ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦାବି ନେଇ ଆଜି ରାଜ୍ୟବ୍ୟାପି ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘର ଦିନିକିଆ ଧର୍ମଘଟ। ଅଟୋ, ଟ୍ୟାକ୍ସି ଚାଳକଙ୍କ ଜୀବନ ଜୀବିକା ରକ୍ଷା ଓ ସାମାଜିକ ସୁରକ୍ଷା ଦାବିରେ ମହାସଂଘ ଏହି ଧର୍ମଘଟ ଡାକରା ଦେଇଛି।
ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘର ପକ୍ଷରୁ ଧର୍ମଘଟ। ଗୁରୁବାର ବିଭିନ୍ନ ଦାବି ନେଇ ଆଜି ରାଜ୍ୟବ୍ୟାପୀ ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘର ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାରେ ଯାତ୍ରୀମାନେ ଚାଲିଚାଲି ଗନ୍ତବ୍ୟସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଛି।
ମହାସଂଘ ଅଭିଯୋଗ କରିଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଟୋ ମାରଣନୀତି କରୁଛନ୍ତି। ସ୍ମାର୍ଟ ସିଟି ହେବା ପରେ ଭୁବନେଶ୍ୱରର ପ୍ରମୁଖ ରାସ୍ତାରେ ଆଉ ଅଟୋ ରିକ୍ସା, ଟ୍ୟାକ୍ସି ଚଳାଇବାକୁ ଅନୁମତି ମିଳିବ ନାହିଁ। ଏହାଦ୍ୱାରା ଦେଢଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ପ୍ରଭାବିତ ହେବ। ଏହାସହ ରାଜ୍ୟ ଓ କେନ୍ଦ୍ର ସରକାର ମାତ୍ରାଧିକ ପରିବହନ ଟିକସ୍ ଆଦାୟ କରୁଛନ୍ତି। ୨ଶହଟି ବସ୍ ରାଜ୍ୟ ବାହାରୁ ଆଣି ଭୁବନେଶ୍ୱରରେ ଚଳାଇବା ଓ ସାଇକେଲ ଭଡ଼ାରେ ଯୋଗାଇ ଦେବା ଯୋଜନା ଦ୍ୱାରା ସରକାର ସେମାନଙ୍କ ପେଟକୁ ଲାତ ମାରୁଛନ୍ତି। ତେଣୁ ଏପରି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି। ଏଥିପାଇଁ ଆଜି ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଟୋ ଓ ଟ୍ୟାକ୍ସି ଚାଳକ ସଂଘ।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ରାଲି ବାହାରି ଲୋୟର ପିଏମଜି ଯାଏ ଆସି ସେଠାରେ ଏକ ସଭା ଅନୁଷ୍ଠିତ ହେବ। ଏହାସହ ରାଜ୍ୟ ସରକାରଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯିବ।














