ଛନ୍ଦା ମିଶ୍ର

ଆମେ ଆମ ଜୀବନଚର୍ଯ୍ୟାରେ ଯେତିକି ମାତ୍ରାରେ ପ୍ରକୃତିର ନିକଟତର ହେବା, ପ୍ରକୃତି ତା’ର ସନ୍ତାନକୁ ସେତିକି ସ୍ନେହ ଓ ଆଦର ଦେଇ ସମଗ୍ର ସମାଜ ପାଇଁ ଅମୂଲ୍ୟ କରି ଗଢିତୋଳିବ।
ପେଟ ହଳଦିଆ ଓ ପିଠିପଟ କଳାଧୂସର ରଙ୍ଗ ମିଶା, ଖୁବ୍ ଛୋଟ ଚଢେଇଟିଏ, ଲଗାତର ତିନିବର୍ଷ ଧରି ଅଗଣାରେ ଥିବା ପଣସଗଛର ସବୁଠାରୁ ତଳଡାଳରେ ବସା ବାନ୍ଧେ। ପଣସଗଛରେ କଷି ଧରିବା ଆରମ୍ଭ ହେଲେ ଚଢେଇ ଦିଓଟି ଆସନ୍ତି, କାଠକୁଟା ପ୍ରକୃତି ଆଣି ଘର ବସାନ୍ତି, ଅଣ୍ଡା ଦେଇ ଉଷୁମାନ୍ତି ଓ ଛୁଆ ଫୁଟିଲା ପରେ ପାଳିକରି ବାପା ମା’ଛୁଆକୁ ଜଣେ ଜଗି ରହିଲେ ଆଉ ଜଣେ ଆହାର ଖୋଳି ଯାଏ। ପଣସ ପାଚି ଆସିଲା ବେଳକୁ ଛୁଆଙ୍କ ସହ ବସା ଛାଡି ସେମାନେ ଚାଲିଯାନ୍ତି।
ଖାଲି ବସାଟି ଦେଖି ଖୁବ୍ ମନେପଡ଼ନ୍ତି ପକ୍ଷୀମାନେ। ଭାବେ, ସେମାନେ ସବୁଦିନ ପାଇଁ ଏଇ ବସାଟିରେ ରହିଯାନ୍ତେ ଯଦି କେତେ ଭଲ ହୁଅନ୍ତା। ଛୁଆମାନେ ଏଇଠି ବଡ ହୁଅନ୍ତେ, ଖେଳନ୍ତେ, ବୁଲନ୍ତେ, କିଚିରି ମଚିରି ଶବ୍ଦରେ ଅଗଣାଟା ଫାଟିପଡନ୍ତା। କିନ୍ତୁ ସେପରି ହୁଏ ନାହିଁ। କାରଣ ପ୍ରକୃତି ପାଖରେ ସେମାନେ ନାଚାର। ପ୍ରକୃତିର ନିୟମରେ ବନ୍ଧା ତାଙ୍କ ଜୀବନ।
ଏହି କୁନି ଚଢେଇମାନଙ୍କ ପରି ଅନ୍ୟ ଜୀବଜନ୍ତୁମାନଙ୍କର ମଧ୍ୟ ପ୍ରକୃତିର ନିୟମ ଅନୁସାରେ ଜନ୍ମ, ମୃତ୍ୟୁ ଓ ପ୍ରଜନନ ଆଦି କ୍ରିୟା ସମ୍ପାଦିତ ହୋଇଥାଏ। କେହି ବସନ୍ତ ଋତୁ ଆସିଲା ମାତ୍ରେ ଗହଳିଆ ଆମ୍ବଗଛ ଭିତରେ ବସି କୁହୁତାନ କରିବାରେ ବ୍ୟସ୍ତ ରହେ ତ ଆଉ କିଏ କଳାମେଘ ଦେଖି ପୁଚ୍ଛ ଟେକି ନୃତ୍ୟରତ ହୁଏ। କେହି ପୁଣି କେବଳ ରାତ୍ରିର ଅନ୍ଧକାରରେ ହିଁ ବିଚରଣ କରିବା ପାଇଁ ବାଧ୍ୟ ହୋଇଥାଏ ତ, ଆଉ କିଏ ସିନ୍ଦୂରା ଫାଟିଲା ବେଳକୁ ନିଜେ ଉଠି ସମଗ୍ର ଜୀବଜଗତକୁ ଜାଗ୍ରତ ଅବସ୍ଥାକୁ ଫେରାଇ ଆଣିବା ପାଇଁ ହୋଇପଡିଥାଏ ଆଗଭର।
