ଛନ୍ଦା ମିଶ୍ର

ଗୋଟିଏ ପୋଲିସର ଜୀବନରେ ପ୍ରତି ପଦକ୍ଷେପ ଯେପରି କଣ୍ଟକମୟ ସେହିପରି ଇଲିସି ମାଛର ଦେହସାରା କଣ୍ଟା। ତେଣୁ ପୋଲିସ ସହିତ ଇଲିସିର ସମ୍ପର୍କ ନିବିଡ।

ଦିନ ତିନିଟା ବେଳ। ଏ ଜି ଛକରେ ଲାଲ୍ ସିଗନାଲ୍ ଦେଖି ଗାଡି ରହିଲା। ମୁଣ୍ଡରେ ହେଲମେଟ୍ ନ ଦେଇ ତିନୋଟି ଯୁବକ ଏକ ବାଇକରେ ମାଉସୀ ମା’ ଛକ ଆଡେ ଚାଲିଗଲେ। ପାଖରେ ଖାକି ପୋଷାକରେ ଠିଆ ହୋଇଥିବା କନେଷ୍ଟବଳକୁ, ସେ ପିଲାମାନଙ୍କୁ କାହିଁକି ଧରିଲେନି ବା ଜୋରିମାନା କଲେନି ବୋଲି ପଚାରିଲାରୁ ସେ କହିଲେ। ଆଜ୍ଞା – ଆମର ଏଥିରେ କ’ଣ ସ୍ୱାର୍ଥ ଅଛି କହିଲେ?

ଏ ନିୟମ ଗୁଡା ତ ଆପଣମାନଙ୍କ ସୁରକ୍ଷା ପାଇଁ କରାହୋଇଛି, ଗାଡି ଚଳାଇଲା ବେଳେ ଦୁର୍ଘଟଣା ହେଲେ ହେଲମେଟ୍ ଆପଣଙ୍କ ମୁଣ୍ଡକୁ ସୁରକ୍ଷା ଦେବ, ତା’ଛଡା ତିନିଜଣ ବସି ଦୁଇ ଚକିଆ ଯାନ ଚଳାଇବା ଅସୁବିଧାଜନକ ବୋଲି ଦୁଇଜଣ ବସିବା ପାଇଁ ନିୟମ କରାହୋଇଛି। ଆପଣମାନେ ନମାନିବେ ତ ଆମେ କ’ଣ କରିବୁ?

ମୁଁ କହିଲି କିନ୍ତୁ ଏସବୁ ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ ତାହା ଦେଖିବା ତ ଆପଣମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟନା!’ କନେଷ୍ଟବଳ ଜଣକ ଚିଡିଉଠି କହିଲେ – ଆଜ୍ଞା, ମତେ ଆଉ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଭାଷଣ ଦିଅନ୍ତୁ ନାହିଁ। ଚବିଶ ବର୍ଷ ହେଲାଣି, ଏଇ ଦାୟିତ୍ୱ ଓ କର୍ତ୍ତବ୍ୟ କରିକରି ଆମେ ବୁଢା ହେଲୁ। ଦିନ ଏଗାରଟାରୁ ଏଠି ଠିଆ ହୋଇ ମୋର କର୍ତ୍ତବ୍ୟ ହିଁ କରୁଥିଲି ଏତେ ବେଳଯାକେ। ଏଇ ଅଳ୍ପ ସମୟ ହେଲା ପାଣି ଟିକେ ପିଇବା ପାଇଁ ଯାଇଥିଲି, ଆଉ ଆପଣଙ୍କୁ ଦିଶିଲା ମୁଁ ମୋର କର୍ତ୍ତବ୍ୟ କରୁନାହିଁ ବୋଲି?

