ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଏଥର କଳାରେ ୬୮.୭୯ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବାଣିଜ୍ୟରେ ୭୪.୯୧ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।

ଏଥର ପରୀକ୍ଷା ଦେଇଥିଲେ ମୋଟ ୨, ୩୦, ୨୦୬ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ ୧, ୫୮, ୩୭୮ ଛାତ୍ରଛାତ୍ରୀ।

ଚଳିତ ବର୍ଷ କଳାରେ ମୋଟ ପାସ୍ ହାର ୭୦.୧୭ ପ୍ରତିଶତ। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ଛାତ୍ରୀମାନେ ବାଜି ମାରିଛନ୍ତି। ଯୁକ୍ତ ଦୁଇ କଳାରେ ୬୩, ୭୫୯ ଛାତ୍ର ଏବଂ ୯୪, ୬୧୯ ଛାତ୍ରୀ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୯, ୯୯୩ ଛାତ୍ରଛାତ୍ରୀ, ୨ୟ ଶ୍ରେଣୀ- ୨୬, ୦୭୬ ଓ ୩ୟ ଶ୍ରେଣୀ ୧, ୧୨, ୧୪୩ରେ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ପାସ୍ ହାରରେ ପୁରୀ ଜିଲ୍ଲା ପ୍ରଥମ (୭୯.୮୭ପ୍ରତିଶତ) ଥିବାବେଳେ ନବରଙ୍ଗପୁର ଜିଲ୍ଲା ସର୍ବନିମ୍ନ ୪୭.୫୮ପ୍ରତିଶତ ରହିଛି।

ସୂଚନାଥାଉ କି, ଗତ ୧୯ରେ ପ୍ରକାଶ ପାଇଥିଲା +୨ ବିଜ୍ଞାନ ରେଜଲ୍ଟ।

ରେଜଲ୍ଟ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ ଆଜି ଦ୍ୱିତୀୟ ଶନିବାର ସରକାରୀ ଛୁଟି ଥିବା ସତ୍ତ୍ୱେ ରେଜଲ୍ଟ ପ୍ରକାଶ ପାଇଛି।  ଚଳିତ ବର୍ଷ କଳାରେ ୨ଲକ୍ଷ ୨୪ ହଜାରରୁ ଅଧିକ, ବାଣିଜ୍ୟରେ ୨୭ହଜାର ୫ଶହରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୮ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଗତ ବର୍ଷ କଳାରେ ପାସ୍ ହାର ୭୦.୧୭ ପ୍ରତିଶତ ଥିଲା। ସେହିପରି ବାଣିଜ୍ୟରେ ୭୧.୪୩ ଓ ଧନ୍ଦାମୂଳକ ଶିକ୍ଷାରେ ୬୧.୨୨ ପ୍ରତିଶତ ପାସ୍ ହାର ଥିଲା।

ସେହିପରି ବାଣିଜ୍ୟରେ ୨୦,୨୧୬ଜଣ ପିଲା ପାସ୍ କରିଛନ୍ତି। ସେଥିମଧ୍ୟରୁ ୧୩,୦୮୯ ଛାତ୍ର ଓ ୭,୧୨୭ଜଣ ଛାତ୍ରୀ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୪,୦୦୬, ଦ୍ବିତୀୟ ଶ୍ରେଣୀରେ ୩,୪୩୪ ଓ ତୃତୀୟ ଶ୍ରେଣୀରେ ୧୨,୪୭୦ରେ ପାସ କରିଛନ୍ତି। ଏଥର ପାସ ପ୍ରତିଶତ ରହିଛି ୭୪.୯୧। ଏଥର ବାଣିଜ୍ୟ ମୋଟ ପରୀକ୍ଷାର୍ଥୀ ଥିଲେ ୨୬,୯୮୪।

ବାଣିଜ୍ୟରେ ନୟାଗଡ଼ ଜିଲ୍ଲା ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଏହାର ୯୫.୫୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦେବଗଡ଼ର ସବୁଠାରୁ କମ୍‌ ଅର୍ଥାତ ୪୫.୦୭ ପ୍ରତିଶତ ଛାତ୍ରଛାତ୍ରୀ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଧନ୍ଦାମୂଳକ ଶିକ୍ଷାରେ ୭,୯୬୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୪୧୯୧ଜଣ ପାସ୍ କରିଛନ୍ତି।

ଛାତ୍ରଛାତ୍ରୀ www.chseodisha.nic.in ଓ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ଆସନ୍ତା ଜୁଲାଇ ୨ତାରିଖରେ ଇନ୍‌ଷ୍ଟାଣ୍ଟ୍ ପରୀକ୍ଷା ହେବ।

 

Comment