ଛନ୍ଦା ମିଶ୍ର

ବାଡ ଆରପଟେ ଥିବା ଘାସ ସବୁଜ ଦିଶିଲା ପରି ଦୂରରେ ଥିବା ପାହାଡ ଦୂରରୁ ବେଶି ଶ୍ୟାମଳ, ସୁନ୍ଦର, ମହନୀୟ ତଥା ଲୋଭନୀୟ ଲାଗେ। ଆଉ ପାଖକୁ ଗଲେ ସେଥିରେ ଥିବା ଖାଲ-ଢିପ ଓ କଣ୍ଟା-ଝଣ୍ଟା ଦେହକୁ ଭାରି କଷ୍ଟ ଦିଏ।

ଆମ ମାନସିକତା ଏପରି ଯେ, ଆମକୁ ଅନ୍ୟର ସବୁକିଛି ଭାରି ଭଲ ଲାଗେ। କାହାର ସ୍ତ୍ରୀକୁ ଦେଖି ନିଜ ସ୍ତ୍ରୀ ମଫ, ଆଉଟଡେଟେଡ୍ ଲାଗୁଥିବା ବେଳେ କାହା ଗାଡିର ରଙ୍ଗ, ଘରର ଡିଜାଇନ୍ ଓ ବାଡିବଗିଚା ଆଦି ଖୁବ୍ ନିଆରା ଲାଗେ। ସେହିପରି ସ୍ତ୍ରୀଲୋକଙ୍କୁ ଅନ୍ୟର ସ୍ୱାମୀ ବେଶି ସ୍ମାର୍ଟ, ବେଶି ପାରିବାର, ଛୁଆମାନେ ୱେଲ୍ ବିହେଭଡ, ଏପରି କି ଅନ୍ୟର ରୂପରଙ୍ଗ, ଅନ୍ୟର ଶାଢି ଓ ଗହଣାଗାଣ୍ଠି ନିଜଠାରୁ ବେଶି ଭଲ ଲାଗେ।

ଏଇ ‘ଅନ୍ୟର’ ଦରବ, ‘ଅନ୍ୟର’ ଠାଣିମାଣି, ଚାଲିଚଳନ ଭଲ ଲାଗିବା କାରଣରୁ ଆମେ ଅନେକ ଭୋଗିଲେଣି।। ଜଣେ ପରେ ଜଣେ ବିଦେଶୀ ‘ଆମରିମାନଙ୍କ ଦ୍ୱାରା ‘ଆମକୁ’ ପ୍ରତାରିତ କରି ଚାଲିଗଲେଣି।  ଆମକୁ ତାଙ୍କ ବାହ୍ୟରୂପ, ବେଶପୋଷାକ ଓ କଥା କହିବାର ଢଙ୍ଗ ଆଦି ବେଶ୍ ପ୍ରଭାବିତ କଲା। ତାଙ୍କୁ ଅନୁକରଣ କରିବା ପାଇଁ ଆମେ ଅଣ୍ଟାଭିଡି ଲାଗିପଡିଲୁ। ଫଳରେ ‘ସାହେବ’ କହି ତାଙ୍କର ପାଦ ଚାଟି, ତାଙ୍କ ବୋକଚାବୁହା ହେବାକୁ ଖୁବ୍ ପସନ୍ଦ କଲୁ। ତାଙ୍କରି କଥାରେ ମାତି ଆମର ଲୋକଙ୍କ ଶତ୍ରୁସାଜିଲୁ। ନିଜ ଭାଇର ମୁଣ୍ଡ ନିଜେ କାଟି ଛାତିରେ ମେଡାଲଟିଏ ଝୁଲାଇ ଗର୍ବ କଲୁ। ଆମର ଏହିଭଳି ଗୋଲାମି ସ୍ୱଭାବ ପାଇଁ ସେମାନେ ଆମ ଦେଶକୁ, ଆମ ଦେବତାଙ୍କୁ ଓ ଆମ ଭାଇବନ୍ଧୁକୁ ଛାରଖାର କରି ଚାଲିଗଲେ। ହେଲେ ଆମକୁ କିଛି ଦିଶିଲାନି। କାରଣ ତାଙ୍କ ଉପର ଚକଚକ୍ ଦେଖି ଆମ ଆଖି ହୋଇଯାଇଛି ଜଳକା।