ଠିକ୍ ସେହିପରି ବୃକ୍ଷଲତାମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ। ଗ୍ରୀଷ୍ମର ପ୍ରକୋପ ପୃଥିବୀବାସୀଙ୍କୁ ଅତିଷ୍ଠ କରି ନ ପକାଉ ବୋଲି ଆମ୍ବ, ପଣସ, ବେଲ, ତରଭୁଜ, ଜାମୁ, କାକୁଡିର ପସରା ପ୍ରକୃତି ମେଲିଦେଇ ମଲ୍ଲୀଫୁଲର ବାସନାରେ ମହକିତ କରୁଥିଲାବେଳେ ଶୀତଋତୁରେ ଆଣିଦିଏ ଗାଜର, କୋବି, ମଟର, ଗେଣ୍ଡୁ, ସେବତୀ ଓ ଡାଲିଆର ସମ୍ଭାର। ତେବେ ନିଜେ ନିଜକୁ ପ୍ରକୃତିର ଶ୍ରେଷ୍ଠଜୀବ କହୁଥିବା ମନୁଷ୍ୟ କିନ୍ତୁ ପ୍ରକୃତିର ନିୟମରେ ଚାଲିବା ପରିବର୍ତ୍ତେ ଏହାର ନିୟମକୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରେ, ଫଳରେ ସନ୍ତୁଳନ ବିଗିଡିଯାଏ।
ହାତୀ, ବାଘ, ଭାଲୁ, ହରିଣ, ସର୍ପ ଓ କୁମ୍ଭୀର ଆଦି ବନ୍ୟଜନ୍ତୁମାନେ ଜନବସତି ଆଡେ ମାଡି ଆସନ୍ତି। କିନ୍ତୁ ଜନବସତିର ଭୌଗୋଳିକ ସ୍ଥିତି ବିଷୟରେ ସେମାନେ ଅଜ୍ଞ ଥିବାରୁ ଅନେକ ଅଘଟଣ ଘଟେ। କେଉଁଠି ସେମାନେ କୂଅରେ ପଡି ମରନ୍ତି ଅବା ମଣିଷ ହାତରେ ଶିକାର ହୁଅନ୍ତି ଏବଂ ଅନେକ ସମୟରେ ମଣିଷକୁ ଶିକାର କରିବାକୁ ମଧ୍ୟ ସେମାନେ ପଶ୍ଚାତପଦ ହୁଅନ୍ତି ନାହିଁ।
ପ୍ରକୃତିର ସ୍ୱାଭାବିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ସତେ ଯେପରି ତା’ର ଜନ୍ମସିଦ୍ଧ ଅଧିକାର ସାଜିଛି। ସେଥିପାଇଁ ବର୍ଷକ ବାରମାସ ଯାକ ଆମ ପାଖରେ ସମସ୍ତ ପ୍ରକାରର ଫୁଲ ଓ ଫଳ ଉପଲବ୍ଧ ହେଉଛି। ହେଲେ ସେଥିରେ ନାହିଁ ସେମାନଙ୍କର ସ୍ୱାଭାବିକ ସ୍ୱାଦ ଓ ଗନ୍ଧ। ଅଧିକନ୍ତୁ ତାହା ଅନେକ ରୋଗର ବାହକ ସାଜୁଛି। ଜମିରୁ ବେଶି ଫସଲ ପାଇବା ପାଇଁ ଏପରି ରାସାୟନିକ ସବୁ ପ୍ରୟୋଗ କରାଯାଉଛି ଯେ, ଥରେ ଫସଲ ଅମଳ ହୋଇସାରିଲା ପରେ ମୃତ୍ତିକା ମୃତବତ୍ ପଡି ରହୁଛି।
