ଛନ୍ଦା ମିଶ୍ର

ନିଜର ସ୍ୱାର୍ଥ ଓ ଜିଦ୍କୁ ରକ୍ଷା କରିବାକୁ ଯାଇ ସ୍ୱାମୀଟିକୁ ନିଜ ଅଙ୍ଗୁଳିରେ ନଚାଇ ଅନେକ ପତ୍ନୀ ଯଦିଓ କ୍ଷଣିକ ସୁଖ ଅନୁଭବ କରନ୍ତି, ମାତ୍ର ପରବର୍ତ୍ତୀ କାଳରେ ତାହା ତା’ ନିଜ ପରିବାର ପାଇଁ ହିଁ ବୁମେରାଙ୍ଗ ହୁଏ।
କୌଣସି ଏକ କାରଣରୁ ପିତା ଓ ପୁତ୍ରଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା। ପିତାଙ୍କ କଟୁକ୍ତି ପୁତ୍ର ମନରେ ଖୁବ୍ ଆଘାତ ଦେଲା। ନିଶାର୍ଦ୍ଧରେ ପୁତ୍ର, ନିଜ ପତ୍ନୀଙ୍କୁ ଶୁଣାଇଲେ ଚରମବାଣୀ – କାଲି ସକାଳୁ ଆମେ ଏ ଘର ଛାଡି ଚାଲିଯିବା। ଯେଉଁ ଘରେ ମୋ କଥାର କୌଣସି ମହତ୍ତ୍ୱ ନାହିଁ, ସେ ଘରେ ଆମର ରହିବା ଅନାବଶ୍ୟକ। ପତ୍ନୀ ବୁଝାଇଲେ, ବାପା ବୁଢାଲୋକ, କ’ଣ ଦି’ପଦ କହିଦେଲେ ଯେ ତାଙ୍କ କଥା ଧରିବସିଛ। ସେ ଆମକୁ କହିବେନି ତ କାହାକୁ କହିବେ। ବାସ୍, ପୁତ୍ରଙ୍କ କ୍ରୋଧ ହେଲା ଶାନ୍ତି।
ଦୁଇ ତିନିଦିନ ପରେ ପିତା ଓ ପୁତ୍ର ପୁନଶ୍ଚ ଖୁସି ଗପରେ ମସଗୁଲ ହୋଇଗଲେ। ସମସ୍ୟାଟିର ଏକ ସୁନ୍ଦର ସମାଧାନ ହୋଇଗଲା। ହେଲେ ଠିକ୍ ତା’ର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଲା ଅନ୍ୟ ଏକ ପରିବାରରେ। ପୁତ୍ର ଅଫିସ କାର୍ଯ୍ୟ ସାରି ଘରେ ପାଦଦେବା ମାତ୍ରେ, ପତ୍ନୀ ଆରମ୍ଭ କରିଦିଅନ୍ତି ଦିନସାରାର ବିବରଣୀ – ଶାଶୁ, ଶ୍ୱଶୁର, ଦିଅର ଓ ନଣନ୍ଦଙ୍କ ବିଷୟରେ। ଅଳ୍ପ କିଛି ସତ୍ୟ ସହିତ ଅନେକ ମିଥ୍ୟା ଓ ଅତିରଞ୍ଜିତ କଥାଗୁଡିକୁ ଶୁଣି ପୁତ୍ରର ମନ ହୁଏ ଭାରାକ୍ରାନ୍ତ।
କିଛିଦିନ ଏପରି ଶୁଣିଲା ପରେ ପୁତ୍ର ଏହାର ସମାଧାନ ପାଇଁ ଚେଷ୍ଟା କଲାବେଳେ ହେଲା ବାକ୍ୟୁଦ୍ଧ ଓ ଶେଷରେ ପୁତ୍ର ଓ ପୁତ୍ରବଧୂ ବୃଦ୍ଧ ଶାଶୁ-ଶ୍ୱଶୁରଙ୍କୁ ଛାଡି ସେହି ସହରରେ ଅଲଗା ହୋଇ ରହିବା ପାଇଁ ଘରଭଡା ନେଲେ। ଏହି ଦୁଇଟିଯାକ ଦୃଶ୍ୟ, ଉଣା ଅଧିକେ ସମସ୍ତ ପଠକଙ୍କ ଦୃଷ୍ଟିଗୋଚର ହୋଇଥିବ। ତେବେ, ଟିକେ ଭିତରକୁ ଯାଇ ଚିନ୍ତାକଲେ, ଏ କ୍ଷେତ୍ରରେ ସ୍ତ୍ରୀଙ୍କ ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହା ଜଣାପଡେ ନାହିଁ କି ?