ବର୍ତ୍ତମାନ ସେମାନେ ଗଲେଣି, କିନ୍ତୁ ଆମ ମାନସିକତା ଆମ ପାଖରୁ ବା ଯିବ କୁଆଡେ? ଏବେ ବି ଲୋକେ ବିଦେଶୀ ଭାଷା, ବିଦେଶୀ ବସ୍ତୁ, ବିଦେଶରେ ପାଠପଢା ଓ ବିଦେଶରେ ଚାକିରି ଖଣ୍ଡିଏ ପାଇଁ ଖୁବ୍ ଲାଳାୟିତ। ଯିଏ ବିଦେଶୀ ମାଟି ଥରେ ଛୁଇଁଦେଇ ଆସିଛି, ଆମ ଦେଶରେ ତା’ର ଖୁବ୍ ଖାତିର୍। ବାକି ଯେଉଁମାନେ ଦେଶରେ ରହିଲେ, ସେମାନେ ବିଦେଶୀ ଅଦବକାଇଦା, ବିଦେଶୀ ସଙ୍ଗୀତ, ବିଦେଶୀ ନୃତ୍ୟ ଓ ବିଦେଶୀ ରଙ୍ଗଢଙ୍ଗରେ ନିଜକୁ ରଙ୍ଗାଇ ଦେବାକୁ ହେବାକୁ ଆଗଭର ହୋଇ ଚାହିଁ ରହିଛନ୍ତି। ହେଲେ ଦେହ ଦେଶୀ ଓ ଚାଲିଚଳନ ବିଦେଶୀ ଆମକୁ ଅତ୍ୟନ୍ତ କିମ୍ଭୂତ କିମାକାର ବନେଇ ହାସ୍ୟାସ୍ପଦ କରୁଛି।

ଏହି ମାଟିର ପାଣିପବନରେ ବଢି, ଏଇଠି ଜ୍ଞାନ ଆହରଣ କରି ‘ଆମ ଜ୍ଞାନର ଏଠି ମୂଲ୍ୟ ନାହିଁ’ କହି ଆମେ ଯାଇ ବିଦେଶରେ ବିଦେଶୀଙ୍କ ଗୋଲାମ ହେବାକୁ ବେଶି ପସନ୍ଦ କରୁଛୁ। ବିଦେଶୀମାନେ ଆମ ଭାଷା, ଆମ ଖାଦ୍ୟ, ଆମ ନୃତ୍ୟ ଓ ଆମ ଦେଶକୁ ଭଲ ପାଇଲା ବେଳକୁ ଆମକୁ ଏସବୁ ବିଷ ପରି ଲାଗୁଛି।

ଏଇ  ‘ଅନ୍ୟର ଦରବ ଭଲ ଲାଗିବା’ପ୍ରକୃତିରୁ ‘ମା’ପିଠା ଗଢିବା ଭୁଲି ରୋଲ୍ ପରଷି ଦେବାକୁ ଆଗଭର ହେଉଛି  ସେଠା ପରିବେଶ ଅନୁଯାୟୀ ସେମାନଙ୍କ ବେଶପୋଷାକ ହୋଇଥିଲା ବେଳେ ଆମେ ହନୁକରଣ କରି ଧୁ ଧୁ ଖରାବେଳେ ଢୋଲାଢୋଲା ସୂତାବସ୍ତ୍ର ନ ପିନ୍ଧି ବେକ ଚାପି, ଟାଇ ସୁଟ୍ ବୁଟ୍ ପିନ୍ଧି ଝାଳନାଳ ହୋଇ ନିଜକୁ ସ୍ମାର୍ଟ ଦେଖେଇ ହେଉଛୁ। ଏହିଭଳି ମାନସିକତାରୁ ପବ୍, ରେଭ୍ପାର୍ଟି, ଲିଭି୍-ଇନ୍-ରିଲେଶନଅିପ୍ ଆଜି ଆମ ଦେଶରେ ଲୋକପ୍ରିୟ ହେବାରେ ଲାଗିଛି। ତାଙ୍କ ଦେଶର  ‘ଫ୍ୟାମିଲି’ ଏବେ ଆମ ଦେଶର ‘ପରିବାର’କୁ ଛାରଖାର କରିଦେଲାଣି। ଏସବୁର  ମୁଖ୍ୟ କାରଣଟି ହେଉଛି-ଆମ ହୀନମନ୍ୟତା।