ମୁଁ କିଛି ସମୟ ତାକୁ ନିରେଖି ଦେଖିଲି, ପ୍ରକୃତରେ ବ୍ୟକ୍ତିଜଣକଙ୍କ ଚେହେରାରେ କ୍ଲାନ୍ତି ଓ ବିରକ୍ତି ଭାବ ଫୁଟି ଉଠୁଥାଏ, ତାଙ୍କୁ ଆଉକିଛି ନକହି ମୁଁ ସେଠାରୁ ଚାଲି ଆସିଲି। ହେଲେ ଏ ବିଷୟରେ ଜଣେ ଉପରିସ୍ଥ ଅଧିକାରୀଙ୍କ ସହ କଥା ହେଲାବେଳେ ସେ କହିଲେ – ‘ରାଜା ରାଜୁଡା ଅମଳରୁ ଚାଲି ଆସୁଛି ସୈନିକ (ପୋଲିସ)ମାନେ ପ୍ରଥମେ କର ଆଦାୟ ପାଇଁ ଏବଂ ରାଜା ତଥା ରାଜ୍ୟର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେଉଥିଲେ। ପରେ ପରେ ଆସିଲେ ବ୍ରିଟିଶମାନେ, ସେମାନେ ମଧ୍ୟ ନିଜ ସ୍ୱାର୍ଥକୁ ଆଖି ଆଗରେ ରଖି ପୋଲିସର ବ୍ୟବହାର କଲେ। ଫଳରେ ଜନସାଧାରଣଙ୍କର ଚକ୍ଷୁରେ ପୋଲିସ ସେମାନଙ୍କର ଶତ୍ରୁ ହୋଇ ରହିଗଲା।

ଆଉ ବର୍ତ୍ତମାନ ପରିସ୍ଥିତିରେ ତ ସରକାରୀ କଳର ହାତବାରିଶି ସାଜିବା ପାଇଁ ସେ ବାଧ୍ୟ। ନହେଲେ ତାକୁ ଅନ୍ୟାୟ ଭାବେ ବଦଳି ବା ହଇରାଣ ହରକତ ହେବାକୁ ପଡିଥାଏ। ଏହାଛଡା ପୋଲିସର ବ୍ୟବହାର ବନ୍ଧୁତ୍ୱପୂର୍ଣ୍ଣ ନହୋଇପାରିବାର ମଧ୍ୟ ଅନେକଗୁଡିଏ କାରଣ ରହୁଛି ପ୍ରଥମତଃ ସେ ମେସିନ୍ ଭଳି ଖଟେ। ସ୍କୁଲ୍, ବ୍ୟାଙ୍କ, ପୋଷ୍ଟ ଅଫିସ୍, କୋର୍ଟ ସୈନ୍ୟବିଭାଗ ଆଦିରେ ଛଅରୁ ଆଠ ଘଣ୍ଟା କାମ ସହିତ ସପ୍ତାହକ ଗୋଟିଏ ଦିନ ଛୁଟି ରୂପେ ପାଉଥିଲା ବେଳେ ପୋଲିସମାନଙ୍କ ପାଇଁ ସେତକ ବି ନାହିଁ। ଏବଂ ଦିନସାରାର ଏହି ଡ୍ୟୁଟି ମଧ୍ୟରେ ସେମାନେ ସମାଜର ସବୁଠାରୁ କଦର୍ଯ୍ୟ ମାନସିକତାଧାରୀଙ୍କ ସଂସ୍ପର୍ଶରେ ଆସିଥାନ୍ତି।

କୌଣସି ପର୍ବପର୍ବାଣୀ ସମୟରେ ଯେତେବେଳେ ସମସ୍ତେ ନିଜ ପରିବାର ଜନଙ୍କ ସହ ମଉଜ ମଜଲିସ କରନ୍ତି, ସେତେବେଳେ ପୋଲିସମାନଙ୍କର ଡ୍ୟୁଟି ଆହୁରି ବଢିଯାଏ। ପରିବାରକୁ ସମୟ ଦେଇ ନପାରୁଥିବାରୁ ପରିବାର ମଧ୍ୟରେ ଅଶାନ୍ତି ଦେଖାଦିଏ। ଏହା ସେମାନଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ଗ୍ଲାନି ଆସେ ମନରେ। ପ୍ରିୟ ପରିଜନଙ୍କଠାରୁ ଦୂରରେ ରହି ବିନା ବିଶ୍ରାମରେ କାମ ଗଲା ପରେ ଜଣେ ଚିଡଚିଡା ସ୍ୱଭାବର ପାଲଟି ଯିବାଟା ସ୍ୱାଭାବିକ ନୁହେଁ କି ?

