ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଲା ଚୋର ଗୁଜବକୁ ନେଇ ଖେଳୁଛି ଆତଙ୍କ। ଏନେଇ ପୋଲିସ ପକ୍ଷରୁ ସଚେତନତା କରାଯାଉଛି। ଗାଁ ଗାଁରେ ପ୍ରଚାର କରାଯାଉଛି। ହେଲେ ଗୁଜବ କମୁନି। ପିଲା ଚୋର ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ଅଜଣା ଲୋକକୁ ଲୋକେ ପିଟି ପିଟି ମାରିଦେଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ମତା ଜଙ୍ଗଲରେ ଅଜଣା ଲୋକ ବୁଲୁଥିବା ନେଇ ରାମଚନ୍ଦ୍ରପୁର ଗାଁ ଲୋକେ ଶୁଣିବାକୁ ପାଇଥିଲେ। ସେମାନେ ପିଲା ଚୋର ହୋଇଥାଇ ପାରନ୍ତି ବୋଲି ଗାଁ ଲୋକେ ସନ୍ଦେହ କରିଥିଲେ। ଜଙ୍ଗଲରେ ଖୋଜାଖୋଜି କରି ଦୁଇ ଜଣଙ୍କୁ ଧରିଥିଲେ। ଜଣେ ଲୋକ ଖସି ଯାଇଥିବା ବେଳେ ଅନ୍ୟ ଜଣେ ଖସିପାରି ନଥିଲା।

ଜଙ୍ଗଲରେ କାହିଁକି ବୁଲୁଥିଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଗାଁ ଲୋକ ନିସ୍ତୁକ ମାଡ଼ ମାରିଥିଲେ। ଗାଁ ଲୋକଙ୍କ ମାଡ଼ାରେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ଗାଁ ପାଖ ପଡ଼ିଆରେ ପକାଇଦେଇ ଲୋକେ ପଳାଇ ଆସିଥିଲେ।

ବାଲେଶ୍ବର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ପିଲା ଚୋର ସନ୍ଦେହରେ ଲୋକ ମାଡ଼ ମାରିଛନ୍ତି। ଗଛରେ ବାନ୍ଧି ତାଙ୍କୁ ଲୋକେ ନିସ୍ତୁକ ପିଟିଥିବା କୁହାଯାଉଛି। ମହିଳା ଜଣକ ମନ୍ଦାରପୁର ଏବଂ ରେମୁଣା ଅଞ୍ଚଳରେ କିଛିଦିନ ହେଲା ବୁଲୁଥିଲେ। ଖବରପାଇ ପୋଲିସ ମହିଳାଙ୍କୁ ଉଦ୍ଧାର କରିଛି।

ପିଲାଚୋର ସନ୍ଦେହରେ ବ୍ରହ୍ମପୁର, ନୟାଗଡ଼, ବାଲେଶ୍ୱର, କଟକ, ବୌଦ୍ଧ ଆଦି ଜିଲ୍ଲାରେ ଅଜଣା ଲୋକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here