ଛନ୍ଦା ମିଶ୍ର

କେବଳ ବୟସର ଦ୍ୱାହି ଦେଇ ଆପଣ ସମୟର ଆହ୍ୱାନକୁ ଟାଳି ଦିଅନ୍ତୁ ନାହିଁ। ବୟସ ଯେତେ ବି ହୋଇଥାଉ, କୌଣସି ସକାରାତ୍ମକ କାର୍ଯ୍ୟ କରିବାକୁ ମନରେ ଇଚ୍ଛାଟିଏ ଯଦି ଉଙ୍କି ମାରୁଛି ତେବେ ଅଣ୍ଟାଭିଡି  ଲାଗିପଡନ୍ତୁ।

ଆପଣଙ୍କ ବୟସ କେତେ? ଏକଥା ପଚାରି ଦେଲେ ଅନେକ ଚାହିଁକି ଉଠନ୍ତି। କାରଣ, ଆମେ ଆମ ବୟସକୁ ନେଇ ଖୁବ୍ ସଚେତନ। ଚୁଟି କଳାକରି ମୁହଁରେ ରଙ୍ଗମାଖି ଆମେ ନିଜ ଯୈାବନକୁ ଧରି ରଖିବା ପାଇଁ ସତତ ଚେଷ୍ଟିତ। ପୁଣି କେହି ଚନ୍ଦାମୁଣ୍ଡରେ ୱିଗ୍ ଲଗାଇ କେହି ବା ନକଲି ଦାନ୍ତ ଲଗାଇ ନିଜ ସୌନ୍ଦର୍ଯ୍ୟ ବଜାୟ ରଖିବାକୁ କରୁଛନ୍ତି ଆପ୍ରାଣ ଉଦ୍ୟମ। ତେଣୁ ବର୍ତ୍ତମାନ ସୌନ୍ଦର୍ଯ୍ୟ ବ୍ୟବସାୟ ସବୁଠାରୁ ଶୀର୍ଷରେ ଅଛି।

ଟିଭି ପରଦାରେ ପ୍ରସାଧନ ସାମଗ୍ରୀଗୁଡିକର ଭିଡରେ ଆମେ ଅଣନିଃଶ୍ୱାସୀ ହୋଇପଡୁଛେ। କିନ୍ତୁ ପ୍ରକୃତ କଥା ହେଉଛି ସୁନ୍ଦର ତଥା ସ୍ମାର୍ଟ ଦିଶିଲେ ଆତ୍ମବିଶ୍ୱାସ ବଢେ। ନିଜେ ସଫାସୁତୁରା ରହିବା ସହିତ ନିଜ ବେଶପୋଷାକ ପ୍ରତି ଯତ୍ନଶୀଳ ହେବା ଓ ସ୍ଥାନ ତଥା କାଳ ଅନୁଯାୟୀ ନିଜକୁ ଉପସ୍ଥାପିତ କରାଇବା ଏକ ସୁନ୍ଦର କଳା। ଯେଉଁ ସ୍ଥାନରେ ଏହି କଳାରେ ନିପୁଣତା ନ ଥାଏ ଆମେ ହାସ୍ୟାସ୍ପଦ ହେଉ।

କୁହାଯାଏ, ପୁରୁଷ ଲୋକଙ୍କୁ ସେମାନଙ୍କ ରୋଜଗାର ଓ ସ୍ତ୍ରୀ ଲୋକଙ୍କୁ ସେମାନଙ୍କର ବୟସ ପଚାରିବା ଅଶାଳୀନ। ମାତ୍ର ବର୍ତ୍ତମାନ ତାହା ଉଭୟ ଲିଙ୍ଗ ପାଇଁ ପ୍ରଯୁଜ୍ୟ। ତେବେ, ଆମ ଦେଶରେ ଖୁବ୍ ଗୋଟାଏ ଅଖାଡୁଆ କଥା ଦେଖିବାକୁ ମିଳେ। କେଉଁ କାର୍ଯ୍ୟ ପାଇଁ କେତେ ବୟସ ହେବା ଉଚିତ୍, ସେହି ନିୟମକୁ ଦେଖିଲେ ଖୁବ୍ ହାସ୍ୟାସ୍ପଦ ମନେହୁଏ।

ମତଦାନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଜଣେ ଭୋଟର ଅଠର ବର୍ଷ ବୟସରେ ମାନସିକଭାବେ ପରିପକ୍ୱ ହୋଇଯାଉ ଥିଲାବେଳେ, ବିବାହ ପାଇଁ ସେ ଆବଶ୍ୟକ କରେ ଏକୋଇଶ ବର୍ଷ ବୟସ। ସରକାରୀ ଚାକିରି ଖଣ୍ଡିଏ ପାଇଁ ବତିଶ ବର୍ଷ ପର୍ଯ୍ୟନ୍ତ ବୟସକୁ ଯୋଗ୍ୟତା ବୋଲି ଧରି ନିଆଯାଇଥିଲାବେଳେ ଅବସର ପାଇଁ ଅଠାବନ/ଷାଠିଏ ବର୍ଷ ଧାର୍ଯ୍ୟ କରାଯାଇଛି। କିନ୍ତୁ ଆମକୁ ଶାସନ କରୁଥିବା ଓ ଆମ ପାଇଁ ନୀତି ନିର୍ଦ୍ଧାରଣ କରୁଥିବା ରାଜନେତାମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ। ସେମାନେ ଆମ ପାଇଁ ଆଇନ ତିଆରିବେ, ତାଙ୍କ ପାଇଁ ବି ସେମାନେ ପ୍ରଣୟନ କରିବେ।

ସରକାରୀ ଚାକିରିଟିଏ ପାଇଁ ଷାଠିଏ ବର୍ଷ ବୟସକୁ ଲକ୍ଷ୍ମଣରେଖା ହିସାବରେ ଧରାଯାଏ କାରଣ ପ୍ରାୟ ଷାଠିଏ ବର୍ଷ ପରେ ଧୀରେଧୀରେ ଆମେ ପଞ୍ଚେନ୍ଦ୍ରିୟଙ୍କ ସହିତ ମାଂସପେଶୀ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତା ଶିଥିଳ ହେବାରେ ଲାଗେ। ମାତ୍ର କେଉଁ ଔଷଧ ଓ ମଲମ ବଳରେ ଏ ରାଜନେତାମାନେ ଷାଠିଏ ପରେ ବେଶି କାର୍ଯ୍ୟକ୍ଷମ ହୁଅନ୍ତି? ତା’ କେବଳ ତାଙ୍କୁ ହିଁ ଜଣା। କେହି ଅଶୀ, ପଞ୍ଚାଅଶୀ ବା ନବେ ବର୍ଷ ପର୍ଯ୍ୟନ୍ତ ଗାଦି ଉପରେ ଯେ ଚକାପାରି ବସିରହନ୍ତି, ତା’ର ଉଦାହରଣ ଦେବା ଅନାବଶ୍ୟକ। ଯେଉଁ ବୟସରେ ଶରୀରଟା ସମ୍ଭାଳିବା କଷ୍ଟକର ହୋଇଯାଏ ସେ ବୟସରେ ପୂରା ଦେଶଟାକୁ ସମ୍ଭାଳି ପାରିବା ନିଶ୍ଚିତ ରୂପେ ଏକ ବାହାଦୁରି ଓ ପ୍ରଶଂସନୀୟ କାର୍ଯ୍ୟ, ଏହା ନିଃସନ୍ଦେହ।

ପୁଣି ଏବେ ଥୋକେ ହୋହଲ୍ଲା କରୁଛନ୍ତି ଅବସର ବୟସର ସୀମା ବଢାଇ ଦିଆଯାଉ କହି। ଆଉ ଅନେକ, ଗୋଟିଏ ଚାକିରିରୁ ଅବସର ନେଇ ଆଉ ଗୋଟିଏ ଚାକିରିରେ ଯୋଗଦାନ କରୁଛନ୍ତି। ଯେଉଁଠି ଆର୍ଥିକ ପରିସ୍ଥିତି ଦୁଃସ୍ଥ, ଏହା ତ ଜରୁରୀ ହୋଇପଡେ। ମାତ୍ର ପ୍ରାୟ କ୍ଷେତ୍ରରେ ଉତ୍ତର ମିଳେ ଆମର ପଇସା କ’ଣ ହେବ, କେବଳ ଘରେ ବସିରହିଲେ ବାର୍ଦ୍ଧକ୍ୟ ମାଡି ବସିବ ବୋଲି ନିଜକୁ ଏନଗେଜ୍ ରଖିବା କଥା। ତେବେ ବୟସ ମାଡି ନ ବସେ ବା କେଉଁଠି? ଆମେ ଚାହୁଁ ବା ନ ଚାହୁଁ ବୟସ ଯେ ତା’କାରନାମା ଦେଖାଇଚାଲେ ଏହା କିଏ ବା ଅସ୍ୱୀକାର କରିବ ?