ଜୀବଜନ୍ତୁମାନଙ୍କଠାରୁ ସେମାନଙ୍କ ଖାଦ୍ୟ ଓ ବାସସ୍ଥାନ ଛଡେଇ ଆଣିଲା ପରେ ମଧ୍ୟ ଆମେ ଶାନ୍ତି ପାଉନୁ। ସେମାନଙ୍କ ଦାନ୍ତ, ହାଡ, ଚମଡା ଓ ଶିଙ୍ଗ ଆଦିର ଲୋଭରେ ଇଲେକ୍ଟ୍ରିତାର ବିଛେଇ ଅବା ଖାଦ୍ୟରେ ବିଷ ଦେଇ ତାଙ୍କ ପାଇଁ ମୃତ୍ୟୁଦୂତ ସାଜୁଛୁ। ଇଞ୍ଜେକ୍ସନଟିଏ ଦେଇ ଦେଲେ ଗାଈ ଅଧିକ କ୍ଷୀର ପ୍ରଦାନ କରୁଛି। ଗଛରେ ଅଧିକ ଫଳ ଫଳୁଛି। ଏପରିକି ଛୋଟ ଝିଅଟିର ଦେହରେ ଯୁବତୀ ସୁଲଭ ଅଙ୍ଗ ସୌଷ୍ଠବ ଫୁଟିଉଠୁଛି। କିନ୍ତୁ ଖୁବ୍ ଅଳ୍ପଦିନ ଭିତରେ ଉକ୍ତ ଗାଈ, ଗଛ ଅବା ଝିଅଟି ଅକାଳରେ ଯେ ମୃତ୍ୟୁବରଣ କରୁଛି ସେ ଆଡକୁ ବା ନିଘା କରୁଛି କିଏ ?
ମାଟି, ପାଣି, ପବନ ବା ଗୋଟିଏ ଶବ୍ଦରେ କହିଲେ ସମଗ୍ର ପରିବେଶ ଆଜି ଏପରି ଦୂଷିତ ଯେ, ପ୍ରାୟ ପ୍ରତିଦିନ କିଛି ନା କିଛି ନୂଆ ରୋଗ ଚିହ୍ନଟ ହେବାରେ ଲାଗିଛି। କେତୋଟି ରୋଗରେ ନିଦାନ ମିଳୁଛି ଓ ଆଉ କେତେକରୁ ମୃତ୍ୟୁରେ ହିଁ ମୁକ୍ତି ମିଳୁଛି। ମନୁଷ୍ୟର ଅତ୍ୟାଚାରରେ ପ୍ରକୃତି ଆଜି ଅତିଷ୍ଠ। ନିଜ ପ୍ରତିକ୍ରିୟାସ୍ୱରୂପ ସୁନାମି, ବାତ୍ୟା, ବନ୍ୟା ଓ ଭୂମିକମ୍ପ କରି ସେ ଚେତେଇ ଦେଉଛି ଯେ, ନିଜକୁ କରିତକର୍ମା ବୋଲାଉଥିବା ମନୁଷ୍ୟ ପ୍ରକୃତି ଆଗରେ କେତେ ତୁଚ୍ଛ ସତେ। କିନ୍ତୁ ଚେଇଁ ଶୋଇଥିବ ଯିଏ, ତାଙ୍କୁ ଉଠେଇବ କିଏ? ପ୍ରକୃତିର ସୃଷ୍ଟ ଏ ଶରୀରକୁ ଆମେ ଜୋରଜବରଦସ୍ତି ତା’ ବିପକ୍ଷରେ ପରିଚାଳନା କରିବାରେ ଲାଗିପଡିଛେ।
ଅଳ୍ପ କେତୋଟି ରାତ୍ରିଚର ଜୀବଙ୍କୁ ଛାଡିଦେଲେ ବାକି ସମସ୍ତ ଜୀବ ଦିନରେ ଆହାର, ବିହାର କରି ରାତ୍ରିରେ ବିଶ୍ରାମ ନିଅନ୍ତି। ସେହିପରି ଡାକ୍ତର, ପୋଲିସ ଓ କେତେଜଣ ରେଳବାଇ କର୍ମଚାରୀଙ୍କ ପରି କିଛି ବ୍ୟକ୍ତିଙ୍କୁ ବାଧ୍ୟବାଧକତାରେ ରାତିରେ ଚେଇଁ ରହିବାକୁ ହୋଇଥାଏ। କିନ୍ତୁ ବର୍ତ୍ତମାନ ନିଜକୁ ସଭ୍ୟ, ଶିକ୍ଷିତ ଓ ଆଧୁନିକ ବୋଲାଉଥିବା ଅନେକ ବ୍ୟକ୍ତି ମୋବାଇଲ୍, ଫେସବୁକ୍ ଓ ଟିଭିର ଝିଲିମିଲିଆ ପରଦାକୁ ଚାହିଁଚାହିଁ ରାତି ବିତେଇ ପ୍ରଭାତରେ ନିଦ୍ରା ଯାଉଛନ୍ତି।
