ଆସିବା ପରେ ବଲ୍‌ବ ମୂଲ୍ୟ ଶସ୍ତା କରାଯାଇଛି। ମାତ୍ର ୪୦ରୁ ୫୦ ଟଙ୍କାରେ ଏଲଇଡି ବଲ୍‌ବ ମିଳୁଛି। ୨୫ ଲକ୍ଷ ଷ୍ଟ୍ରୀଟ ଲାଇଟରେ ଏଲଇଡି ବଲ୍‌ବ ସଂଯୋଗ ହୋଇଛି। ଫଳରେ ପୌର ସଂସ୍ଥାମାନଙ୍କର ଅର୍ଥ ବଞ୍ଚିଛି। ଉଜାଲା ଯୋଜନାରେ ପୂରା ଦେଶକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ନିମ୍ନମଧ୍ୟବିତ୍ତଙ୍କ ପାଇଁ ଯୋଜନା

ନିମ୍ନ ମଧ୍ୟବିତ୍ତି ପରିବାର ଚିନ୍ତାରେ ପଡ଼ିଥିଲେ। ହେଲେ ଆମ ସରକାର ସେମାନଙ୍କ ପାଇଁ ନେଇଛନ୍ତି ଅନେକ ପଦକ୍ଷେପ। ଯୁବକାମନଙ୍କୁ ସ୍ବାଲମ୍ବୀ କରିବା ପାଇଁ ସ୍କିଲ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡି ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଯୋଜନା କରାଯାଇଛି। ଗ୍ରୁପ୍ ସି, ଗ୍ରୁପ ଡି ଚାକିରିରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଥିଲା। ଏହାକୁ ଉଚ୍ଛେଦ କରାଯାଇଛି।

ଉତ୍ତର-ପୂର୍ବର ବିକାଶ, ଦେଢ଼ ବର୍ଷରେ ୭୫ ଏୟାରପୋର୍ଟ

କଂଗ୍ରେସ ଶାସନ ବେଳେ ଉତ୍ତର-ପୂର୍ବ ରାଜ୍ୟର ବିକାଶ ହେଉ ନଥିଲା। ଏହି ରାଜ୍ୟର ଲୋକଙ୍କୁ ବିକାଶର ମୁଖ୍ୟ ଧାରାରେ ସାମିଲ କରାଯାଇଛି। ରେଳବାଇ ନକ୍ସାରେ ଉତ୍ତରପ-ପୂର୍ବ ରାଜ୍ୟଗୁଡ଼ିକୁ ରଖାଯାଇଛି। ଫଳରେ ମଘୋଳୟ, ମେଜୋରାମ, ନାଗାଲାଣ୍ଡ ପ୍ରଭୃତି ରାଜ୍ୟ ଟ୍ରେନ ଚଳାଚଳର ସୁବିଧା କରାଯାଇଛି। ୭୦ ବର୍ଷ ଭିତରେ ଦେଶରେ ମାତ୍ର ୧୩ଟି ବିମାନବନ୍ଦର ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଗତ ଦେଢ଼ ବର୍ଷରେ ଦେଶରେ ୭୫ଟି ବିମାନବନ୍ଦର ନିର୍ମାଣ କରାଯାଇଛି। ବିମାନଯାତ୍ରୀଙ୍କ ପାଇଁ ଆମ ସରକାର ଅନେକ ସୁବିଧା କରାଯାଉଛି। ଯେଉଁମାନେ ଟ୍ରେନର ଏସି କୋଚରେ ଯାତ୍ରା କରୁଥିଲେ ସେମାନେ କିପରି ବିମାନରେ ଯାତ୍ରା କରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଖୁସିରେ ଯାତ୍ରୀମାନେ ବିମାନ ଯାତ୍ରା କରୁଛନ୍ତି। ଆମର ଲକ୍ଷ୍ୟ ଥିଲା ଯେ ହୱାଇ ଚପଲ ପିନ୍ଧୁଥିବା ଲୋକ କିପରି ଉଡ଼ାଜାହଜରେ ବସିବ। ସେ ଲକ୍ଷ୍ୟ ପୂରଣ ହୋଇଛି।

LEAVE A REPLY

Please enter your comment!
Please enter your name here