ବିଦ୍ୟାଗ୍ରହଣ ଓ ଜୀବିକା ନିର୍ବାହ ପାଇଁ ଲହୁଲୁହାଣ ହୋଇ ଧାଁ ଧପଡ କଲାପରେ ଆମେ ବାହାହୋଇ ସଂସାର ସମ୍ଭାଳିଲୁ। ପିଲାଛୁଆଙ୍କୁ ମଣିଷ କରି ହାତକୁ ଦି’ହାତ କଲାପରେ ଏବେ ଯେଉଁ ସମୟ ଟିକକ ମିଳିଛି, ସେଥିରେ ଜୀବନସାରା କରିବାକୁ ଚାହୁଁଥିବା କିନ୍ତୁ କରିପାରି ନ ଥିବା ସଉକଗୁଡିକୁ ଆପଣେଇନେଲେ, ଶରୀର ବୃଦ୍ଧ ହୋଇଯାଉଥିବା ସତ୍ତ୍ୱେ ମନରେ ଯୌବନର ଢେଉ ମୁଣ୍ଡପିଟି ଜୀବନର ପ୍ରକୃତ ସ୍ୱାଦ ଚଖାଇଦେବ। ତେଣୁ ଅବସର ଗ୍ରହଣ ପରେ ବର୍ତ୍ତମାନ କିଏ ଚିତ୍ର କରିବାକୁ ତୂଳୀଟିଏ ଧରିଲାଣି ତ ଆଉ କେହି କାଗଜ କଲମ ଧରି ନିଜ ଭାବନାକୁ ରୂପ ଦେବାର ଚେଷ୍ଟା ଚଳାଇଛି। କିଏ ସତୁରି ବର୍ଷ ବୟସରେ ସ୍ନାତକଟିଏ ହେବା ପାଇଁ ଅଣ୍ଟା ଭିଡିଲାଣି ତ ଆଉ କେଉଁଠି କେହି ବାଇକଟିଏ ଧରି ଦେଶର କୋଣ ଅନୁକୋଣରେ ଶାନ୍ତିବାର୍ତ୍ତା ପହଞ୍ଚାଇଲାଣି।

କୁହାଯାଏ, ଶରୀର ନୁହେଁ ବରଂ ମନରୁ ହିଁ ପ୍ରକୃତ ବୟସ କଳନା କରାଯିବା ଉଚିତ୍। ତେବେ ସୁଧୀଜନେ, ଯଦି ଆପଣ ବିଶ୍ୱାସ କରୁଥିବେ ଯେ – ଯାହା ନ ହୋଇଛି ବାଳକାଳେ, ତା’କି ହେବ ପାଚିଲା ବାଳେ’ – ତେବେ ଆପଣ ନିଜ ବିଚାରଧାରା ବଦଳାନ୍ତୁ। କେବଳ ଅଳ୍ପ କେତୋଟି ଶାରୀରିକ କ୍ରିୟାକଳାପକୁ ଛାଡିଦେଲେ ଏପରି କୌଣସି ସକାରାତ୍ମକ କାର୍ଯ୍ୟ ନାହିଁ, ଯେଉଁଥିପାଇଁ ବୟସ ଏକ ପ୍ରତିବନ୍ଧକ ହୋଇ ଛିଡ଼ାହେବ। ବରଂ ସମୟର ଏହି ସଦୁପଯୋଗ ଦ୍ୱାରା ଜୀବନର ଅବଶିଷ୍ଟ ସମୟ ଯେ ଉଲ୍ଲାସମୟ ହେବ ଏହା ନିଶ୍ଚିତ।