ଏହି ହୀନମାନସିକତା ଦ୍ୱାରା ଆମେ ଏପରି ଭାବେ କବଳିତ ଯେ, ନିଜ ଦେଶୀ ଦେହକୁ ନେଇ ବିଦେଶୀ ଡାକ୍ତରଙ୍କ ହାତରେ ଛାଡିଦେଇ ‘ମରିବୁ ନାହିଁ’ବୋଲି ନିଶ୍ଚିତ ହୋଇଯାଉଛୁ। ହେଲେ ପ୍ରଥମେ ଆମ ଦେଶରେ ହିଁ ଗଣିତ, ବିଜ୍ଞାନ ତଥା ଚିକିତ୍ସାଶାସ୍ତ୍ରର ଅଭ୍ୟୁଦୟ ହୋଇଥିଲା। ପାଣିନି, ଚରକ ଓ ପଠାଣି ସାମନ୍ତଙ୍କ ଆବଦାନକୁ କିଏ ବା ଭୁଲିପାରିବ? ପ୍ରାକୃତିକ ସମ୍ପଦ, ଗୌରବପୂର୍ଣ୍ଣ ଐତିହ୍ୟ, ଉଚ୍ଚ ପାରିବାରିକ ମୂଲ୍ୟବୋଧ, ସୁରୁଚିସମ୍ପନ୍ନ ପରମ୍ପରା ଆଦି ମହାନ୍ କରିଛି ଭାରତବର୍ଷକୁ। କିନ୍ତୁ ଗାଁ କନିଆ ସିଙ୍ଘାଣିନାକି ପରି ଆମେ ଏହାର ମହତ୍ତ୍ୱ ବୁଝିପାରୁନାହିୁଁ।

ବାଡ ଆରପଟେ ଥିବା ଘାସ ସବୁଜ ଦିଶିଲା ପରି ଦୂରରେ ଥିବା ପାହାଡ ଦୂରରୁ ବେଶି ଶ୍ୟାମଳ, ସୁନ୍ଦର, ମହନୀୟ ତଥା ଲୋଭନୀୟ ଲାଗେ। ଆଉ ପାଖକୁ ଗଲେ ସେଥିରେ ଥିବା ଖାଲ-ଢିପ ଓ କଣ୍ଟା-ଝଣ୍ଟା ଦେହକୁ ଭାରି କଷ୍ଟ ଦିଏ। ଠିକ୍ ସେହିପରି ଅନ୍ୟର ଦେଖି ‘ନିଜ’ଟିକୁ ହତାଦର କରିଲେ, ନିଜରଟି ବି ନିଜର ନ ହୋଇ ପର ହୋଇଯିବ। ସ୍ରଷ୍ଟା ତାଙ୍କ ସୃଷ୍ଟିରେ ମୋ ପାଇଁ ଯାହା କିଛି ରଖିଛନ୍ତି ତାହା ସର୍ବୋତ୍କୃଷ୍ଟ। ମୁଁ ଅନନ୍ୟ। ମୋ ସାମର୍ଥ୍ୟ ଅନୁସାରେ ମୋ ନିଜ ସହିତ ମୁଁ ନିଜକୁ ତୁଳନା କରି ଆଣିବି ସେଥିରେ ଉତ୍କର୍ଷ।

ଅନ୍ୟ ସହିତ ନିଜକୁ ତୁଳନା କଲେ କେବଳ ପ୍ରତିଯୋଗିତାର ହାର-ଜିତରେ ସମୟ ବଢିବ।  ହାରିଲେ ମିଳିବ ଦୁଃଖ। ଜିତିଲେ ଆସିବ ଗର୍ବ। ତେଣୁ ଦୂର ପାହାଡଟି ଦୂରରେ ଥାଉ। ମୋ ପାଖରେ ଥିବା ଛୋଟ ଅନୁର୍ବର ପଡିଆଟିରେ ପରିଶ୍ରମ କରି ଫୁଲଫଳରେ ଭରିଦେବାରେ ଅଛି ବାହାଦୁରି। ଆମ ଏଣ୍ଡୁରିର ମହକ, ସ୍ୱାଦ ଓ ପୁଷ୍ଟି କେଉଁ ହଟ୍ ଡଗ୍ ବା ବର୍ଗର୍ ଦେଇପାରିବ ?

(ସୌଜନ୍ୟ – ଭିନ୍ନ ମଣିଷ)

Comment