ଆମ ଖାଦ୍ୟପେୟରେ ଯେଉଁ ଅନିୟମିତତା ଦେଖାଦେଇଛି ତା’ ନ କହିବା ଭଲ। ଏପରି ଅନେକ ଲୋକଙ୍କୁ ଭେଟିଛି, ଯିଏ ଗରିଷ୍ଠ ଖାଦ୍ୟ ଖାଇଲେ ଏସିଡିଟି ହେବା ଭୟରେ ପ୍ରଥମେ ଦୁଇଟି ବଟିକା ଗିଳି ତା’ପରେ ଏହି ଖାଦ୍ୟ ଉଦରସ୍ଥ କରନ୍ତି। କେତେକେ ମୁହଁ ବାଟେ ଏପରି ଭକଭକ୍ ଧୂଆଁ ଛାଡନ୍ତି ଯେ, ଦେଖି ଜାଣିବା ମୁସ୍କିଲ ହୁଏ ଯେ, ଏମାନେ ମଣିଷ ନା ମେଶିନ। ଇନ୍ଦ୍ରିୟ ଲାଳସା ଏପରି ଆମକୁ ବଶକରିଛି ଯେ, ଭଲମନ୍ଦର ବିଚାର ଆଉ ଆମ ପାଖରେ ନାହିଁ। ଏହି ଇନ୍ଦ୍ରିୟମାନଙ୍କୁ ତୁଷ୍ଟ କରିବାକୁ ଯାଇ ଆମେ ଅସମୟରେ ଶାରୀରିକ ଓ ମାନସିକ ରୂପେ ରୁଗ୍ଣ ହୋଇ ସମାଜ ପାଇଁ ଅକାମୀ ହୋଇ ପଡୁଛେ।
ବିଜ୍ଞାନ ଆମ କାର୍ଯ୍ୟକୁ ଯେତିକି ସହଜ ଓ କ୍ଷିପ୍ରତର କରିଦେଇଛି ଆମକୁ ସେତିକି ଶ୍ରମବିମୁଖ, ବ୍ୟାଧିଗ୍ରସ୍ତ ଓ ପ୍ରକୃତି ବିପକ୍ଷରେ ନେଇଚାଲିଛି। ଫଳରେ ଆଜି ଜନ୍ମହେଲା ଶିଶୁ ମା’ ପେଟରୁ ହିଁ ଅସୁସ୍ଥ ହୋଇ ଧରାପୃଷ୍ଠକୁ ଆସୁଛି। ଏସବୁକୁ ଗଭୀର ଅନୁଧ୍ୟାନ କରି ମୁନିଋଷିମାନେ ପ୍ରାରମ୍ଭରୁ ହିଁ ପ୍ରକୃତିର ଉପାସନା ପାଇଁ ଅନେକ ନୀତିନିୟମ ପ୍ରଣୟନ କରିଛନ୍ତି। ସେ ସମସ୍ତ ପାଳନ କରିବା ଆମ ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରେ କଷ୍ଟକର। ମାତ୍ର ଆମେ ଆମ ଜୀବନଚର୍ଯ୍ୟାରେ ଯେତିକି ମାତ୍ରାରେ ପ୍ରକୃତିର ନିକଟତର ହେବା, ପ୍ରକୃତି ତା’ର ସନ୍ତାନକୁ ସେତିକି ସ୍ନେହ ଓ ଆଦର ଦେଇ ସମଗ୍ର ସମାଜ ପାଇଁ ଅମୂଲ୍ୟ କରି ଗଢିତୋଳିବ। ପ୍ରକୃତିର କୋଳରେ ପ୍ରକୃତିର ସନ୍ତାନ ନୀରୋଗ, ଦୀର୍ଘ ଓ ସନ୍ତୋଷମୟ ଜୀବନ ବିତାଉ ଏହା ହିଁ କାମନା।
(ସୌଜନ୍ୟ – ଭିନ୍ନ ମଣିଷ)