ରାଜା ଆକବରଙ୍କ ଦରବାର। ଅଜବ ରାଜାଙ୍କ ଗଜବ ଖିଆଲ। ହଠାତ୍ ମସ୍ତିଷ୍କରେ ଏକ ପ୍ରଶ୍ନ ଖେଳିଗଲା। “ବ୍ୟକ୍ତି ସବୁଠାରୁ ବେଶି ଡରେ କାହାକୁ”।
ଦରବାରରେ ଉପସ୍ଥିତ ସମସ୍ତ ଅମାତ୍ୟଙ୍କ ମଧ୍ୟରୁ କେତେଜଣ ଉତ୍ତରରେ ଈଶ୍ୱରଙ୍କ ନାମ ନେଲା ବେଳେ, ଆଉ କେତେକ ଖୋଦ୍ ରାଜାଙ୍କ ନାମ ନେଲେ। ଶେଷରେ ମୁରୁକିହସା ମାରୁଥିବା ବୀରବଲ୍ ଦେଲେ ଜବାବ। କହିଲେ – ମହାରାଜ, ବ୍ୟକ୍ତି ତା’ଜୀବନରେ ସବୁଠାରୁ ବେଶି ଡରେ ତା’ପତ୍ନୀକୁ। ହେଲେ ରାଜା, ଏହି ଉତ୍ତରଟିକୁ ବିଶ୍ୱାସ କରିବା ପାଇଁ ଆବଶ୍ୟକ କଲେ ଉଚିତ୍ ପ୍ରମାଣ।
ପରଦିନ, ରାଜ୍ୟର ଜନସାଧାରଣଙ୍କୁ ରାଜଦରବାରକୁ ଆମନ୍ତ୍ରଣ କରି ପ୍ରଶ୍ନଟିକୁ ଉତ୍ଥାପନ କରାଗଲା, କୁହାଗଲା, ଯେଉଁ ବ୍ୟକ୍ତି ନିଜ ପତ୍ନୀଙ୍କୁ ସବୁଠାରୁ ବେଶି ଡରନ୍ତି, ସେମାନେ ଗୋଟିଏ ପାଖ ହୋଇଯାନ୍ତୁ। ଜଣେ ବ୍ୟକ୍ତିଙ୍କୁ ଛାଡି ବାକି ସମସ୍ତେ ସଭାସ୍ଥଳୀର ଗୋଟିଏ ପାର୍ଶ୍ୱକୁ ଆଡ ହୋଇଗଲେ। ଏହା ଦେଖି ଆକବର ବୀରବଲଙ୍କୁ ହରାଇ ପାରିଥିବାରୁ ଆନନ୍ଦରେ ଆନନ୍ଦିତ ହୋଇଥିଲା ବେଳେ ବୀରବଲ୍ ଯାଇ ଉକ୍ତ ବ୍ୟକ୍ତିଙ୍କୁ ପଚାରିଲେ, “ତୁମେ କ’ଣ ତୁମ ପତ୍ନୀଙ୍କୁ ଡରନାହିଁ”।
ବ୍ୟକ୍ତିଜଣକ ଉତ୍ତର ଦେଲେ, “ନାଇଁନାଇଁ, ମୁଁ ମୋ ପତ୍ନୀଙ୍କୁ ଖୁବ୍ ଡରେ। ତାଙ୍କ କଥାରେ ହିଁ ତ ମୁଁ ଏପରି କଲି। ରାଜସଭାକୁ ଆସୁଛି ଶୁଣି, ସେ ମୋତେ କହୁଥିଲେ ଯେ, ସମସ୍ତେ ଯାହା କହିବେ ବା କରିବେ, ତୁମେ ଠିକ୍ ତା’ର ଓଲଟା କାମଟି କରିବ।”
