ଛନ୍ଦା ମିଶ୍ର

ଚିଠିରେ ଥିବା ଆବେଗ, ଆତ୍ମୀୟତା ଓ ଭାବପ୍ରବଣତା ମେସେଜଟିରେ କିଏ ଭରିଦେଇ ପାରିବ? ହାତଲେଖା ଚିଠିରେ ଭାଷାଗତ ଜ୍ଞାନର ଅଭିବୃଦ୍ଧି ହୋଇଥିଲାବେଳେ, ମେସେଜଗୁଡିକରେ ଭାଷା ହୋଇଯାଉଛି ଶ୍ରୀହୀନ।
“ଚିଠି ଆଇହେ, ବଡେ ଦିନୋଁ କେ ବାଦ୍” – ପ୍ରଖ୍ୟାତ ଗଜଲ ଗାୟକ ପଙ୍କଜ ଉଧାସ୍ ଗାଇଥିବା ‘ନାମ୍’ ଚଳଚ୍ଚିତ୍ରର ଏହି ଗୀତଟି ଶୁଣି କ୍ୱଚିତ୍ କେହି ସମ୍ବେଦନଶୀଳ ବ୍ୟକ୍ତି ଥିବେ ଯାହାଙ୍କ ଆଖି ଓଦାହୋଇ ନ ଥିବ। ସେହିପରି ‘ସନ୍ଦେଶେ ଆତେ ହେଁ,’ ‘ଫୁଲ ତୁହ୍ମେ ଭେଜାହେ ଖତମେଁ , ‘କବୁତର ଯା ଯା ଯା, ‘ଡାକଲାୟା ହେଉ କିମ୍ବା ଓଡିଆରେ ‘ଚିଠି ମୋର ଟିକି ଚଢେଇ’, ‘ପ୍ରଥମ ପ୍ରେମର ପ୍ରଥମ ଚିଠି, ‘ଗୋପନଗରୀରୁ ଚିଠି ଆସିଛି’ର ମିଠା ଅନୁଭବ ଆଜି ବି ଜନମାନସରେ ଉଜ୍ଜୀବିତ। କାରଣ ଚିଠିଟି ଆମ ମନ-ଆଇନାରେ ମିଠା ସ୍ମୃତିଟିଏ ଭଳି ତାଜାହୋଇ ଚହିଛି।
ଚିଠିଟିଏ, ସାଥିରେ ଧରିଆସେ ଅନେକ ବାର୍ତ୍ତା-କିଛି ଦୁଃଖର ଓ କିଛି ସୁଖର। ତେବେ ଏହି ଚିଠିର ଇତିହାସ ବହୁତ ପୁରୁଣା। କେଉଁ ରାଜରାଜୁଡା ଅମଳରୁ ଦୂତମାନେ ଚିଠିଧରି ଆସିବାର ନଜିର ଅଛି। କେତେକ ଚିଟାଉ ଶତ୍ରୁରାଜ୍ୟକୁ ମିତ୍ରରେ ଓ ଆଉ କେତେକ ମିତ୍ରକୁ ଶତ୍ରୁରେ ପରିଣତ କରିଛି। ଏହି ଚିଠିଟି ପାଇଁ କେଉଁଠି ରକ୍ତର ନଦୀ ବୋହିଯାଇଛି ତ, କେଉଁଠି ଖୁସିର ଢେଉ ନାଚି ଉଠିଛି।
ପ୍ରେମ ସମ୍ପର୍କରେ ଚିଠିର ଭୂମିକା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରମାଣିତ ହୋଇଛି। ସେ ଚିଠିରେ ଅନ୍ତର ତଳର ମରମ କଥାଗୁଡିକ, ଯାହା ଓଠ କହିବାକୁ ସାହସ କରିପାରିନି, ଚିଠି ନିଜ ଛାତି ଉପରେ ବହନକରି ନେଇଯାଇଛି। ଚିଠିଟିକୁ ପାଇ ପ୍ରେମିକାର ମନରେ ଉଠିଛି ପ୍ରେମର ଜୁଆର। ପୁଣି ଏହି ପ୍ରେମଚିଠି ପ୍ରେମାସ୍ପଦ ପାଖରେ ପହଞ୍ଚି ନ ପାରି ଅନ୍ୟ କାହା ହାତରେ ପଡିଯାଇ ଅନେକ ତୁମୁଳକାଣ୍ଡ ମଧ୍ୟ ଘଟାଇଛି।