ମୁଁ କହିଲି – ଆପଣଙ୍କର କୌଣସି ସଙ୍ଗଠନ ନାହିଁ? ଆପଣମାନେ ତ ଏସବୁର ଦୃଢ ପ୍ରତିବାଦ କରିପାରନ୍ତେ। ସେ ଉତ୍ତର ଦେଲେ। ଆଜ୍ଞା, ଆମ ଏ ପୋଲିସ ଡିପାର୍ଟମେଣ୍ଟଟା ଭାରି ଅଦ୍ଭୁତ। ଏଠି ପୋଲିସକୁ ଭାଗ ଭାଗ କରିଦିଆଯାଇଛି। କନେଷ୍ଟବଳଠାରୁ ଡିଏସପି ପର୍ଯ୍ୟନ୍ତ ଓଡିଶା ପୋଲିସ ଓ ତା’ଉପରକୁ ଫିରିଙ୍ଗୀ ପୋଲିସି। ସେହି ଫିରିଙ୍ଗି ପୋଲିସମାନେ ସମସ୍ତ ସୁଖ ସୁବିଧା, କ୍ଷମତା, ପ୍ରତିପତ୍ତି ଓ ପ୍ରମୋସନ ଆଦି ଉପଭୋଗ କରିବା ସହିତ, ନିଜର ଛୋଟ ମୋଟ ସମସ୍ତ କାର୍ଯ୍ୟ ନିଜ ତଳତଳିଆଙ୍କ ଦ୍ୱାରା କରାଇଥାନ୍ତି। ଇଂରେଜ ଚାଲିଗଲା ପରେ ବି ସେମାନଙ୍କୁ ‘ସାହେବ’କହି ସମ୍ବୋଧନ ନକଲେ ସେମାନେ ବିଗିଡି ଯାଆନ୍ତି। ଏପରି ବସିଜିମ୍ ଅନ୍ୟ କୌଣସି ସଂସ୍ଥାରେ ଦେଖିବାକୁ ମିଳେନା।

ଏବେ ଦ୍ୱିତୀୟ ସମସ୍ୟାଟି ହେଉଛି କନେଷ୍ଟବଳଙ୍କଠାରୁ ଆରମ୍ଭକରି ଡିଏସପି ପର୍ଯ୍ୟନ୍ତ ସମସ୍ତଙ୍କର ଅଲଗା ଅଲଗା ସଂଗଠନ। ତେଣୁ ସବ୍ଇନ୍ସପେକ୍ଟରଟିଏର ଅସୁବିଧା ହେଲାବେଳେ କନେଷ୍ଟବଳ ମହାସଂଘ, ହାବିଲଦାର ମହାସଂଘ, ଓପିଏସ୍ ଓ ଆଇପିଏସମାନଙ୍କ ସହଯୋଗ ମୁଳୁନଥିବା ବେଳେ ସେମାନଙ୍କର ଅସୁବିଧାବେଳେ ଏମାନେ ଧରାଛୁଆଁ ଦିଅନ୍ତି ନାହିଁ। ଏମାନଙ୍କ ମଧ୍ୟରେ ଏକତାର ଘୋର ଅଭାବ ରହୁଥିବାରୁ, ସରକାର ମଧ୍ୟ ଏମାନଙ୍କର ସମସ୍ୟାକୁ ଗୁରୁତ୍ୱ ହେଉନାହାନ୍ତି। ଫଳରେ ପୋଲିସମାନେ କେତେବେଳେ କର୍ମଚାରୀ ଅଭାବରୁ ତ କେତେବେଳେ ପୁଞ୍ଜି ଅଭାବରୁ ଆଉ ପୁଣି କେତେବେଳେ ଅନ୍ୟାନ୍ୟ ସରଞ୍ଜାମ ଅଭାବରୁ ସମାଜର ପ୍ରକୃତ ସମସ୍ୟାର ସମାଧାନ କରିବାରେ ବିଫଳ ହେଉଛନ୍ତି।

