ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ମୋଦି ୧.୨୫ରେ ବାହାରି ୩.୨୫ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୌଣସି କାରଣରୁ ପୂର୍ବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଆସି ପହଞ୍ଚିବେ। ଦିଲ୍ଲୀରୁ ୨.୩୮ରୁ ବାହାରି ଥିବାରୁ ଭୁବନେଶ୍ଵରରେ ପହଞ୍ଚିବାକୁ ସାଢ଼େ ୪ଟାପରେ ହୋଇଯିବ ବୋଲି ଭୁବନେଶ୍ଵର ଏୟାରପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଶେଷ କରିଛି କମିଶନରେଟ ପୋଲିସ। ସଭାସ୍ଥଳ କିଲ୍ଲା ପଡିଆରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସିସିଟିଭି ନଜରରେ ରହିବ ପୂରା ସଭାସ୍ଥଳ। ସଭାସ୍ଥଳ ଓ ଏହାର ଆଖପାଖରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ସହ ରହିବେ ଟାକ୍ଟିକାଲ ୟୁନିଟ୍, ବୋମା ନିସ୍କ୍ରିୟକାରୀ ଦଳ, କୁଇକ୍ ଆକ୍ସନ ଟିମ୍। ଏଥିସହ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ରହିବେ ୩ଜଣ ବରିଷ୍ଠ ଆଇପିଏସ ଅଧିକାରୀ। ଭୁବନେଶ୍ୱରରେ ମୋଦି ପହଞ୍ଚିବା ପରେ ହେଲିକପ୍ଟରରେ କଟକ ଯିବେ। ମୋଦିଙ୍କ ଗସ୍ତ ପୂର୍ବରୁ ପୋଲିସ ଡିଜି ସମାବେଶ ସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପାଣି ବୋତଲ, ହ୍ୟାଣ୍ଡ ବ୍ୟାଗ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସଭାସ୍ଥଳ ଭିତରେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଯିବା ପାଇଁ ୧୨ଟି ପ୍ରବେଶ ପଥ କରାଯାଇଛି। ପ୍ରତ୍ୟେକ ପ୍ରବେଶ ପଥରେ ସିସି କ୍ୟାମେରା ଖଞ୍ଜା ଯାଇଛି। ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ବିଭାଗ ପକ୍ଷରୁ ୪ଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି।

Comment