ନବବିବାହିତାଟିଏ, ନିଜଠାରୁ ଦୂରରେ ଥିବା ପ୍ରାଣପ୍ରିୟ ପାଖରୁ ଚିଠିଖଣ୍ଡିଏ ପାଇଁ ଚାତକ ଭଳି ଚାହିଁ ରହିଥାଏ। ଡାକବାଲାର ସାଇକେଲ ଘଣ୍ଟି ଶବ୍ଦ ତା’ ବ୍ୟାକୁଳତାକୁ ଦ୍ୱିଗୁଣିତ କରିଥାଏ। ଓଢଣାତଳୁ, ଝରକା ଫାଙ୍କଦେଇ ତା’ପାଇଁ ଚିଠିଟିଏ ଆସିଥାଉ ବୋଲି କେତେ ଦେବାଦେବୀଙ୍କୁ ସେ ମନାସିଛି। ଚିଠି ନ ଆସିଥିଲେ, ମନ ହୋଇଯାଇଛି ଉଦାସ ଓ ଚିଠି ପାଇଗଲେ ଭୋକଶୋଷ ଭୁଲି କୋଟିନିଧି ପାଇଲାପରି ଲାଗିଛି।
ସେହିପରି ବିଦେଶରେ ଥିବା ପୁଅଟି ପାଖରେ ଗାଁ ତଥା ଘରର ସମସ୍ତ ଖବରଧରି ପହଞ୍ଚୁଥିବା ଚିଠିଟି କେତେ ମହତ୍ତ୍ୱ ରଖେ, ଅନ୍ତରକୁ କିପରି ଚହଲାଇ ଦିଏ ତା କେବଳ ଚିଠି ପାଇଥିବା ପୁଅଟି ଜାଣେ। ଏଇ ଚିଠିଟି ସାଜିଥାଏ ପ୍ରବାସୀ ପୁତ୍ର ଓ ଗାଁରେ ଥିବା ପରିବାର ମଧ୍ୟରେ ସେତୁବନ୍ଧ। ଚିଠିଟି ପାଇଁ ଘରକୁ ଫେରିବାକୁ ତା’ ମନ ବ୍ୟାକୁଳ ହୋଇଉଠେ।
ଚିଠି ଆମ ଜୀବନରେ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ପ୍ରୋତ୍ସାହନଭରା ଅନେକ ଚିଠି ବ୍ୟକ୍ତିଜୀବନର ମୋଡ ବଦଳାଇ ଦେଇଛି। କେତେ ସ୍ୱୀକାରୋକ୍ତି, କେତେ ବ୍ୟକ୍ତିଗତ ଅନୁଭୂତି ଓ ଅଭିଜ୍ଞତା ଦେଇଛି ଜୀବନକୁ ନୂତନ ଦିଗଦର୍ଶନ।
ମହାତ୍ମାଗାନ୍ଧୀ ନିଜ ପରିବାରର ନୀତିନିୟମକୁ ଭାଙ୍ଗି ସାଥୀମାନଙ୍କ ପ୍ରରୋଚନାରେ ପଡି ମାଂସ ଖାଉଥିବାରୁ, ପଶ୍ଚାତାପର ନିଆଁରେ ଜଳି ପିତାଙ୍କ ପାଖକୁ ଲେଖିଥିଲେ ଏକ ଚିଠି। ଏପରି ଭୁଲ୍ ଜୀବନରେ ଆଉ କେବେ ନ କରିବାର ପ୍ରତିଜ୍ଞା, ଭୁଲର ପଶ୍ଚାତାପ ତଥା କ୍ଷମାପ୍ରାର୍ଥନା ପିତାଙ୍କ ଆଖିରେ ଭରିଦେଇଥିଲା ଲୁହ। ପୁତ୍ରଙ୍କୁ ପିତା କୋଳେଇ ନେଇଥିଲେ। ପିତା ନିଜ ଜନ୍ମିତ ସନ୍ତାନ ପାଇଁ ଗର୍ବବୋଧ କରୁଥିଲାବେଳେ ପୁତ୍ରର ମନର ପୀଡା ହୋଇଥିଲା ଲାଘବ।
ସେହିପରି ଇନ୍ଦିରା ଗାନ୍ଧୀଙ୍କ ଜୀବନରେ ଜବହାରଲାଲଙ୍କ ଚିଠିଗୁଡିକ ପ୍ରମାଣିତ ହୋଇଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗାଧର ମେହେର ରାଧନାଥଙ୍କୁ ଲେଖିଥିବା ଚିଠି ତା’ର ପ୍ରତ୍ୟୁତ୍ତରଗୁଡିକ ଆଜି ବି ବେଶ୍ ମୂଲ୍ୟବାନ ପ୍ରତୀତ ହୁଏ। ତେବେ ବିଜ୍ଞାନର ଅଗ୍ରଗତି ଆମ କାର୍ଯ୍ୟକୁ ସହଜ ଓ କ୍ଷିପ୍ର କରିବା ସହିତ ଆମକୁ ସମ୍ବେଦନହୀନ ମଧ୍ୟ କରିବାରେ ଲାଗିଛି।