ଆଜି ଯେଉଁ ବରିଷ୍ଠ ପୋଲିସ ଅଧିକାରୀମାନେ ଚାକିରୀରୁ ଅବସର ନେଲେଣି ସେମାନେ ଚାକିରୀରେ ଥିଲାବେଳେ କିପରି ତୁମ୍ବିତୋଫାନମାନ ସୃଷ୍ଟି କରୁଥିଲେ ତାହା କହି ନିଜର ବଡାଇ କରୁଥିଲା ବେଳେ ବର୍ତ୍ତମାନର ଅଫିସରମାନଙ୍କୁ ତାତ୍ସଲ୍ୟ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ତଥା ଏମାନଙ୍କ କାର୍ଯ୍ୟ ଓ ବଚନ ମଧ୍ୟରେ ଥିବା ଯୋଜନ ଦୂରତା କାହା ଆଖିରେ ପଡୁନି ଭାବି ବେଶ୍ ଖୁସି ହେଉଛନ୍ତି।

ପୋଲିସ ଉପରେ ଆକ୍ରମଣ ହେଲେ କେହିଜଣେ ପାଟି ଫିଟାଏ ନାହିଁ ମାତ୍ର ପୋଲିସର ସାମାନ୍ୟତମ ଅବହେଳାରେ ବସେ କମିଶନ ପରେ କମିଶନ। ପ୍ରକୃତ ଘଟଣା ମଧ୍ୟରେ ନପଶି, ଏସି ରୁମରେ ବସି ଭାଷଣ ମାରିବା ଅତ୍ୟନ୍ତ ସହଜ।

ଏପରି କେଉଁ ଅପରାଧି ଅଛି ଯାହାକୁ ହାତଯୋଡି ଆଜ୍ଞା ଆପଣ କହି ଅପରାଧ ସ୍ୱୀକାର କରାଇହେବ? ଆଜିର ଏପରି ଅବସ୍ଥାକୁ ନେଇ ସବୁ ପୋଲିସ କର୍ମଚାରୀମାନେ ଭାରି ଅସନ୍ତୁଷ୍ଟ। ତେଣୁ ଅପରାଧିଟିଏ ଧରି କୋର୍ଟରେ ପେଶ୍ କରାଇ ଦେଲା ପରେ ତା’ର କାମ ସରିଗଲା ଭାବି ସିଏ ଚୁପ୍ ହୋଇ ବସିରହୁଛି। ମାତ୍ର ଅପରାଧିଟି ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇ ପୁଣି ନୂଆ କରି ଅପରାଧ କରିବା ପାଇଁ ପାଉଛି ଯଥେଷ୍ଟ ପ୍ରେରଣା। ଆଉ ଅନ୍ୟପଟେ ପୋଲିସର ମନୋବଳ ହେଉଛି ଆହୁରି ଦୁର୍ବଳ।

ଶେଷରେ ମୁଁ କହିଲି – ତେବେ ସେ ଯା’ହେଉ ଆପଣଙ୍କ ଚାକିରୀରେ ଉପୁରି ବହୁତ, ତେଣୁ କୁହାଯାଏ, ଚାକିରି କରିବ ପୋଲିସି ମାଛ ଖାଇବ ଇଲିସି।