ପ୍ରକୃତ କ୍ଷେତ୍ରରେ କିନ୍ତୁ, ବ୍ୟକ୍ତି ନିଜ ପତ୍ନୀକୁ ଭୟ କରେନାହିଁ, ବରଂ ତାଙ୍କୁ ଅଶାନ୍ତ କରିବାକୁ ଚାହେଁ ନାହିଁ। କାରଣ ପତ୍ନୀର ମନ ଅଶାନ୍ତ ହେଲେ ସମ୍ପୂର୍ଣ୍ଣ ପରିବାରରେ ଅଶାନ୍ତି ଖେଳିଯାଏ। ଏହା ବ୍ୟକ୍ତିର ବ୍ୟକ୍ତିଗତ ତଥା ସମାଜିକ ବଳୟକୁ କରେ ପ୍ରଭାବିତ।
ବ୍ୟକ୍ତିର ଜୀବନରେ ପରିବାରର ଭୂମିକା ବେଶ୍ ମହତ୍ତ୍ୱପୂର୍ଣ୍ଣ। ମାତାପିତା, ଭଉଣୀଭାଇ, କନ୍ୟାପୁତ୍ର ଓ ସର୍ବୋପରି ସ୍ତ୍ରୀଙ୍କୁ ନେଇ ସେ ଏକ ଆନନ୍ଦମୟ ପାରିବାରିକ ଜୀବନ ନିର୍ବାହ କରିବାକୁ ଚାହେଁ। ସେ ପରିବାରର ପ୍ରତିପୋଷଣର ଦାୟିତ୍ୱ ଗ୍ରହଣ କଲା ବେଳେ ପ୍ରତିପାଳନର ଦାୟିତ୍ୱ ନ୍ୟସ୍ତ ଥାଏ ପତ୍ନୀଟି ଉପରେ। ବ୍ୟକ୍ତିଟି ରୋଜଗାର କରିଆଣି ପତ୍ନୀର ହାତରେ ଧରାଇଦେଲା ପରେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ, ସନ୍ତାନମାନଙ୍କ ବିଦ୍ୟାର୍ଜନ, ଅତିଥି ଅଭ୍ୟାଗତଙ୍କୁ ଉଚିତ୍ ସମ୍ମାନ, ପୂଜାପାର୍ବଣ ଓ ମାଙ୍ଗଳିକ ଅନୁଷ୍ଠାନ ଆଦି ଯାବତୀୟ କାର୍ଯ୍ୟ ସୁଗୃହିଣୀଟିଏ ଅତ୍ୟନ୍ତ ସୁଚାରୁରୂପେ ନିର୍ବାହ କରେ।
ପତି, ପତ୍ନୀ ଉଭୟ ଏକ ପରିବାରର ଦୁଇଟି ସୁଦୃଢ ସ୍ତମ୍ଭ ହୋଇଥିଲା ବେଳେ ପତ୍ନୀଙ୍କର ଗୃହ ପ୍ରତି ବିଶେଷ ଅବଦାନ ଥାଏ। ସ୍ୱାଭାବତଃ ନାରୀଟିଏ ପ୍ରେମମୟୀ, ଧୈର୍ଯ୍ୟବତୀ, ସ୍ନେହଶୀଳା, କରୁଣାମୟୀ ଓ କ୍ଷମାଦାତ୍ରୀ। ଏହି ମହାନ୍ ଗୁଣଗୁଡିକ ସନ୍ତାନମାନଙ୍କୁ ସୁନାଗରିକ କରି ଗଢି ତୋଳିବା ସହିତ ସ୍ୱାମୀଙ୍କୁ କରିଥାଏ ଅନୁରକ୍ତ।
