ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟରେ ପଡ଼ିଲା ତାଲା। ତାମିଲନାଡ଼ୁ ସରକାର ଦେଇଛନ୍ତି ଏହି ନିର୍ଦ୍ଦେଶ।
ବେଦାନ୍ତ ଷ୍ଟେରଲାଇଟ ପ୍ଲାଣ୍ଟ ବନ୍ଦ ଦାବିରେ ଅଶାନ୍ତ ହୋଇଯାଇଛି ତାମିଲନାଡ଼ୁର ତୁତିକୋରିନ୍। ଗତ ୩ ମାସ ହେଲା ଆନ୍ଦୋଳନ ଥମିବାର ନାଁ ଧରୁନି। ପୋଲିସର ଗୁଳିମାଡ଼ ସତ୍ତ୍ବେ ବିକ୍ଷୋଭକାରୀ ଆନ୍ଦୋଳନରୁ ଓହରୁ ନାହାନ୍ତି। ଫଳରେ ବେଦାନ୍ତ କମ୍ପାନିରେ ସବୁଦିନ ପାଇଁ ତାଲା ପକାଇବାକୁ ତାମିଲନାଡ଼ୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ତାମିଲନାଡ଼ୁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ ଷ୍ଟେରଲାଇଟ ପ୍ଲାଣ୍ଟକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜୟଲଳିତା ମୁଖ୍ୟମନ୍ତ୍ରୀ ଥିବା ବେଳେ ଲୋକଙ୍କ ପାଇଁ କାମ କରୁଥିଲେ। ସେ ସବୁବେଳେ ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ସ୍ଲୋଗାନ ଦେଉଥିଲେ।
ଏହି ସ୍ଲୋଗାନକୁ ଆଧାର କରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ପ୍ଲାଣ୍ଟ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି।
ଷ୍ଟେରଲାଇଟ ପ୍ଲାଣ୍ଟକୁ ବନ୍ଦ କରିବା ଦାବିରେ ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଚଳାଇଥିବା ଆଖିବୁଜା ଗୁଳି। ଫଳରେ ୧୩ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଥିଲା।
ଷ୍ଟେରଲାଇଟ କମ୍ପାନି ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ୁଥିବାରୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ। ଏଣୁ କମ୍ପାନି ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ।
ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଉଚିତ ନ୍ୟାୟ ଦାବିରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମାମଲା ଶୀଘ୍ର ଶୁଣାଣି କରିବାକୁ ଆବେଦନକାରୀ ପି ଶିବ କୁମାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ତ୍ୱରିତ ଶୁଣାଣି ଆବେଦନକୁ ଖାରଜ କରିଦେଇଛନ୍ତି। ଗ୍ରୀଷ୍ମ ଅବକାଶ ପରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।