ପୋଲିସ ଅଧିକାରୀ ଜଣକ ଶୁଖିଲା ହସଟିଏ ହସି କହିଲେ, ‘ଆଜ୍ଞା ଉପରି ପଇସା କେଉଁ ଚାକିରୀରେ ନାହିଁ। ଶିକ୍ଷକ, ଡାକ୍ତର, ଇଞ୍ଜିନିୟର ସମେତ ସାଧାରଣ ପିଅନଟିଏ ମଧ୍ୟ ଉପୁରି ପାଇଁ ମାଲାମାଲ୍ ହେଉଛି। ଏହା ଏକ ରୁଗ୍ନ ମାନସିକତା। ନିଜ କର୍ତ୍ତବ୍ୟ ପାଇଁ ମାସକୁ ମାସ ଦରମା ମଳୁଥିଲେ ମଧ୍ୟ ଅନେକେ ଅସାଧୁ ଉପାୟ ଅବଲମ୍ବନ କରି ନିଜ ଲୋଭକୁ ସନ୍ତୁଷ୍ଟ କରିବାକୁ ଯାଇ ଏ ଉପୁରିର ମାୟାରେ ପଡୁଛନ୍ତି। ତେବେ ଇଲିସି ସହିତ ଉପୁରିର କୌଣସି ସମ୍ପର୍କ ନାହିଁ। ସେହିପରି ହୋଇଥିଲେ, ଡାକ୍ତର, ଇଞ୍ଜିନିୟର ପରି ବଡବଡ ପଦବୀ ସହିତ ଏ ମହରଗିଆ ମାଛକୁ ଯୋଡା ଯାଇଥାନ୍ତା। ତେବେ ପ୍ରକୃତ କାରଣ ହେଉଛି, ଗୋଟିଏ ପୋଲିସର ଜୀବନରେ ପ୍ରତି ପଦକ୍ଷେପ ଯେପରି କଣ୍ଟକମୟ ସେହିପରି ଇଲିସି ମାଛର ଦେହସାରା କଣ୍ଟା। ତେଣୁ ପୋଲିସ ସହିତ ଇଲିସିର ସମ୍ପର୍କ ନିବିଡ।

ଶେଷରେ କେବଳ ଗୋଟିଏ କଥା କହିବି ଯେ, କିଛି ଅସାଧୁ କର୍ମଚାରୀଙ୍କ ପାଇଁ ପୂରା ପୋଲିସ ବିଭାଗଟି ବଦନାମ୍ ହୁଏ। ଆଜି ମଧ୍ୟ ଅନେକ ସାଧୁ, ସଚ୍ଚୋଟ ଓ ନିଷ୍ଠାବାନ କର୍ମଚାରୀ ଏହି ବିଭାଗର କାର୍ଯ୍ୟରତ, ଯେଉଁମାନଙ୍କ ପାଇଁ ସଂସ୍ଥାଟି ସୁରୁଖୁରୁରେ ଚାଲିଛି। ମାତ୍ର ଏଭଳି ପ୍ରତିକୂଳ ପରିସ୍ଥିତିରେ ପୋଲିସମାନେ କାର୍ଯ୍ୟ କଲାପରେ ମଧ୍ୟ ଜନସାଧାରଣଙ୍କ ଆକ୍ରୋଶର ଶୀକାର ହୋଇଥାନ୍ତି। ଫଳରେ ପୋଲିସଙ୍କ ମନରେ ଆସେ ତିକ୍ତତା ଓ ଏହା ପ୍ରତିଫଳିତ ହୁଏ ତା’କାର୍ଯ୍ୟପ୍ରଣାଳୀରେ।

ଲୋକଙ୍କ ମନୋଭାବରେ ପରିବର୍ତ୍ତନ ନଆସିଲା  ପର୍ଯ୍ୟନ୍ତ ପୋଲିସ ବିଭାଗଠାରୁ ଶତ ପ୍ରତିଶତ ସଫଳତା ପାଇବାଟା ସମ୍ଭବପର ନୁହେଁ। ତେବେ ଭୁଲ କାମ କଲେ ଗାଳି ମିଳିଲା ପରି, ଭଲ କାମରେ ବାହାବା କରି ପୋଲିସର ପିଠି ଥାପୁଡାଇ ଦେଲେ ସେ ଉତ୍ସାହିତ ହୋଇ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ଯେ ଆଗଭର ହେବ ଏଥିରେ ସନ୍ଦେହ ନାହିଁ। ଏହା କହି ସେ ଏକ ଦୀର୍ଘଶ୍ୱାସ ଛାଡିଲେ।

(ସୌଜନ୍ୟ – ଭିନ୍ନ ମଣିଷ)

Comment