ଚିଠିର ସ୍ଥାନ ନେଇଛି ଇ-ମେଲ୍ ଓ ମେସେଜ୍। ମେସେଜ ବକ୍ସକୁ ଯାଇ ଦୁଇ ଚାରୋଟି ଅକ୍ଷର ଟାଇପ୍ କରି ପଠାଇଦେଲେ କାମ ଶେଷ। କାଗଜ ଆଣି କଲମଧରି ଚିଠି ଲେଖିବାକୁ ସମୟ କାହାପାଖରେ ଅଛି ଯେ? ପୁଣି ମେସେଜକୁ ସାଇତି ଚଖିଛନ୍ତି ବା କେତେ ଜଣ? ପଢି ସାରି ଡିଲିଟ୍ କରିଦେଲେ ହେଲା। କିନ୍ତୁ ଚିଠିରେ ଥିବା ଆବେଗ, ଆତ୍ମୀୟତା ଓ ଭାବପ୍ରବଣତା ମେସେଜଟିରେ କିଏ ଭରିଦେଇ ପାରିବ? ହାତଲେଖା ଚିଠିରେ ଭାଷାଗତ ଜ୍ଞାନର ଅଭିବୃଦ୍ଧି ହୋଇଥିଲାବେଳେ, ମେସେଜଗୁଡିକରେ ଭାଷା ହୋଇଯାଉଛି ଶ୍ରୀହୀନ।
ଆଜି ଯୁବଗୋଷ୍ଠୀଙ୍କ ଆଗରେ ଚିଠି ବିଷୟରେ ବଖାଣିଲେ ସେମାନେ ହେୟଜ୍ଞାନ କରିବେ। ମାତ୍ର ଏହା କହି ତ ଆମେ ଆଉ ଚିଠିକୁ ଟେଲିଗ୍ରାମ ପରି ଅଳିଆଗଦାକୁ ଫୋପାଡି ଦେଇପାରିବା ନାହିଁ। ତେଣୁ ଆସନ୍ତୁ ଅଭ୍ୟାସକରି ମାସକୁ ଅନ୍ତତଃ ଗୋଟିଏ ଚିଠି ଲେଖିବା।
କାହା ସହିତ ମନୋମାଳିନ୍ୟ ହୋଇଛି ଯଦି ମନର ସବୁ ରାଗ ଓ ଅଭିମାନକୁ କାଗଜ ଉପରେ ବାଢିଦେଇ ଦେଖନ୍ତୁ ଅପରର ରାଗ କିପରି ପାଣିଫୋଟକା ପରି ମିଳେଇ ଯାଉଛି। କାହାର ସାହାଯ୍ୟ ପାଇ ଆପଣ ଉପକୃତ ହୋଇଛନ୍ତି। କୃତଜ୍ଞତାଭରା ଦୁଇଟି ଶବ୍ଦ ଲେଖି ପଠାଇ ଦିଅନ୍ତୁ ତ ଦେଖିବେ, ଚିଠି ପାଇଥିବା ଲୋକଟି ଚିଠିଟିକୁ ଗଣ୍ଠିଧନ କରି ସାଇତି ରଖିବ।
ବାଲ୍ୟକାଳର ସାଙ୍ଗକୁ, ଦୂରରେ ରହୁଥିବା ସର୍ମ୍ପକୀୟଙ୍କୁ ଅବା କୌଣସି କଥାରେ ମୁହଁ ଫୁଲାଇଥିବା ଚିହ୍ନାମୁହଁଟିଏକୁ ଚିଠିଟିଏ ଲେଖି ଦେଖନ୍ତୁ। ସେ ଉତଫୁଲ୍ଲ ହୋଇଉଠି ସମସ୍ତ ରାଗ ଓ ଅଭିମାନ ଭୁଲି କୋଳେଇନେବ, ଏହା ନିଶ୍ଚିତ। ପଢିସାରି ଚିଠିଟିକୁ ସାଇତି ରଖି ବେଳଅବେଳରେ ଆଉଥରେ ପଢିଲେ ଅନୁଭବିହେବ ଚିଠି ପଠାଇଥିବା ଆତ୍ମୀୟଟିର ଆପଣାପଣିଆକୁ। ମିଠା ସ୍ମୃତିଗୁଡିକ ଜୀବନରେ ଭରିଦେବ ଉତ୍ସାହ ଓ ଅନିର୍ବଚନୀୟ ଆନନ୍ଦ।
(ସୌଜନ୍ୟ – ଭିନ୍ନ ମଣିଷ)














