ଓଡ଼ିଶାଲାଇଭ୍‌ ବ୍ୟୁରୋ

ନକଲି ଆଇଏଏସର କାରନାମା। ନିଜକୁ  ଆଇଏଏସ ଅଧିକାରୀ କହି ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଜଣେ ଯୁବକଙ୍କୁ ଖୁଣ୍ଟା ଥାନା ପୋଲିସ ଗିରଫ କରିଛି।

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ପୋଲିସ ଦ୍ୱାରା ଜଣେ ନକଲି ଆଇଏଏସ ଅଫିସର ଗିରଫ। ଅଭିଯୁକ୍ତଙ୍କ ନାଁ ରଜତ୍‌ ପଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ।

ଯୁବକ ଜଣକ ନିଜକୁ ଆଇଏଏସ ଅଧିକାରୀ କହି ୧୫ ଦିନ ତଳେ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ। ସେ ଲିଙ୍ଗରାଜ ପଣ୍ଡା ନାଁରେ ପରିଚୟ ଦେଇ ଉଦଳା ତାରିଣୀ ମନ୍ଦିରରେ ମେ ୨୦ ତାରିଖରେ ବିବାହ କରିଥିଲେ। ନିଜକୁ ମାଲକାନଗିରିର ଉପଜିଲ୍ଲାପାଳ କହି ମୟୁରଭଞ୍ଜ ଦାମୋଦରପୁରରେ ସେ ବିବାହ କରିଥିଲେ। ବିବାହ ପରଠାରୁ ଶ୍ୱଶୁର ଘରେ ରହିବା ଫଳରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା।

ଏନେଇ ପୋଲିସ ଖୋଳତାଡ ପରେ ଅଭିଯୁକ୍ତକୁ ଦାମୋଦରପୁର ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ପୂର୍ବରୁ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଦେଢ଼ ବର୍ଷ ପର୍ଯ୍ୟନ୍ତ ଝାରପଡ଼ା ଜେଲରେ ଥିବା ଜଣାପଡ଼ିଛି।

କେବଳ ଯେ ଏହି ଆଶାକର୍ମୀଙ୍କୁ ନୁହେଁ ବରଂ ସେ ନିଜକୁ ଆଇଏଏସ  ଅଧିକାରୀ କହି ଏକାଧିକ ଥର ବାହା ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ସେ ଚାକିରି କରାଇ ଦେବା ନାଁରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ମାଲକାନାଗିରି ସବ୍‌କଲେକ୍ଟରଙ୍କ ନାଁରେ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିଲା।

Comment