ବିପଥରେ ଯାଇଥିବା ବ୍ୟକ୍ତିଟିକୁ ପତ୍ନୀଟିଏ ନିଜ ବୁଦ୍ଧି ଓ ସହନଶୀଳତା ଗୁଣ ଦ୍ୱାରା ସୁବାଟକୁ ଆଣେ। ସ୍ୱାମୀର ମନ ଜିଣିବାରେ, ପତ୍ନୀଟିଏ ଗଡ ଜିଣିବାର ଆନନ୍ଦ ଅନୁଭବ କରେ। କୁହାଯାଏ, ପତିର ହୃଦୟକୁ ରାସ୍ତା, ତା’ର ପାକସ୍ଥଳୀ ମଧ୍ୟ ଦେଇ ଯାଇଥାଏ। ସ୍ୱାମୀ ନାମକ ବ୍ୟକ୍ତିଟିର ପସନ୍ଦ ଓ ନାପସନ୍ଦ ଉଭୟ ଜଣାଥାଏ କେବଳ ତା’ର ପ୍ରାଣପ୍ରିୟା ପତ୍ନୀକୁ। ପୁରୁଷର ଦୁର୍ବଳତା କେଉଁଠି, ତାହା ଠିକ୍ ଚିହ୍ନେ ତା’ର ପତ୍ନୀ। ଏହା ଜାଣି ପତ୍ନୀଟିଏ ନିଜେ ଚାହୁଁଥିବା କାର୍ଯ୍ୟଟିକୁ ତା’ସ୍ୱାମୀ ଦ୍ୱାରା କରାଇନେବାକୁ ଉଚିତ୍ ମଣେ।
କଥାରେ ଅଛି – ପାଖରେ ଶୁଏ, କାନରେ କହେ, ତା’କଥା କି ଅନ୍ୟଥା ହୁଏ। ତେଣୁ ପତ୍ନୀଟି ଚିନ୍ତାଶୀଳ ହୋଇ ନିର୍ଣ୍ଣୟ କରିବା ଉଚିତ୍ ଯେ, ସେ ନିଜ ନକାରାତ୍ମକ ଚିନ୍ତାଧାରାଟିକୁ ନିଜ ପତି ଦ୍ୱାରା କରାଇନେବାକୁ ଆଗଭର ହେଉନାହିଁ ତ? ନୋହିଲେ ଲୁହ ପୋଛିପୋଛି ଦିନ ସରିବ। ପିଲାଏ ହେବେ ବିପଥଗାମୀ। ଘରେ ସୃଷ୍ଟି ହେବ ଅପ୍ରୀତିକର ବାତାବରଣ। ଘରେ ପାଦଦେବାକୁ ଇଚ୍ଛା କରିବନି ସ୍ୱାମୀଟି। ଘରଠାରୁ ବାହାରେ ସୁଖ ଖୋଜିବାରେ ଲାଗିପଡିବ। ଫଳରେ ପରିବାରଟି ଗଢି ହେବା ଆଗରୁ ଭାଙ୍ଗି ଚୂରମାର ହୋଇଯିବ। ନିଜର ସ୍ୱାର୍ଥ ଓ ଜିଦ୍କୁ ରକ୍ଷା କରିବାକୁ ଯାଇ ସ୍ୱାମୀଟିକୁ ନିଜ ଅଙ୍ଗୁଳିରେ ନଚାଇ ଅନେକ ପତ୍ନୀ ଯଦିଓ କ୍ଷଣିକ ସୁଖ ଅନୁଭବ କରନ୍ତି, ମାତ୍ର ପରବର୍ତ୍ତୀ କାଳରେ ତାହା ତା’ ନିଜ ପରିବାର ପାଇଁ ହିଁ ବୁମେରାଙ୍ଗ ହୁଏ।
(ସୌଜନ୍ୟ – ଭିନ୍ନ ମଣିଷ)