ଅନେକ ବ୍ୟକ୍ତି ବୟସ ଅନୁପାତରେ କାର୍ଯ୍ୟର ବିଭାଗୀକରଣ କରିଥାନ୍ତି। କେହି କହେ – ଆମର ବୟସ ହୋଇନି ଧର୍ମଚର୍ଚ୍ଚା ପାଇଁ ତ ଆଉ କେହି କହେ ବର୍ତ୍ତମାନ କ’ଣ କୌତୁକ କରିବା ପାଇଁ ଆଉ ବୟସ ଅଛି। କିନ୍ତୁ ଏ ଦୁଇଟି ଯାକ ଚିନ୍ତାଧାରା ଅମୂଳକ। ବର୍ତ୍ତମାନ ଅଠର ବର୍ଷରୁ ପଇଁତିରିଶ ବର୍ଷ ପର୍ଯ୍ୟନ୍ତ ବୟସକୁ ଯୁବାବସ୍ଥା ବୋଲି କୁହାଯାଉଛି। ଏହା ଜୀବନର ସବୁଠାରୁ ମୂଲ୍ୟବାନ ସମୟ କାରଣ ଏହି ସମୟର ସଦୁପଯୋଗରେ ହିଁ ଜୀବନର ସାଫଲ୍ୟ ନିର୍ଭର କରେ। କିନ୍ତୁ କ୍ଷୋଭର ବିଷୟ ଯେ, ବର୍ତ୍ତମାନ ଯୁବାବସ୍ଥା ଦେଇ ଗତି କରୁଥିବା ଅଧିକାଂଶ ଯୁବକଙ୍କ ପାଇଁ ଜୀବନଟା ଏକ ଜୁଆ ପାଲଟିଛି।

ଦେହରେ ମୁହଁରେ ଚିତା କୁଟାଇ, କାନରେ ହେଡଫୋନ୍ ଗୁଞ୍ଜି, ନିଶାରେ ଚୂର ହୋଇ ବାଇକରେ ଉଡି ଯୌବନଟା କାଟି ସାରିଲା ପରେ ଆଗକୁ ଅନାଇଲା ବେଳକୁ କେବଳ ହତାଶା ଓ ନିରାଶା। ଏହା ସେହି ବୟସ ଯେଉଁଥିରେ ସ୍ୱାମୀ ବିବେକାନନ୍ଦ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସମଗ୍ର ବିଶ୍ୱକୁ ଆଧ୍ୟାତ୍ମିକତାର ଆଲୋକରେ ଆଲୋକିତ କରିଥିଲେ। ଏହି ବୟସରେ ହିଁ ମହାବୀର ଆଲେକଜାଣ୍ଡାର ବିଶ୍ୱବିଜୟୀ ହୋଇପାରିଥିଲେ।

ଏକଥା ମଧ୍ୟ ଦେଖାଯାଇଛି ଯେ, ଖୁବ୍ କମ୍ ବୟସରେ ପିଲାଟିଏ ବଡ କଥାମାନ କହୁଛି। ଆମେ ପ୍ରଥମେ ତାଠାରୁ ନିଜକୁ ବୁଦ୍ଧିମାନ ମନେକରି ତା’କଥା ଅଗ୍ରାହ୍ୟ କରିଥିଲାବେଳେ ପରେ କଥାର ଗୁରୁତ୍ୱ ଓ ମହତ୍ତ୍ୱ ବୁଝି ମାନିନେବାକୁ ବାଧ୍ୟ ହେଉ। ଅପରପକ୍ଷରେ ଅନେକ ବୟସ୍କ, ବିଚାରବନ୍ତ ତଥା ବୁଦ୍ଧିଦୀପ୍ତ ମନୁଷ୍ୟ ପଶୁଠାରୁ ହୀନ ଅଚରଣ କରିଥାଆନ୍ତି।

ତେଣୁ କେବଳ ବୟସର ଦ୍ୱାହି ଦେଇ ଆପଣ ସମୟର ଆହ୍ୱାନକୁ ଟାଳି ଦିଅନ୍ତୁ ନାହିଁ। ବୟସ ଯେତେ ବି ହୋଇଥାଉ, କୌଣସି ସକାରାତ୍ମକ କାର୍ଯ୍ୟ କରିବାକୁ ମନରେ ଇଚ୍ଛାଟିଏ ଯଦି ଉଙ୍କି ମାରୁଛି ତେବେ ଅଣ୍ଟାଭିଡି  ଲାଗିପଡନ୍ତୁ। ଧର୍ମଚର୍ଚ୍ଚା ହେଉ, ଅବା ହେଉ ସମାଜସେବା କିମ୍ବା ନିଜ ପାଇଁ ସ୍ୱଚ୍ଛ ମନୋରଞ୍ଜନ। ଏହା ବୟସ ନିର୍ବିଶେଷରେ ଆମ ମନ, ମସ୍ତିଷ୍କ ଓ ଶରୀର ପାଇଁ ଅତ୍ୟନ୍ତ ଲାଭପ୍ରଦ ଓ ଉତ୍ତରୋତ୍ତର ଉନ୍ନତିର ମୂଳମନ୍ତ୍ର।

(ସୌଜନ୍ୟ – ଭିନ୍ନ ମଣିଷ)

Comment